ଘରୋଇ କ୍ରିକେଟ୍: ଏଥର ୨ ରଣଜୀ ବିଜେତା

ମୁମ୍ବାଇ: କରୋନା ସଂକ୍ରମଣ ବିପଦ ଧୀରେଧୀରେ ଦୂର ହେବା ସହ ପୁଣି ଥରେ ପୂର୍ଣ୍ଣାଙ୍ଗ ଘରୋଇ କ୍ରିକେଟ୍ ଋତୁ ଆୟୋଜନ କରିବାକୁ ଅଣ୍ଟାଭିଡ଼ିଛି ବିସିସିଆଇ। ସେହିଭଳି ପ୍ରଥମଶ୍ରେଣୀ କ୍ରିକେଟ୍‌ର ଗୁଣାତ୍ମକ ମାନ ବଢ଼ାଇବା ଲାଗି ୨୦୨୨-୨୩ ଋତୁରୁ ଗୋଟିଏ ନୁହେଁ ଦୁଇଟି ରଣଜୀ ବିଜେତା ବାଛିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ଆସନ୍ତା ଋତୁରେ ରଣଜୀ ଟ୍ରଫି ଏଲିଟ୍ ଓ ପ୍ଲେଟ୍ ଏହି ଭଳି ଦୁଇଟି ବର୍ଗରେ ଖେଳାଯିବ ଏବଂ ପ୍ରତ୍ୟେକ ବର୍ଗର ଶ୍ରେଷ୍ଠ ଦଳ ବିଜେତାର ମାନ୍ୟତା ଲାଭ କରିବ। ପୂର୍ବରୁ ଘରୋଇ କ୍ରିକେଟ୍‌ର ୩୮ ଦଳ ଗୋଟିଏ ଟ୍ରଫି ପାଇଁ ଲଢ଼ୁଥିଲେ। ଏବେ କିନ୍ତୁ ଦୁଇଟି ଟ୍ରଫି ପ୍ରଦାନ କରାଯିବ। ଯାହା ଫଳରେ ରଣଜୀ ଟ୍ରଫି ନକଆଉଟ୍ ପର୍ଯ୍ୟାୟରେ ବିଭିନ୍ନ ଦଳର ଦକ୍ଷତା ମଧ୍ୟରେ ରହୁଥିବା ବଡ଼ ଧରଣର ପାର୍ଥକ୍ୟକୁ ଦୂର କରାଯାଇପାରିବ। ଏକ୍ଷେତ୍ରରେ ଗତଋତୁର ଝାଡ଼ଖଣ୍ଡ-ନାଗାଲାଣ୍ଡ ମ୍ୟାଚ୍‌କୁ ଉଦାହରଣ ଭାବେ ନେଇଛି ବିସିସିଆଇ। ପ୍ଲେଟ୍ ଟପର ନାଗାଲାଣ୍ଡ ବିପକ୍ଷରେ ଝାଡ଼ଖଣ୍ଡ ରେକର୍ଡ ୧୦୦୮ ରନ୍‌ର ଅଗ୍ରଣୀ ଲାଭ କରିଥିଲା। ଯାହା କ୍ରିକେଟ୍ ବିଶେଷଜ୍ଞଙ୍କୁ ବିସ୍ମିତ କରିଥିଲା। ନୂଆ ଫର୍ମାଟ୍‌ ଅନୁସାରେ ୩୨ ଏଲିଟ୍ ଦଳକୁ ୮ ଦଳିଆ ୪ ଗ୍ରୁପ୍‌ରେ ବିଭକ୍ତ କରାଯିବ। ପ୍ରତ୍ୟେକ ଗ୍ରୁପ୍‌ର ଶୀର୍ଷ ୨ ଦଳ କ୍ବାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଏହା ଦ୍ବାରା ପ୍ରତ୍ୟେକ ଦଳ ଲିଗ୍ ପର୍ଯ୍ୟାୟରେ ଅନ୍ୟୂନ ୭ ଲିଗ୍ ମ୍ୟାଚ୍ ଖେଳିପାରିବେ। ପ୍ଲେଟ୍ ବର୍ଗର ୬ ଦଳ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ। ସେମାନଙ୍କ ମଧ୍ୟରୁ ଶୀର୍ଷ ୪ ଦଳ ନକଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଶେଷ ଦୁଇ ଦଳ ପଞ୍ଚମ ଓ ଷଷ୍ଠ ସ୍ଥାନ ପାଇଁ ଲଢ଼ିବେ। ଏବେକାର ପଦ୍ଧତି ଅନୁସାରେ ପ୍ଲେଟ୍ ଗ୍ରୁପ୍‌ର ଟପର ସିଧାସଳଖ ପ୍ରି-କ୍ବାର୍ଟର ଫାଇନାଲ୍ ଖେଳୁଛନ୍ତି। ଦୁଇ ପ୍ଲେଟ୍ ଗ୍ରୁପ୍ ଫାଇନାଲିଷ୍ଟ ପରବର୍ତ୍ତୀ ଋତୁ ବା ୨୦୨୩-୨୪ ବର୍ଷରେ ଏଲିଟ୍ ଗ୍ରୁପ୍‌କୁ ଉଠିବେ। ଅନ୍ୟପକ୍ଷରେ ଏଲିଟ୍ ଗ୍ରୁପ୍‌ର ସବାଶେଷ ସ୍ଥାନରେ ରହିଥିବା ଦୁଇଟି ଦଳ ପ୍ଲେଟ୍ ଗ୍ରୁପ୍‌କୁ ଖସିବେ। ରଣଜୀ ଟ୍ରଫି ଡିସେମ୍ବର ୧୩ରୁ ଆରମ୍ଭ ହୋଇ ଫେବ୍ରୁଆରି ୨୦, ୨୦୨୩ରେ ଶେଷ ହେବ। ଆସନ୍ତା ଋତୁରେ ୧୫୦୦ରୁ ଅଧିକ ଘରୋଇ ମ୍ୟାଚ୍ ଖେଳାଯିବ।

ତିନିଟି ଋତୁ ପରେ ଫେରିବ ଦଲୀପ ଟ୍ରଫି
୨୦୨୨-୨୩ ଘରୋଇ କ୍ରିକେଟ୍ ଋତୁ ଦଲୀପ ଟ୍ରଫିରୁ ଆରମ୍ଭ ହେବ। ଦୀର୍ଘ ୩ ଋତୁର ବ୍ୟବଧାନ ପରେ ଏହି ପ୍ରତିଯୋଗିତା ଖେଳାଯିବ। ଏଥର ଦଲୀପ ଟ୍ରଫି ପୁରୁଣା ଜୋନାଲ ଭିତ୍ତିରେ ଖେଳାଯିବ। ନୂଆ ଜୋନ୍ ଉତ୍ତରାଞ୍ଚଳ ସହ ଉତ୍ତର, ଦକ୍ଷିଣ, ପୂର୍ବ, କେନ୍ଦ୍ର ଓ ପଶ୍ଚିମ, ଏହି ଭଳି ୬ ଦଳ ଏଥିରେ ଅଂଶଗ୍ରହଣ କରିବେ। ଦଲୀପ ଟ୍ରଫି ୨୦୨୨-୨୩ ଚଳିତବର୍ଷ ସେପ୍ଟେମ୍ବର ୮ରୁ ୨୫ ତାରିଖ ମଧ୍ୟରେ ଆୟୋଜିତ ହେବ। ଏହା ପରେ ଈରାନୀ ଟ୍ରଫି ଖେଳାଯିବ। ରଣଜୀ ବିଜେତା ମଧ୍ୟପ୍ରଦେଶ ଏଥିରେ ଅବଶିଷ୍ଟ ଭାରତ ଭେଟିବ। ଅବଶିଷ୍ଟ ଭାରତ ଦଳ ଅକ୍ଟୋବର ପହିଲାରେ ଘୋଷଣା କରାଯିବ। ଈରାନୀ ଟ୍ରଫି ୨୦୧୮-୧୯ ଋତୁ ପରେ ପ୍ରଥମ ଥର ଲାଗି ଖେଳାଯିବ। ସେତେବେଳେ ଅବଶି‌ଷ୍ଟ ଭାରତକୁ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ବିଦର୍ଭ ହରାଇ ବିଜେତା ଆଖ୍ୟା ଅର୍ଜନ କରିଥିଲା।

ଅକ୍ଟୋବର ୧୧ରୁ ଧଳାବଲ୍ କ୍ରିକେଟ୍
ଘରୋଇ କ୍ରିକେଟ୍‌ର ଧଳାବଲ୍ ପର୍ଯ୍ୟାୟ ବା ସୀମିତ ଓଭର କ୍ରିକେଟ୍ ପର୍ଯ୍ୟାୟ ଅକ୍ଟୋବର ୧୧ରୁ ଆରମ୍ଭ ହେବ। ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଏହି ଫର୍ମାଟର ପ୍ରଥମ ଘରୋଇ ପ୍ରତିଯୋଗିତା ହେବ। ଏହି ପ୍ରତିଯୋଗିତା ଟ୍ବେଣ୍ଟି-୨୦ ବିଶ୍ବକପ୍ ସହ ସମାନ୍ତରାଳ ଭାବେ ଅକ୍ଟୋବର ୧୧ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହା ପରେ ବିଜୟ ହଜାରେ ଟ୍ରଫି ଆୟୋଜିତ ହେବ। ଧଳାବଲ୍ କ୍ରିକେଟ୍‌ରେ ‌ପ୍ଲେଟ୍ ଗ୍ରୁପ୍‌ର ବ୍ୟବସ୍ଥା ରହିବନି। ବରଂ ସମସ୍ତ ଘରୋଇ ଦଳକୁ ପାଞ୍ଚଟି ଭିନ୍ନ ଭିନ୍ନ ଗ୍ରୁପ୍‌ରେ ରଖାଯିବ।

ପ୍ରଥମ ଥର ୧୬ ବର୍ଷରୁ କମ୍ ବାଳିକା କ୍ରିକେଟ୍
ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ରୌପ୍ୟ ପଦକ ବିଜୟରେ ଉତ୍ସାହିତ ହୋଇ ବିସିସିଆଇ ୨୦୨୨-୨୩ ଋତୁରେ ପ୍ରଥମ ଥର ଲାଗି ୧୬ ବର୍ଷରୁ କମ୍ ବାଳିକା‌ କ୍ରିକେଟ୍ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି। ଏହାଦ୍ବାରା ଅଧିକରୁ ଅଧିକ ଉଦୀୟମାନ ମହିଳା କ୍ରିକେଟର୍‌ଙ୍କୁ ଠାବ କରାଯାଇପାରିବ ବୋଲି କହିଛି ବିସିସିଆଇ। ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଜାନୁଆରି ୨୦୨୩ରେ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଦକ୍ଷିଣ ଆଫ୍ରିକାରେ ଖେଳାଯିବ। ଉଭୟ ଟ୍ବେଣ୍ଟି-୨୦ ଏବଂ ୫୦ ଓଭରିଆ ଫର୍ମାଟ୍‌ରେ ମଧ୍ୟ ଆଞ୍ଚଳିକ ମହିଳା କ୍ରିକେଟ୍ ପ୍ରତିଯୋଗିତା ଦୀର୍ଘ ୫ ବର୍ଷ ପରେ ଖେଳାଯିବ। ୨୩ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ ମହିଳା କ୍ରିକେଟ୍‌ର ଟ୍ବେଣ୍ଟି-୨୦ ଏବଂ ୫୦ ଓଭରିଆ ପ୍ରତିଯୋଗିତା ବି ଆୟୋଜିତ ହେବ। ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ ପ୍ରତିଯୋଗିତା ଅକ୍ଟୋବର ୧୧ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଆଉ ଏହିଠାରୁ ହିଁ ମହିଳା କ୍ରିକେଟ୍ ଘରୋଇ ଋତୁର ଶୁଭାରମ୍ଭ ହେବ। ଏହା ପରେ ଅନ୍ତଃ‌ଜୋନ୍‌ ଟ୍ବେଣ୍ଟି-୨୦ ଏବଂ ଚାଲେଞ୍ଜର୍ସ ଟ୍ରଫି ଖେଳାଯିବ।

ସମ୍ବନ୍ଧିତ ଖବର