ଘରୋଇ କ୍ରିକେଟର୍‌ଙ୍କ ଦରମା ଦ୍ୱିଗୁଣ ହେବ

ପ୍ରତ୍ୟେକ ଖେଳାଳି ଅନ୍ୟୁନ ୨୬ ଲକ୍ଷ ପାଇବେ

ମୁମ୍ବାଇ: ଘରୋଇ କ୍ରିକେଟ୍‌ ଖେଳୁଥିବା ଶହ ଶହ ଖେଳାଳିଙ୍କୁ ବୁଧବାର ବଡ଼ ଖୁସି ଖବର ମିଳିଛି। ସେମାନଙ୍କୁ ମିଳୁଥିବା ବାର୍ଷିକ ପାଉଣା ଖୁବଶୀଘ୍ର ଦ୍ୱିଗୁଣ ହେବାକୁ ଯାଉଛି। ବିସିସିଆଇ ପରିଚାଳନା ଦାୟିତ୍ୱରେ ଥିବା ପ୍ରଶାସନିକ ସମିତି ବା ସିଓଏ ଘରୋଇ କ୍ରିକେଟ୍‌ରେ ନୂଆ ରାଜସ୍ୱ ବଣ୍ଟନ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେବା ପରେ ଘରୋଇ କ୍ରିକେଟରମାନେ ବେଶ୍‌ ଲାଭବାନ ହେବାର ଆଶା ସଂଚାର ହୋଇଛି। ଏପରିକି ପ୍ରତ୍ୟେକ ଖେଳାଳି ଅନ୍ୟୁନ ୨୬ ଲକ୍ଷ ଟଙ୍କା ପାଇବେ ବୋଲି ଜଣା ପଡ଼ିଛି। ନିକଟରେ ଜାତୀୟ କ୍ରିକେଟ୍‌ ଦଳ ଖେଳାଳିଙ୍କ ପାଉଣାକୁ ମଧ୍ୟ ସିଓଏ ବଢ଼ାଇ ଦେଇଥିଲା। ସେତେବେଳୁ ଘରୋଇ କ୍ରିକେଟରଙ୍କୁ ମିଳୁଥିବା ଦରମା ବଢ଼ିବାର ଆଶା ସଂଚାର ହୋଇଥିଲା। ବୁଧବାର ସିଓଏ ମୁଖ୍ୟ ବିନୋଦ ରାଏ ଏହି କଥାକୁ ସ୍ପଷ୍ଟ କରିବା ପରେ ଘରୋଇ କ୍ରିକେଟରଙ୍କ ଭିତରେ ଖୁସିର ଲହରି ଖେଳି ଯାଇଛି। ସେ କହିଛନ୍ତି ନୂଆ ରାଜସ୍ୱ ବଣ୍ଟନ ବ୍ୟବସ୍ଥା ମୁତାବକ ଆଗରୁ ୧୦ ଲକ୍ଷ ଟଙ୍କା ପାଉଥିବା ଘରୋଇ ଖେଳାଳି ଏବେ ବିସିସିଆଇରୁ ସିଧାସଳଖ ୨୦ ଲକ୍ଷ ଟଙ୍କା ପାଇବେ। ସେହିଭଳି ବିସିସିଆଇର ମୋଟ ରାଜସ୍ୱରୁ ଆଉ ୬-୭ ଲକ୍ଷ ଟଙ୍କା ଆୟ କରିବେ। ଏଣୁ ଆସନ୍ତା ଋତୁରୁ ଘରୋଇ ଖେଳାଳିମାନେ ଅନ୍ୟୁନ ୨୬ ଲକ୍ଷ ଟଙ୍କା ରୋଜଗାର କରିବେ। ପୂର୍ବରୁ ଘରୋଇ ଖେଳାଳିମାନେ ଦିନକୁ ୧୦,୦୦୦ ଟଙ୍କା ପାଉଥିଲେ। ଏବେ ୩୫,୦୦୦ ଟଙ୍କା ପର୍ଯ୍ୟନ୍ତ ପାଇବେ।  ସେହିଭଳି ଘରୋଇ କ୍ରିକେଟରମାନେ ଏଣିକି ବିସିସିଆଇରୁ ସିଧାସଳଖ ସେମାନଙ୍କ ପାଉଣା ପାଇବେ। ଏଥିରେ କୌଣସି ଅପରପକ୍ଷର ମାଧ୍ୟମ ରହିବ ନାହିଁ।

ସୂଚନା ଯୋଗ୍ୟ ଯେ ବିସିସିଆଇ ତା’ ରାଜସ୍ୱର ୨୬ ପ୍ରତିଶତ ଖେଳାଳିଙ୍କୁ ଦେଇଥାଏ। ସେଥିମଧ୍ୟରୁ ୧୩ ପ୍ରତିଶତ ଅନ୍ତର୍ଜାତୀୟ ଖେଳାଳି, ୧୦.୬ ପ୍ରତିଶତ ଘରୋଇ ଖେଳାଳି ଏବଂ ବଳକା ମହିଳା କ୍ରିକେଟ୍‌ ଏବଂ କନିଷ୍ଠ କ୍ରିକେଟରମାନେ ପାଇଥାଆନ୍ତି।  ଏହି ନୀତି ବଦଳିବ ନାହିଁ। ହେଲେ ଘରୋଇ ଖେଳାଳିଙ୍କ ରୋଜଗାର କେମିତି ବଢ଼ିବ ତା’ର ବ୍ୟବସ୍ଥା ସିଓଏ କରିବ ବୋଲି ରାଏ କହିଛନ୍ତି। ତେବେ ରାଏଙ୍କ ପ୍ରତିଶ୍ରୁତି କେତେ ମାତ୍ରାରେ ସତ ହେଉଛି ତାହା ସମୟ ହିଁ କହିବ। କାରଣ ଦୁର୍ଭାଗ୍ୟଜନକ ଭାବେ ଅଧିକାଂଶ ରାଜ୍ୟର ଘରୋଇ କ୍ରିକେଟରମାନେ ଗତ ଦୁଇ ବର୍ଷ ହେବ ସେମାନଙ୍କ ବାର୍ଷିକ ପାଉଣା ପାଇ ନାହାନ୍ତି। ଏଥିନେଇ ରାଏ କହିଛନ୍ତି ଯେ ବିସିସିଆଇ ତା’ର ଏଜିଏମ୍‌ (ବାର୍ଷିକ ସାଧାରଣ ବୈଠକ)କୁ ଅପେକ୍ଷା କରିଛି। ଏଜିଏମ୍‌ ଟଙ୍କା ପାଇସା ମାମଲାକୁ ମଞ୍ଜୁରି ଦେଲେ ଏବଂ ରାଜ୍ୟସଂଘମାନେ ସେମାନଙ୍କ ବକେୟା ଅର୍ଥର ହିସାବ ଦେଇଦେଲେ ସେମାନଙ୍କୁ ତୁରନ୍ତ ସେମାନଙ୍କ ଅର୍ଥ ମିଳିଯିବ। ସମସ୍ତ ଘରୋଇ ଖେଳାଳିଙ୍କୁ ଦୈନିକ ୩୫,୦୦୦ ଟଙ୍କା ଲେଖାଏଁ ଦେବାକୁ ବିସିସିଆଇ ଯୋଜନା କରିଛି।

ସମ୍ବନ୍ଧିତ ଖବର