ସେପ୍ଟେମ୍ବର ୨୮ରୁ ଘରୋଇ ଋତୁ; ଜାନୁଆରି ୧୩ରୁ ରଣଜୀ ଟ୍ରଫି

ଏଲିଟ୍ ‘ଇ’ରେ ଓଡ଼ିଶା ରଣଜୀ ଦଳ, ଭୁବନେଶ୍ବରରେ ମହିଳା ପ୍ରତିଯୋଗିତା

ମୁମ୍ବାଇ: ବିସିସିଆଇ ଏହାର ୨୦୨୧-୨୨ ଋତୁର ଘରୋଇ ପ୍ରତିଯୋଗିତାକୁ ସେପ୍ଟେମ୍ବର ୨୮ରୁ ଆରମ୍ଭ କରିବାକୁ ଯାଉଛି। ପ୍ରଥମେ ବିନୁ ମଙ୍କଡ ଟ୍ରଫି ଏବଂ ୧୯ ବର୍ଷରୁ କମ୍‌ ମହିଳା ପ୍ରତିଯୋଗିତା ଖେଳାଯିବାକୁ ସ୍ଥିର କରାଯାଇଛି। ଉଭୟ ପ୍ରତିଯୋଗିତା ୨୯ ଦିନିଆ ହେବ। ବାସ୍ତବରେ ‌ସେପ୍ଟେମ୍ବର ୨୦ ତାରିଖରୁ ଦଳଗୁଡିକୁ ରିପୋର୍ଟ କରିବାକୁ କୁହାଯାଇଛି। ୫ ଦିନିଆ ସଙ୍ଗରୋଧ ଏବଂ ୨ ଦିନ ଅଭ୍ୟାସ ପରେ ପ୍ରତିଯୋଗିତା ଆରମ୍ଭ ହେବ। ମହିଳା ପ୍ରତିଯୋଗିତା ଭୁବନେଶ୍ବର ସମେତ ଅନ୍ୟ କିଛି ସ୍ଥାନରେ ଖେଳାଯିବାର ସମ୍ଭାବନା ରହିଛି। ଓଡ଼ିଶା ୧୯ ବ‌ର୍ଷରୁ କମ୍‌ ବିନୁ ମଙ୍କଡ ଟ୍ରଫିରେ ଏଲିଟ୍ ‘ଏ’ରେ ଉତ୍ତରପ୍ରଦେଶ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ବିହାର ସହିତ ମୋହାଲିରେ ଖେଳିବେ। ୧୯ ବର୍ଷରୁ ମହିଳାରେ ଓଡ଼ିଶା ଏଲିଟ୍‌ ‘ଇ’ରେ ପଞ୍ଜାବ, ହିମାଚଳପ୍ରଦେଶ, କର୍ଣ୍ଣାଟକ, ତ୍ରିପୁରା ସହ ସ୍ଥାନ ପାଇଛି। ଏହି ଗ୍ରୁପ୍‌ର ଖେଳ ଜୟପୁରରେ ଖେଳାଯିବ।

ଅନ୍ୟପକ୍ଷରେ ମୁଖ୍ୟ ପ୍ରତିଯୋଗିତା ରଣଜୀ ଟ୍ରଫି ଜାନୁଆରି ୧୩ ତାରିଖରୁ ଖେଳାଯିବ ବୋଲି ତାରିଖ ଧାର୍ଯ୍ୟ ହୋଇଛି। କନିଷ୍ଠ ବର୍ଗ ଭଳି ୫ ଦିନିଆ ସଙ୍ଗରୋଧ ଏବଂ ୨ ଦିନ ଅଭ୍ୟାସ ପରେ ମ୍ୟାଚ୍‌ ଗୁଡିକ ଖେଳାଯିବ। ୬ଟି ଯାକ ଗ୍ରୁପ୍‌ର ମ୍ୟାଚ୍‌ ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା, ଅହମ୍ମଦାବାଦ, ତ୍ରିଭେନ୍ଦ୍ରମ ଏବଂ ଚେନ୍ନାଇରେ ଖେଳାଯିବ। ନକ୍ ଆଉଟ୍ ମ୍ୟାଚ୍‌ଗୁଡିକ ଫେବ୍ରୁଆରି ୨୦ରୁ କୋଲକାତାରେ ଖେଳାଯିବ। ଫାଇନାଲ୍ ମ୍ୟାଚ୍‌ ମାର୍ଚ୍ଚ ୧୬ରୁ ୨୦ ମଧ୍ୟରେ କୋଲ୍‌କାତାରେ ଖେଳାଯିବ। ରଣଜୀ ଟ୍ରଫି ଏଲିଟ୍ ‘ଇ’ରେ ସ୍ଥାନ ପାଇଥିବା ଓଡ଼ିଶା ତ୍ରିଭେନ୍ଦ୍ରମରେ ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ବରୋଦା, ଛତିଶଗଡ଼ ଏବଂ ପଣ୍ଡିଚେରୀ ସହ ଖେଳିବ। ସୟଦ ମୁସ୍ତାକ ଅଲୀ ନଭେମ୍ବର ୪ରୁ, ବିଜୟ ହଜାରେ ଟ୍ରଫି ଡିସେମ୍ବର ୮ରୁ ପୁରୁଷ ରାଜ୍ୟ ‘ଏ’ ନଭେମ୍ବର ୨୦ରୁ, ସ‌ିକେ ନାୟୁଡୁ ଜାନୁଆରି ୨୮ରୁ ଖେଳାଯିବ ବୋଲି ସ୍ଥିର ହୋଇଛି। ତେବେ ଚୂଡାନ୍ତ ଖେଳସୂଚୀ ପ୍ରକାଶ ପାଇନାହିଁ।

ସମ୍ବନ୍ଧିତ ଖବର