ଆର୍ମି ଟୋପି ପିନ୍ଧି ଖେଳିଲେ, ମ୍ୟାଚ୍‌ ଫି’ ଦାନ କଲେ

ରାଞ୍ଚି: ଗତମାସରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନିହତ ସିଆରପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଭାରତୀୟ ଦଳର ସମସ୍ତ ଖେଳାଳି ଶୁକ୍ରବାର ଆର୍ମି ଟୋପି ପରିଧାନ କରି ଖେଳିଥିଲେ। ଏଥି ସହିତ ସମସ୍ତ ସଦସ୍ୟ ସେମାନଙ୍କ ମ୍ୟାଚ୍ ପାଉଣାକୁ ମଧ୍ୟ ଜାତୀୟ ସୁରକ୍ଷା ପାଣ୍ଠିକୁ ଦାନ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ର ଟସ୍ ପଡ଼ିବା ବେଳେ କୋହଲି ଏଭଳି ସ୍ବତନ୍ତ୍ର ଟୋପି ପରିଧାନ କରିବାର କାରଣ ଦର୍ଶାଇଥିଲେ। ପୁଲୱାମାରେ ନିହତ ଯବାନ ଓ ତାଙ୍କ ପରିବାରକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନେଇଛୁ। ଏହି ନିର୍ଦ୍ଦିଷ୍ଟ ମ୍ୟାଚ୍‌ର ପାଉଣାକୁ ମଧ୍ୟ ଜାତୀୟ ସୁରକ୍ଷା ପାଣ୍ଠିକୁ ପ୍ରଦାନ କରୁଛୁ ବୋଲି କୋହଲି କହିଥିଲେ। ଅଧିନାୟକ ଭାବେ ମୁଁ ଦେଶର ସମସ୍ତଙ୍କୁ ଏଭଳି କରିବାକୁ ଆହ୍ବାନ ଦେଉଛି ବୋଲି କହିଥିଲେ। ଆକ୍ରମଣରେ ନିହତ ଯବାନଙ୍କ ପରିବାରର ସୁବନ୍ଦୋବସ୍ତ ଏବଂ ପିଲାଙ୍କ ଶିକ୍ଷା ଲାଗି ଏହି ଅର୍ଥ ବିନିଯୋଗ କରାଯିବ। ଭାଷ୍ୟକାର ହର୍ଷ ଭୋଗଲେ କିନ୍ତୁ ସ୍ପଷ୍ଟ କରିଥିଲେ ଭାରତୀୟ ଟେରିଟୋରିଆଲ୍ ଆର୍ମିରେ ସମ୍ମାନଜନକ ଲ୍ୟୁଟେନାଣ୍ଟ୍ କର୍ନେଲ ଥିବାରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏଭଳି ପ୍ରସ୍ତାବ ଦେଇଥିଲେ। ଧୋନିଙ୍କ ସମ୍ଭାବ୍ୟ ଶେଷ ଘରୋଇ ସହର (ରାଞ୍ଚି) ମ୍ୟାଚ୍‌ ବୋଲି ମଧ୍ୟ ଏହାକୁ ବିବେଚନା କରାଯାଉଛି। ଟସ୍ ପୂର୍ବରୁ ଧୋନି ମଧ୍ୟ କୋହଲି ଏବଂ ଅନ୍ୟମାନଙ୍କୁ ଏହି ସ୍ବତନ୍ତ୍ର ଟୋପି ପ୍ରଦାନ କରିଥିଲେ। ଏଭଳି ନିଷ୍ପତ୍ତି ପୂର୍ବରୁ ବିସିସିଆଇ ମଧ୍ୟ ଆଇସିସି ସହିତ ଆଲୋଚନା କରି ଅନୁମତି ନେଇଥିବା ଜଣେ ଆଇସିସି ମୁଖପାତ୍ର ପ୍ରକାଶ କରିଛନ୍ତି। ବିସିସିଆଇ ମଧ୍ୟ ପ୍ରଥମେ ଟ୍ବିଟ୍ କରି ଏହି ଘୋଷଣା କରିଥିଲା। ପୂର୍ବରୁ ବିସିସିଆଇ ମଧ୍ୟ ଆସନ୍ତା ଆଇପିଏଲ୍‌ର ଉଦ୍‌ଘାଟନୀ ଉତ୍ସବର ସମ୍ପୂର୍ଣ୍ଣ ରାଶି (ପ୍ରାୟ ୨୦ କୋଟି ଟଙ୍କା)‌ ପୁଲୱାମା ସହିଦଙ୍କ ପରିବାରକୁ ଦାନ କରିବ ବୋଲି ଘୋଷଣା କରିଥିଲା। ସୂଚନାଯୋଗ୍ୟ, ଭାରତୀୟ ଖେଳାଳିମାନେ ଗୋଟିଏ ଦିନିକିଆ ମ୍ୟାଚ୍‌ରୁ ପ୍ରାୟ ୮ ଲକ୍ଷ ଟଙ୍କା ପାଇଥାନ୍ତି ଏବଂ ବାହାରେ ରହୁଥିବା ସଂରକ୍ଷିତ ଖେଳାଳିଙ୍କୁ ଅଧା ମିଳିଥାଏ।

ସମ୍ବନ୍ଧିତ ଖବର