ଆଇପିଏଲ୍ : ଧୋନୀ କରୋନା ନେଗେଟିଭ, ଶୁକ୍ରବାର ଚେନ୍ନାଇରେ ପହଞ୍ଚିବେ

ଚେନ୍ନାଇ : ଚେନ୍ନାଇ ସୁପରକିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି । ଏହା ଫଳରେ ସେ ଚେନ୍ନାଇରେ ଅନୁଷ୍ଠିତ ହେଉଥିବା ଦଳର ତାଲିମ ଶିବିରରେ ଯୋଗ ଦେଇପାରିବେ । ଏଥିପାଇଁ ଆସନ୍ତାକାଲି ଚେନ୍ନାଇ ଯିବେ ।

ନିଜ ଦଳର ଖେଳାଳିମାନଙ୍କୁ ନେବା ପାଇଁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଏକ ଚାଟାର୍ଡ ଫ୍ଲାଇଟର ବନ୍ଦବୋସ୍ତ କରାଯାଇଛି । ଏହି ଚାର୍ଟାର୍ଡ ଫ୍ଲାଇଟ ଆସନ୍ତାକାଲି ସବୁ ନେଗେଟିଭ ରିପୋର୍ଟ ଥିବା ଖେଳାଳିଙ୍କୁ ନେଇ ଚେନ୍ନାଇରେ ପହଞ୍ଚିବ । ଚେନ୍ନାଇରେ ପହଞ୍ଚିବା ପରେ ସେମାନଙ୍କର ଆଉ ଥରେ କରୋନା ପରୀକ୍ଷା କରାଯିବ । ଆସନ୍ତା ୨୧ କିମ୍ବା ୨୨ ତାରିଖରେ ସିଏସକେ ଦଳ ଦୁବାଇ ଯାତ୍ରା କରିବ ।

ଆଇପିଏଲ ପାଇଁ ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ ପ୍ରତି ଖେଳାଳି ଓ ସହାୟକ କର୍ମଚାରୀଙ୍କର ଦୁଇଥର କରୋନା ପରୀକ୍ଷା କରାଯିବା ବାଧ୍ୟତାମୂଳକ । ଅନ୍ୟପକ୍ଷରେ ୟୁଏଇରେ ପହଞ୍ଚିବା ପରେ ସେଠାକାର ସରକାରଙ୍କ ନିୟମ ଅନୁଯାୟୀ ସବୁ ଖେଳାଳିଙ୍କର ଆଉ ଥରେ କରୋନା ପରୀକ୍ଷା କରାଯିବ ।

ସୂଚନାଯୋଗ୍ୟ ଯେ ଆଇପିଏଲ ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ । ଫାଇନାଲ ନଭେମ୍ବର ୧୦ରେ ଖେଳାଯିବ । ମ୍ୟାଚଗୁଡ଼ିକ ଭାରତୀୟ ସମୟ ସଂଧ୍ୟା ସାଢେ ୭ଟା ବେଳେ ଅନୁଷ୍ଠିତ ହେବ । ଏ ବର୍ଷ କରୋନା ଭାଇରସ ଯୋଗୁଁ ମାର୍ଚ୍ଚ ଏପ୍ରିଲରେ ଆଇପିଏଲ ଖେଳାଯାଇନଥିଲା । ଆଇପିଏଲ ମ୍ୟାଚଗୁଡ଼ିକ ସାରଜା, ଦୁବାଇ ଓ ଆବୁଧାବିରେ ଖେଳାଯିବ ।

ସମ୍ବନ୍ଧିତ ଖବର