ଦୁବାଇ : ଆଇପିଏଲ୍ ପାଇଁ ନିର୍ଧାରିତ ଜୈବ ସୁରକ୍ଷା ପ୍ରୋଟୋକଲ୍ ସବୁକୁ ମାନି ଚଳିବା ଲାଗି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍ସିବି) ଅଧିନାୟକ ବିରାଟ କୋହଲି ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଆରସିବିର ୟୁଟ୍ୟୁବ୍ ଚ୍ୟାନେଲ୍ର ଏକ କାର୍ଯ୍ୟକ୍ରମ ‘ବୋଲ୍ଡ ଡାଇରିଜ୍’ରେ ଅଂଶଗ୍ରହଣ କରି କୋହଲି କହିଛନ୍ତି, ‘‘ଆମେ ଏଠାକୁ କ୍ରିକେଟ୍ ଖେଳିବାକୁ ଆସିଛୁ, ବୁଲିବାକୁ ନୁହେଁ, ବିସିସିଆଇ ଓ ଆଇପିଏଲ୍ ପରିଚାଳନା ପରିଷଦ ପକ୍ଷରୁ ଧାର୍ଯ୍ୟ ଜୈବ ସୁରକ୍ଷା ନୀତି ନିୟମକୁ ସର୍ବଦା ସମ୍ମାନ ଦେବାର ବେଳ। ୟୁଏଇ ରହଣି କାଳରେ ଆମକୁ ଖେଳ ଉପରେ ଏକାଗ୍ରତା ରଖିବାକୁ ହେବ। ଏବେ ଥଟ୍ଟା ମଜା କରିବାର ବେଳ ନୁହେଁ। ଏଭଳି ମହାମାରୀ ସମୟରେ ଖେଳିବାକୁ ସୁଯୋଗ ମିଳିବା ନିଶ୍ଚିତ ବଡ଼ ସୌଭଗ୍ୟର ବିଷୟ। ପରିସ୍ଥିତି ଯେଭଳି ଅଛି ଆମକୁ ସବୁକିଛି ମାନି ଚଳିବାକୁ ପଡ଼ିବ। କିଛି ସପ୍ତାହ ତଳେ ଆମେ ଆଇପିଏଲ୍ ହେବ ବୋଲି ଚିନ୍ତା ବି କରିପାରୁନଥିଲୁ। ଜୀବନ ପାଇଁ ଏବେ ଏହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ।’’ ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣ ଲାଗି ଆରସିବି ଦୁବାଇରେ ପ୍ରସ୍ତୁତି ଆରମ୍ଭ କରିସାରିଛି। ପ୍ରଥମ ଥର ପାଇଁ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି କୋହଲି ସେନା।
ଗାୱାରଙ୍କ ଟେଷ୍ଟ୍ ଏକାଦଶରେ କୋହଲି ଅଧିନାୟକ
ଲଣ୍ଡ : ପୂର୍ବତନ ଇଂଲଣ୍ଡ ଅଧିନାୟକ ତଥା କ୍ରିକେଟ୍ ଭାଷ୍ୟକାର ଡେଭିଡ୍ ଗାୱାର ବର୍ତମାନର କ୍ରିକେଟରଙ୍କ ଶ୍ରେଷ୍ଠ ଟେଷ୍ଟ୍ ଏକାଦଶ ଚୟନ କରିଛନ୍ତି। ଭାରତୀୟ ଦଳ ଅଧିନାୟକ ବିରାଟ କୋହଲିଙ୍କୁ ସେ ଏହି ପସନ୍ଦର ଏକାଦଶ ଲାଗି ଅଧିନାୟକ ବାଛିଛନ୍ତି। ଦଳ ଚୟନ ବେଳେ ବିରାଟ କୋହଲି ଏବଂ ବେନ୍ ଷ୍ଟୋକ୍ସଙ୍କୁ ସେ ତୁରନ୍ତ ବାଛିଥିବା ମଧ୍ୟ ପ୍ରକାଶ କରିଛନ୍ତି। ଦୁଇ ଜଣ ସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନ୍ ଏବଂ ନାଥନ୍ ଲାୟନଙ୍କୁ ଦଳରେ ସ୍ଥାନ ଦେଇଛନ୍ତି। ଇଂଲଣ୍ଡ ଅଧିନାୟକ ଜୋ ରୁଟ, ନ୍ୟୁଜିଲାଣ୍ଡ୍ ଅଧିନାୟକ କେନ୍ ୱିଲିୟମସନ୍ ଏବଂ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ଙ୍କୁ ମଧ୍ୟ ଏହି ଦଳରେ ସୁଯୋଗ ମିଳିଛି।
ସ୍ପୋର୍ଟସଟାଇଗର ସୋ’ ‘‘ଅଫ୍ ଦ ଫିଲ୍ଡ’’ରେ ମଧ୍ୟ ଗାୱାର କାହିଁକି କୋହଲିଙ୍କୁ ଅଧିନାୟକ ବାଛିଲେ ତା’ର କାରଣ ଦର୍ଶାଇଛନ୍ତି। ବିରାଟ କୋହଲିଙ୍କ ପ୍ରତିଭା ହିଁ ତାଙ୍କ ଉତ୍ସାହ ଓ ଉଦ୍ଦିପନା। କ୍ରିକେଟ୍ ଏବେ ବି ଦଳ ଭିତରେ ବ୍ୟକ୍ତିଗତ ଚମତ୍କାରିତାରେ ଖେଳାଯାଉଛି, କିନ୍ତୁ ମାତ୍ରାଧିକ ବ୍ୟକ୍ତିଗତ କ୍ଷତିକାରକ ହୋଇପାରେ। କୋହଲି କିନ୍ତୁ ଜଣେ ଅସାଧାରଣ ବ୍ୟକ୍ତି ଭାବେ ଦଳକୁ ଅବଦାନ ଦେଉଛନ୍ତି। କୋହଲିଙ୍କ ନେୃତ୍ବତ୍ବରେ ଭାରତ ୫୫ ଟେଷ୍ଟ୍ ଖେଳି ୩୩ ଜିତିଛି ଏବଂ ୧୨ ହାରିଛି। ଗତବର୍ଷ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆକୁ ୨-୧ରେ ହରାଇ ବର୍ଡର-ଗାଭାସ୍କର ଟ୍ରଫି ଜିତି ଭାରତ ପାଇଁ ୭୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଥିଲେ। କୋହଲି ମଧ୍ୟ ଟେଷ୍ଟ୍ କ୍ରିକେଟର ଗଭୀରତାକୁ ଭଲପାଆନ୍ତି ବୋଲି ପ୍ରକାଶ କରିସାରିଛନ୍ତି। ଟେଷ୍ଟ୍ କ୍ରିକେଟ୍ ଅତି ସୁନ୍ଦର ଏବଂ ଅତି କଠୋର ବୋଲି ମଧ୍ୟ ସେ ବିଭିନ୍ନ ସମୟରେ ମତ ରଖିଥିବା କହିଛନ୍ତି ଗାୱାର।