ଏବି ଡି’ଭିଲିୟର୍ସ, ଚାରମିନାର୍‌ ଭଳି ସନ୍‌ରାଇଜର୍ସର ଦୁର୍ବଳତା ଖୋଜିବା କଷ୍ଟକର

ଚେନ୍ନାଇରେ ‌ସିଏସ୍‌କେ ଏବଂ ଘରୋଇ ପରିବେଶରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ହାରିବା ସହ ଚଳିତ ଆଇପିଏଲ୍‌ରେ ଆମେ ଲାଗାତାର ଦ୍ବିତୀୟ ପରାଜୟ ବରଣ କରିଛୁ। ସେଥିପାଇଁ ହାଇଦ୍ରାବାଦଠାରେ ସନରାଇଜର୍ସକୁ ପରାସ୍ତ କରି ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ରହିଛୁ। ମହମ୍ମଦ କୁଲି କୁତବ ଶାହା ୧୯୫୧ରେ ନିର୍ମାଣ କରିଥିବା ଚାରମିନାର ପାଇଁ ପ୍ରସିଦ୍ଧ ହାଇଦ୍ରାବାଦ ଏବେ ସନରାଇଜର୍ସ ପାଇଁ ମଧ୍ୟ ଅନୁରୂପ ଭାବେ ଲୋକପ୍ରିୟ। କାରଣ ସନରାଇଜର୍ସ ନିଜକୁ ଆଇପିଏଲର ଅନ୍ୟତମ ଶକ୍ତିଶାଳୀ ଦଳ ଭାବେ ଗଢ଼ି ପାରିଛି। ଏହି ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ‌ଡେଭିଡ୍ ୱାର୍ନର ଚମତ୍କାର ପ୍ରତ୍ୟାବର୍ତନ କରିଛନ୍ତି। ତାଙ୍କ ସହ ଜନି ବେୟାରଷ୍ଟୋ ଓ କେନ୍ ୱିଲିୟମସନଙ୍କୁ ନେଇ ଗଠିତ ସନରାଇଜର୍ସର ଶୀର୍ଷ ୩ ବେଶ୍ ଶକ୍ତିଶାଳୀ। ଶୁକ୍ରବାର ସେମାନେ ୨୦୧ ରନ୍‌ କରି ସଫଳତାର ସହ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲେ। ସେଥିପାଇଁ ଆମକୁ ରବିବାର ଆରମ୍ଭରୁ ଭଲ ବୋଲିଂ କରି ଅଧିକରୁ ଅଧିକ ୱିକେଟ୍ ଅକ୍ତିଆର କରିବାକୁ ହେବ। ରସିଦ ଖାନ୍ ସନରାଇଜର୍ସ ବୋଲିଂକ୍ରମର ଅନ୍ୟତମ ଅମୋଘ ଅସ୍ତ୍ର। ଭୁବନେଶ୍ବର କୁମାର ଓ ସନ୍ଦୀପ ଶର୍ମା ତାଙ୍କୁ ଭଲ ସମର୍ଥନ ଦେଉଛନ୍ତି। ସତ କଥା କହିବାକୁ ଗଲେ ଚାର୍‌ମିନାର ଭଳି ସନରାଇଜର୍ସ ଦଳର କୌଣସି ଦୋଷ ଦୁର୍ବଳତା ଖୋଜି ବାହାର କରିବା ଅତି କଷ୍ଟକର। ତଥାପି ଆମ ଭିତରେ ଆତ୍ମବିଶ୍ବାସ ଭରି ରହିଛି। ଗୁରୁବାର ରାତିରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ଅଳ୍ପକେ ହାରିବା ପରେ ମୁଖ୍ୟ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନ ଆମକୁ ଆହୁରି ଅଧିକ ପରିଶ୍ରମ କରିବାକୁ ପରାମର୍ଶ ‌ଦେଇଥିଲେ। ସେହିଭଳି ଯୋଜନାକୁ ବିଶ୍ବାସ କରିବା ସହ ନିଜ ଉପରେ ଭରସା ରଖିବାକୁ ‌ସେ ଆହ୍ବାନ କରିଥିଲେ। ମୁଁ ଏତିକି କହି ପାରିବି ଯେ ଆମେ କ୍ରମାଗତ ଭାବେ ଉନ୍ନତି କରୁଛୁ। ଦକ୍ଷତା ମୂଳକ ଖେଳ ଖେଳିବାଠାରୁ ଆଉ ଅଧିକ ପଛରେ ନାହୁଁ। ଆଗାମୀ କେତେକ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଉପରକୁ ଉଠିବା ଆମର ଏକମାତ୍ର ଲକ୍ଷ୍ୟ। ଆମେ ଶୁକ୍ରବାର ବିଳମ୍ବିତ ରାତିରେ ହାଇଦ୍ରାବାଦ ପହଞ୍ଚିଛୁ। ସେଥିପାଇଁ ଆମକୁ ଯତ୍ନର ସହ ଏହି ହାଇଭୋଲଟେଜ୍ ମ୍ୟାଚ୍ ଲାଗି ପ୍ରସ୍ତୁତି କରିବାକୁ ହେବ। ଚଳିତ ଆଇପିଏଲର ପ୍ରଥମ ସପ୍ତାହ ବେଶ୍ ‌ରୋମାଞ୍ଚଭରା ରହିଲା। ୮ ପ୍ରତିଭାସଂପନ୍ନ, ଆତ୍ମବିଶ୍ବାସର ଭର୍ତି ଏବଂ ଶକ୍ତିଶାଳୀ ଦଳ ପରସ୍ପରକୁ ମୁହାଁମୁହିଁ ହେବା ଆଇପିଏଲର ରୋମାଞ୍ଚକୁ ଅତୁଟ ରଖିଛି। କାରଣ ଯେ କୌଣସି ଦିନ ଯେକୌଣସି ଦଳକୁ ହରାଇବାର ଦକ୍ଷତା ରଖନ୍ତି। ଆମେ ହାଇଦ୍ରାବାଦରେ ଏହା ପ୍ରମାଣିତ କରିବାକୁ ଚାହିଁବୁ।

ସମ୍ବନ୍ଧିତ ଖବର