ଦ୍ରାବିଡ଼ଙ୍କୁ ପୂର୍ଣ୍ଣକାଳୀନ ପ୍ରଶିକ୍ଷକ ପାଇଁ ବାଧ୍ୟ କରାନଯାଉ: ଜାଫର

ମୁମ୍ବାଇ : ଏକ ଅପ୍ରିୟ ମତାମତ ଦେଇ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍‌ ୱାସିମ୍‌ ଜାଫର। ଶ୍ରୀଲଙ୍କା ଗସ୍ତରେ ଭାରତୀୟ ସୀମିତ ଓଭର ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ଥିବା ରାହୁଲ ଦ୍ରାବିଡ଼ଙ୍କୁ ବରିଷ୍ଠ ଦଳର ପୂର୍ଣ୍ଣକାଳୀନ ପ୍ରଶିକ୍ଷକ ପାଇଁ ବାଧ୍ୟ କି ପ୍ରୋତ୍ସାହିତ କରାନଯାଉ ବୋଲି ମତ ଦେଇଛନ୍ତି ଜାଫର। ଦ୍ରାବିଡ଼ ପୂର୍ବ ଭଳି ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମି (ଏନ୍‌ସିଏ)ରେ ଯୁବ ଖେଳାଳିଙ୍କୁ ଗଢ଼ି ତୋଳନ୍ତୁ ଏବଂ ଭାରତୀୟ ଦଳର ବେଞ୍ଚ୍‌ ଷ୍ଟ୍ରେଙ୍ଗ୍‌ଥ ବଢ଼ାଉଥା’ନ୍ତୁ। ଶ୍ରୀଲଙ୍କା ଗସ୍ତରେ ଦ୍ରାବିଡ଼ ପ୍ରଶିକ୍ଷକ ହେବା ନିଶ୍ଚିତ ଭାବେ ଯୁବ ଖେଳାଳିଙ୍କୁ ଉତ୍ସାହିତ କରିଛି।

ମୋ ବ୍ୟକ୍ତିଗତ ମତ ଦ୍ରାବିଡ଼ ୧୯ ବ‌ର୍ଷରୁ କମ୍‌ ଏବଂ ଭାରତ ‘ଏ’ ଦଳ ସହ ପୂର୍ବଭଳି ନିଜ ଗୁରୁ ଦାୟିତ୍ବ ତୁଲାଇବା ଜାରି ରଖନ୍ତୁ। ଦ୍ରାବିଡ଼ ଏହି ବର୍ଗର ଖେଳାଳିଙ୍କ ପାଇଁ ରୋଲ୍ ମଡେଲ୍ ଭଳି ଥିବାରୁ ତାଙ୍କ ସହ ସମୟ କାଟିବା ଭଲ ହେବ। ସେ ଯୁବ ଖେଳାଳିଙ୍କ ପାଇଁ ମାର୍ଗଦର୍ଶକ ଭଳି ରହିବା ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ ପାଇଁ ଭଲ ବୋଲି ମଧ୍ୟ ଜାଫର ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଇଂଲଣ୍ଡରେ ଥିବା ଭାରତୀୟ ଟେଷ୍ଟ୍ ଦଳ ଏବେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ଦାୟିତ୍ବରେ ରହିଛି। ସମାନ ସମୟରେ ଶ୍ରୀଲଙ୍କାରେ ସୀମିତ ଓଭର ଶୃଙ୍ଖଳା ଖେଳିବାକୁ ଯାଇଥିବା ଶିଖର ଧାୱନଙ୍କ ଦଳର ପ୍ରଶିକ୍ଷକ ପଦ ରାହୁଲ ଦ୍ରାବିଡ଼ଙ୍କ ହାତରେ ରହିଛି। ଅଧିକାଂଶ ପୂର୍ବତନ କ୍ରିକେଟର୍‌ ରାହୁଲ ଦ୍ରାବିଡ଼ଙ୍କୁ ପରବର୍ତୀ ପୂର୍ଣ୍ଣକାଳୀନ ପ୍ରଶିକ୍ଷକ ବୋଲି ମତ ଦେଉଥିବା ବେଳେ ଜାଫରଙ୍କ ପ୍ରତିକ୍ରିୟା ଅଧିକ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧିତ ଖବର