ଭାରତ ସହ ଖେଳିବା ଆଶା ଛାଡ଼ି କ୍ରିକେଟ୍‌ର ଉନ୍ନତି ଦିଗରେ ମନ ଦିଅ

ପିସିବିକୁ ମିଆଁଦାଦ୍‌ଙ୍କ ଆହ୍ଵାନ

କରାଚି: ଭାରତ ସହ ନିକଟ ଭବିଷ୍ୟତରେ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିବା ସମ୍ଭାବନା କ୍ଷୀଣ। ଏପରିସ୍ଥଳେ ଭାରତ ସହ ଖେଳିବାର ଆଶାକୁ ଭୁଲିଯାଇ ଦେଶରେ କିପରି କ୍ରୀଡ଼ା ଢାଞ୍ଚାରେ ଉନ୍ନତି ହେବ ସେ ଦିଗରେ ଚିନ୍ତା କରିବାକୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)କୁ ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ଜାଭେଦ୍‌ ମିଆଁଦାଦ୍‌ ଆହ୍ଵାନ ଜଣାଇଛନ୍ତି। ଭାରତ ଆମ ସହ ଖେଳିବାକୁ ଚାହୁଁନି। ତେଣୁ ଭାରତକୁ ନଖେଳିବାକୁ ଛାଡ଼ିଦିଅ। ଭାରତ ସହ ନଖେଳିଲେ ଆମ କ୍ରିକେଟ୍‌ ମରିଯିବ ନାହିଁ। ତେଣୁ ଆମେ ଭାରତ ସହ କଥାବାର୍ତା କରିବା ଛାଡ଼ିଦେବା ଉଚିତ୍‌ ବୋଲି କରାଚିରେ ଏକ ଉତ୍ସବରେ ଯୋଗଦେବା ଅବସରରେ ମିଆଁଦାଦ୍‌ ଗଣମାଧ୍ୟମକୁ କହିଛନ୍ତି। ପାକିସ୍ତାନ ପାଇଁ ୧୨୪ ଟେଷ୍ଟ ଖେଳିଥିବା ମିଆଁଦାଦ୍‌ ମଧ୍ୟ ଭାରତୀୟ କ୍ରିକେଟ୍‌ ବୋର୍ଡ ନିକଟରେ ଦ୍ୱିପାକ୍ଷିକ ଶୃଙ୍ଖଳା ପାଇଁ ଭିଖ ମାଗିବା ଦରକାର ନାହିଁ ବୋଲି ପିସିବିକୁ ପରାମର୍ଶ ଦେଇଛନ୍ତି। ସେମାନେ ଆମ ସହ ୧୦ ବର୍ଷ ହେଲା ଖେଳୁନାହାନ୍ତିି। ତାହାଲେ କ’ଣ ହେଲା। ଆମ କ୍ରିକେଟ୍‌ କ’ଣ ନିମ୍ନମୁଖୀ ହୋଇଛି? ବରଂ ଆମେ ଭଲ ପ୍ରଦର୍ଶନ କରିଚାଲିଛୁ। ଯାହାକି ଆମେ ଗତ ଚାମ୍ପିଅନ୍‌ସ ଟ୍ରଫି ଜିତି ପ୍ରମାଣିତ କରିସାରିଛୁ। କେବଳ ସେତିକି ନୁହେଁ, ୨୦୦୯ରୁ ଦେଶରେ କୌଣସି ଆନ୍ତର୍ଜାତିକ କ୍ରିକେଟ୍‌ ଖେଳାଯାଉନଥିଲେ ମଧ୍ୟ ଆମେ ଚମତ୍କାର ପ୍ରଦର୍ଶନ ଦେଇଚାଲିଛୁ ବୋଲି ମିଆଁଦାଦ୍‌ କହିଥିଲେ। ତେଣୁ ଭାରତ ସହ ଖେଳିବାର ନିଶା ପରିତ୍ୟାଗ କରି ବୋର୍ଡର ଆର୍ଥିକ ସ୍ଥିତି ଦୃଢ଼ କରିବା ଦିଗରେ ପ୍ରୟାସ କରିବାକୁ ମିଆଁଦାଦ୍‌ ପିସିବିକୁ ଆହ୍ଵାନ ଦେଇଛନ୍ତିି।

ସମ୍ବନ୍ଧିତ ଖବର