କିମ୍ବଦନ୍ତୀ ବିଶ୍ୱକପ୍‌ ନ ଖେଳି ‘ବେଷ୍ଟ୍‍’

ମସ୍କୋ: ସେ ବିଶ୍ୱକପ୍‌ ଖେଳିନଥିଲେ କିନ୍ତୁ ବିଶ୍ୱ ଫୁଟ୍‌ବଲ୍‌ର ଅନ୍ୟତମ ମହାନ ତାରକାଙ୍କ ମଧ୍ୟରେ ତାଙ୍କ ନାମ ଆସିଥାଏ। ସଦ୍ୟ ପ୍ରକାଶିତ ସର୍ବକାଳୀନ ଶ୍ରେଷ୍ଠ ଫୁଟ୍‌ବଲ୍‌ରଙ୍କ ମଧ୍ୟରେ ମଧ୍ୟ ବେଷ୍ଟଙ୍କ ନାମ ଆଗ ଧାଡ଼ିରେ ରହିଛି। ନର୍ଦର୍ନ ଆୟର୍ଲାଣ୍ଡ୍‌ର ଏହି ଆକ୍ରାମକ ମଧ୍ୟଭାଗ ଖେଳାଳି ନିଜ ଲମ୍ବା ଖେଳ ଜୀବନରେ ବେଶ ଖ୍ୟାତି ଅର୍ଜନ କରିଥିଲେ। ୟୁରୋପୀୟ ଫୁଟ୍‌ବଲର୍‌ ଅଫ୍‌ ଦି ଇୟର ହେବା ଏବଂ ଆୟର୍ଲାଣ୍ଡ୍‌ ଫୁଟ୍‌ବଲ୍‌ ଆସୋସିଏସନର ମହାନ ତାରକା ଗୌରବ ମିଳିଥାଏ ସ୍ୱର୍ଗତ ଜର୍ଜ ବେଷ୍ଟଙ୍କୁ। ବେଲ୍‌ଫାଷ୍ଟ୍‍ରେ ବଢ଼ିଥିବା ଜର୍ଜ ବେଷ୍ଟଙ୍କ ଖେଳ ଜୀବନ ଶିଖର ଛୁଇଁଥିଲା ମାଞ୍ଚେଷ୍ଟର୍‌ ୟୁନାଇଟେଡ୍‌ ପ୍ରଦର୍ଶନ ବଳରେ। ମାତ୍ର ୧୫ ବର୍ଷ ବୟସରେ ତାଙ୍କୁ ବିଶିଷ୍ଟ ଫୁଟ୍‌ବଲ୍‌ ପ୍ରଶିକ୍ଷକଙ୍କଠାରୁ ଏଭଳି ବାର୍ତା ସହ ମିଳିଥିଲା ଟେଲିଗ୍ରାମ। ‘ମୁଁ ଭାବୁଛି ମୁଁ ଜଣେ ପ୍ରତିଭାଧାରୀଙ୍କୁ ପାଇଗଲି’। ମାତ୍ର ୧୭ ବର୍ଷରେ କ୍ଲବ୍‌ ପଦାର୍ପଣ କରି ସେ ୧୧ ବର୍ଷ ଭିତରେ ୪୭୦ ମ୍ୟାଚ୍‌ ଖେଳି ୧୭୯ ଗୋଲ୍‌ ଦେଇଥିଲେ। କ୍ଲବ୍‌ ପାଇଁ ଲଗାତାର ୫ ବର୍ଷ ଅଗ୍ରଣୀ ଗୋଲ୍‌ ସ୍କୋରର୍‌ ଥିଲେ। ଫୁଟ୍‌ବଲ୍‌ର ଜଣେ ମହାନ ଡ୍ରିବଲ୍‌ର ଭାବେ ତାଙ୍କ ନାମ ଶୀର୍ଷରେ ରହିଛି। ଗତି, ଦକ୍ଷତା, ସନ୍ତୁଳନ, ଗତିପଥ ବଦଳାଇବା, ଦୁଇପାଦରେ ଖେଳିବା, ଗୋଲ୍‌ ସ୍କୋରିଂ ଏବଂ ରକ୍ଷଣଭାଗକୁ ଭେଦିବାର ମିଶ୍ରିତ କଳା କୌଶଳ ଜଣା ଥିଲା ଜର୍ଜ ବେଷ୍ଟ୍‍ଙ୍କୁ। ନିଜ ନାମକୁ ଯଥାର୍ଥ ସାବ୍ୟସ୍ତ କରି ସେ ବି ହୋଇଥିଲେ ବେଷ୍ଟ୍‍। ୧୯୭୪ ମସିହାରେ ମାତ୍ର ୨୭ ବର୍ଷ ବୟସରେ ମାଞ୍ଚେଷ୍ଟର୍‌ ୟୁନାଇଟେଡ୍‌ ଛାଡ଼ି ଦେଇଥିଲେ। କିନ୍ତୁ ପରବର୍ତୀ ୧୦ ବର୍ଷ ସେ ବିଭିନ୍ନ କ୍ଲବ୍‌ ପାଇଁ ସଂକ୍ଷିପ୍ତ ସମୟ ଯୋଡ଼ି ହୋଇରହିଥିଲେ। ୧୯୮୪ରେ ୩୭ ବର୍ଷ ବୟସରେ ଅବସର ନେଇଯାଇଥିଲେ। ନିଜ ଜାତୀୟ ଦଳ ନର୍ଦର୍ନ ଆୟର୍ଲାଣ୍ଡ୍‌ ପାଇଁ ୧୯୬୪ରୁ ୧୯୭୭ ମସିହା ମଧ୍ୟରେ ୩୭ ମ୍ୟାଚ୍‌ ଖେଳି ଦେଇଥିଲେ ୯ ଗୋଲ୍‌। ଦଳର ପ୍ରଦର୍ଶନ ଏବଂ ନିଜ ଫିଟନେସ୍‌ କାରଣରୁ ସେ ୟୁରୋ କପ୍‌ କି ବିଶ୍ୱକପ୍‌ ଖେଳି ପାରିନଥିଲେ ସତ କିନ୍ତୁ ବେଷ୍ଟ୍‍ଙ୍କୁ ଅନେକ ମହାନ ଖେଳାଳି ଶ୍ରେଷ୍ଠତ୍ୱର ସ୍ୱୀକୃତି ଦିଅନ୍ତି। ୧୯୯୯ ମସିହାରେ ପ୍ରକାଶିତ ବିଂଶ ଶତାବ୍ଦୀର ଶ୍ରେଷ୍ଠ ୧୦୦ ଖେଳାଳିଙ୍କ ମଧ୍ୟରେ ସେ ଅଷ୍ଟମ ସ୍ଥାନରେ ରହିଥିଲେ। ତାଙ୍କୁ ବେଲ୍‌ଫାଷ୍ଟ୍‍ରେ ବିୟୁଟିଫୁଲ୍‌ ଗେମ୍‌ର ବିଉଟିଫୁଲ୍‌ ବୟ ଆଖ୍ୟା ମିଳୁଥିଲା। ସେଲିବ୍ରିଟି ଫୁଟ୍‌ବଲର୍‌ ଭାବେ କିନ୍ତୁ ବେଷ୍ଟଙ୍କ ବ୍ୟକ୍ତିଗତ ଜୀବନ ଭଲ ବିତିନଥିଲା। ନିଶାସକ୍ତ ଜୀବନ ପାଇଁ ପଡ଼ିଆ ଭିତରେ ଏବଂ ବାହାରେ ଅନେକ ଥର ବିବାଦରେ ଛନ୍ଦି ହେବାକୁ ପଡ଼ିଥିଲା। ‘ମୁଁ ଅନେକ ଅର୍ଥ ମଦ୍ୟପାନ, ମହିଳା ଏବଂ ଦ୍ରୁତଗାମୀ କାର୍‌ ପଛରେ ବ୍ୟୟ କରିଛି’ ବୋଲି ଦିନେ ମଧ୍ୟ ସେ ସ୍ୱୀକାର କରିଥିଲେ। ଫୁଟ୍‌ବଲ୍‌ ଜୀବନ ପରେ ସେ କିଛି ଦିନ ପାଇଁ ସମୀକ୍ଷକ ଭାବେ କାର୍ଯ୍ୟ କରିଥିଲେ ମଧ୍ୟ ଆର୍ଥିକ ଓ ସ୍ୱାସ୍ଥ୍ୟଗତ ସ୍ଥିତି ପାଇଁ ଅବସର ନେଇଯାଇଥିଲେ। ୨୦୦୨ ମସିହାରେ ଯକୃତ ପ୍ରତିରୋପଣ କରାଇଥିଲେ ମଧ୍ୟ ୨୦୦୫ ମସିହାରେ ୫୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ଦୁଇ ଜଣ ପୂର୍ବତନ ମଡେଲ୍‌ ଆଞ୍ଚେଲ୍‌ ଓ ଆଲେକ୍ସଙ୍କୁ ସେ ବିବାହ କରିଥିଲେ। ଇଂଲିସ୍‌ ଫୁଟ୍‌ବଲ୍‌ରେ ସେ ଏତେ ବିଖ୍ୟାତ ଥିଲେ ଯେ ତାଙ୍କ ନାମରେ ବେଲ୍‌ଫାଷ୍ଟ୍‍ ସିଟି ବିମାନବନ୍ଦର ନାମିତ ହୋଇଛି ଏବଂ ତାଙ୍କ ଜୀବନୀ ଉପରେ ଚଳିଚ୍ଚିତ୍ର ବି ନିର୍ମିତ ହୋଇଥିଲା। ଡବଲିନ୍‌ରେ ବି ରହିଛି ତାଙ୍କ ମହମମୂର୍ତି।

ସମ୍ବନ୍ଧିତ ଖବର