ଜାତୀୟ ମାଷ୍ଟର କ୍ରୀଡ଼ାରେ ଓଡ଼ିଶା ଖେଳାଳିଙ୍କୁ ଅପମାନ

ବିଜୟ ମଞ୍ଚକୁ ଡକା ଯାଇ ଦିଆଯାଇ ନଥିଲା ପଦକ, ପ୍ରବେଶିକା ଦେୟ ମିଳି ନଥିବାରୁ ହୋଇଥିଲା ସମସ୍ୟା

ସମ୍ବଲପୁର: ଚଣ୍ଡିଗଡ଼ରେ ଶେଷ ହୋଇଥିବା ପ୍ରଥମ ଜାତୀୟ ମାଷ୍ଟର୍ସ କ୍ରୀଡ଼ାରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଠିକ୍‌ ସମୟରେ ଫି’ ଜମା ହୋଇ ନଥିବାରୁ ଓଡ଼ିଶାରୁ ଯାଇଥିବା କ୍ରୀଡ଼ାବିତ୍‌ମାନଙ୍କୁ ସମସ୍ତଙ୍କ ସମ୍ମୁଖରେ ଅପମାନିତ କରାଯାଇଥିଲା। ସନ୍ତରଣରେ ପଦକ ଜିତିଥିବା ଓଡ଼ିଶା କ୍ରୀଡ଼ାବିତ୍‌ମାନଙ୍କୁ ବିଜୟ ମଞ୍ଚ (ଭିକ୍‌ଟୋରି ପୋଡିୟମ୍‌)କୁ ଡାକି ଫି’ ଦାଖଲ ହୋଇ ନଥିବାରୁ ପଦକ ଦିଆଯାଇ ପାରିବ ନାହିଁ ବୋଲି ଆୟୋଜକମାନେ ଘୋଷଣା କରିଥିଲେ। ସବୁ ରାଜ୍ୟରୁ ଯାଇଥିବା ୧୫୦୦ କ୍ରୀଡ଼ାବିତ୍‌, ଅଧିକାରୀ, ଗଣମାଧ୍ୟମ ଓ ଅତିଥିଙ୍କ ସମ୍ମୁଖରେ ଆୟୋଜକଙ୍କ ଏଭଳି ଘୋଷଣା ଓ ଆଚରଣ ଓଡ଼ିଶା କ୍ରୀଡ଼ାବିତ୍‌ଙ୍କୁ ବ୍ୟଥିତ କରିଥିଲା। ପଦକ ବିଜୟର ଗୌରବ କ୍ଷଣକ ମଧ୍ୟରେ ସେମାନଙ୍କ ପାଇଁ ଚରମ ଅପମାନରେ ପରିବର୍ତ୍ତିତ ହୋଇଥିଲା। ପଦକ ଜିତିଥିବା ଜଣେ ମହିଳା କ୍ରୀଡ଼ାବିତ୍‌ ଅପମାନରେ କାନ୍ଦି ପକାଇଥିଲେ। ତେବେ ଓଡ଼ିଶା ଖେଳାଳିମାନେ ଚୁପ୍‌ ନରହି ଭଦ୍ରତାର ସହ ଏହାର ପ୍ରତିବାଦ କରିଥିଲେ। ସେମାନେ ମାଷ୍ଟର କ୍ରୀଡ଼ାର ଜାତୀୟ ଓ ରାଜ୍ୟ ଆବାହକଙ୍କ ସହ ଯୋଗାଯୋଗ କରି ସମସ୍ୟା କ’ଣ ହୋଇଛି ଜାଣିବାକୁ ଚାହିଁଥିଲେ। ରାଜ୍ୟ ସଂଘ ପକ୍ଷରୁ ସମସ୍ତ ଖେଳାଳିଙ୍କ ଫି’ ପୂରା ଜମା ହୋଇ ନଥିବା ଜଣାପଡ଼ିଥିଲା। ସେହି ଦିନ ରାତିରେ ରାଜ୍ୟ ସଂଘ ପକ୍ଷରୁ ବକେୟା ଅର୍ଥ ପଇଠ କରା ଯାଇଥିଲା। ପରଦିନ ଆୟୋଜକମାନେ ଆବାସ ସ୍ଥାନକୁ ଯାଇ ଓଡ଼ିଶା ଖେଳାଳିଙ୍କୁ ସେମାନଙ୍କ ପଦକ ଓ ପ୍ରମାଣପତ୍ର ଦେଇଥିଲେ। ତେବେ ଖେଳାଳିଙ୍କ ପ୍ରତି କରାଯାଇଥିବା ଏହି ଅପମାନକୁ ଚଣ୍ଡିଗଡ଼ର ଗଣମାଧ୍ୟମ ଗୁରୁତ୍ୱର ସହ ପ୍ରକାଶ କରିଥିଲା। ଯଦି ପ୍ରବେଶ ଦେୟ ଦିଆଯାଇ ନଥିଲା ତାହେଲେ ସେମାନଙ୍କୁ ଖେଳିବାକୁ କାହିଁକି ସୁଯୋଗ ଦିଆଗଲା ଓ ଯଦି ଦିଆଗଲା ତାହେଲେ ପୁଣି ପଦକ ଜିତିବା ପରେ ମଞ୍ଚକୁ ଡକାଯାଇ କାହିଁକି ଅପମାନିତ କରାଗଲା ବୋଲି ଉଲ୍ଲେଖ କରି ସେଠାକାର ଖବର କାଗଜ ଗୁଡ଼ିକରେ ଆୟୋଜକଙ୍କୁ ତୀବ୍ର ଭର୍ସନା କରା ଯାଇଥିଲା।

ସୂଚନାଯୋଗ୍ୟ, ଏହି କ୍ରୀଡ଼ାର ସନ୍ତରଣ ଓ ଦୌଡ଼କୁଦ ଶୃଙ୍ଖଳାରେ ଭାଗ ନେବା ପାଇଁ ଓଡ଼ିଶାରୁ ଏକ ୩୨ ଜଣିଆ ଦଳ ଚଣ୍ଡିଗଡ଼ ଯାଇଥିଲା। ତହିଁରେ ୧୦ ଜଣ ସନ୍ତରଣ, ୨୦ ଦୌଡ଼କୁଦ ଓ ୨ ଜଣ ଉଭୟ ସନ୍ତରଣ ଓ ଦୌଡ଼କୁଦ ଶୃଙ୍ଖଳାରେ ଭାଗ ନେଇଥିଲେ। ଓଡ଼ିଶାର ପ୍ରତିଯୋଗୀମାନେ ଏହି କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସନ୍ତରଣରେ ସମସ୍ତ ୧୨ ଜଣ ପ୍ରତିଯୋଗୀ ମୋଟ ୧୬ ପଦକ ଜିତିଥିଲା ବେଳେ ତହିଁରେ ୩ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୧୦ କାଂସ୍ୟ ପଦକ ଥିଲା। ସେହିପରି ଦୌଡ଼କୁଦରେ ଓଡ଼ିଶା ୧୪ ସ୍ୱର୍ଣ୍ଣ ସମେତ ମୋଟ ୨୭ ପଦକ ଜିତିଥିଲା। ଦୌଡ଼କୁଦ ଚଣ୍ଡିଗଡ଼ର ସେକ୍ଟର-୭ କ୍ରୀଡ଼ା କଂପ୍ଲେକ୍ସରେ ହେଉଥିଲା ବେଳେ ସନ୍ତରଣ ପ୍ରତିଯୋଗିତା ମୋହାଲିରେ ଚାଲିଥିଲା। ଦୌଡ଼କୁଦର ବିଜେତାମାନଙ୍କୁ ପଦକ ଓ ପ୍ରମାଣପତ୍ର ତତ୍କାଳ ଦିଆ ଯାଉଥିବା ବେଳେ ସନ୍ତରଣ ପ୍ରତିଯୋଗିତା ଶେଷ ହେବା ପରେ ସେମାନଙ୍କୁ ସେକ୍ଟର-୭ ଷ୍ଟାଡିୟମ୍‌କୁ ପଦକ ଓ ପ୍ରମାଣପତ୍ର ଦେବାକୁ ଡକା ଯାଇଥିଲା। ହେଲେ ସେଠାରେ ସର୍ବସମ୍ମୁଖରେ ଅପମାନିତ କରାଯାଇଥିଲା। ଏହି ଖେଳାଳି ଦଳରେ ଜଣେ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟଙ୍କ ସମେତ ବହୁ ବରିଷ୍ଠ ପଦପଦବିରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ କ୍ରୀଡ଼ାବିତ୍‌ ଥିଲେ। ଜାତୀୟ ତଥା ରାଜ୍ୟ କ୍ରୀଡ଼ା ସଂଘ ଗୁଡ଼ିକରେ ଚାଲିଥିବା ନାନା ପ୍ରକାର ବିଶୃଙ୍ଖଳାର ଏହା ଆଉ ଏକ ଦିଗ ଉନ୍ମୋଚନ କରିଛି ବୋଲି ଚଣ୍ଡିଗଡ଼ରୁ ତିକ୍ତ ଅନୁଭୂତି ନେଇ ଫେରିଥିବା କିଛି ଓଡ଼ିଶା ଖେଳାଳି ପ୍ରକାଶ କରିଛନ୍ତି।

ଏ ସଂପର୍କରେ ଜାତୀୟ ମାଷ୍ଟର କ୍ରୀଡ଼ା ମହାସଂଘର ଆବାହକ ତଥା ମୁଖ୍ୟ ଆୟୋଜକ ବିନୋଦ କୁମାରଙ୍କୁ ପଚାରିବାରୁ ସେ କହିଲେ, କିଛି ବୈଷୟିକ ସମସ୍ୟା ଥିଲା। ଖେଳାଳି ପିଛା ୭୦୦ ଟଙ୍କା ପ୍ରବେଶ ଦେୟ ଦାଖଲ କରିବାକୁ ଥିଲା ବେଳେ ଓଡ଼ିଶା ଦଳର ଦେୟ ଆଂଶିକ ଜମା ହୋଇଥିଲା। ପରେ ରାଜ୍ୟ କର୍ମକର୍ତ୍ତାଙ୍କ ସହ କଥା ହୋଇ ସମସ୍ୟାର ସମାଧାନ ଓ ବକେୟା ଅର୍ଥ ଜମା ହେବା ପରେ ସେମାନଙ୍କୁ ସସମ୍ମାନେ ପଦକ ଦିଆ ଯାଇଥିଲା। କାହାରିକୁ ଅପମାନ କରିବା ଆମର ଉଦ୍ଦେଶ୍ୟ ନଥିଲା ବୋଲି ଶ୍ରୀ କୁମାର ସଫେଇ ଦେଇଛନ୍ତି। ଅପର ପକ୍ଷରେ ଓଡ଼ିଶା ରାଜ୍ୟ ମାଷ୍ଟର୍‌ କ୍ରୀଡ଼ା ସଂଘର ଆବାହକ ଶିବ ପ୍ରସାଦ ମିଶ୍ର କହିଛନ୍ତି ଯେ ଏହି ଖେଳରେ ପ୍ରବେଶିକା ଦେୟ, ଯିବା ଆସିବା, ରହିବା ସବୁ ଖର୍ଚ୍ଚ ଖେଳାଳିଙ୍କୁ ବହନ କରିବାକୁ ପଡ଼େ। ଆମର କିଛି ଖେଳାଳି ମୋତେ ଅର୍ଥ ଦେଇଥିଲେ ଯାହା ମୁଁ ଆୟୋଜକଙ୍କ ଖାତାରେ ଜମା କରିଥିଲି। ଆଉ କିଛି ଖେଳାଳି ସେଠାରେ ପହଞ୍ଚିବା ପରେ ସିଧାସଳଖ ନିଜ ପ୍ରବେଶିକା ଫି’ ଦେବେ ବୋଲି କହିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେତେ ଜଣ ଦେଇ ନଥିଲେ। ଆଉ ୯ ଜଣ ଖେଳାଳି ନାମ ପଞ୍ଜିକୃତ କରାଇ ବିଭିନ୍ନ କାରଣରୁ ଯାଇପାରି ନଥିଲେ। କିନ୍ତୁ ସେମାନଙ୍କ ବାବଦ ୬୩୦୦ ଟଙ୍କାର ପ୍ରବେଶିକା ଦେୟ ବି ଆୟୋଜକଙ୍କ ତରଫରୁ ହିସାବ କରା ଯାଇଥିଲା। ତେଣୁ ଏଭଳି ଘଟଣା ଘଟିବା ପରେ ତୁରନ୍ତ ନିଜ ହାତରୁ ବକେୟା ଅର୍ଥ ଜମା କରିଥିଲି। ଭୁଲ ବୁଝାମଣାରୁ ଏଭଳି ଏକ ସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର