ପ୍ୟାରିସ୍ କଥା‌ ଭାବୁ ନାହାନ୍ତି ପୁରୁଷ; ଏସୀୟ କ୍ରୀଡ଼ା ଆମ ପରବର୍ତ୍ତୀ ଲକ୍ଷ୍ୟ: ମନପ୍ରୀତ୍‌

ସ୍କୁଲ ସ୍ତରୀୟ ହକିର ମାନ ବଢ଼ାଇବାକୁ ହେବ: ଶ୍ରୀଜେସ୍

ଭୁବନେଶ୍ବର: ‘‘ଦୀର୍ଘ ୪୧ ବର୍ଷ ପରେ ଟୋକିଓରେ ପଦକ ଜିତିବା ପରେ ଆମ ଉପରେ ଦେଶବାସୀଙ୍କ ଆଶା ଆକାଂକ୍ଷା ଢେର ବଢ଼ିଯାଇଛି। ଏଥିଲାଗି କିନ୍ତୁ ଆମେ ଚାପଗ୍ରସ୍ତ ହେବାର ପ୍ରଶ୍ନ ଉଠୁନି। ଟୋକିଓ ଗଲା ବେଳେ ମଧ୍ୟ ଆମେ କୌଣସି ଚାପରେ ନଥିଲୁ। ପରବର୍ତ୍ତୀ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ମଧ୍ୟ ଚିନ୍ତା କରିବୁ ନାହିଁ। ସତ କଥା ହେଲା ଆମେ ଏବେ ପ୍ୟାରିସ୍ ଅଲିମ୍ପିକ୍ସ କଥା ଆଦୌ ଭବୁନୁ। ବରଂ ୨୦୨୨ରେ ହେବାକୁ ଥିବା ଏସୀୟ କ୍ରୀଡ଼ା ଆମର ପରବର୍ତ୍ତୀ ଲକ୍ଷ୍ୟ। କାରଣ ଏଠାରେ ଆମ ପାଇଁ ଅଲିମ୍ପିକ୍ସରେ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ରହିବ। ସେହିଭଳି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ୨୦୨୩ରେ ଭୁବନେଶ୍ବର ଓ ରାଉରକେଲାରେ ହେବାକୁ ଥିବା ବିଶ୍ବକପ୍ ମଧ୍ୟ ଆମ ପାଇଁ ଢେର ମହତ୍ବ ରଖିବ’’। ଟୋକିଓ ଅଲିମ୍ପିକ୍ସ ସଫଳତା ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ମଙ୍ଗଳବାର ଆୟୋଜିତ ହୋଇଥିବା ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବା ଅବସରରେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଏଭଳି ମନ୍ତବ୍ୟ ଦେଇଛନ୍ତି। ଓଡ଼ିଶାକୁ ନିଜ ଦ୍ବିତୀୟ ଘର ଭାବେ ବର୍ଣ୍ଣନା କରିଥିବା ମନପ୍ରୀତ ଏଠାରେ ମିଳୁଥିବା ଭଲପାଇବା ଓ ସ୍ନେହ ଅନ୍ୟ କୌଣସିଠାରେ ମିଳେ ନାହିଁ ବୋଲି କହିଥିଲେ।

ହକି ଇଣ୍ଡିଆ ଲିଗ୍ ପୁଣି ଥରେ ଆରମ୍ଭ ହେଉ: ବୀରେନ୍ଦ୍ର

ଭାରତୀୟ ହକି ଦଳ ରକ୍ଷାପ୍ରାଚୀର ପିଆର ଶ୍ରୀଜେସ୍ କହିଥିଲେ ‘‘ ଭାରତୀୟ ହକିକୁ ଆହୁରି ଆଗକୁ ନେବାକୁ ହେଲେ ଆମକୁ ସ୍କୁଲ୍ ସ୍ତରୀୟ ହକିର ମାନ ବଢ଼ାଇବାକୁ ହେବ। କାରଣ ସେହିଠାରୁ ହିଁ ଭବିଷ୍ୟତ ‌ବିଜେତା ସୃଷ୍ଟି ହେବେ’’। ଟୋକିଓ ଅଲିମ୍ପିକ୍ସର ଅଭିଯାନକୁ ନିଜ ଜୀବନର ସବୁଠାରୁ ସୁଖଦ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଥିଲେ ସେ। ସେହିଭଳି ଭାରତ କାଂସ୍ୟ ପଦକ ଜିତିଲା ପରେ ମାତ୍ରାଧିକ ଖୁସି ହୋଇ ଗୋଲପୋଷ୍ଟ ଉପରେ ଚଢ଼ିବା ତାଙ୍କୁ ବହୁତ ମଜା ଦେଇଥିଲେ ବୋଲି କହିଥିଲେ ଶ୍ରୀଜେସ୍। ଯୋଜନାବଦ୍ଧ ଖେଳ ଖେଳିବା ହିଁ ଭାରତୀୟ ଦଳର ସଫଳତାର ମନ୍ତ୍ର ବୋଲି କହିଥିଲେ ଭାରତୀୟ ଦଳର ଅନ୍ୟତମ ଯୁବ ତାରକା ହରମନପ୍ରୀତ ସିଂହ। ଓଡ଼ିଶା ତାରକା ତଥା‌ ଭାରତୀୟ ହକି ଦଳର ଅନ୍ୟତମ ଉପଅଧିନାୟକ ବୀରେନ୍ଦ୍ର ଲାକ୍ରା ହକି ଇଣ୍ଡିଆ ଲିଗ୍ ପୁନର୍ବାର ଆୟୋଜନ କରିବା ଉପରେ ଜୋର ଦେଇଥିଲେ। ହକି ଇଣ୍ଡିଆ ଲିଗ୍‌ ଆରମ୍ଭ ହେଲେ ହକିର ହିଁ ଲାଭ ହେବ ବୋଲି ସେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର