କଳିଙ୍ଗ‌େର ଡବଲ୍‌ ଧମାକା, ହସ ଭରିଦେଲା ହକି

ରୁଷିଆକୁ ପୁଣି ହରାଇଲା ଭାରତ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଖେଳା ଯାଇଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକିର ଦ୍ବିତୀୟ ମୁକାବିଲାରେ ଭାରତୀୟ ପୁରୁଷ ଦଳ ପ୍ରଥମ ମ୍ୟାଚ୍‌ ଭଳି ଦ୍ବିତୀୟରେ ମଧୢ ଆଧିପତ୍ୟ ବିସ୍ତାର କରିଥିଲା। ଶନିବାର ଅବଶ୍ୟ ରୁଷିଆ ପ୍ରଥମେ ଗୋଲ୍‌ ଖାତା ଖୋଲିଥିଲା। ହେଲେ ଭାରତ ଏହା ପରେ ଲଗାାତାର ସାତଟି ଗୋଲ୍‌ ଦେଇ ଦୁଇ ଦିନରେ ଦୁଇଟି ସଜହ ବିଜୟ ହାସଲ କରିଥିଲା।

ଶନିବାର ମୁକାବିଲାର ପ୍ରଥମ ମିନିଟ୍‌ରେ ରୁଷିଆର ଆଲେକ୍ସି ସୋଭଲେଭକ୍ସି ଭାରତୀୟ ରକ୍ଷଣଭାଗକୁ ଚକ୍‌ମା ଦେଇ ଏକ ସୁନ୍ଦର ଫିଲ୍ଡ ଗୋଲ୍‌ ବଳରେ ନିଜ ଦଳକୁ ଆଗୁଆ କରି ଦେଇଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ରୁଷିଆ ଏହି ଗୋଲ୍‌ ବଳରେ ୧-୦ରେ ଆଗୁଆ ରହିଥିଲା। ତେବେ ପରବର୍ତୀ ତିନିଟି ଯାକ କ୍ବାର୍ଟରରେ ଭାରତ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା। ଶତକୀୟ ମ୍ୟାଚ୍‌ ଖେଳୁଥିବା ଲଲିତ ଉପାଧୢାୟ ସପ୍ତଦଶ ମିନିଟ୍‌ରେ ପେନାଲ୍ଟିକୁ ଗୋଲ୍‌ରେ ରୂପାନ୍ତର କରି ସ୍ଥିତି ୧-୧ କରି ନେଇଥିଲେ। ୬ ମିନିଟ୍‌ ପରେ ଅର୍ଥାତ୍‌ ୨୩ତମ ମିନିଟରେ ଆକାଶଦୀପ ସି˚ହ ଆଉ ଏକ ପେନାଲ୍ଟି କର୍ନରରୁ ଗୋଲ୍‌ କରି ଭାରତକୁ ପ୍ରଥମ ଥର ପାଇଁ ୨-୧ରେ ଆଗୁଆ କରିଥିଲେ। ୨୯ତମ ମିନିଟ୍‌ରେ ନିଜ ଡାହାଣ ପଟକୁ ଘୂରି ପ୍ରତିପକ୍ଷ ଗୋଲ୍‌ ରକ୍ଷକଙ୍କ ଦୁଇ ଗୋଡ଼ ମଧୢରେ ବଲ୍‌କୁ ଗୋଲ୍‌ ପୋଷ୍ଟ ଭିତରକୁ ପଠାଇ ଆକାଶଦୀପ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଗୋଲ୍‌ ଦେବା ସହ ଭାରତକୁ ୩-୧ରେ ଆଗୁଆ କରି ଦେଇଥିଲେ। ପ୍ରଥମାର୍ଧ ସୁଦ୍ଧା ଏହି ସ୍କୋର ଲାଇନ୍‌ ଅପରିବର୍ତିତ ଥିଲା। ଏହା ପରେ ଭାରତ ଆଉ ପଛକୁ ଫେରି ଚାହିଁ ନଥିଲା। ଗୋଲ୍‌ ବ୍ୟବଧାନ ଧିରେ ଧୀରେ ବଢ଼ାଇ ଚାଲିଥିଲା। ଭାରତ ପାଇଁ ଚତୁର୍ଥ ଗୋଲ୍‌ ନୀଳକାନ୍ତ ଶର୍ମା (୪୭ ମିନିଟ୍‌) ଦେଇଥିଲେ। ଗୋଟିଏ ମିନିଟ୍‌ ପରେ ରୂପୀନ୍ଦର ପାଲ ସି˚ ନିଜ ପ୍ରଥମ ଗୋଲ୍‌ ଦେଇ ସ୍ଥିତି ଭାରତ ସପକ୍ଷରେ ୫-୧ କରି ନେଇଥିଲେ। ପରବର୍ତୀ ୧୨ ମିନିଟ୍‌ରେ ଭାରତ ଆକ୍ରମଣକୁ ତୀବ୍ର କରି ଆଉ ଏକ ଗୋଲ୍‌ କରି ନେଇଥିଲା। ଭାରତ ପାଇଁ ଷଷ୍ଠ ଗୋଲ୍‌ ରୂପୀନ୍ଦର ଦେଇଥିଲେ। ମ୍ୟାଚ୍‌ରେ ଏହା ତାଙ୍କର ବ୍ୟକ୍ତିଗତ ଭାବେ ଦ୍ବିତୀୟ ଗୋଲ୍‌ ଥିଲା। ଅନ୍ୟପକ୍ଷରେ ହତାଶ ରୁଷିଆ ଭାରତୀୟ ରକ୍ଷଣଭାଗକୁ ଭେଦ କରି ନପାରି ଦ୍ବିତୀୟ ଗୋଲ୍‌ ଦେବାକୁ ସକ୍ଷମ ହୋଇ ନଥିଲା। ସେହିଭଳି ଭାରତ ଶେଷ ମିନିଟରେ ଆଉ ଏକ ଗୋଲ୍‌ ଦେଇ ୭-୧ ଗୋଲ୍‌ରେ ବିଜୟ ମୁଣ୍ତି ମାରିଥିଲା। ଏହି ଗୋଲ୍‌ଟିକୁ ଓଡ଼ିଆ ତାରକା ଅମିତ ରୋହି ଦାସ ଦେଇଥିଲେ। ଦୁଇ ଦିନିଆ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ଗୋଲ୍‌ ଲିଲିମା ମିଞ୍ଜ ଦେଇଥିଲା ବେଳେ ଶେଷ ଗୋଲ୍‌ ଅମିତ ଦେଇଥିଲେ। ଏସ୍‌ ଭି ସୁନୀଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଆତସବାଜୀରେ ବିଜେତା ଭାରତୀୟ ଦଳକୁ କଳିଙ୍ଗ ଷ୍ଟାଡିୟମ ଅଭିନନ୍ଦନ ଏବ˚ ଶୁଭେଚ୍ଛା ଜଣାଇଥିଲା। ଏଫଆଇଏଚ୍‌ ସଭାପତି ନରିନ୍ଦର ବାତ୍ରା, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦେଶକ ଆର ଭିନିଲକ୍ରିଷ୍ଣା ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ହକି ଇଣ୍ତିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ଏବ˚ ରାଜ୍ୟ କ୍ରୀଡ଼ା ବିଭାଗର ବହୁ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ।

ମୋନିକାଙ୍କ ୧୫୦, ଲଲିତ ୧୦୦
ଶନିବାର ଭାରତ ହକିର ଦୁଇ ଅଭିଜ୍ଞ ତାରକା ମୋନିକା ୧୫୦ ଏବ˚ ଲଲିତ ଉପାଧୢାୟ ୧୦୦ତମ ମ୍ୟାଚ୍‌ ଖେଳିଥିଲେ। ୨୫ ବର୍ଷୀୟ ମଧୢଭାଗ ଖେଳାଳି ମୋନିକା ଆମେରିକା ବିପକ୍ଷରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଅନ୍ୟ ପକ୍ଷରେ ଲଳିତ ରୁଷିଆ ବିପକ୍ଷରେ ଶତକ ଅର୍ଜନ କରିଥିଲେ। ମୋନିକା ୨୦୧୨ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେ ମଧୢ ଏସୀୟ କ୍ରୀଡ଼ା ଏବ˚ ରିଓ ଅଲିମ୍ପିକ୍ସ ଖେଳି ସାରିଛନ୍ତି। କଳିଙ୍ଗ ଷ୍ଟାଡିୟମ ଏଥିଲାଗି ତାଙ୍କ ପାଇଁ ସବୁଦିନ ଲାଗି ସ୍ମରଣୀୟ ହେବ ବୋଲି ମୋନିକା କହିଥିଲେ। ଭାରତୀୟ ପୁରୁଷ ଦଳର ମଧୢ ଏବ˚ ଅଗ୍ରଭାଗରେ ଖେଳିଥିବା ଲଲିତ ମଧୢ ନିଜ ଶତକୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳିବା ନେଇ ଖୁସି ଜାହିର କରିଥିଲେ।

ସମ୍ବନ୍ଧିତ ଖବର