ସୁପର ସନ୍‌ଡେରେ ଡବଲ୍‌ ହେଡର: ଦ୍ବିତୀୟ ଥର ଟ୍ରଫି ଧରିବା ପାଇଁ ଖେଳିବେ ରୟାଲ୍ସ-ସନରାଇଜର୍ସ

ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଆର୍‌ସିବି

ହାଇଦ୍ରାବାଦ: ଆଇପିଏଲ୍‌ ପ୍ରଥମ ସଂସ୍କରଣ (୨୦୦୮)ର ବିଜେତା ତଥା ଗତଥରର ଉପବିଜେତା ରାଜସ୍ଥାନ ରୟାଲ୍ସ ରବିବାର ହାଇଦ୍ରାବାଦରେ ସନରାଇଜର୍ସ ହାଇଦ୍ରାବାଦ ସହିତ ଚଳିତ ସଂସ୍କରଣ ଆରମ୍ଭ କରିବ। ସଂଜୁ ସାମସନ୍‌ଙ୍କ ନେତୃତ୍ବାଧୀନ ଏହି ଦଳ ଗତ ବର୍ଷ ଉଭୟ ଅରେଞ୍ଜ କ୍ୟାପ୍‌ ଓ ପର୍ପଲ କ୍ୟାପ୍‌ ଉପରେ କବ୍‌ଜା କରିଥିଲା। ଜୋସ୍‌ ବଟଲର୍‌ ସର୍ବାଧିକ ରନ୍‌ ସଂଗ୍ରହକାରୀ ଓ ୟୁଝବେନ୍ଦ୍ର ଚହଲ ସର୍ବାଧିକ ୱିକେଟ୍‌ ହାସଲକାରୀ ହୋଇଥିଲେ। ଏହାବାଦ୍‌ ଦଳରେ ପ୍ରଦର୍ଶନକାରୀଙ୍କ ଅଭାବ ନାହିଁ। ବିଗତ ବର୍ଷମାନଙ୍କରେ ବି ଏହି ଦଳ କେବେ ବି ଉଚ୍ଚସ୍ତରକୁ ନଯାଇପାରିଥିଲେ ମଧ୍ୟ କଦାପି ସମାଲୋଚିତ ହୋଇନାହିଁ। ଚହଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ଅଷ୍ଟ୍ରେଲିଆର ଆଦାମ ଜାମ୍ପା ଏହାର ସ୍ପିନ ଆକ୍ରମଣକୁ ଅଧିକ ମଜବୁତ୍‌ କରିଛନ୍ତି।

ଅନ୍ୟପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ମଜବୁତ୍‌ ବ୍ୟାଟିଂ ବିଷୟରେ ମଧ୍ୟ ସମସ୍ତଙ୍କୁ ଜଣା। ‌ତଥାପି ଦଳ ଗତ ଦୁଇ ଋତୁରେ ଉପରକୁ ଉଠିବା ପାଇଁ ସଂଘର୍ଷ କରୁଛି। ୨୦୨୧ରେ ଅଷ୍ଟମ ସ୍ଥାନରେ ରହିଥିବା ସନରାଇଜର୍ସ ପାଇଁ‌ ଡେଭିଡ୍‌ ୱାର୍ଣ୍ଣର ଓ ୨୦୨୨ରେ କେନ୍‌ ୱିଲିୟମସନ୍‌ ନେତୃତ୍ବ ନେଇଥିଲେ। ଏହାସତ୍ତ୍ବେ ଦଳର ଭାଗ୍ୟ ପରିବର୍ତ୍ତନ ହୋଇପାରିନଥିଲା। ଚଳିତ ବର୍ଷ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଏଡେନ୍‌ ମାରକ୍ରାମଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି। କିନ୍ତୁ ସେ ୩ ତାରିଖରେ ଭାରତରେ ପହଞ୍ଚିବାକୁ ଥିବାରୁ ଭୁବନେଶ୍ବର କୁମାର କାମଚଳା ଦାୟିତ୍ବ ସମ୍ପାଦନ କରିବେ। ଦ୍ରୁତ ବୋଲିଂ ଦଳର ମଜବୁତ ଅଙ୍ଗ ଭାବେ ଉଭା ହୋଇଛି। ଭୁବନେଶ୍ବରଙ୍କ ସହ ଉମ୍ରାନ ମଲ୍ଲିକ, ମାର୍କୋ ଜାନସେନ୍‌ଙ୍କ ଉପରେ ଆରମ୍ଭରୁ ୱିକେଟ୍‌ ବାହାର କରିବା ଦାୟିତ୍ବ ରହିବ। କିନ୍ତୁ ରାଜସ୍ଥାନ ପାଇଁ ଦ୍ରୁତ ବୋଲିଂ ସବୁଠୁ ବଡ଼ ଦୁର୍ବଳତା ହେବାକୁ ‌ଯାଉଛି। ଟ୍ରେଣ୍ଟ ବୋଲ୍ଟ, ଓବେଦ୍‌ ମ୍ୟାକଏ ଓ ନବଦୀପ ସଇନି ଏହି କ୍ରମରେ ଥିଲେ ବି ଆତ୍ମବିଶ୍ବାସ ଜମାଇପାରିନାହାନ୍ତି।

ସନରାଇଜର୍ସ ହାଇଦ୍ରାବାଦ ଦଳ: ଭୁବନେଶ୍ବର କୁମାର, ଅବଦୁଲ ସମଦ, ଅଭିଷେକ ଶର୍ମା, ମୟଙ୍କ ଅଗ୍ରୱାଲ, ଅନମୋଲପ୍ରୀତ୍‌ ସିଂହ, ହାରି ବ୍ରୁକ୍‌, ମୟଙ୍କ ଡଗର, ଫଜଲହକ୍‌ ଫାରୁକୀ, ଅକିଲ୍‌ ହୁସେନ୍‌, କାର୍ତ୍ତିକ ତ୍ୟାଗୀ, ହେନରିଚ କ୍ଲାସେଁ, ମୟଙ୍କ ମାର୍କଣ୍ଡେ, ଟି ନଟରାଜନ, ନୀତୀଶ କୁମାର ରେଡ୍ଡୀ, ଗ୍ଲେନ୍‌ ଫିଲିପ୍ସ, ଆଦିଲ୍‌ ରସିଦ୍‌, ସନଭିର ସିଂହ, ରାହୁଲ ତ୍ରିପାଠୀ, ଉମ୍ରାନ ମଲ୍ଲିକ, ବିଭ୍ରାନ୍ତ ଶର୍ମା, ସମର୍ଥ ଭ୍ୟାସ, ୱାସିଂଟନ୍‌ ସୁନ୍ଦର, ଉପେନ୍ଦ୍ର ଯାଦବ।

ରାଜସ୍ଥାନ ରୟାଲ୍ସ ଦଳ: ସଞ୍ଜୁ ସାମସନ୍‌, ଅବଦୁଲ ବସିଥ, ମୁରୁଗାନ ଅଶ୍ବିନ, ରବିଚନ୍ଦ୍ରନ ଅଶ୍ବିନ, କେଏମ୍‌ ଆସିଫ୍‌, ଟ୍ରେଣ୍ଟ ବୋଲ୍ଟ‌, ଜୋସ୍‌ ବଟଲର, କେସି କାରିଆପ୍ପା, ୟୁଝବେନ୍ଦ୍ର ଚହଲ, ଡୋନୋଭାନ୍‌ ଫେରୈରା, ସିମ୍ରନ୍‌ ହେଟ୍‌ମାୟର, ଜାସନ୍‌ ହୋଲ୍ଡର, ଯଶସ୍ବୀ ଜୟସ୍ବାଲ, ଧ୍ରୁବ ଜୁରେଲ୍‌, ଓବେଦ୍‌ ମ୍ୟାକଏ, ଦେବଦତ ପଡିକଲ୍‌, ରିୟାନ ପରାଗ, କୁନାଲ ସିଂହ ରାଥୋଡ, ଜୋ ରୁଟ୍‌, ନବଦୀପ ସଇନି, ସନ୍ଦୀପ ଶର୍ମା, କୁଲଦୀପ ଯାଦବ, ଆଦାମ ଜାମ୍ପା।

ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଆର୍‌ସିବି
ମୁମ୍ବାଇ ଇଣ୍ଡିଆନ୍ସ ଉପରେ ପୁଣି ଥରେ ଆଧିପତ୍ୟ ବିସ୍ତାର କରିବାକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଇଦାନକୁ ଓହ୍ଲାଇବ। ଆଇପିଏଲ୍‌ରେ ୨୦୨୦ ପରଠୁ ଉଭୟ ଦଳ ମଧ୍ୟରେ ହୋଇଥିବା ୫ ମୁକାବିଲା ଭିତରୁ ଆର୍‌ସିବି ଲଗାତାର ତିନି ଥର ଜିତିଆସୁଛି। ତେଣୁ ପ୍ରଥମ ଟ୍ରଫି ସନ୍ଧାନରେ ରହିଥିବା ଆର୍‌ସିବି ଏଥର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଘରୋଇ ଦର୍ଶକଙ୍କ ଆଗରେ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚାହିଁବ। ହେଲେ ଆହତ ଥିବା ରଜତ ପଟିଦାର ଓ ଜୋସ୍‌ ହାଜଲ୍‌ଉଡ୍‌ ଆଇପିଏଲ୍‌ରେ ପାଖାପାଖି ଅଧା ପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିବେନି। ୱିଲ୍‌ ଜାକ୍ସ ସଂପୂର୍ଣ୍ଣ ପ୍ରତିଯୋଗିତାରେ ଖେଳିପାରିବେନି। ସେହିପରି ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ମଧ୍ୟ ରବିବାର ମ୍ୟାଚ୍‌ରେ ଖେଳିବା ନେଇ ସନ୍ଦେହ ଦେଖାଦେଇଛି। ସ୍ପିନ୍‌ ଅଲ୍‌ରାଉଣ୍ଡର ୱାନିନ୍ଦୁ ହସରଙ୍ଗା ନିଜ ଦେଶ ପାଇଁ ନ୍ୟୁଜିଲାଣ୍ଡରେ ମ୍ୟାଚ୍‌ ଖେଳୁଥିବାରୁ ପ୍ରଥମ କିଛି ମ୍ୟାଚ୍‌ରେ ଦଳ ସହ ଉପଲବ୍ଧ ହେବେନି। ଏଭଳିସ୍ଥିତିରେ ମାଇକେଲ ବ୍ର‌ାସ୍‌ୱେଲ୍‌ ଓ ମଧ୍ୟକ୍ରମରେ ଦିନେଶ କାର୍ତ୍ତିକ ବଡ୍‌ ସଟ୍‌ ଖେଳିବେ। ଅଧିନାୟକ ଡୁପ୍ଲେସିସ୍‌ ଓ ବିରାଟ କୋହଲି ଶୀର୍ଷ ବ୍ୟାଟିଂକୁ ସମ୍ଭାଳିବେ। ସେହିପରି ହର୍ଷଲ ପଟେଲ ଓ ମହମ୍ମଦ ସିରାଜ ଆଗଧାଡ଼ିର ବୋଲର ରହିବେ।

ମୁମ୍ବାଇ ଇଣ୍ଡିଆନ୍ସ ଗତ ସଂସ୍କରଣରେ ସବୁଠୁ ତଳେ ରହିଥିଲା। ଆଇପିଏଲ୍‌ର ସବୁଠୁ ସଫଳ ଦଳ ମୁମ୍ବାଇ ଏଥର ତାହାର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପୂର୍ବ ଲଜ୍ଜାକୁ ଲିଭାଇବାକୁ ଚାହିଁବ। ଯଶ୍‌ପ୍ରୀତ୍‌ ବୁମ୍‌ରା ଓ ରିଚାର୍ଡସନ୍‌ଙ୍କ ଅନୁପସ୍ଥିତିରେ ଜୋଫ୍ରା ଆର୍ଚର ଏହି ଶୂନ୍ୟସ୍ଥାନ ପୂରଣ କରିବେ ବୋଲି ଦଳ ଆଶା ବାନ୍ଧିଛି। ତାଙ୍କୁ ଜାସନ୍‌ ବେହରେନଡ୍ରଫ୍‌ ଓ ଆକାଶ ମାଧୱଲ ସହାୟତା ଦେବେ। ଅଧିନାୟକ ରୋହିତ ଶର୍ମା, ଈଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଦ୍ରୁତ ରନ୍‌ ବାହାର କରିବା ଦାୟିତ୍ବ ରହିବା ସହ ଯୁବ ଖେଳାଳି ତିଳକ ବର୍ମା, ଦେୱାଲ୍‌ଦ ବ୍ରେଭିସ୍‌, ତ୍ରିଷ୍ଟାନ ଷ୍ଟବ୍ସ ଓ ଟିମ୍‌ ଡେଭିଡ୍‌ଙ୍କ ଉପରେ ଗୁରୁଦାୟିତ୍ବ ରହିବ। କାମେରୁନ୍‌ ଗ୍ରିନ୍‌ ଦଳରେ ଯୋଗଦେବା ପରଠୁ ପୀୟୂଷ ଚାୱଲାଙ୍କୁ ନେଇ ସ୍ପିନ୍‌ କ୍ରମ ଟିକେ ମଜବୁତ୍‌ ହୋଇଛି। ଗତବର୍ଷ ମାତ୍ର ୪ ମ୍ୟାଚ୍‌ ଖେଳିଥିବା କୁମାର କାର୍ତ୍ତିକେୟ ମଧ୍ୟ ଅନ୍ୟତମ ସ୍ପିନର ଭାବେ ଦଳରେ ଅଛନ୍ତି।

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ: ଫାଫ୍‌ ଡୁପ୍ଲେସିସ୍‌, ବିରାଟ କୋହଲି, ମହମ୍ମଦ ସିରାଜ, ହର୍ଷଲ ପଟେଲ, ଦିନେଶ କାର୍ତ୍ତିକ, ଶାହବାଜ ଅହମଦ, ଅନୁଜ ରାୱତ, ଆକାଶଦୀପ, ମହିପାଲ୍‌ ଲୋମରର୍‌, ଫିନ୍‌ ଆଲେନ୍‌, ସୂୟାଶ ପ୍ରଭୂଦେଶାଇ, କରଣ ଶର୍ମା, ସିଦ୍ଧାର୍ଥ କାଉଲ, ଡେଭିଡ୍‌ ୱିଲି, ରିସ୍‌ ଟପ୍‌ଲେ, ହିମାଂଶୁ ଶର୍ମା, ମନୋଜ ଭାଣ୍ଡାଗେ, ରାଜନ କୁମାର, ଅବିନାଶ ସିଂହ, ସୋନୁ ଯାଦବ, ମାଇକେଲ ବ୍ରାସ୍‌ୱେଲ।
ମୁମ୍ବାଇ ଇଣ୍ଡିଆନ୍ସ ଦଳ: ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଟିମ୍‌ ଡେଭିଡ୍‌, ଦେୱାଲ୍‌ଦ ବ୍ରେଭିସ୍‌, ତିଳକ ବର୍ମା, ଈଶାନ କିଶନ, ତ୍ରିଷ୍ଟାନ ଷ୍ଟବ୍‌ସ, ବିଷ୍ଣୁ ବିନୋଦ, କାମେରୁନ୍‌ ଗ୍ରିନ୍‌, ଅର୍ଜୁନ ତେନ୍ଦୁଲକର, ରମଣଦୀପ ସିଂହ, ସାମ୍ସ ମୁଲାନି, ନେହାଲ ୱାଧେରା, ହ୍ରିତିକ ସୋକିନ୍‌, ଅର୍ଶଦ ଖାନ୍, ଡୁଆନ୍‌ ଜାନସେନ୍‌, ପୀୟୂଷ ଚାୱଲା, କୁମାର କାର୍ତ୍ତିକେୟ, ରାଘବ ଗୋୟଲ, ଜୋଫ୍ରା ଆର୍ଚର, ଜାସନ୍‌ ବେହରେନଡ୍ରୋଫ୍‌, ଆକାଶ ମାଧୱଲ।

ସମ୍ବନ୍ଧିତ ଖବର