ଦୁବାଇ: ଭାରତୀୟ ମହିଳା ଦଳର ବାମହାତୀ ପ୍ରାରମ୍ଭିକ ବ୍ୟାଟର୍ ସ୍ମୃତି ମନ୍ଧାନା ୨୦୧୮ ବର୍ଷ ପାଇଁ ଆଇସିସିର ଦୁଇଟି ପ୍ରମୁଖ ପୁରସ୍କାର ହାତେଇ ନେଇଛନ୍ତି। ମାନ୍ଧାନା ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟର୍ ସାଙ୍ଗକୁ ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର୍ ମନୋନୀତ ହୋଇ ଦ୍ବିମୁକୁଟ ହାସଲ କରିଛନ୍ତି। ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି ଭାବେ ସେ ରାକେଲ ହେହୋ-ଫ୍ଲିଣ୍ଟ୍ ପୁରସ୍କାର ପାଇଛନ୍ତି। ଏହି ପୁରସ୍କାର ଜିତିବାରେ ମାନ୍ଧାନା ଦ୍ବିତୀୟ ମହିଳା ଖେଳାଳି ହୋଇଛନ୍ତି। ଗତବର୍ଷ ପ୍ରଥମ ଥର ଲାଗି ପ୍ରଦାନ କରାଯାଇଥିବା ରାକେଲ ହେହୋ-ଫ୍ଲିଣ୍ଟ୍ ପୁରସ୍କାର ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର ଏଲିସେ ପେରି ଜିତିଥିଲେ। ସେହିପରି ମହିଳା ଦିନିକିଆ କ୍ରିକେଟ୍ରେ ୬୬.୯୦ ହାରରେ ସର୍ବାଧିକ ୬୬୯ ରନ୍ କରିଥିବା ଯୋଗୁଁ ମାନ୍ଧାନାଙ୍କୁ ମଧ୍ୟ ବର୍ଷର ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରସ୍କାର ମିଳିଛି। ମାନ୍ଧାନା ମଧ୍ୟ ଚଳିତ ବର୍ଷ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ୧୩୦.୬୭ ହାରରେ ୬୨୨ ରନ୍ କରି ତୃତୀୟ ସର୍ବାଧିକ ସ୍କୋରର୍ ରହିଛନ୍ତି। ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀଙ୍କ ପରେ ଆଇସିସି ପୁରସ୍କାର ଜିତିବାରେ ୨୨ ବର୍ଷ ବୟସ୍କା ମାନ୍ଧାନା ଦ୍ବିତୀୟ ଭାରତୀୟ ମହିଳା କ୍ରିକେଟର୍ ହୋଇଛନ୍ତି। ଝୁଲଣ ପ୍ରଥମ ଭାରତୀୟ ମହିଳା ଭାବେ ୨୦୦୭ରେ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ଆଇସିସିର ପ୍ରମୁଖ ପୁରସ୍କାର ଜିତିବା ମୋ ପାଇଁ ସ୍ବତନ୍ତ୍ର ବୋଲି କହିଛନ୍ତି ମାନ୍ଧାନା।
ଅନ୍ୟପକ୍ଷରେ ଅନ୍ୟତମ ଭାରତୀୟ ମହିଳା ତଥା ଟ୍ବେଣ୍ଟି-୨୦ ଅଧିନାୟିକା ହର୍ମନ୍ପ୍ରୀତ୍ କୌର ମଧ୍ୟ ଚଳିତ ବର୍ଷ ଆଇସିସି ପୁରସ୍କାର ଲାଭ କରିଛନ୍ତି। ହର୍ମନ୍ପ୍ରୀତ୍ଙ୍କୁ ୨୦୧୮ରେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ଦଳର ଶ୍ରେଷ୍ଠ ଅଧିନାୟିକା ପୁରସ୍କାର ମିଳିଛି। ୨୯ ବର୍ଷ ବୟସ୍କା ହର୍ମନ୍ପ୍ରୀତ୍ଙ୍କ ନେତୃତ୍ବରେ ଭାରତ ୨୦୧୦ ପରେ ପ୍ରଥମ ଥର ଲାଗି ମହିଳା ବିଶ୍ବ ଟ୍ବେଣ୍ଟି-୨୦ର ସେମିଫାଇନାଲ୍ ପ୍ରବେଶ କରିଥିଲା। ଏହି ପୁରସ୍କାର ଦଳ ପାଇଁ ଆଗକୁ ଭୂମିକା ତୁଲାଇବାରେ ଆତ୍ମବିଶ୍ବାସ ଭରିଦେବ ବୋଲି କହିଛନ୍ତି ହର୍ମନ୍ପ୍ରୀତ୍।
ଚଳିତ ବର୍ଷର ଆଇସିସି ପୁରସ୍କାର ପାଇଥିବା ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଅଷ୍ଟ୍ରେଲୀୟ ୱିକେଟ୍ରକ୍ଷକ ଆଲିସା ହିଲି ଏବଂ ନ୍ୟୁଜିଲାଣ୍ଡ୍ ଅଧିନାୟିକା ସୁଜି ବେଟ୍ସ। ହିଲେ ବର୍ଷର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଖେଳାଳି ପୁରସ୍କାର ହାତେଇଥିଲା ବେଳେ ବେଟ୍ସ ଦିନିକିଆ ଆନ୍ତର୍ଜାତିକ ଦଳର ଶ୍ରେଷ୍ଠ ଅଧିନାୟିକା ପୁରସ୍କାର ପାଇଛନ୍ତି। ସେହିପରି ଇଂଲଣ୍ଡର ୧୯ ବର୍ଷ ବୟସ୍କା ବାମହାତୀ ସ୍ପିନର ସୋଫି ଏକ୍ଲେଷ୍ଟାନ୍ ବର୍ଷର ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ପାଇଛନ୍ତି। ଚଳିତ ବର୍ଷ ସୋଫି ୯ ଦିନିକିଆରୁ ୧୮ ଏବଂ ୧୪ ଟ୍ବେଣ୍ଟି-୨୦ରୁ ୧୭ ୱିକେଟ୍ ଅକ୍ତିଆର କରି ଏହି ପୁରସ୍କାରର ଦାବିଦାର ଥିଲେ।
ମାନ୍ଧାନାଙ୍କୁ ଆଇସିସି ଦ୍ବିମୁକୁଟ
O ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟର୍ ଓ ଦିନିକିଆର ଶ୍ରେଷ୍ଠ ଖେଳାଳି O ହର୍ମନ୍ପ୍ରୀତ୍ ବର୍ଷର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଅଧିନାୟିକା
/sambad/media/post_attachments/wp-content/uploads/2019/01/mandhana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)