ଶ୍ରୀଲଙ୍କା ସଂକଟ : ଏସିଆ କପ ଆୟୋଜନକୁ ନେଇ ସଂଦେହ, ପ୍ରସ୍ତୁତ ରହିବାକୁ ବାଂଲାଦେଶକୁ ନିର୍ଦ୍ଦେଶ

ମୁମ୍ବାଇ : ଶ୍ରୀଲଙ୍କାରେ ଚାଲିଥିବା ରାଜନୈତିକ ଅସ୍ଥିରତା ଗୃହଯୁଦ୍ଧ ଆଡକୁ ଗତି କରୁଥିବାବେଳେ ସେଠାରେ ଆସନ୍ତା ଅଗଷ୍ଟରେ ହେବାକୁ ଥିବା ଏସିଆ କପକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶକୁ ବିକଳ୍ପ ଆୟୋଜନସ୍ଥ​ଳୀ ଭାବେ ପ୍ରସ୍ତୁତ ରଖାଯାଇଛି ।

ଶ୍ରୀଲଙ୍କାରେ ଆସନ୍ତା ଅଗଷ୍ଟ ୨୭ରୁ ଏସିଆ କପ୍ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟ୍ ଟି-୨୦ ଫର୍ମାଟରେ ଖେଳାଯିବ ଓ ଏଥିରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଭାଗ ନେବେ । କିନ୍ତୁ ଶ୍ରୀଲଙ୍କା ଚାଲିଥିବା ଅସ୍ଥିରତାକୁ ନେଇ ଏସୀୟ କ୍ରିକେଟ୍ ପରିଷଦ ଚିନ୍ତାରେ ପଡ଼ିଯାଇଛି । ଶ୍ରୀଲଙ୍କାରେ ବର୍ତ୍ତମାନ ଯେଉଁ ପରିସ୍ଥିତି, ସେଠାରେ ଏସିଆ କପ ଆୟୋଜନ କରିବା ସୁରକ୍ଷିତ ମନେ କରୁନାହିଁ ପରିଷଦ । ସ୍ଥିତିରେ ସୁଧାର ନ ଆସିଲେ ବାଂଲାଦେଶରେ ଏସିଆ କପ ଆୟୋଜନ କରିବାକୁ ଚିନ୍ତା କରାଯାଉଛି । ଏଥିପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏସୀୟ କ୍ରିକେଟ ପରିଷଦ ଶ୍ରୀଲଙ୍କା ସ୍ଥିତି ଉପରେ ନଜର ରଖିଛି ଓ ସବୁ ଦିଗକୁ ବିଚାର କରି ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଚଳିତ ମାସ ଶେଷ ସପ୍ତାହରେ ନିଆଯିବ ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଯୋଗୁଁ ଏହି ଦେଶର ଶାସନ ବ୍ୟବସ୍ଥା ଭୁସୁଡ଼ି ପଡ଼ିଛି । ଏହି ଦେଶ ୧୯୪୮ରେ ନିଜର ସ୍ବାଧୀନତା ପରଠାରୁ ସବୁଠାରୁ ବଡ଼ ସଂକଟ ଦେଇ ଗତିକରୁଛି । ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । ଏହାଫଳରେ ଲୋକମାନେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ କରୁଛନ୍ତି ।

ସମ୍ବନ୍ଧିତ ଖବର