ସନ୍ଦେହରେ ଓ୍ଵାକୋ ଓଡ଼ିଶା ଭୂମିକା

ଜାଲ୍‌ ପଦକ ପ୍ରସଙ୍ଗରେ ଆମେଚର କିକ୍‌ ବକ୍ସିଂ ସଂଘ ଓଡ଼ିଶା ବା ଓ୍ଵାକୋ ଓଡ଼ିଶାର ଭୂମିକା ମଧ୍ୟ ସନ୍ଦହ ଘେରକୁ ଆସିଛି। ସଂଘର ସଭାପତିଙ୍କ ଆକାଉଣ୍ଟରୁ ଖେଳାଳିଙ୍କ ନକଲି ପଦକ ଧରିଥିବା ଫଟୋ ଫେସବୁକରେ ପୋଷ୍ଟ ହୋଇଥିବାରୁ ତାଙ୍କ ସହ ଅନ୍ୟାନ୍ୟ କର୍ମକର୍ତାଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି। ୨୩୬୧୭୩୮/୨୦୧୪-୨୫ ପଞ୍ଜିକରଣ ସଂଖ୍ୟା ଥିବା ଏହି ସଂଘର ମୁଖ୍ୟାଳୟ ଅନଗୁଳର ନାଲ୍‌କୋ ନଗରରେ ଥିଲା ବେଳେ ଭବାନୀପ୍ରସାଦ ମିଶ୍ର ଏହାର ମୁଖ୍ୟ ପରାମର୍ଶଦାତା, ହେମନ୍ତ ଦାସ ଉପ ସଭାପତି ଏବଂ ଯାଯାତି କେଶରୀ ଧଳ ସଂପାଦକ ଅଛନ୍ତି। ଓଡ଼ିଶା ଅଲିମ୍ପିକ୍ସ ସଂଘ ଏହାକୁ ସ୍ୱୀକୃତି ପ୍ରଦାନ କରିଛି। ପଦକ କେଳେଙ୍କାରୀ ପଦାକୁ ଆସିବା ପରେ ଏହି ସଂଘର ସ୍ୱୀକୃତି ବାତିଲ କରିବାକୁ ସାଧାରଣରେ ଦାବି ହୋଇଛି। ସଂଘକୁ ଓଡ଼ିଶା ଅଲିମ୍ପିକ୍ସ ସଂଘ ଆନୁଷ୍ଠାନିକ ସ୍ୱୀକୃତି ଦେବାର ପାଞ୍ଚ ଦିନ ପୂର୍ବରୁ ହିଁ କର୍ମକର୍ତା ଫେସବୁକରେ ସେମାନଙ୍କୁ ସ୍ୱୀକୃତି ମିଳି ଯାଇଛି ବୋଲି ଦାବି କରିଥିଲେ। ସେମାନେ ଫେସବୁକରେ ପକାଇଥିବା ଚିଠିର ତାରିଖ ଏବଂ ଓଡ଼ିଶା ଅଲିମ୍ପିକ୍ସ ସଂଘରୁ ମିଳିଥିବା ସ୍ୱୀକୃତିପତ୍ରର ତାରିଖ ମଧ୍ୟରେ ବି କୌଣସି ସାମଞ୍ଜସ୍ୟ ନଥିଲା। ସବୁ ପଇସାର ଖେଳ
ବୁଦାପେଷ୍ଟ ଯିବା ଲାଗି ଓଡ଼ିଶା ଖେଳାଳିଙ୍କଠାରୁ ଜାତୀୟ ସଂଘ ରାଜ୍ୟ ସଂଘର ସଭାପତିଙ୍କ ମାଧ୍ୟମରେ ୧ ଲକ୍ଷ ୪୦ ହଜାର ଟଙ୍କା ଲେଖାଏଁ ନେଇଥିଲା। ଖେଳାଳି ତ ବୁଦାପେଷ୍ଟ ଗଲେନି, ପ୍ରତିଯୋଗିତାର ଅଂଶ ଗ୍ରହଣ କରିବାର ସୁଯୋଗ ବି ପାଇଲେନି। ଧାର ଉଧାର ଆଣି ରାଜ୍ୟ ସଂଘ ମାଧ୍ୟମରେ ପୈଠ କରିଥିବା ଏହି ଟଙ୍କା ଫେରି ପାଇବା ନେଇ ଏବେ ସେମାନେ ଦ୍ୱନ୍ଦ୍ୱ ଓ ଆଶଙ୍କାରେ ରହିଛନ୍ତି। ଆଉ ଏକ ଦୁର୍ଭାଗ୍ୟଜନକ କଥା ହେଲା ଜାତୀୟ ସଂଘ ଖେଳାଳି ପିଛା ୧ ଲକ୍ଷ ୪୦ ହଜାର ଲେଖାଏଁ ନେଇଥିଲା ବେଳେ ଓଡ଼ିଶାର ଜଣେ ପ୍ରତିଯୋଗୀ ପାର୍ଥ ସାରଥୀ ଦାସଙ୍କଠାରୁ ୧ ଲକ୍ଷ ୬୫ ହଜାର ଟଙ୍କା ନିଆ ଯାଇଥିଲା।

ଜାତୀୟ ସଂଘକୁ ୧ ଲକ୍ଷ ୪୦ ହଜାର ଦେଇ ବାକି ଟଙ୍କା ରାଜ୍ୟ ସଂଘ ସଭାପତି ପାଖରେ ରଖି ନେଇଥିଲେ ବୋଲି ବି ଅଭିଯୋଗ ହୋଇଛି। ଏଥିନେଇ ପାର୍ଥ କହିଛନ୍ତି ଯେ ଆମ ଦଳର ଅନ୍ୟ ପିଲାଙ୍କଠାରୁ ସାର୍‌ ୧ ଲକ୍ଷ ୪୦ ହଜାର ଟଙ୍କା ଲେଖାଏଁ ନେଇଥିଲେ। ହେଲେ ମୋତ ୧ ଲକ୍ଷ ୬୫ହଜାର ଟଙ୍କା ଦେବାକୁ କୁହାଯାଇଥିଲା। ବହୁ କଷ୍ଟରେ ମୁଁ ଏହାକୁ ଦେଇଥିଲି। ଏବେ ଏହି ଟଙ୍କା ଫେରି ପାଇବି କି ନାହିଁ ତାହା ଜଣା ନାହିଁ। କିକ୍‌ ବକ୍ସିଂ ଖେଳ ଖରାପ ନୁହଁ। ହେଲେ ଏମାନେ ଏହାକୁ ଏବେ ବେପାର କରି ସାରିଲେଣି। ପିଲାଙ୍କୁ ରୀତିମତ ଶୋଷଣ କରାଯାଉଛି।
ଦୋଷୀକୁ ନିଶ୍ଚିତ ଦଣ୍ଡ ମିଳିବ: ଯଯାତି
ପଦକ ଜାଲିଆତି ମାମଲାରେ ପ୍ରଥମ ଥର ପାଇଁ ଆମେଚର କିକ୍‌ ବକ୍ସିଂ ସଂଘ ଓଡ଼ିଶାର ସଂପାଦକ ଯାଯାତି ମହାନ୍ତି ମୁହଁ ଖୋଲିଛନ୍ତି। ଦୋଷୀକୁ ନିଶ୍ଚିତ ଭାବେ ଦଣ୍ଡ ମିଳିବ ବୋଲି ସେ ‘ସମ୍ବାଦ’ ସହ କଥା ହେଲା ବେଳେ କହିଛନ୍ତି। ତେବେ ସଭାପତିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ପ୍ରଶ୍ନକୁ ସେ ଟାଳି ଦେଇଛନ୍ତି। ଏଣୁ ନୀରିହ ଖେଳାଳିଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ନେବାର ଆଶଙ୍କା ସୃଷ୍ଟି ହୋଇଛି। ଯଯାତି କହିଛନ୍ତି ଯେ ପ୍ରତିଯୋଗିତା ବେଳେ ମୁଁ ଓଡ଼ିଶାରେ ନଥିଲି। ବାପାଙ୍କ ବର୍ଷିକିଆ ପାଇଁ କୋଲକାତା ଯାଇଥିଲି। ତେବେ କୋଉଠି ନା କୋଉଠି ଭୁଲ ହୋଇଛି ବୋଲି ମୋର ହୃଦୟଙ୍ଗମ ହେଉଛି। ପଦକ ଜାଲିଆତି କଥାକୁ ମଧ୍ୟ ସେ ସ୍ୱୀକାର କରିଛନ୍ତି। ତେବେ ମାମଲାରେ ଯିଏ ଦୋଷ କରିଥିବ ତାକୁ କ୍ଷମା ଦିଆଯିବ ନାହିଁ ବୋଲି ଦୃଢ଼ତାର ସହ କହିଛନ୍ତି। ସେ କହିଛନ୍ତି ସଂଘ ଦୁର୍ନୀତି ଖୋରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ। ମଙ୍ଗଳବାର ଆମେ ଅନୁଗୁଳରେ ସାମ୍ବାଦିକ ସମ୍ମିଳନୀ ଡାକିଛୁ। ସେଥିରେ ସବୁ କିଛି ସ୍ପଷ୍ଟ କରିବୁ।

ସମ୍ବନ୍ଧିତ ଖବର