ଓସିଏଲ୍‌କୁ ନେଇ ଏବେଠୁ ସଂଶୟ

କଟକ: ଖେଳ ଓ ଖେଳାଳିଙ୍କ ଉନ୍ନତି ପାଇଁ ଟ୍ବେଣ୍ଟି-୨୦ ଲିଗ୍‌ ଆୟୋଜନ ହେଉଛି। ପ୍ରଥମେ ଅନ୍ତଃଜିଲ୍ଲା ପ୍ରତିଯୋଗିତା କରାଗଲା ଓ ଏବେ ଓସିଏଲ୍‌ ପାଇଁ ଓସିଏ ସଜବାଜ ହୋଇଛି। କିନ୍ତୁ ପ୍ରସ୍ତୁତି ପର୍ଯ୍ୟାୟକୁ ଦେଖିଲେ କେଉଁଥିରୁ ବି ଖେଳାଳିମାନେ ଲାଭବାନ ହେବା ଭଳି ଦିଗ ଦେଖାଯାଉନି। କାରଣ ଓସିଏଲ୍‌ରେ ବିଭିନ୍ନ ଜିଲ୍ଲାରୁ ଖେଳାଳିମାନେ ପ୍ରତିଯୋଗିତା ଆରମ୍ଭ ହେବାର ମାତ୍ର ଦୁଇ ଦିନ ଆଗରୁ ଏକାଠି ହୋଇଛନ୍ତି ଏବଂ ଗୋଟିଏ ଦିନ ପୂର୍ବରୁ ପ୍ରଶିକ୍ଷକ ନିଯୁକ୍ତି ପାଇଛନ୍ତି। ଅଭ୍ୟାସ କରିବା ସୁଯୋଗ ନଥିଲା ବେଳେ ପରସ୍ପରକୁ ଜାଣିବା, ବୁଝିବା ଓ ସନ୍ତୁଳନ ରଖିବା ଭଳି ଅବସର ମଧ୍ୟ କାହାପାଖେ ନାହିଁ। ଏପରିକି ଦଳଗୁଡିକର ମୁରବି ବୋଲି କେହି ନାହାନ୍ତି। ତେଣୁ ଖେଳାଳିଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ବଡ଼ ଆହ୍ବାନ ହେବ। ଏସବୁ ମାନସିକତା ଉପରେ ଖେଳାଳିଙ୍କର ପ୍ରଦର୍ଶନ ମଧ୍ୟ ନିର୍ଭର କରୁଛି।

ତିନିପ୍ରକାର ଖେଳସୂଚୀ
ପ୍ରଥମତଃ ଓସିଏ ପୂର୍ବରୁ କ୍ରିକ୍‌ ହିରୋଜ୍‌ ଆପ୍‌ ସହିତ ମିଶି ସମସ୍ତ ଘରୋଇ ପ୍ରତିଯୋଗିତାର ସ୍କୋରିଂ ଦାୟିତ୍ବ ତୁଲାଉଥିଲା। କିନ୍ତୁ ଓସିଏଲ୍‌ ପାଇଁ ଫ୍ୟାନ୍ କୋଡ୍‌ ଆପ୍‌ ସହିତ ଚୁକ୍ତି କରାଯାଇଛି। ହେଲେ ଏବିଷୟରେ ଯେତେ ମାତ୍ରାରେ ପ୍ରଚାର କରାଯିବା କଥା ତାହା କରାଯାଇନାହିଁ। ତଥାପି ଫ୍ୟାନ୍‌ କୋଡ୍‌ ଆପ୍‌ରେ ଛଡ଼ାଯାଇଥିବା ଓସିଏଲ୍‌ ଖେଳସୂଚୀକୁ ନେଇ ପ୍ରଥମେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ହେଲେ ଶନିବାର ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ସାମ୍ବାଦିକ ଓସିଏ ଅଧିକାରୀଙ୍କୁ ‌ସମାଲୋଚନା କରିବାରୁ ତରବରିଆ ଭାବେ ଖେଳସୂଚୀରେ ପରିବର୍ତ୍ତନ କରି ନୂଆ ସୂଚୀ ପ୍ରଦାନ କରାଗଲା। ସେଥିରେ ଫାଇନାଲ୍‌ ମ୍ୟାଚ୍‌ ୧୪ ତାରିଖରେ ହେବା ପାଇଁ ଦର୍ଶାଯାଇଥିଲା। କିନ୍ତୁ ସନ୍ଧ୍ୟା ବେଳକୁ ଓସିଏ ପକ୍ଷରୁ ଇ-ମେଲ୍‌ ଜରିଆରେ ଜାରି ହୋଇଥିବା ପ୍ରେସ୍‌ ବିଜ୍ଞପ୍ତିରେ ଫାଇନାଲ୍‌ ମ୍ୟାଚ୍‌ ୧୩ ତାରିଖରେ ଦର୍ଶାଯାଇଛି। ଗୋଟିଏ କଥାକୁ ଲୁଚାଇବା ପାଇଁ ଗୋଟିକ ପରେ ଗୋଟିଏ ଭୂଲ୍‌ କରିଚାଲିଛି ଓସିଏ।

ବିନା ଅଭ୍ୟାସରେ ଖେଳିବେ ଦଳ
କେବଳ ଏତିକି ନୁହେଁ, କୌଣସି ପେସାଦାର କ୍ରିକେଟ ମ୍ୟାଚ୍‌ ପୂର୍ବରୁ ଦଳର ଚୟନ, ଅଭ୍ୟାସ, ଖେଳାଳିଙ୍କ ମଧ୍ୟରେ ସଠିକ୍‌ ସମନ୍ବୟ ଇତ୍ୟାଦିର ଆବଶ୍ୟକତା ଥାଏ। କିନ୍ତୁ ଓସିଏଲ୍‌ ଆରମ୍ଭ ହେବା ପୂର୍ବରୁ ଏପରି ହୋଇପାରିନି। ଖେଳାଳି ଚୟନ ବେଳେ ଅନ୍ତଃଜିଲ୍ଲା ଲିଗ୍‌ର କିଛି ଭଲ ପ୍ରଦର୍ଶନକାରୀଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହେଉଛି। ତଥାପି ଦଳଗୁଡିକୁ କଟକରେ ରଖିବା ପାଇଁ ସବୁ ବ୍ୟବସ୍ଥା ଥିଲେ ବି ‌କିଟ୍‌ରେ ସେମାନଙ୍କର ରହିବା ବ୍ୟବସ୍ଥା କରାଯାଇଛି। କିନ୍ତୁ ଖେଳାଳିଙ୍କୁ ଅଭ୍ୟାସ କରିବା ପାଇଁ କିଛି ସୁଯୋଗ ମିଳିପାରିନି। ପ୍ରତିଯୋଗିତା ଆରମ୍ଭ ହେବାର ଦୁଇ ଦିନ ଆଗରୁ ଅନ୍ୟ ଜିଲ୍ଲାର ଖେଳାଳିମାନେ ନିଜ ନିଜ ଦଳ ସହିତ ଯୋଗ ଦେଇଛନ୍ତି।

ଦିନକ ପୂର୍ବରୁ ପ୍ରଶିକ୍ଷକ ନିଯୁକ୍ତି
ରବିବାରଠୁ ଓସିଏଲ୍‌ ଆରମ୍ଭ ହେବ, ହେଲେ ପ୍ରଶିକ୍ଷକମାନଙ୍କୁ ଶନିବାର ନିଯୁକ୍ତି ଦିଆଯାଉଛି। ସେମାନେ ଦଳ ସହିତ ମିଶି କିଭଳି ରଣନୀତି ପ୍ରସ୍ତୁତ କରିବେ ତାହା ଏବେ ବଡ଼ ପ୍ରଶ୍ନ। କାରଣ ନୂଆ ଖେଳାଳିଙ୍କ ବିଷୟରେ ଜାଣିବା ପାଇଁ ସେମାନଙ୍କୁ ଅନ୍ତଃଜିଲ୍ଲା ମ୍ୟାଚ୍‌ ବେଳେ ସୁଯୋଗ ଦିଆଯାଇନଥିଲା କିମ୍ବା ଏବେ ଖେଳାଳିଙ୍କୁ ପରଖିବାକୁ ସମୟ କିମ୍ବା ସୁବିଧା ଦିଆଯାଇନାହିଁ। ତେଣୁ ଦଳୀୟ ଶୃଙ୍ଖଳା କିପରି ବ୍ୟବସ୍ଥିତ ହେବ ତାହା ଦେଖିବାର କଥା। ଶନିବାର ଘୋଷଣା କରାଯାଇଥିବା ପ୍ରଶିକ୍ଷକ ତାଲିକାରେ ଓଡ଼ିଶା ଟାଇଗର୍ସ ପାଇଁ କେଭି ପ୍ରସାଦ, ଓଡ଼ିଶା ଲାୟନ୍ସ ପାଇଁ ଦିଲ୍ଲୀପ ଦାସ ମହାପାତ୍ର, ଓଡ଼ିଶା ଚିତାସ୍‌ ପାଇଁ ଜଗନ୍ନାଥ ଦାସ, ଓଡ଼ିଶା ଜାଗୁଆର୍ସ ପାଇଁ ଦେବୁଦତ୍ତ ଲେଙ୍କା, ଓଡ଼ିଶା ପାନ୍ଥର୍ସ ପାଇଁ ସୁରେଶ କୁମାର, ଓଡ଼ିଶା ପ୍ୟୁମାସ୍‌ ପାଇଁ ରାକେଶ ମହାନ୍ତିଙ୍କୁ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ଏହାବ୍ୟତୀତ ମ୍ୟାଚ୍‌ ପରିଚାଳନା ପାଇଁ ୧୧ଜଣ ଅମ୍ପାୟାର ଓ ୮ ଜଣ ସ୍କୋରରଙ୍କୁ ନିୟୋଜିତ କରାଯାଉଛି। ହେଲେ ଅନ୍‌ଲାଇନ୍‌ ସ୍କୋର କିଏ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଓସିଏ‌ ସ୍କୋରର କରିବେ ନା ଫ୍ୟାନ୍‌ କୋଡ୍‌ ଆପ୍‌ର ବ୍ୟକ୍ତିଗତ ସ୍କୋରର ଏଥିରେ ଦାୟିତ୍ବ ତୁଲାଇବେ ତାହାକୁ ନେଇ ସ୍କୋରରମାନଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହିଛି। ହେଲେ ଓସିଏ କିଛି ବି ସ୍ପଷ୍ଟ କରୁନଥିବାରୁ ଶନିବାର ସଂଧ୍ୟା ପର୍ଯ୍ୟନ୍ତ ଏମାନେ ଓସିଏ କାର୍ଯ୍ୟାଳୟରେ ଚକ୍କର କାଟୁଥିବା ଦେଖାଯାଇଛି।

ଏମ୍‌ଜିଏମ୍‌ ଓସିଏଲ୍‌ର ମୁଖ୍ୟ ପ୍ରାୟୋଜକ
ଓସିଏଲ୍‌ ପ୍ରଥମ ସଂସ୍କରଣର ମୁଖ୍ୟ ପ୍ରାୟୋଜକ ହୋଇଛି ଏମ୍‌ଜିଏମ୍‌ ଗ୍ରୁପ୍‌। ସଭାପତି ପଙ୍କଜଲୋଚନ ମହାନ୍ତି ଏହି କମ୍ପାନିର ପରିଚାଳନା ନିର୍ଦ୍ଦେଶକ। ପ୍ରତିଯୋଗିତାକୁ ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ କମ୍ପାନି ଟ୍ବେଣ୍ଟିଏଥ ସେଞ୍ଚୁରି ମ୍ୟାନେଜମେଣ୍ଟ (ଟିସିଏମ୍‌) ପରିଚାଳନା କରୁଥିଲା ବେଳେ ଏମ୍‌ଜିଏମ୍‌ ନାମରେ ଓସିଏଲ୍‌ ଆୟୋଜିତ ହେବ। ପ୍ରତିଯୋଗିତା ଆୟୋଜନ ପାଇଁ ସରକାରଙ୍କଠୁ ଅନୁମତି ଅଣାଯାଇଥିଲା ବେଳେ ଖେଳ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କର ଆର୍‌ଟି-ପିସିଆର୍‌ କୋଭିଡ୍‌ ପରୀକ୍ଷା କରାଯାଉଛି। ଅନ୍ତଃଜିଲ୍ଲା ଲିଗ୍‌ରୁ ମୋଟ୍‌ ୯୩ ଜଣ‌ ଖେଳାଳିଙ୍କୁ ଚୟନ କରାଯାଇ ବିଭିନ୍ନ ଦଳ ମଧ୍ୟରେ ବାଣ୍ଟି ଦିଆଯାଇଛି। ଫ୍ୟାନ୍‌ କୋଡ୍‌ ଆପ୍‌ରେ ମ୍ୟାଚ୍‌ର ସିଧାପ୍ରସାରଣ ଦେଖିହେବ ବୋଲି ଓସିଏ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଂଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର