ମେଲବର୍ଣ୍ଣ: ଭାରତ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରୁଥିବା ତଥା ଚଳିତ ବିଜିଟି ଶୃଙ୍ଖଳାର ଅଗ୍ରଣୀ ରନ୍ ସ୍କୋରର୍ ଟ୍ରାଭିସ୍ ହେଡ୍ ବକ୍ସିଂ ଡେ’ ଟେଷ୍ଟ୍ରେ ଖେଳିବା ନେଇ ସନ୍ଦେହ ଜାତ ହୋଇଛି। ବ୍ରିସ୍ବେନ୍ ଟେଷ୍ଟ୍ରେ ଦ୍ବିତୀୟ ପାଳିରେ ଆଘାତ ପାଇଥିବା ହେଡ୍ ପରବର୍ତ୍ତୀ ମ୍ୟାଚ୍ ବେଳକୁ ଫିଟ୍ ହୋଇଯାଇଥିବେ ବୋଲି ପ୍ରକାଶ କରିଥିଲେ। ସୋମବାର ହେଡ୍ ଅଭ୍ୟାସ ଅଧିବେଶନକୁ ନ ଆସିବାରୁ ଏଭଳି ସନ୍ଦେହ ଘନୀଭୂତ ହୋଇଛି। ଅବଶ୍ୟ ସୋମବାର ଅଭ୍ୟାସ ଅଧିବେଶନ ବାଧ୍ୟତାମୂଳକ ନଥିଲା ବୋଲି ଦଳୀୟ ମୁଖପାତ୍ର ସୂଚନା ଦେଇଛନ୍ତି। ମଙ୍ଗଳବାର ଦଳର ମୁଖ୍ୟ ଅଭ୍ୟାସ ଅଧିବେଶନ ପରେ ହେଡ୍ଙ୍କ ସମ୍ପର୍କରେ କଥା ସ୍ପଷ୍ଟ ହେବ। ବିସ୍ଫୋରକ ବ୍ୟାଟିଂ କରୁଥିବା ହେଡ୍ ଚଳିତ ଶୃଙ୍ଖଳାରେ ଏ ପର୍ଯ୍ୟନ୍ତ ୮୧.୮୦ ହାରରେ ୪୦୯ ରନ୍ ସଂଗ୍ରହ କରି ଶୀର୍ଷରେ ରହିଛନ୍ତି। ଆଡିଲେଡ୍ରେ ୧୪୦ ଓ ଗାବାରେ ୧୫୨ ରନ୍ର ଦୁଇ ପାଳି ଭାରତକୁ ବ୍ୟାକ୍ଫୁଟ୍ରେ ରଖିଥିଲା।
ବୁମ୍ରା ବିପଦ ଟାଳିବ କାଟିଚ୍ଙ୍କ ମନ୍ତ୍ର
ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ଘାତକ ବୋଲିଂ ଯୋଗୁଁ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ହାରିଥିଲା ଅଷ୍ଟ୍ରେଲିଆ। ଦ୍ବିତୀୟ ଟେଷ୍ଟ୍ ଜିତିଥିଲେ ମଧ୍ୟ ବୁମ୍ରାଙ୍କୁ ଖେଳିବାରେ ବିଫଳ ହୋଇଥିଲା ଘରୋଇ ଦଳ। ତୃତୀୟ ଟେଷ୍ଟ୍ରେ ମଧ୍ୟ ବୁମ୍ରାଙ୍କୁ ଖେଳିବାରେ ଦଳ ସଫଳ ହୋଇନି। ଗୁରୁବାରଠୁ ମେଲ୍ବର୍ଣ୍ଣରେ ଚତୁର୍ଥ ତଥା ବକ୍ସିଂ ଡେ’ ଟେଷ୍ଟ୍ ପୂର୍ବରୁ ଘରୋଇ ଦଳ ବ୍ୟାଟର୍ଙ୍କୁ ବିଭିନ୍ନ ମନ୍ତ୍ର ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍ ସାଇମନ କାଟିଚ। ସେ ଏକ ଚ୍ୟାନେଲ୍କୁ ସାକ୍ଷାତକାରରେ କହିଛନ୍ତି ଯେ ‘‘ମ୍ୟାଚ୍ରେ ସକାରାତ୍ମକ ଚିନ୍ତାଧାରା ନିଶ୍ଚିତ ଭଲ। କିନ୍ତୁ ମୁଁ ଭାବୁଛି ବୁମ୍ରାଙ୍କ ଭଳି ପ୍ରିମିୟମ୍ ବୋଲର୍ଙ୍କୁ ସାମ୍ନା କରିବା ବେଳେ କିଛି ଯୋଜନା ବଦଳାଇବାକୁ ପଡ଼ିବ। ତାଙ୍କୁ ଚୌକା ମାରିବା କଥା ଚିନ୍ତା ନକରି ସର୍ବଦା ଷ୍ଟ୍ରାଇକ୍ ପରିବର୍ତ୍ତନ ସହ ଡିଫେନ୍ସ ଉପରେ ଧ୍ୟାନ ଦେବା ଦରକାର। ଯଦି ବୁମ୍ରାଙ୍କ ବିପକ୍ଷରେ ଏଭଳି ନକର ତେବେ ୧୦ ଓଭର ପର୍ଯ୍ୟନ୍ତ ରହିପାରିବନି। ସମସ୍ତେ ଏହାକୁ ଆହ୍ବାନ ଭାବେ ଗ୍ରହଣ କରିବାକୁ ପଡ଼ିବ’’।
ଜୁରେଲଙ୍କୁ ଶ୍ରେଷ୍ଠ ଫିଲ୍ଡର ପୁରସ୍କାର
ଯୁବ ୱିକେଟ୍ରକ୍ଷକ ବ୍ୟାଟର୍ ଧ୍ରୁବ ଜୁରେଲଙ୍କ ଦଳ ବକ୍ସିଂ ଡେ’ ଟେଷ୍ଟ୍ ପୂର୍ବରୁ ହୋଇଥିବା ଟିମ୍ ଇଣ୍ଡିଆ ଫିଲ୍ଡିଂ ଡ୍ରିଲ୍ରେ ବିଜେତା ହୋଇଛି। ଫିଲ୍ଡିଂ ଅଭ୍ୟାସ ଲାଗି ଭାରତୀୟ ଦଳ ମଧ୍ୟରେ ହୋଇଥିବା ଏହି ପ୍ରତିଯୋଗିତାରେ ଜୁରେଲ୍ଙ୍କ ନେତୃତ୍ବାଧୀନ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଭାରତୀୟ ମ୍ୟାନେଜ୍ମେଣ୍ଟ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୩୦୦ ଡଲାର ବା ପ୍ରାୟ ୨୬୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଏହାକୁ ଜୁରେଲ ଗ୍ରହଣ କରିଥିଲେ। ସାମାଜିକ ଗଣମାଧ୍ୟମରେ ବିସିସିଆଇ ଫିଲ୍ଡିଂ ପ୍ରତିଯୋଗିତା ବେଳର ଏକ ଭିଡିଓ ପକାଇଛି। ଏହାର ଶିରୋନାମରେ ଲେଖିଛି, ଲକ୍ଷ୍ୟଭେଦ ଲାଗି ପଏଣ୍ଟ୍ ବ୍ୟବସ୍ଥା ହୋଇଥିଲା। ୩ଟି ଗ୍ରୁପ୍ର ନେତୃତ୍ବ ଯୁବ ଅଧିନାୟକ ନେଇଥିଲେ। ଏଥିପାଇଁ ପୁରସ୍କାର ରାଶି ରଖାଯାଇଥିଲା। ମଜା, ଶକ୍ତି ଓ ତୀବ୍ରତା- ମେଲ୍ବର୍ଣ୍ଣ ଟେଷ୍ଟ୍ ପୂର୍ବରୁ ଫିଲ୍ଡିଂ ପ୍ରଶିକ୍ଷକ ଟି ଦିଲୀପଙ୍କ ସହ ଭାରତୀୟ ଦଳର ଫିଲ୍ଡିଂ ଅଭ୍ୟାସ। ଫିଲ୍ଡି ଅଭ୍ୟାସ ବେଳେ ଖେଳାଳିମାନଙ୍କୁ ୩ ଭାଗରେ ବିଭକ୍ତ କରାଯାଇଥିଲା। ଏହି ଭିଡିଓରେ ଖେଳାଳିମାନଙ୍କୁ ଦିଲୀପ କହୁଛନ୍ତି, ‘ଆଜିର ଲକ୍ଷ୍ୟ, ତୁମେ ମାନେ ୩ଟି ଷ୍ଟମ୍ପ୍କୁ ଦେଖିପାରୁଛ। ବଡ଼ ଷ୍ଟମ୍ପ୍ ୧ ପଏଣ୍ଟ୍, ଛୋଟ ଷ୍ଟମ୍ପ୍ ଲାଗି ୨ ପଏଣ୍ଟ୍ ବଲ୍ କେନ୍ଦ୍ରରେ ବାଜିଲେ ୪ ପଏଣ୍ଟ୍। ଆମେ ଆଜି ବିଭିନ୍ନ କୋଣ ବ୍ୟବହାର କରିବା। ତୁମେ ୩ଟି ମାର୍କର୍ସ ଦେଖିପାରୁଛ। ପ୍ରତି ମାର୍କର ଲାଗି ମିଳିବ ୬ ବଲ୍। ମୋର ଏକମାତ୍ର ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ଏକାଠି କରିବା ଏବଂ ନେଟ୍ସକୁ ଯିବା ପୂର୍ବରୁ କିଛି ଶକ୍ତି ଯୋଗାଡ଼ କରିବା। ଆମେ କୌଣସି କାମକୁ ଏକାଠି କରୁଛେ ତ ଫଳ ନିଶ୍ଚିତ ଭଲ ହେବ’’।
ଭାରତୀୟ ଦଳରେ କୋଟିଆନ୍ ସାମିଲ
ମେଲ୍ବର୍ଣ୍ଣ ଟେଷ୍ଟ୍ ପୂର୍ବରୁ ମୁମ୍ବାଇ ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର ତନୁଷ କୋଟିଆନ୍ଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ସେ ମଙ୍ଗଳବାର ମେଲ୍ବର୍ଣ୍ଣ ଗସ୍ତ କରିବାର ସମ୍ଭାବନା ରହିଛି। ଅଫ୍ସ୍ପିନ୍ ବୋଲିଂ କରୁଥିବା କୋଟିଆନ୍ ଜଣେ ଡାହାଣୀହାତି ବ୍ୟାଟର୍। ସଂପ୍ରତି ମୁମ୍ବାଇ ପକ୍ଷରୁ ବିଜୟ ହଜାରେ ଟ୍ରଫିରେ ଖେଳୁଛନ୍ତି ସେ। ଗତ ସପ୍ତାହରେ ଅବସର ନେଇଥିବା ରବିଚନ୍ଦ୍ରନ ଅଶ୍ବିନଙ୍କ ସ୍ଥାନରେ ଏହି ୨୬ ବର୍ଷୀୟ ଅଲ୍ରାଉଣ୍ଡରଙ୍କୁ ସ୍ଥାନ ମିଳିଛି। ଭାରତୀୟ ଘରୋଇ ପ୍ରତିଯୋଗିତାର ଅନ୍ୟତମ ଶ୍ରେଷ୍ଠ ଅଲ୍ରାଉଣ୍ଡର ଭାବେ ପରିଚିତ କୋଟିଆନ୍ ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଭାରତୀୟ ‘ଏ’ ଦଳ ସହ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ। ସେଠାରେ କେତେକ ଉପଯୋଗୀ ପାଳି ଖେଳିବା ସହ ଭଲ ବୋଲିଂ କରି ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ତନୁଷ ୩୩ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୪୧.୨୧ ହାରରେ ୨୫୨୩ ରନ୍ କରିଥିଲା ବେଳେ ୨୫.୭୦ ହାରରେ ୧୦୧ ୱିକେଟ୍ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଚଳିତ ବର୍ଡର-ଗାଭାସ୍କର୍ ଟ୍ରଫି ଖେଳିବା ଆଶା ପୂରା ମଉଳି ଯାଇଛି। ଆଣ୍ଠୁ ଯନ୍ତ୍ରଣାରୁ ପୂରା ମୁକୁଳି ନଥିବାରୁ ସଂପ୍ରତି ସେ ଅଷ୍ଟ୍ରେଲିଆ ଗସ୍ତ କରିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।