ଇଂଲଣ୍ଡ ଟେଷ୍ଟ: ରୋହିତଙ୍କୁ ନେଇ ସଂଶୟ; ବୁମ୍‌ରା ଅଧିନାୟକ!

କପିଳଙ୍କ ପରେ ପ୍ରଥମ ଦ୍ରୁତ ବୋଲର ହେବେ, ପୂଜାରା-ଗିଲ୍‌ ପାଳି ଆରମ୍ଭ କରିପାରନ୍ତି

ବର୍ମିଙ୍ଗ୍‌ହାମ୍‌ (ଲଣ୍ଡନ): ଭାରତୀୟ ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଗତବର୍ଷର ଅସମାପ୍ତ ଶୃଙ୍ଖଳାର ପଞ୍ଚମ ତଥା ଶେଷ ଟେଷ୍ଟ ଖେଳିବେନି। ସେ କୋଭିଡ୍‌ ସଂକ୍ରମଣରୁ ଏପର୍ଯ୍ୟନ୍ତ ମୁକୁଳିପାରିନାହାନ୍ତି। ଦ୍ବିତୀୟ ଥର ପାଇଁ ବୁଧବାର ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିବାରୁ ତାଙ୍କୁ ଟେଷ୍ଟ ଦଳରୁ ବାଦ୍‌ ଦିଆଯାଇଛି। ଫଳରେ ତାଙ୍କ ବଦଳରେ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ଭାରତୀୟ ଦଳର ନେତୃତ୍ବ ନେବେ। ଦଳୀୟ ବୈଠକରେ ବୁମ୍‌ରାଙ୍କୁ ଏନେଇ ଅବଗତ କରାଯାଇଥିବା କୁହାଯାଇଛି। ଫଳରେ ୧୯୩୨ ମସିହାରୁ ଏପର୍ଯ୍ୟନ୍ତ କ୍ରିକେଟ୍‌ର ଲମ୍ବା ଫର୍ମାଟ୍‌ରେ ଭାରତର ନେତୃତ୍ବ ନେବାରେ ବୁମ୍‌ରା ୩୬ତମ ଖେଳାଳି ହେବେ। ଏହି ଗୁଜରାଟୀ ପେସର୍‌ ୨୯ ଟେଷ୍ଟ ଖେଳି ୧୨୩ ୱିକେଟ୍‌ ନିଜ ନାମରେ ରଖିଥିଲା ବେଳେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ଭାବେ ପରିଗଣିତ ହେଉଛନ୍ତି। ଏପରିକି ସେ ହିଁ ଭବିଷ୍ୟତର ଅଧିନାୟକ ହୋଇପାରିବେ ବୋଲି ଚୟନ ସମିତି ଅଧ୍ୟକ୍ଷ ଚେତନ ଶର୍ମା କହିଆସୁଛନ୍ତି। ଏହି ଖବର ପଦାକୁ ଆସିବା ପରେ କିନ୍ତୁ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଆଉ ୩୬ ଘଣ୍ଟା ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ରୋହିତ ଏହି ମ୍ୟାଚ୍‌ରୁ ସମ୍ପୂର୍ଣ୍ଣ ବାଦ୍‌ ପଡ଼ିବା ଖବରକୁ ସେ ଅସ୍ବୀକାର କରିଛନ୍ତି। ଏହି ବିଷୟରେ ପୂର୍ଣ୍ଣ ତଥ୍ୟ ଚେତନ ଶର୍ମା ହିଁ ଦେଇ ପାରିବେ ବୋଲି ଅବଶ୍ୟ ସେ ମାନିଛନ୍ତି।

କପିଳଙ୍କ ପରେ ପ୍ରଥମ ଦ୍ରୁତ ବୋଲର ହେବେ
ବୁମ୍‌ରା ବର୍ମିଙ୍ଗ୍‌ହାମ୍‌ ଟେଷ୍ଟରେ ଭାରତୀୟ ଦଳର ନେତୃତ୍ବ ନେବାର ଖବର ପଦାକୁ ଆସିବା ପରେ କିଂବଦନ୍ତି କପିଳ ଦେବଙ୍କ ପରେ ଟେଷ୍ଟ୍‌ରେ ଅଧିନାୟକ ହେବାରେ ସେ ପ୍ରଥମ ଦ୍ରୁତ ବୋଲର ହେବା ସ୍ପଷ୍ଟ ହୋଇଛି। ଫଳରେ ଦୀର୍ଘ ୩୫ ବର୍ଷ ପରେ ଜଣେ ପେସର୍‌ ଭାବେ ବୁମ୍‌ରା‌ ଭାରତୀୟ ଦଳର ନେତୃତ୍ବ ନେବାର ଗୌରବ ପାଇଲେ। ୧୯୮୭ରେ କପିଳ ଦେବଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯିବା ପରଠାରୁ ଏପର୍ଯ୍ୟନ୍ତ କୌଣସି ଭାରତୀୟ ପେସର୍‌ ଅଧିନାୟକ ଦାୟିତ୍ବ ତୁଲାଇବାର ସୁଯୋଗ ପାଇନଥିଲେ।

ପୂଜାରା-ଗିଲ୍‌ ପାଳି ଆରମ୍ଭ କରିପାରନ୍ତି
ଅନ୍ୟପକ୍ଷରେ ରୋହିତଙ୍କ ସ୍ଥାନ ନେବା ପାଇଁ ପୂର୍ବରୁ ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ଦଳକୁ ଡକରା ମିଳିସାରିଛି। ହେ‌ଲେ ସେ ଭାରତ ପାଇଁ ପାଳି ଆରମ୍ଭ କରିବା ଅନିଶ୍ଚିତ ରହିଛି। ବିଶେଷକରି ଶୁବମନ ଗିଲ୍‌ଙ୍କ ସହ ଚେତେଶ୍ବର ପୂଜାରା ପାଳି ଆରମ୍ଭ କରିବାର ସମ୍ଭାବନା ରହିଛି। ଏପରିକି ହନୁମା ବିହାରୀଙ୍କ ମଧ୍ୟ ଏକ୍ଷେତ୍ରରେ ବିକଳ୍ପ ଭାବେ ରଖାଯାଇଛି। ଫଳରେ ପୂଜାରା, ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ବିହାରୀ ଏବଂ ଋଷଭ ପନ୍ତ୍‌ଙ୍କୁ ନେଇ ଭାରତର ବ୍ୟାଟିଂକ୍ରମ ଆପାତତଃ ସ୍ଥିର ହୋଇଥିଲା ବେଳେ ଚତୁର୍ଥ ଦ୍ରୁତ ବୋଲର ଖେଳାଇବା ବିତର୍କରେ ରହିଛି। ଶାର୍ଦୁଲ ଠାକୁରଙ୍କୁ ଚତୁର୍ଥ ଦ୍ରୁତ ବୋଲର ଭାବେ ଖେଳାଯିବ ନା ରବୀନ୍ଦ୍ର ଜାଦେଜାଙ୍କ ସହିତ ଦ୍ବିତୀୟ ସ୍ପିନର ଭାବେ ରବିଚନ୍ଦ୍ରନ୍‌ ଅଶ୍ବିନଙ୍କୁ ଖେଳାଯିବ ତାହା ସ୍ଥିର ହୋଇଛି। ହେଲେ ଦ୍ରୁତ ବୋଲିଂ ବାହିନୀରେ ବୁମ୍‌ରାଙ୍କ ସହ ମହମ୍ମଦ ସିରାଜ ଏବଂ ମହମ୍ମଦ ସାମିଙ୍କ ଖେଳିବା ନିଶ୍ଚିତ ରହିଛି।

ସମ୍ବନ୍ଧିତ ଖବର