ଓ୍ଵାର୍ନରଙ୍କ ଆଶଙ୍କା ‘ଖେଳ ଖତମ’

କାନ୍ଦିଲେ; ଏଡ଼ାଇ ଗଲେ ଅନେକ ପ୍ରଶ୍ନ

ସିଡ୍‌ନି: ବଲ୍‌ ବିକୃତ ବିବାଦରେ ନିଲମ୍ବିତ ଡେଭିଡ୍‌ ଓ୍ଵାର୍ନରଙ୍କ ପଶ୍ଚାତାପ କମିବାର ନାଁ ଧରୁନାହିଁ। କେପ୍‌ଟାଉନ୍‌ ଟେଷ୍ଟ୍‍ ବଲ୍‌ ବିକୃତ ନେଇ ସମ୍ପୃକ୍ତି ପଦାରେ ପଡ଼ିବା ପରେ କ୍ରିକେଟ୍‌ ଅଷ୍ଟ୍ରେଲିଆ ତାଙ୍କୁ ୧୨ ମାସ ନିଲମ୍ବିତ କରିଛି ଏବଂ ଅଜୀବନ ଅଷ୍ଟ୍ରେଲିଆର ଅଧିନାୟକ ହୋଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛି। ଏହି ଘଟଣାରେ ସ୍ମିଥ୍‌ ଓ ବନ୍‌କ୍ରଫ୍ଟଙ୍କ ଭଳି ଓ୍ଵାର୍ନର ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ସିଡନିରେ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଓ୍ଵାର୍ନର କହିଛନ୍ତି ‘ମୁଁ ସମ୍ପୂର୍ଣ୍ଣ ଘଟଣାରେ ନିଜ ଉପରକୁ ଦୋଷ ନେଉଛି। ପ୍ରଶଂସକ, କ୍ରିକେଟ୍‌ ଅଷ୍ଟ୍ରେଲିଆ, କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ଏବଂ ନିଜ ପରିବାର ଆଗରେ କ୍ଷମା ମାଗି ନେଉଛି। ଆଉ ଦେଶ ପାଇଁ ଖେଳି ପାରିବି କି ନାହିଁ ବିଚାର କରୁଛି। ସାମ୍ବାଦିକ ସମ୍ମିଳନୀରେ କିନ୍ତୁ ସେ ଲିଖିତ ଉକ୍ତିକୁ ପଢ଼ିବାରେ ପ୍ରାୟ ସୀମିତ ରଖିଥିଲେ। ସେ ଦୃଷ୍ଟିରୁ ସେଠାରେ ଅଧିକ ପ୍ରଶ୍ନ ବିନା ଉତ୍ତରରେ ରହିଯାଇଥିଲା। ବଲ୍‌ ବିକୃତ ଘଟଣା ଆଉ କାହାକୁ  ଜଣା ଥିଲା କି? ପୂର୍ବରୁ କେବେ ଏଭଳି କରିଥିଲେ କି? ଦଳର ଅନ୍ୟ ସଦସ୍ୟଙ୍କ ସହିତ ଆପଣଙ୍କ ସମ୍ପର୍କ ଖରାପ ଥିଲା କି? କ୍ରିକେଟ୍‌ ଅଷ୍ଟ୍ରେଲିଆ ଆପଣଙ୍କୁ ବଳି ପକାଇଛି କି? ଏଭଳି ଅନେକ ପ୍ରଶ୍ନକୁ ଓ୍ଵାର୍ନର ଏଡ଼ାଇ ଯାଇଥିଲେ। ସାମ୍ବାଦିକ ସମ୍ମିଳନୀ ଶେଷ ହେବାର ୨ ଘଣ୍ଟା ଭିତରେ ଓ୍ଵାର୍ନର କିନ୍ତୁ ନିଜ ଟ୍ଵିଟର୍‌ ପୃଷ୍ଠାରେ ମତ ରଖିଥିଲେ। କିଛି ପ୍ରଶ୍ନର ଉତ୍ତର ଦେଇ ପାରିନଥିବାରୁ ଦୁଃଖ ପ୍ରକାଶ କରିଥିଲେ। କାହିଁକି ଏସବୁ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଥିଲେ। ‘ମୁଁ ବୁଝିପାରୁଛି କିଛି ପ୍ରଶ୍ନର ଉତ୍ତର ରଖି ପାରିଲି ନାହିଁ। ଠିକଣା ସମୟରେ ମୁଁ ଏହାର ଉତ୍ତର ଦେବି। କ୍ରିକେଟ୍‌ ଅଷ୍ଟ୍ରେଲିଆ, ପରିବାର ଏବଂ କ୍ରିକେଟ୍‌ ଆଦି ଅନେକ ପ୍ରସଙ୍ଗ ଜଡ଼ିତ ଥିବାରୁ ଠିକଣା ସ୍ଥାନରେ ଏବଂ ଠିକଣା ସମୟରେ ମୁଁ ନିଶ୍ଚିତ ଉତ୍ତର ରଖିବି। ଏଥି ପାଇଁ ମୋତେ କ୍ଷମା କରିଦେବେ।

ସାମ୍ବାଦିକ ସମ୍ମିଳନୀରେ ଓ୍ଵାର୍ନରଙ୍କୁ କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ)ର ନିଷ୍ପତ୍ତି ବିରୋଧରେ ଅଦାଲତ ଯିବେ କି ବୋଲି ପ୍ରଶ୍ନ ହୋଇନଥିଲା। ବରଂ ଖେଳରୁ ଅବସର ନେଇଯିବେ କି ବୋଲି ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ଓ୍ଵାର୍ନର କହିଥିଲେ, ମୁଁ ସବୁ ବିକଳ୍ପ ବିଷୟରେ ଚିନ୍ତା କରୁଛି। ପରିବାର ସହ ଆଲୋଚନା ପରେ ଏହାକୁ ଗମ୍ଭୀରତାର ସହ ବିଚାର କରିବି। ସାମ୍ବାଦିକ ସମ୍ମିଳନୀରେ କିନ୍ତୁ ପଢ଼ୁଥିବା ବେଳେ ଓ୍ଵାର୍ନର ଇସ୍ତଫା କଥା ଉଠାଇଥିଲେ ଏବଂ ଭବିଷ୍ୟତରେ ସେ ଅଷ୍ଟ୍ରେଲିଆ ପାଇଁ ଖେଳି ନପାରନ୍ତି ବୋଲି ଆଭାସ ଦେଇଥିଲେ। ଦେଶ ପାଇଁ ଖେଳିବା ଲାଗି ମୋତେ ସୁଯୋଗ ମିଳିବା ସମ୍ଭାବନା କ୍ଷୀଣ ବୋଲି ସେ ଆଶଙ୍କା କରିଥିଲେ। ଯେଉଁ ଖେଳ ଓ ସାଥୀ ଖେଳାଳିଙ୍କୁ ଏତେ ଭଲ ପାଉଥିଲି ସେମାନଙ୍କ ସହ ପଡ଼ିଆକୁ ଯାଇ ନ ପାରିବା ଆଶଙ୍କା ମୋ ହୃଦୟକୁ ଭାଙ୍ଗି ଦେଇଛି। ସମସ୍ତଙ୍କ ମୁଣ୍ଡ ମୁଁ ତଳକୁ କରି ଦେଇଛି। ବର୍ତମାନ ପାଇଁ ଆଗକୁ କ’ଣ ଘଟିବ କହିବା କଷ୍ଟକର, କିନ୍ତୁ ପରିବାର ଏବେ ମୋ ପାଇଁ ସର୍ବପ୍ରଥମ ଅଗ୍ରାଧିକାର ବୋଲି ଓ୍ଵାର୍ନର ପ୍ରକାଶ କରିଥିଲେ। ମୁଁ ମୋ ପତ୍ନୀ ଓ ଦୁଇ କନ୍ୟାଙ୍କଠାରୁ ମଧ୍ୟ କ୍ଷମା ମାଗିନେବାକୁ ଚାହୁଁଛି। ତୁମମାନଙ୍କ ଭଲ ପାଇବା ମୋ ପାଇଁ ବହୁତ କିଛି। ତୁମ୍ଭମାନଙ୍କ ବିନା ମୁଁ କିଛି ନୁହେଁ। ମୁଁ ଭବିଷ୍ୟତରେ ଆଉ କେବେ ଏଭଳି ପରିସ୍ଥିତିରେ ପକାଇବି ନାହିଁ ବୋଲି ପ୍ରତିଶ୍ରୁତି ଦେଉଛି। ମୁଁ ଗଭୀର ଭାବେ ମର୍ମାହତ ଏବଂ ଅଷ୍ଟ୍ରେଲିଆ ଦଳ ଉପ ଅଧିନାୟକ ଭାବେ ମୁଁ ମୋ ଦାୟିତ୍ୱ ନିର୍ବାହ କରିବାରେ ସମ୍ପୂର୍ଣ୍ଣ ବିଫଳ ବୋଲି ଓ୍ଵାର୍ନର ସ୍ୱୀକାର କରିଥିଲେ।

ସୂଚନାଯୋଗ୍ୟ, ଡର୍ବାନ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‍ରୁ ହିଁ ଓ୍ଵାର୍ନରଙ୍କ ଚର୍ଚା ଆରମ୍ଭ ହୋଇଥିଲା। ତାଙ୍କ ପତ୍ନୀ ଓ କନ୍ୟାଙ୍କୁ ପଡ଼ିଆ ଭିତରୁ ଓ ବାହାରୁ କିଛି ସମର୍ଥକ ସମାଲୋଚନା କରୁଥିଲେ। ଏହା ଓ୍ଵାର୍ନରଙ୍କୁ ପରୋକ୍ଷରେ ବଲ୍‌ ବିକୃତ ଲାଗି ପ୍ରୋତ୍ସାହିତ କରିଥିବା କେତେକ ମଧ୍ୟ ପ୍ରକାଶ କରୁଛନ୍ତି। ଶନିବାରର ସାମ୍ବାଦିକ ସମ୍ମିଳନୀରେ କିନ୍ତୁ ଓ୍ଵାର୍ନର ଅନେକ ଥର ଭାବବିହ୍ଵଳ ହୋଇପଡ଼ୁଥିଲେ। ବିଶେଷ କରି ପରିବାର କଥା ଉଠିବା ବେଳେ ତାଙ୍କ ଆଖିରୁ ଲୁହ ଝରି ଆସୁଥିଲା।

ସମ୍ବନ୍ଧିତ ଖବର