ଜିପିସିଇ ନାମଲେଖା ବିବାଦ: ଭୁଲ ତଥ୍ୟ ଦେଇ ଲୋଡ଼ିଲେ ଏଜିଙ୍କ ପରାମର୍ଶ

ସମ୍ବଲପୁର: ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (ଜିସିପିଇ) ଗୁଡ଼ିକରେ ନାମଲେଖା ଅନିୟମିତତା ଅଭିଯୋଗ ପରେ କ୍ରୀଡ଼ା ବିଭାଗ ଚୟନ କମିଟିର ଅଧ୍ୟକ୍ଷ ଥିବା ଜିସିପିଇ ଭୁବନେଶ୍ୱରର ଅଧ୍ୟକ୍ଷ ଡ. ମନମୋହନ ରାଉତଙ୍କୁ ନିଲମ୍ବିତ କରିଥିଲା। ଏଥି ସହ ଭୁବନେଶ୍ୱର ଓ ସମ୍ବଲପୁର ଜିସିପିଇରେ ବିପିଏଡ୍‌ ଓ ଏମ୍‌ପିଏଡ୍‌ ନାମ ଲେଖାକୁ ସ୍ଥଗିତ ରଖା ଯାଇଥିଲା। ତେବେ ଅଡ଼ୁଆ ପରିସ୍ଥିତିରେ ପଡ଼ିଥିବା କ୍ରୀଡ଼ା ବିଭାଗ ଏବେ ଏଥିରୁ ମୁକୁଳିବାର ପ୍ରୟାସ ଆରମ୍ଭ କରିଛି। ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍‌ନା କରିବାର ଆଶଂକା କରି କ୍ରୀଡ଼ା ସଚିବ ଏ ସଂପର୍କରେ ଆଡ୍‌ଭୋକେଟ୍‌ ଜେନେରାଲଙ୍କ ପରାମର୍ଶ ଲୋଡ଼ିଛନ୍ତି। କଥାରେ ଅଛି ଡାକ୍ତର ଓ ଓକିଲଙ୍କୁ କୌଣସି ବିଷୟ ଲୁଚାଇବା ଉଚିତ ନୁହେଁ।

ହେଲେ କ୍ରୀଡ଼ା ସଚିବ ଏଜିଙ୍କୁ ପଠାଇଥିବା ଚିଠି ସଂଖ୍ୟା ୧୧୩୬୦ ତା. ୧୫.୧୧.୧୭ରେ ଅନେକ ସତ୍ୟକୁ ଲୁଚାଇବାର ପ୍ରୟାସ କରାଯାଇଛି। ଚିଠିରେ ଘଟଣାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭାଗକୁ ସୁହାଇବା ଢଙ୍ଗରେ ବର୍ଣ୍ଣନା କରାଯିବା ସହ ଲେଖା ଯାଇଛି ଯେ ପ୍ରୋସ୍‌ପେକ୍ଟସ୍‌ରେ ପ୍ରଦତ୍ତ ପ୍ରକ୍ରିୟା ଅନୁଯାୟୀ ଜିସିପିଇ ଭୁବନେଶ୍ୱରର ଅଧ୍ୟକ୍ଷଙ୍କ ନେତୃତ୍ୱାଧୀନ ଚୟନ କମିଟି ଏକ ଜେନେରାଲ ର‍୍ୟାଙ୍କ ଲିଷ୍ଟ (ସାଧାରଣ ମାନ୍ୟତା ତାଲିକା) ପ୍ରସ୍ତୁତ କରିଥିଲା। ଶିକ୍ଷାଗତ ଯୋଗ୍ୟତା (ବିଭିନ୍ନ ପରୀକ୍ଷାର ନମ୍ବର), ଶାରୀରିକ ଦକ୍ଷତା ପରୀକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ଆଧାରରେ ଉକ୍ତ ତାଲିକା ପ୍ରସ୍ତୁତ କରା ଯାଇଥିଲା। ଉକ୍ତ ତାଲିକାରୁ ଶାରୀରିକ ଦକ୍ଷତା ପରୀକ୍ଷାରେ ଫେଲ (୪୦%ରୁ କମ୍‌ ନମ୍ବର) ହୋଇଥିବା ପ୍ରାର୍ଥୀଙ୍କୁ ବାଦ ଦେଇ ନାମଲେଖା ପାଇଁ ଚୂଡ଼ାନ୍ତ ତାଲିକା (ଫାଇନାଲ୍‌ ଲିଷ୍ଟ) ପ୍ରସ୍ତୁତ କରା ଯାଇଥିଲା।

ତାଲିକା ପ୍ରସ୍ତୁତିରେ କୌଣସି ପ୍ରକାର ଅନିୟମିତତା ହୋଇ ନଥିଲା। ତେବେ ଚୟନ କମିଟିର ଅଧ୍ୟକ୍ଷ ସାଧାରଣ ମାନ୍ୟତା ତାଲିକାକୁ ପ୍ରକାଶିତ କରିଥିଲା ବେଳେ ଚୂଡ଼ାନ୍ତ ତାଲିକା ପ୍ରକାଶ ନକରି ନାମ ଲେଖା ଆରମ୍ଭ କରି ଦେଇଥିଲେ। ଭୁବନେଶ୍ୱର ପାଇଁ ବିପିଏଡ୍‌ରେ ୧୦୦ରୁ ୯୩ଟି ଓ ଏମ୍‌ପିଏଡ୍‌ରେ ୪୦ରୁ ୩୭ଟି ସିଟ୍‌ରେ ନାମ ଲେଖା ସରିଯାଇଛି। ସେହିପରି ଜିପିସିଇ କୁଲୁଣ୍ଡି ସମ୍ବଲପୁରକୁ ୫୦ ପ୍ରାର୍ଥୀଙ୍କ ତାଲିକା ପଠାଯାଇଛି। ତେବେ ଅଧ୍ୟକ୍ଷ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବା ଉଚିତ ଥିଲା, ଯାହା ସେ କରି ନଥିଲେ। ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ଓ ଆଇନ୍‌ଗତ ସମସ୍ୟା ସୃଷ୍ଟି କରିବାର ଆଶଂକା ରହିଛି। ତେଣୁ ଅଧ୍ୟକ୍ଷ ଡ. ରାଉତଙ୍କୁ ନିଲମ୍ବିତ କରାଯାଇଥିବା ପରୋକ୍ଷରେ ଚିଠିରେ ଦର୍ଶାଯାଇଛି।
ତେବେ ଆଡ୍‌ଭୋକେଟ୍‌ ଜେନେରାଲ୍‌ଙ୍କୁ ଦେଇଥିବା ଏହି ପତ୍ରରେ ବିଭାଗ ପକ୍ଷରୁ ଅନେକ ବିଷୟ ଲୁଚାଇବା ବା ଭ୍ରମାତ୍ମକ ତଥ୍ୟ ଦେବାର ଉଦ୍ୟମ କରାଯାଇଛି। ଯେଉଁ ଜେନେରାଲ୍‌ ର‍୍ୟାଙ୍କ ଲିଷ୍ଟ (ସାଧାରଣ ମାନ୍ୟତା ତାଲିକା) କଥା ଉଲ୍ଲେଖ ହୋଇଛି ସେଭଳି କୌଣସି ତାଲିକା ପ୍ରକାଶିତ ହୋଇ ନଥିଲା। ବରଂ ଚୟନ କମିଟି ପକ୍ଷରୁ ବିଜ୍ଞପ୍ତି ସଂଖ୍ୟା ୯୮୬ ତା ୧୨.୧୦.୧୭ରେ ସ୍ପଷ୍ଟଭାବେ ମେରିଟ୍‌ ଲିଷ୍ଟ (ଯୋଗ୍ୟତା ତାଲିକା) ପ୍ରକାଶିତ ହୋଇଥିଲା। ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପାଇଁ ବିଭିନ୍ନ ପରୀକ୍ଷାରେ ପାଇଥିବା ନମ୍ବର, ଶାରୀରିକ ଦକ୍ଷତା ପରୀକ୍ଷା ନମ୍ବର ଓ କ୍ରୀଡ଼ା କୃତିତ୍ୱକୁ ଆଧାର କରି ଉକ୍ତ ଯୋଗ୍ୟତା ତାଲିକା ତିଆରି ହୋଇଥିବା ଉଲ୍ଲେଖ କରା ଯାଇଥିଲା।

ଉକ୍ତ ତାଲିକା ଅନୁଯାୟୀ ସିଟ୍‌ର ବଣ୍ଟନ ଓ ସଂରକ୍ଷଣ ଆଧାରରେ ପ୍ରାର୍ଥୀମାନଙ୍କୁ ନାମଲେଖା ପାଇଁ ସୂଚୀତ କରାଯିବ ବୋଲି ମଧ୍ୟ ଉଲ୍ଲେଖ ରହିଥିଲା। ତେଣୁ ତାହା କିପରି ଜେନେରାଲ ର‍୍ୟାଙ୍କ୍‌ ଲିଷ୍ଟ ହେଲା, ଜେନେରାଲ୍‌ ଲିଷ୍ଟକୁ କାହିଁକି ମେରିଟ୍‌ ଲିଷ୍ଟ ବୋଲି ଲେଖା ଯାଇଥିଲା ସେ ସଂପର୍କରେ ଏଜିଙ୍କୁ ଦେଇଥିବା ପତ୍ରରେ ସଚିବ କିଛି ବି ଉଲ୍ଲେଖ କରି ନାହାନ୍ତି। ଏପରିକି ପ୍ରୋସ୍‌ପେକ୍ଟସ୍‌ ଆଧାରରେ ନାମଲେଖା ହୋଇଥିବା ଦର୍ଶାଇଥିଲେ ବି ଅନେକ ସ୍ଥାନରେ ପ୍ରୋସ୍‌ପେକ୍ଟସ୍‌ର ନିୟମାବଳୀକୁ ଅଣଦେଖା କରାଯାଇଛି। ନିୟମାବଳୀ ଅନୁଯାୟୀ ଚୟନ ସମିତିରେ ଜିସିପିଇ କୁଲୁଣ୍ଡି ସମ୍ବଲପୁରର ଅଧ୍ୟକ୍ଷଙ୍କୁ ସ୍ଥାନ ଦେବା ସଂପର୍କରେ ଉଲ୍ଲେଖ ରହିଥିଲେ ବି ତାଙ୍କୁ ନିଆଯାଇ ନାହିଁ। ସେହିପରି ନାମ ଲେଖା ପ୍ରକ୍ରିୟାରେ ବିଭିନ୍ନ ବର୍ଗ ପାଇଁ ଥିବା ସଂରକ୍ଷିତ ସିଟ୍‌ ଗୁଡ଼ିକରେ ମଧ୍ୟ ହେରେଫେର ହୋଇଥିବା ଶାରୀରିକ ଶିକ୍ଷା ଛାତ୍ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି।

ଏହି ଅନିୟମିତତା ଘଟଣାରେ କେବଳ ଅଧ୍ୟକ୍ଷ ଡ. ରାଉତଙ୍କୁ ନିଲମ୍ବିତ କରି ବିଭାଗ ଅନ୍ୟ ଦୋଷୀମାନଙ୍କୁ ଘଣ୍ଟ ଘୋଡ଼ାଉଥିବା ତଥା ନିଜ ଦୋଷ ଲୁଚାଇବା ପାଇଁ ଭ୍ରମାତ୍ମକ ତଥ୍ୟ ଉପସ୍ଥାପନ କରୁଥିବା କମିଟିର ଆବାହକ ହଳଧର ଦାସ କହିଛନ୍ତି। ତେଣୁ ତୁରନ୍ତ ସବୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ନାମଲେଖା ପ୍ରକ୍ରିୟା ବାତିଲ କରି ନୂଆ ଭାବେ କରିବାକୁ ଅଥବା ପୂର୍ବ ପ୍ରକାଶିତ ଯୋଗ୍ୟତା ତାଲିକା ଅନୁଯାୟୀ ନାମ ଲେଖା କରିବାକୁ ସେ ଦାବି କରିଛନ୍ତି।
ଏଜିଙ୍କୁ ଦିଆ ଯାଇଥିବା ଚିଠି ସଂପର୍କରେ ପ୍ରତିକ୍ରିୟା ଜାଣିବା ପାଇଁ କ୍ରୀଡ଼ା ସଚିବ ବିଶାଲ ଦେବଙ୍କୁ ଯୋଗାଯୋଗ କରା ଯାଇଥିଲା, ହେଲେ ସେ ଫୋନ ଉଠାଇ ନଥିଲେ।

ଚୟନ ସମିତିର ନୋଡାଲ ଅଧିକାରୀ ଥିବା କ୍ରୀଡ଼ା ବିଭାଗ ଉପସଚିବ ମନୋଜ ପାଢ଼ୀଙ୍କୁ ପଚାରିବାରୁ ସେ ଚିଠିରେ ଲେଖାଥିବା ବିଷୟକୁ ଦୋହରାଇଥିଲେ। ତାହା ଜେନେରାଲ୍‌ ର‍୍ୟାଙ୍କ ଲିଷ୍ଟ ଥିଲା, ମେରିଟ୍‌ ଲିଷ୍ଟ ନଥିଲା। ଭୁଲ କ୍ରମେ ମେରିଟ୍‌ ଲିଷ୍ଟ ବୋଲି ଉଲ୍ଲେଖ ହୋଇଥିଲା ବୋଲି କହିଥିଲେ। ସେହିପରି କୁଲୁଣ୍ଡିର ଅଧ୍ୟକ୍ଷଙ୍କୁ ଚୟନ ସମିତିରେ ରଖା ନଯିବା ପ୍ରସଂଗରେ ପଚାରିବାରୁ ତାଙ୍କ ନାମରେ ପୂର୍ବରୁ କିଛି ଅଭିଯୋଗ ଥିବାରୁ ବୋଧେ ତାଙ୍କୁ ସାମିଲ କରାଯାଇ ନଥିବା ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର