ଭୁବନେଶ୍ବର: ସର୍ଟ କର୍ନର, ପେନାଲଟି କର୍ନର ପରେ ଏବେ ଡ୍ରାଗ୍ ଫ୍ଲିକ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଅନ୍ତର୍ଜାତୀୟ ହକିରେ। ପ୍ରତିଟି ସଫଳ ଦଳ ପଛରେ ରହିଥାନ୍ତି ଜଣେ ଜଣେ ଡ୍ରାଗ୍ ଫ୍ଲିକ୍ ବିଶେଷଜ୍ଞ। ପେନାଲ୍ଟି କର୍ନର ମିଳିବା ମାତ୍ରେ ଅର୍ଜନକାରୀ ଦଳ ଗୋଲ୍ ଦେବା ଏକପ୍ରକାର ନିଶ୍ଚିତ ହୋଇଯାଉଥିଲା। ସେଥି ପାଇଁ ଡ୍ରାଗ୍ ଫ୍ଲିକର୍ଙ୍କ ଚାହିଦା ପ୍ରତି ଦଳରେ ଅଧିକ ଥାଏ। କିନ୍ତୁ ବିଗତ କିଛି ମାସ ହେବ ଗୋଲ୍କିପର ଏବଂ ଡିଫେଣ୍ଡରଙ୍କ ଖେଳରେ ଏତେ ଉନ୍ନତି ଘଟିଛି ଯେ ଡ୍ରାଗ୍ ଫ୍ଲିକର୍ମାନେ ଖାଲି ହାତରେ ଫେରିବାକୁ ବାଧ୍ୟ ହେଉଛନ୍ତି। ଏପରିକି କୁହାଗଲାଣି ଡ୍ରାଗ୍ ଫ୍ଲିକର୍ଙ୍କ ଯୁଗ ମଧ୍ୟ ସରି ସରି ଆସୁଛି। ଏହାର ଏକ ସଦ୍ୟତମ ଉଦାହରଣ ହେଉଛି ବେଲ୍ଜିୟମ ବନାମ କାନାଡ଼ା ବିଶ୍ବକପ୍ ମ୍ୟାଚ୍। ଆକ୍ରାମକ ହକି ଖେଳି ବେଲ୍ଜିୟମ ଏହି ମ୍ୟାଚ୍ରେ ୭ ପେନାଲ୍ଟି କର୍ନର ଅର୍ଜନ କରିଥିଲା। କିନ୍ତୁ ଗୋଟିଏ ବି ଗୋଲ୍ ଏଥିରୁ ପାଇ ନ ଥିଲା। ମ୍ୟାଚ୍ ପରେ ମଧ୍ୟ ବେଲ୍ଜିୟମ ପ୍ରଶିକ୍ଷକ କହିଥିଲେ 'ଦଳଗୁଡ଼ିକ ଏବେ ପେନାଲ୍ଟି କର୍ନରକୁ ବଞ୍ଚାଇବାକୁ ଭଲ ଉନ୍ନତି କରିଛନ୍ତି। ଡିଫେଣ୍ଡରମାନେ ଭଲ ହୋମୱାର୍କ କରି ଆସୁଛନ୍ତି। ଗୋଲ୍କିପରଙ୍କ ଖେଳ ସ୍ତର ମଧ୍ୟ ଢେର ଉପରକୁ ଉଠିଛି'। ସମାନ ମତ ରଖିଥିଲେ ଅଷ୍ଟ୍ରେଲିଆ ପ୍ରଶିକ୍ଷକ କଲିନ୍ ବାଚ୍ ଏବଂ ଇଂଲଣ୍ଡ ପ୍ରଶିକ୍ଷକ ଡାନି କେରି। ଗୋଲ୍କିପର ଏବଂ ଡିଫେଣ୍ଡରମାନେ ଉନ୍ନତ ହେବାରେ ଲାଗିବାରୁ ପେନାଲ୍ଟି କର୍ନର ଏବେ ଆଉ ଆଗ ଭଳି ଫଳପ୍ରସୂ ହେଉନାହିଁ। ଆଗ ତୁଳନାରେ ଡିଫେଣ୍ଡରମାନେ ତୁରନ୍ତ ଫ୍ଲିକର୍ଙ୍କ ପାଖକୁ ଦୌଡ଼ି ତାଙ୍କ ଲୟ ବିଗାଡି ଦେଉଛନ୍ତି। ଗୋଲ୍୍କିପରଙ୍କୁ ବି ସୁଯୋଗ ଦେବା ପୂର୍ବରୁ ବଲକୁ ଅନ୍ୟ ଦିଗକୁ ପଠାଇବାରେ ସଫଳ ହେଉଛନ୍ତି। ଏହି କାରଣରୁ ଡ୍ରାଗ୍ ଫ୍ଲିକର କୌଶଳ ମଧ୍ୟ ବଦଳୁଛି ଏବଂ ବେଳେ ବେଳେ ସେମାନେ ବଲକୁ ଷ୍ଟପ୍ କରିବା ପରେ ବ୍ୟାକ୍ ହିଟ୍ ମାରି ବିବିଧତା ଭରିବାର ପ୍ରୟାସ ଆରମ୍ଭ କରିଛନ୍ତି। ପେନାଲଟି କର୍ନର ରୂପାନ୍ତରରେ କେତେ ପ୍ରତିଶତ ଭଲ ବୋଲି ପ୍ରଶ୍ନ ହେବାରୁ ବେଲ୍ଜିୟମ୍ ଡ୍ରାଗ୍ ଫ୍ଲିକର୍ ଲକ ଲୁଇପର୍ଟ କୁହନ୍ତି 'ତିନିଟିରୁ ଗୋଟିଏକୁ ହାରାହାରି ଏବଂ ଦୁଇଟିରୁ ଗୋଟିଏକୁ ଭଲ କୁହାଯାଇପାରିବ। ଭଲ ଡିଫେଣ୍ଡରଙ୍କ ଉପସ୍ଥିତି ସତ୍ତ୍ବେ ଏବେ ବି କିଛି ଅପ୍ରତିଦ୍ବନ୍ଦ୍ବୀ ଡିଫେଣ୍ଡର ରହିଛନ୍ତି। ସେମାନଙ୍କ ମଧ୍ୟରେ ଆର୍ଜେଣ୍ଟିନାର ଗଞ୍ଜାଲୋ ପିଲାଟ ଅନ୍ୟତମ। ଗୁରୁବାର ସେ ମଧ୍ୟ ସ୍ପେନ୍ ବିପକ୍ଷରେ ୨ଟି ଗୋଲ୍ ଦେଇସାରିଛନ୍ତି। ଭାରତର ହରମନପ୍ରୀତ୍ ସିଂହ ମଧ୍ୟ ଜଣେ ଭଲ ଫ୍ଲିକର୍ ବୋଲି ମତ ଦେଇଛନ୍ତି କେରି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୫ ପେନାଲଟି କର୍ନର ପାଇଥିଲେ ମଧ୍ୟ ଏଥିରୁ ୨ଟି ଗୋଲ୍ ଦେଇଥିଲା, ତା ପୁଣି ପରୋକ୍ଷ ହିଟ୍ ଓ ରିବାଉଣ୍ଡରୁ ଆସିଥିଲା। କିନ୍ତୁ ପେନାଲ୍ଟି କର୍ନର ବିଶେଷଜ୍ଞଙ୍କ ପାଇଁ ଭାରତୀୟ ଫରୱାର୍ଡଙ୍କୁ ଅଧିକ ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ ବୋଲି କହିଛନ୍ତି ଧନରାଜ ପିଲ୍ଲେ। ରବିବାରର ବେଲ୍ଜିୟମ୍ ବିପକ୍ଷ ମ୍ୟାଚ୍ ଭାରତ ପାଇଁ ଏତେ ସହଜ ହେବ ନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ଭଳି ଆମ ଫରୱାର୍ଡ ଏତେ ଫାଙ୍କା ପାଇବେ ନାହିଁ ବୋଲି ମଧ୍ୟ ପିଲ୍ଲେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଡ୍ରାଗ୍ ଫ୍ଲିକ୍ ଯୁଗ ସରି ଆସୁଛି
/sambad/media/post_attachments/wp-content/uploads/2018/12/hqdefault.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)