ରାଉରକେଲା: ଶ୍ରାଚୀ ରା’ ବେଙ୍ଗଲ୍‌ ଟାଇଗର୍ସକୁ ୨-୧ ଗୋଲ୍‌ରେ ହରାଇ ଅମିତ ରୋହିଦାସଙ୍କ ଦଳ ତାମିଲନାଡୁ ଡ୍ରାଗନ୍ସ ହକି ଇଣ୍ଡିଆ ଲିଗ୍‌ ପଏଣ୍ଟ ଟେବୁଲ୍‌ର ଶୀର୍ଷ ସ୍ଥାନକୁ ଉଠିଛି। ଏହି ଦଳ ୫ ମ୍ୟାଚ୍‌ ଖେଳି ୪ ବିଜୟ ଓ ଗୋଟିଏ ପରାଜୟ ସହ ୧୨ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛି। ଅପରପକ୍ଷରେ ଶୁକ୍ରବାରର ପରାଜୟ ପରେ ବେଙ୍ଗଲ୍‌ ଦଳ ୫ ମ୍ୟାଚ୍‌ରୁ ୩ ବିଜୟ, ୨ ପରାଜୟ ସହ ୯ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି। 

Advertisment

ଶୁକ୍ରବାର ସଂଧ୍ୟାରେ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ମ୍ୟାଚ୍‌ର ଦ୍ବିତୀୟ କ୍ବାର୍ଟର୍‌ ପ୍ରଥମ ମିନିଟ୍‌ରେ ସେଲ୍‌ଭମ କାର୍ତି ଏକ ସୁନ୍ଦର ଫିଲ୍‌ଡ ଗୋଲ୍‌ କରି ତାମିଲନାଡୁ ଦଳକୁ ଆଗୁଆ କରିଥିଲେ। ୩୫ ମିନିଟ୍‌ରେ ଭାରତୀୟ ଦଳର ତାରକା ଖେଳାଳି ରୂପିନ୍ଦର ପାଲ୍ ସିଂହ ପେନାଲ୍‌ଟି ଷ୍ଟ୍ରୋକ୍‌ରୁ ଗୋଲ୍ କରି ସ୍ଥିତି ବରାବର କରିଥିଲେ। ୨ ମିନିଟ୍ ପରେ ଉତ୍ତମ ସିଂହ ତାମିଲନାଡୁ ପାଇଁ ବିଜୟୀ ଗୋଲ୍‌ କରିଥିଲେ। ପୁଣି ତାଙ୍କର ଏକ ଚମତ୍କାର ଫିଲ୍ଡ ଗୋଲ୍‌ ବଳରେ ମିଳିଥିବା ଅଗ୍ରଣୀକୁ ତାମିଲନାଡୁ ଦଳ ଶେଷ ପର୍ଯ୍ୟନ୍ତ ବଜାୟ ରଖିଥିଲା। ମ୍ୟାଚ୍ ତମାମ ଓଡ଼ିଆ ତାରକା ଅମିତ ରୋହିଦାସ ପଡ଼ିଆରେ ଛାଇ ରହି ଦଳର ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ବେଙ୍ଗଲ୍‌ ଦଳକୁ ଗୋଟିଏ ସବୁଜ କାର୍ଡ ମିଳିଥିବାବେଳେ ତାମିଲନାଡୁ ଖେଳାଳିଙ୍କୁ ୨ଟି ହଳଦିଆ ଓ ୨ଟି ସବୁଜ କାର୍ଡ ଦିଆ ଯାଇଥିଲା। ମିଳିଥିବା ପେନାଲ୍‌ଟି କର୍ନରକୁ କୌଣସି ଦଳ ଗୋଲ୍‌ରେ ପରିବର୍ତ୍ତିତ କରିପାରି ନଥିଲେ।