ଓଡ଼ିଶାରେ ‘ଅଭିନବ’ ପ୍ରୟାସ

କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ବସ୍ତରୀୟ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦଘାଟିତ

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ାବିତ୍‌ଙ୍କୁ ସେମାନଙ୍କ ହାତ ପାହାନ୍ତାରେ ମିଳିଛି ବିଶ୍ବସ୍ତରୀୟ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର। ଏଣିକି ଆଘାତପ୍ରାପ୍ତ ହେଲେ ବିଭିନ୍ନ ଥଇଥାନ କାର୍ଯ୍ୟକ୍ରମ ଏବଂ ନିରାକରଣ ଯୋଜନା ଲାଗି ସେମାନଙ୍କୁ ବାହାରକୁ ଯିବାକୁ ପଡ଼ିବ ନାହିଁ। ରୁଙ୍ଗ୍‌ଟା କଂପାନି ସହ ମିଶି ୨୦୦୮ ବେଜିଂ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ବନ୍ଧୁକ ଚାଳକ ଅଭିନବ ବିନ୍ଦ୍ରା କଳିଙ୍ଗ ଷ୍ଟାଡିୟମରେ ସ୍ଥାପନ କରିଥିବା‌ ଅଭିନବ ବିନ୍ଦ୍ରା ଟାର୍ଗେଟ ପର୍‌ଫର୍‌ମାନ୍ସ ସେଣ୍ଟର ବା ଏବିଟିପିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସଂଧ୍ୟାରେ ଉଦଘାଟନ କରିଛନ୍ତି। ରାଜ୍ୟ ସରକାର ଏହି ବିଶ୍ବସ୍ତରୀୟ କ୍ରୀଡ଼ା ବିଜ୍ଞାନ ତଥା ବୈଷୟିକ କେନ୍ଦ୍ର ଲାଗି କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସର ଦକ୍ଷିଣ ଗ୍ୟାଲେରିର ତଳ ମହଲାକୁ ଆବଣ୍ଟନ କରିଥିଲା ବେଳେ ବିନ୍ଦ୍ରା ଓ ତାଙ୍କ ସଂସ୍ଥା ଏହାର ପରିଚାଳନା ତଥା ପ୍ରଶିକ୍ଷଣ ଦାୟିତ୍ବ ନେଇଛନ୍ତି। ଏଠାରେ ରାଜ୍ୟର ଉଦୀୟମାନ ତଥା ପ୍ରତିଷ୍ଠିତ ଖେଳାଳି ବିଜ୍ଞାନ ସମ୍ମତ ଉପାୟରେ ନିଜ ଶରୀରର ଦକ୍ଷତା ତଉଲିବା ଏବଂ ଆଘାତ ଜନିତ ସମସ୍ୟା ଦୂର କରିବାର ସୁଯୋଗ ପାଇବେ। ଆଘାତ ଜନିତ ସମସ୍ୟା ପରିଚାଳନା ଓ ଏହାର ପ୍ରତିଶେଧକ ବ୍ୟବସ୍ଥା ପାଇଁ ଓଡ଼ିଶା ସହ ବାହାର ଖେଳାଳିମାନେ ଏହି କେନ୍ଦ୍ରରେ ଥିବା ଆଧୁନିକ ଜ୍ଞାନ କୌଶଳ ଯୁକ୍ତ ସାଜ ସଂରଜାମ ଏବଂ ମେସିନର ସହାୟତା ନେଇ ପାରିବେ। ଏହି କେନ୍ଦ୍ରରେ ବିକାଶଶୀଳ ଦେଶର କ୍ରୀଡ଼ାବିତ୍‌ମାନେ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବା ଲାଗି ବ୍ୟବହାର କରୁଥିବା କ୍ରାଓ ଚାମ୍ବର, ବାଇଓ ମେକାନିକ୍ସ ଓ ପଶ୍ଚୁରାଲ ଲ୍ୟାବ, ପ୍ରୋକିନ୍, ପୋଶ୍ଚୁରାଲ ବେଞ୍ଚ, ବାଲାନ୍ସ ଟ୍ରଙ୍କ, ଜେଟ୍ ଆଣ୍ଡ ରନ୍ ଲ୍ୟାବ୍, ଫଙ୍କସନାଲ ଟେଷ୍ଟିଂ ଆଣ୍ଡ ଟ୍ରେନିଂ ଲ୍ୟାବ୍, ଡି ୱାଲ, ଈଶୋ ସିଫ୍ଟ, ଇଏମଏସ୍, ସାଇକୋଲୋଜିକାଲ ଟେଷ୍ଟିଂ ଲ୍ୟାବ୍ ଏବଂ ରିହାବିଲିଟେସନ୍ ବ୍ୟବସ୍ଥା ରହିଛି। ସେହିଭଳି ଏହି କେନ୍ଦ୍ରରେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ୧୫୦୦ ଖେଳାଳିଙ୍କ କ୍ରୀଡ଼ା ତଥ୍ୟ ସଂରକ୍ଷିତ କରି ରଖାଯିବ। ଆବଶ୍ୟକ ସ୍ଥଳେ ଏହାର ଉପଯୋଗ କରି ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ‌ଚେଷ୍ଟା କରାଯିବ। ଆସନ୍ତା ୪ ରୁ ୫ ବର୍ଷ ମଧ୍ୟରେ ଓଡ଼ିଶାରୁ ଅଲିମ୍ପିକ୍ସ ପଦକ ବିଜେତା ସୃଷ୍ଟି କରିବା ହିଁ ଏହି କେନ୍ଦ୍ରର ମୂଳ ଲକ୍ଷ୍ୟ ରହିବ। ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ଏକ କେନ୍ଦ୍ର ସ୍ଥାପିତ ହୋଇଥିଲା ବେଳେ ସାରା ଭାରତରେ ଥିବା ହାତଗଣତି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ମଧ୍ୟରୁ ଏହା ଅନ୍ୟତମ। ଆଘାତ ଜନିତ ସମସ୍ୟାର ପରିଚାଳନା କ୍ଷେତ୍ରରେ ବିକାଶଶୀଳ ଦେଶଗୁଡ଼ିକ ଆମଠାରୁ ବହୁ ଆଗରେ ରହିଛନ୍ତି। ବ୍ୟୟବହୁଳ ଉପଚାର ହୋଇଥିବାରୁ ଆମ ଦେଶର ଖେଳାଳିମାନେ ଏଥିଲାଗି ବିଦେଶକୁ ଯାଇ ପାରୁ ନାହାନ୍ତ। ଆମ କେନ୍ଦ୍ର ଖୋଲିବା ପରେ ଓଡ଼ିଶା ଖେଳାଳିଙ୍କ ଏହି ସମସ୍ୟା ଦୂର ହେବ। ଏହି କେନ୍ଦ୍ର ସମସ୍ତ ବର୍ଗ ଓ ସବୁ ଖେଳର ଖେଳାଳି ବ୍ୟବହାର କରି ପାରିବେ। ୟୁରୋପରେ ଥିବା ବଡ଼ ବଡ଼ ଫୁଟ୍‌ବଲ୍ କ୍ଲବ୍‌ରେ ଥିବା ଆଧୁନିକ ବ୍ୟବସ୍ଥା ଆମ ପାଖରେ ରହିଛି। ଏଣିକି ମାତ୍ର ୩୦ ସେକେଣ୍ଡ ମଧ୍ୟରେ ଖେଳାଳି ପରବର୍ତୀ ୮ ଘଣ୍ଟା ପାଇଁ ନିଜକୁ ସଜେତ ରଖି ପାରିବେ। ଭାରତକୁ ପ୍ରଥମ ଥର ପାଇଁ ଆସିଥିବା ଡିଜିଟାଲ ୱାଲ୍ ଆମେ ଏଠରେ ସ୍ଥାପିତ କରିଛୁ। ବୟସ, ଉଚ୍ଚତା ଏବଂ ଓଜନକୁ ତର୍ଜମା କରି ଖେଳାଳିଙ୍କର ସେହି ଅନୁସାରେ ଥଇଥାନ କରାଯିବ। ସାରା ଭାରତ ସହ ବିଦେଶରୁ ଖେଳାଳିମାନେ ଆସି ଏବିଟିପିରେ ପ୍ରଶିକ୍ଷଣ ନେଇ ପାରିବେ। ପ୍ରାଥମିକ ପର୍ଯ୍ୟାୟରେ ଏବିଟିପି ୬ ଜଣ ବିଶେଷଜ୍ଞ କାର୍ଯ୍ୟ କରିବେ। ପ୍ରତି ମାସରେ କିନ୍ତୁ ବିଦେଶରୁ ବିଶେଷଜ୍ଞମାନେ ମଧ୍ୟ ଆସିବେ। ପ୍ରତିଭା ଚିହ୍ନଟ କ୍ଷେତ୍ରରେ ମଧ୍ୟ କଳିଙ୍ଗ ଷ୍ଟାଡିୟମ୍ କେନ୍ଦ୍ର ନିର୍ଣ୍ଣାୟକ ଭୂମିକା ନେଇ ପାରିବ। ପ୍ରତ୍ୟେକ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ। ସେମାନଙ୍କ ଦୁର୍ବଳତାକୁ ଧରି ଏହାକୁ ଦୂର କରିବାକୁ ଚେଷ୍ଟା କରାଯିବ ବୋଲି ଏବିଟିପିର ସର୍ବଭାରତୀୟ ନିର୍ଦେଶକ ଦିଗପାଲ ସିଂହ ରାଣାବତ୍ କହିଛନ୍ତି।

ସମ୍ବନ୍ଧିତ ଖବର