ବର୍ମିଂହାମ୍‌: ପ୍ରଥମ ୩ ଦିନ ପ୍ରଧାନ୍ୟ ବିସ୍ତାର କରି ଆସିଥିବା ଭାରତୀୟ ଦଳ ଏଜବାଷ୍ଟନ୍‌ ଟେଷ୍ଟର ଚତୁର୍ଥ ଦିନ ସୁଯୋଗ ହାତଛଡ଼ା କରିଛି। ନାଟକୀୟ ମୋଡ ସହ ଇଂଲଣ୍ଡ ଦଳ ସମ୍ମୁଖରେ ୩୭୮ ରନ୍‌ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କଷ୍ଟସାଧ୍ୟ ଲକ୍ଷ୍ୟ ଥିଲେ ବି ବେନ୍ ଷ୍ଟୋକ୍ସଙ୍କ ଦଳ ସକରାତ୍ମକ ବ୍ୟାଟିଂ କରି ବିଜୟ ଛଡ଼ାଇ ନେବା ଦିଗରେ ଅଗ୍ରସର‌ ହୋଇଛି। ଚତୁର୍ଥ ଦିନ ଖେଳ ଶେଷସୁଦ୍ଧା ଘରୋଇ ଦଳ ୩ ୱିକେଟ୍‌ରେ ୨୫୯ ରନ୍‌ ସଂଗ୍ରହ କରି ଭଲ ସ୍ଥିତିରେ ମଧ୍ୟ ରହିଛି। ଜନି ବେୟାରଷ୍ଟୋ (୭୨*) ଏବଂ ଜୋ ରୁଟ୍ (୭୬*) ବ୍ୟାଟିଂ କରୁଥିଲେ।

Advertisment

ସୋମବାର ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତୀୟ ଦଳ ହାତରେ ୭ ୱିକେଟ୍ ଥାଇ ୨୫୭ ରନ୍‌ ଆଗୁଆ ଥିଲା। କିନ୍ତୁ ମାତ୍ର ୧୨୦ ରନ୍‌ ଯୋଡ଼ି ଅବଶିଷ୍ଟ ୭ ୱିକେଟ୍ ହରାଇ ଦେଇଥିଲା। ଚେତେଶ୍ବର ପୂଜାରା (୬୬, ୧୬୮ ବଲ୍, ୮ ଚୌକା) ଏବଂ ଋଷଭ ପନ୍ତ୍ (୫୭, ୮୬ ବଲ୍, ୮ ଚୌକା) ଆକର୍ଷଣୀୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ ମଧ୍ୟ ଆଗକୁ ବଢ଼ିପାରିନଥିଲେ। ପୂଜାରା ପ୍ରଥମେ ବିଦାୟ ନେବା ପରେ ଶ୍ରେୟସ ଆୟର୍ ମଧ୍ୟ ପୁଣି ଥରେ ବିଫଳ ହୋଇଥିଲେ। ପୂଜାରାଙ୍କୁ ବ୍ରଡ୍‌ ଏବଂ ଆୟରଙ୍କୁ ମ୍ୟାଟ୍ ପଟ୍ସ ପ୍ୟାଭିଲିଅନ୍ ରାସ୍ତା ଦେଖାଇବା ପରେ ଭାରତର ନଜର ପ୍ରଥମ ପାଳି ଶତକଧାରୀ ରବୀନ୍ଦ୍ର ଜାଦେଜାଙ୍କ ଉପରେ ରହିଥିଲା। ପାଳି ଗଢ଼ିବା କାମରେ ଲାଗି ରହିଥିଲେ ମଧ୍ୟ ସାଥୀ ବିହୀନ ହୋଇ ନବମ ଖେଳାଳି ଭାବେ ଆଉଟ୍ ହୋଇଥିଲେ ସେ। ଜାଦେଜା ୫୮ ବଲ୍‌ରୁ ୨୩ ରନ୍‌ କରିଥିଲେ। ବେନ୍ ‌ଷ୍ଟୋକ୍ସଙ୍କୁ ଲଗାତାର ଛକା ମାରିବାକୁ ଯାଇ ଫାଇନ୍ ଲେଗ୍‌ରେ ବୁମ୍‌ରା ଧରାପଡ଼ିଥିଲେ। ଏଥିସହ ଭାରତର ଦ୍ବିତୀୟ ପାଳି ୨୪୫ ରନ୍‌ରେ ସୀମିତ ହୋଇଯାଇଥିଲା। ଅନ୍ୟୂନ ୪୦୦ ରନ୍‌ ଲକ୍ଷ୍ୟ ଦେବା ଆଶା କରିଥିବା ଭାରତକୁ ବେନ୍ ‌ଷ୍ଟୋକ୍ସଙ୍କ ଦଳ ଏହା କରାଇ ଦେଇନଥିଲା। ପୂର୍ବ ଦିନ ବିରାଟ କୋହଲିଙ୍କ ୱିକେଟ୍ ନେଇଥିବା ଅଧିନାୟକ ବେନ୍ ‌ଷ୍ଟୋକ୍ସ ସୋମବାର ଭାରତ ପାଳିର ଶେଷ ୩ ୱିକେଟ୍ (ସାମି, ଜାଦେଜା, ବୁମରା)ଙ୍କୁ ଆଉଟ୍ କରି ୪/୩୩ ବୋଲିଂ ଚିତ୍ର ପାଇଥିଲେ। ବ୍ରଡ୍‌ ଓ ପଟ୍ସ ୨-୨ ଏବଂ ଆଣ୍ଡରସନ୍‌ ଓ ଲିଚ୍ ୧-୧ ୱିକେଟ୍ ବଣ୍ଟୁଆରା କରିଥିଲେ।

ଏଜବାଷ୍ଟନ୍‌ରେ ସର୍ବୋଚ୍ଚ ଚତୁର୍ଥ ପାଳି ସ୍କୋର୍‌ ଅଛି ୨୮୩/୫। ୨୦୦୮ ମସିହାରେ ଇଂଲଣ୍ଡକୁ ସେଥର ଦକ୍ଷିଣ ଆଫ୍ରିକାକୁ ୫ ୱିକେଟ୍‌ରେ ପରାସ୍ତ କରିଥିଲା। ଏଥର କିନ୍ତୁ ୩୭୮ ରନ୍‌କୁ ପିଛା କରିଥିବା ଇଂଲଣ୍ଡକୁ ପ୍ରାରମ୍ଭିକ ଯୋଡ଼ି ଆଲେକ୍ସ ଲିସ୍‌ (୫୬, ୬୫ ବଲ୍, ୮ ଚୌକା) ଏବଂ ଜ୍ୟାକ୍ କ୍ରଲି (୪୬, ୭୬ ବଲ୍, ୭ ଚୌକା) ପ୍ରଥମ ୱିକେଟ୍ ପାଇଁ ୨୧.୪ ଓଭରରେ ୧୦୭ ରନ୍‌ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। ଯଶପ୍ରୀତ୍ ବୁମ୍‌ରା ଲଗାତାର ଓଭରରେ କ୍ରଲି ଓ ପୋପ୍‌ଙ୍କୁ ଆଉଟ୍ କରିବା ପରେ ଲିସ୍‌ଙ୍କ ରନ୍ ଆଉଟ୍‌ ଭାରତକୁ ପ୍ରତ୍ୟାବର୍ତ୍ତନ ସ‌ୁଯୋଗ ଦେଇଥିଲା। ଏହା ପରେ ଦୁଇ ଦୁଇଟି କ୍ୟାଚ୍‌ ହାତଛଡ଼ା କିନ୍ତୁ ଭାରତ ହାତରୁ ଏକ ପ୍ରକାର ମ୍ୟାଚ୍‌ ଛଡ଼ାଇ ନେଇଥିଲା। ଘରୋଇ ଦଳର ଦୁଇ ଅଭିଜ୍ଞ ବ୍ୟାଟର୍ ଜନି ବେୟାରଷ୍ଟୋ ଓ ଜୋ ରୁଟ୍‌ ପୁଣି ଏକ ଶତକୀୟ ଭାଗୀଦାରି (୧୫୦*) ପ୍ରତିଷ୍ଠା କରିଥିଲେ। ଉଭୟ ନିଜ ନିଜ ଅର୍ଦ୍ଧଶତକ ହାସଲ କରିବା ସହ ଦ୍ରୁତ ଗତିରେ ମଧ୍ୟ ରନ୍‌ ସଂଗ୍ରହ କରିଥିଲେ। ଲିସ୍‌-କ୍ରଲି ୧୦୭ ରନ୍‌ ଉଠାଇବା ପରେ ଭାରତ ବିପକ୍ଷରେ ଇଂଲଣ୍ଡ ଗୋଟିଏ ଶୃଙ୍ଖଳାରେ ୩ଟି ପ୍ରାରମ୍ଭିକ ଶତକୀୟ ଭାଗୀଦାରି ପ୍ରତିଷ୍ଠା କରିଥିଲା। ଏହ‌ା ମଧ୍ୟ ତୃତୀୟ ଥର ଘଟିଥିଲା। ଏହି (୨୦୨୧-୨୨) ଶୃଙ୍ଖଳା ପୂର୍ବରୁ ଭାରତ ବିପକ୍ଷରେ ୧୯୬୭-୬୮ରେ ଅଷ୍ଟ୍ରେଲିଆ ଏବଂ ୧୯୯୦ରେ ଇଂଲଣ୍ଡ ମଧ୍ୟ ୩ ଥର ପ୍ରାରମ୍ଭିକ ଯୋଡ଼ିଙ୍କଠାରୁ ଶତକୀୟ ଭାଗୀଦାରି ପାଇଥିଲା। ସୋମବାର ମଧ୍ୟ ଇଂଲଣ୍ଡ ପାଇଁ ଜ୍ୟାକ କ୍ରଲି ଏକ କୀର୍ତ୍ତିମାନ ସମକକ୍ଷ ପ୍ରଦର୍ଶନ କରିଥି‌ଲେ। ଜଣେ ଆଉଟ୍‌ ଫିଲ୍ଡର (ୱିକେଟରକ୍ଷକ ବାଦ୍‌) ଭାବେ ଗୋଟିଏ ଟେଷ୍ଟରେ ୬ କ୍ୟାଚ୍‌ ଧରିଥିଲେ କ୍ରଲି।

ବର୍ମିଂହାମ: ଭାରତୀୟ ଟେଷ୍ଟ୍ ଦଳର କାମଚଳା ଅଧିନାୟକ ଯଶପ୍ରୀତ ବୁମ୍‌ରା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟରେ ଆଉ ଏକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଭୁବନେଶ୍ବର କୁମାରଙ୍କୁ ଟପି ଇଂଲଣ୍ଡରେ ଖେଳାଯାଇଥିବା ଏକ ଟେଷ୍ଟ ଶୃଙ୍ଖଳାରେ ସର୍ବାଧିକ ୱିକେଟ୍ ସଂଗ୍ରହକାରୀ ଭାରତୀୟ ହୋଇଛନ୍ତି ସେ। ଇଂଲଣ୍ଡର ପ୍ରଥମ ପାଳିରେ ୩ ୱିକେଟ୍ କରାୟତ୍ତ କରି ଚଳିତ ଶୃଙ୍ଖଳାରେ ବ୍ୟକ୍ତିଗତ ୱିକେଟ୍ ସଂଖ୍ୟା ୨୧କୁ ବଢ଼ାଇଛନ୍ତି ବୁମ୍‌ରା। ଯାହା ଭାରତର ୨୦୧୪ ଇଂଲଣ୍ଡ ଗସ୍ତରେ ଭୁବନେଶ୍ବର କୁମାର ନେଇଥିବା ୧୯ ୱିକେଟ୍‌ଠାରୁ ୨ ୱିକେଟ୍ ଅଧିକ। ଏହା ପୂର୍ବରୁ ବୁମ୍‌ରା ଟେଷ୍ଟ କ୍ରିକେଟ୍‌ରେ ଗୋଟିଏ ଓଭରରୁ ସର୍ବାଧିକ ରନ୍ (୩୫) ସଂଗ୍ରହ କରିବାର ବିଶ୍ବ କୀର୍ତ୍ତିମାନ କରି ସାରିଛନ୍ତି। ସେହିଭଳି ୧୯୮୭ ମସିହା ପରେ ଭାରତୀୟ ଟେଷ୍ଟ ଦଳର ନେତୃତ୍ବ ନେବାରେ କପିଳ ଦେବଙ୍କ ପରେ ପ୍ରଥମ ଦ୍ରୁତ ବୋଲର ହୋଇସାରିଛନ୍ତି। ତା’ସହ ନିଜ ପ୍ରଥମ ୩୦ ଟେଷ୍ଟରେ ସର୍ବାଧିକ ୱିକେଟ୍ ନେବାର ଭାରତୀୟ କୀର୍ତ୍ତିମାନ ବି ବୁମ୍‌ରା ନିଜ ନାଁରେ କରି ନେଇଛନ୍ତି। ଏହି କ୍ରମରେ ସେ ମହାନ ଅଲରାଉଣ୍ଡର୍ କପିଳ ଦେବଙ୍କ କୀର୍ତ୍ତିମାନ ଭାଙ୍ଗିଛନ୍ତି। କପିଳ ତାଙ୍କ ପ୍ରଥମ ୩୦ ଟେଷ୍ଟରେ ୧୨୪ ୱିକେଟ୍ ଅକ୍ତିଆର କରିଥିଲେ। ଅନ୍ୟପକ୍ଷରେ ବୁମ୍‌ରା ୧୨୬ ୱିକେଟ୍ କରାୟତ୍ତ କରିଛନ୍ତି।

ବର୍ମିଂହାମ ଟେଷ୍ଟ୍‌ର ତୃତୀୟ ଦିବସରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଇଂଲଣ୍ଡର ତାରକା ବ୍ୟାଟର୍ ଜନି ବେୟାରଷ୍ଟୋ ଢେର ସମୟ ପର୍ଯ୍ୟନ୍ତ ପରସ୍ପର ସହ ଭୀଷଣ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ଏପରିକି ଅମ୍ପାୟାରଙ୍କ ହସ୍ତକ୍ଷେପ ପରେ ଯାଇ ମାମଲା ଶାନ୍ତ ପଡ଼ିଥିଲା। ତେବେ ବେୟାରଷ୍ଟୋ ଏହି ଘଟଣା ସେତେଟା ଗୁରୁତର ନଥିଲା ବୋଲି କହିବା‌ ସହ କୋହଲିଙ୍କ ସହ ଯୁକ୍ତିତର୍କକୁ ଖେଳର ଅଂଶବିଶେଷ ଭାବେ ବର୍ଣ୍ଣନା କରିଛନ୍ତି। ପ୍ରଥମ ପାଳିରେ ୧୪୦ ବଲ୍‌ରୁ ୧୦୬ ରନ୍‌ର କରି ଘରୋଇ ଇଂଲଣ୍ଡକୁ ସଙ୍କଟରୁ ଉଧାରିଥିବା‌ ବେୟାରଷ୍ଟୋ ଏକ ସାକ୍ଷାତକାର ଅବସରରେ କହିଛନ୍ତି ଯେ ଆମ ମନ ଭିତରେ ପରସ୍ପର ପ୍ରତି ସେମିତି କିଛି ଖରାପ ଭାବନା ନାହିଁ। ଆମେ ପାଖାପାଖି ୧୦ ବର୍ଷ ହେବ ପରସ୍ପର ବିପକ୍ଷରେ ଖେଳି ଆସୁଛୁ। ପଡ଼ିଆ ଭିତରେ ଉଭୟ ତୀବ୍ର ପ୍ରତିଦ୍ବନ୍ଦ୍ବିତା କରିବାକୁ ଭଲପାଉ। କେବେ କେବେ ଆମ ଭିତରେ ଯୁକ୍ତିତର୍କ ହୋଇଥାଏ। ଏହା ଦ୍ବାରା ଆମେ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରିଥାଉ। କୋହଲିଙ୍କ ସହ ଟଣାଓଟରା ଖେଳର ଅଂଶବିଶେଷ ବୋଲି ମୁଁ ଭାବେ। ତାଠାରୁ ଅଧିକ କିଛି ନୁହେଁ।