ରାୱଲପିଣ୍ଡି ଟେଷ୍ଟ୍‌ରେ ନାଟକୀୟ ମୋଡ଼, ପାକିସ୍ତାନ ୨୦୦ ରନ୍‌ରେ ଆଗୁଆ

ରାୱଲପିଣ୍ଡି: ତୃତୀୟ ଦିବସ ଖେଳରେ ୧୨ ୱିକେଟ୍‌ର ପତନ କାରଣରୁ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ବିତୀୟ ଟେଷ୍ଟ୍‌ ନାଟକୀୟ ମୋଡ଼ ନେଇଛି। ପ୍ରଥମ ପାଳିରେ ୭୧ ରନ୍ ଅଗ୍ରଣୀ ନେବା ସତ୍ତ୍ବେ ପାକିସ୍ତାନ ସମ୍ପୂର୍ଣ୍ଣ ସୁରକ୍ଷିତ ସ୍ଥିତିରେ ପହଞ୍ଚିପାରିନାହିଁ। ଶନିବାର ସୁଦ୍ଧା ପାକିସ୍ତାନ ହାତରେ ୪ ୱିକେଟ୍‌ ଥାଇ ୨୦୦ ରନ୍‌ ଆଗୁଆ ରହିଛି। ଫଳରେ ମ୍ୟାଚ୍‌ରୁ ଫଳାଫଳ ବାହାରିବା ସ୍ଥିତି ସ୍ପଷ୍ଟ ହୋଇଛି।
ଶନିବାର ଦକ୍ଷିଣ ଆଫ୍ରିକା ୧୦୬/୪ରୁ ଖେଳିଥିଲେ ମଧ୍ୟ ହାସନ୍ ଅଲୀଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇନପାରି ୨୦୧ରେ ସୀମିତ ରହିଯାଇଥିଲା। ଜଣେ ହେଲେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ୍‌ ଅର୍ଦ୍ଧଶତକ ହାସଲ କରିପାରିନଥିଲେ। ‌ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରିଥିବା ତେମ୍ବା ବାଭୁମା (୪୪*, ୧୩୮ ବଲ୍, ୫ ଚୌକା) ସାଥୀହରା ହୋଇ ଏଥିରୁ ବଞ୍ଚିତ ରହିଥିଲେ। ଐଦେନ ମର୍କରାମ (୩୨), ୱିହାନ୍‌ ମୁଲଡର୍‌ (୩୩, ୮୩ ବଲ୍‌), କ୍ବିଣ୍ଟନ୍ ଡି’କକ୍ (୨୯, ୨୦ ବଲ୍‌) ଭଲ ଆରମ୍ଭ ପାଇଥିଲେ ମଧ୍ୟ ବଡ଼ ପାଳି ଖେଳିପାରିନଥିଲେ। ହାସନ୍ ଅଲୀ (୧୫.୪-୨-୫୪-୫) ସଫଳ ବୋଲର ଥିଲେ। ସାହିନ୍ ଆଫ୍ରିଦି, ଫହିମ୍ ଅସ୍ରଫ, ନୌମନ ଅଲୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ହାସନ୍ ଅଲୀ ଦେଇଥିବା ପ୍ରତ୍ୟାବର୍ତନ ସୁଯୋଗକୁ କିନ୍ତୁ ଘରୋଇ ଦଳର ବ୍ୟାଟ୍ସମ୍ୟାନ୍‌ ବେକାର ହେବାକୁ ଦେଇଛନ୍ତି। ତୃତୀୟ ଦିନ ଶେଷ ସୁଦ୍ଧା ବାବର ଆଜମଙ୍କ ଦଳ ୧୨୯ ରନ୍‌ରେ ୬ ୱିକେଟ୍ ହରାଇ ଦେଇଛି। ଆଝାର୍ ଅଲୀ ୩୩, ଫହିମ ଅସ୍ରଫ ୨୯ ରନ୍ କରିଥିବା ବେଳେ ମହମ୍ମଦ ରିଜୱାନ ୨୮* ରନ୍‌ରେ ଖେଳୁଛନ୍ତି। ଇମ୍ରାନ୍ ବଟ୍ଟ, ଅବିଦ ଅଲୀ, ବାବର ଆଜମ, ଫୱାଦ ଆଲମ ବିଫଳ ହେବାରୁ ପାକିସ୍ତାନ ଦ୍ବିତୀୟ ପାଳିରେ ସଂଘର୍ଷ କରୁଛି। ଦକ୍ଷିଣ ଅଫ୍ରିକା ପକ୍ଷରୁ ଦୁଇ ସ୍ପିନର୍‌ କେଶବ ମହାରାଜ ଏବଂ ଜର୍ଜ ଲିଣ୍ଡ୍‌ ମିଳିତ ଭାବେ ୫ ୱିକେଟ୍ ନେଇ ଦଳକୁ ସୁଯୋଗ ଦେଇଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ପାକିସ୍ତାନ ପ୍ରଥମ ପାଳି ୨୭୨ (ବାବର ଆଜମ୍‌-୭୭, ଫହିମ୍‌ ଅସ୍ରଫ୍‌-୭୮*, ଫୱାଦ୍‌ ଆଲାମ-୪୫, ଅନ୍‌ରିକ୍‌ ନର୍ଖିୟା-୫/୫୬, କେଶବ ମହାରାଜ-୩/୯୦)। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି ୬୫.୪ ଓଭରରେ ୨୦୧ (ତେମ୍ବା ବଭୁମା-୪୪*, ୱିହାନ୍‌ ମୁଲଡର୍‌-୩୩, ଏଦେନ୍‌ ମର୍କରାମ-୩୨, କ୍ବିଣ୍ଟନ ଡି’କକ୍‌-୨୯, ଜର୍ଜ ଲିଣ୍ଡ୍‌-୨୧, ହାସନ୍‌ ଅଲ୍ଲୀ-୫/୫୪)। ପାକିସ୍ତାନ ଦ୍ବିତୀୟ ପାଳି: ୫୧ ଓଭରରେ ୧୨୯/୬ (ଆଝାର ଅଲୀ-୩୩, ଫହିମ୍ ଅସ୍ରଫ-୨୮, ମହମ୍ମଦ ରିଜୱାନ-୨୮*, ହାସନ ଅଲୀ-୦*, ଜର୍ଜ ଲିଣ୍ଡ-୩/୧୨, କେଶବ ମହାରାଜ-୨/୭୪, କାଗିସୋ ରବାଦା-୧/୪)।

ସମ୍ବନ୍ଧିତ ଖବର