ସିଡ୍‌ନି: ଭାରତୀୟ ଦଳ ସିଡ୍‌ନିରେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ବିନା ଖେଳୁଥିବାବେଳେ ଶନିବାର ଅଧିନାୟକ ଯଶପ୍ରୀତ୍ ବୁମରା ଅଧାରୁ ପଡ଼ିଆକୁ ଛାଡ଼ିଥିଲେ। ବୁମ୍‌ରାଙ୍କ ଅନୁପସ୍ଥିତିରେ କିନ୍ତୁ ସାଥୀ ବୋଲରମାନେ ଜବରଦସ୍ତ ପ୍ରଦର୍ଶନ କରିବାରୁ ଶୃଙ୍ଖଳା ନିର୍ଣ୍ଣାୟକ ଏହି ଟେଷ୍ଟ୍‌ରେ ଭାରତ ସୁଯୋଗକୁ କାଏମ ରଖିଛି। ଶନିବାର ତୃତୀୟ ଦିବସରେ ମୋଟ ୧୫ ୱିକେଟ୍‌ର ପତନ ସହିତ ସିଡ୍‌ନି ସମର ନାଟକୀୟ ମୋଡ଼ ବି ନେଇଛି। ଅଷ୍ଟ୍ରେଲିଆକୁ ପ୍ରଥମ ପାଳିରେ ୪ ରନ୍‌ ପଛରେ ରଖିବା ସହ ଭାରତ ଦ୍ବିତୀୟ ଦିନ ସୁଦ୍ଧା ମୋଟ ଉପରେ ୧୪୫ ରନ୍‌ରେ ଆଗୁଆ ହୋଇଛି। ହାତରେ ମାତ୍ର ୪ ୱିକେଟ୍ ଥିବାରୁ ମ୍ୟାଚ୍‌ର ରୋମାଞ୍ଚକ ଫଳାଫଳ ଦେବାର ସୁଯୋଗ ସୃଷ୍ଟି କରିଛି। ଋଷଭ ପନ୍ତ୍‌ଙ୍କ ଧୂଆଁଧାର ଅର୍ଦ୍ଧଶତକ (୩୩ ବଲ୍‌ରୁ ୬୧ ରନ୍‌, ୬ ଚୌକା, ୪ ଛକା) ଶନିବାର ମ୍ୟାଚ୍‌ରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବାକୁ ଢେର ଖୋରାକ ଯୋଗାଇଛି। ସିଡ୍‌ନିରେ ମଧ୍ୟ ଦୁଇ ଦଳର ଖେଳାଳି ଏଭଳି ଉତ୍ତେଜକ ମୁହୂର୍ତ୍ତ ଦେଇ ଗତି କରୁଛନ୍ତି‌ ‌ଯେ ଏହାକୁ ଏସ୍‌ସିଜି (ସିଡନି କ୍ରିକେଟ୍ ଗ୍ରାଉଣ୍ଡ୍) ନୁହେଁ ଏମ୍‌ଏସ୍‌ଜି (ମାଡିସନ୍ ସ୍କୋୟାର୍ ଗାର୍ଡେନ୍‌) ସହ ତୁଳନା କରାଯାଉଛି। ମାଡିସନ୍ ସ୍କୋୟାର ଗାର୍ଡେନ୍ସରେ ଡବଲ୍ୟୁଡବଲ୍ୟୁଡବଲ୍ୟୁ ଲଢ଼େଇ ହେଉଥିବାରୁ ଏଭଳି ଅଭିହିତ କରାଯାଇଛି।  ସିଡ୍‌ନିରେ ରବିବାର ନିଶ୍ଚିତ ଘମାଘୋଟ ସଂଘର୍ଷ ଦେଖିବାକୁ ମିଳିବ ଏହି ପ୍ରତିଶ୍ରୁତି ମିଳିଛି। ବୁମ୍‌ରା ଆହତ ତାଲିକାରେ ଥିବାରୁ ଯଦି ସେ ରବିବାର ବୋଲିଂ ନକଲେ ଭାରତ ପାଇଁ ଏହା ନିଶ୍ଚିତ କାଠିକର ପାଠ ହେବ। କାରଣ ସିଡ୍‌ନିରେ ୨୦୦+ ସ୍କୋର୍ ପଶ୍ଚାତଧାବନ କରିବା ସବୁବେଳେ ଆହ୍ବାନଭରା ହୋଇଥାଏ।

Advertisment

ଶନିବାର ଅଷ୍ଟ୍ରେଲିଆ ୯/୧ରୁ ଖେଳ ଆରମ୍ଭ କରିଥିଲା। ସକାଳେ ନିଜ ଦ୍ବିତୀୟ ଓଭରରେ ମାର୍ନସ ଲବୁସେନ୍‌ (୨)ଙ୍କୁ ବୁମ୍‌ରା କଟ୍ ବିହାଇଣ୍ଡ୍ କରି ଭାରତକୁ ଦ୍ବିତୀୟ ସଫଳତା ଦେଇଥିଲେ। ଏହା ପରେ ମହମ୍ମଦ ସିରାଜ ଗୋଟିଏ ଓଭରରେ ସାମ୍ କନଷ୍ଟାସ୍‌ (୨୩) ଓ ଟ୍ରାଭିସ୍ ହେଡ୍ (୪)ଙ୍କୁ ପ୍ୟାଭିଲିଅନ୍ ପଠାଇ ଅଷ୍ଟ୍ରେଲିଆକୁ ୩୯/୪ରେ ପହଞ୍ଚାଇ ଦେଇଥିଲେ। ଏହି ସମୟରେ ନବାଗତ ବିଉ ୱେବଷ୍ଟର୍‌ (୫୭)ଙ୍କୁ ସାଥୀ କରି ଷ୍ଟିଭେନ୍ ସ୍ମିଥ୍ (୩୩) ୫୭ ରନ୍‌ର ଭାଗୀଦାରି ଗଢ଼ିଥିଲେ। ପ୍ରସିଦ୍ଧ କୃଷ୍ଣ ଉଭୟଙ୍କ ୱିକେଟ୍‌ ଦଖଲ କରି ଭାରତକୁ ପୁଣି ଲୟକୁ ଆଣିଥିଲେ। ଅନ୍ୟତମ ପ୍ରମୁଖ ଖେଳାଳି ଆଲେକ୍ସ କ୍ୟାରି (୨୧)ଙ୍କୁ ସେ ବୋଲ୍ଡ କରିଦେଇଥିଲେ। ଯୁବ ତାରକା ନୀତୀଶ କୁମାର ରେଡ୍ଡୀ ଲଗାତାର ଓଭରରେ ପ୍ୟାଟ୍ କମିନ୍ସ (୧୦) ଓ ମିଚେଲ ଷ୍ଟାର୍କ (୧)ଙ୍କୁ ଶିକାର କରିଥିଲେ। ସ୍କଟ୍‌ ବୋଲାଣ୍ଡଙ୍କୁ ବୋଲ୍ଡ କରି ସିରାଜ ଭାରତକୁ ୪ ରନ୍‌ର ମନସ୍ତାତ୍ବିକ ବିଜୟର ଅଗ୍ରଣୀ ଦେଇଥିଲେ।

ଭାରତର ଦ୍ବିତୀୟ ପାଳିକୁ ଯଶସ୍ବୀ ଜୟସ୍ବାଲ ଷ୍ଟାଇଲ୍‌ରେ ଆରମ୍ଭ କରିଥିଲେ। ପାଳିର ପ୍ରଥମ ଓଭରରେ ମିଚେଲ ଷ୍ଟାର୍କଙ୍କୁ ୪ ଚୌକା ମାରି ୧୬ ରନ୍ ଆଦାୟ କରିଥିଲେ। କିନ୍ତୁ ଅନ୍ୟପଟେ କେଏଲ୍ ରାହୁଲ (୧୩, ୨୦ ବଲ୍‌)ଙ୍କ ୱିକେଟ୍‌ର ପତନ କାରଣରୁ ଏହି ଧାରାକୁ ଆଗକୁ ନେଇ ପାରିନଥିଲେ। ପ୍ରଥମ ବୋଲିଂ ପରିବର୍ତ୍ତନ ପରେ ସ୍କଟ୍‌ ବୋଲାଣ୍ଡ୍‌ ଲଗାତାର ଓଭରରେ ରାହୁଲ ଓ ଜୟସ୍ବାଲ (୨୨, ୩୫ ବଲ୍‌)ଙ୍କୁ ବୋଲ୍ଡ କରି ଭାରତ ଶିବିରରେ ପୁଣି ଛନ୍‌କା ଭର୍ତି କରିଥିଲେ। ବିରାଟ କୋହଲି (୬)ଙ୍କୁ ବି ବୋଲାଣ୍ଡ୍‌ ଗୋଟିଏ ଓଭର ବ୍ୟବଧାନ ପରେ ଅଫଷ୍ଟମ୍ପ୍ ବାହାର ବଲ୍‌ରେ ଶିକାର କରି କଟା ଘା’ରେ ଚୂନ ଲଗାଇ‌ଥିଲେ। ସ୍ଲିପ୍‌ରେ ସ୍ମିଥ୍ ତାଙ୍କ ସହଜ କ୍ୟାଚ୍‌ ନେଇଥିଲେ। ଏହି ସମୟରେ କ୍ରିଜ୍‌କୁ ଆସିଥିବା ଋଷଭ ପନ୍ତ୍‌ ପ୍ରଥମ ବଲ୍‌କୁ ଛକା ମାରି ଅଭିଯାନ ଆରମ୍ଭ କରିଥିଲେ। କିଛି ସମୟ ପରେ ଗିଲ୍ (୧୩)ଙ୍କୁ ୱେବଷ୍ଟର୍ ନିଜ ପ୍ରଥମ ଟେଷ୍ଟ ୱିକେଟ୍ ଭାବେ ଦଖଲ କରିଥିଲେ। ପନ୍ତ୍‌ କିନ୍ତୁ ନିଜ ସିଡ୍‌ନି ଇତିହାସକୁ ଦୋହରାଇବାକୁ ଯାଇ ମାତ୍ର ୨୯ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ନୀତୀଶ ରେଡ୍ଡୀ (୪)ଙ୍କୁ ବୋଲାଣ୍ଡ ଚତୁର୍ଥ ଶିକାର କରିବା ଭାରତକୁ ପୁଣି ଚାପରେ ପକାଇଥିଲା। ଏବେ କ୍ରିଜ୍‌ରେ ଭାରତର ଶେଷ ସ୍ବୀକୃତିପ୍ରାପ୍ତ ବ୍ୟାଟିଂ ଯୋଡ଼ି ତଥା ଅଲରାଉଣ୍ଡର୍‌ ରବୀନ୍ଦ୍ର ଜାଡ଼େଜା (୮*) ଓ ୱାସିଂଟନ୍ ସୁନ୍ଦର (୬*)ଙ୍କ ଭରସାରେ ରହିଛି ଭାରତ। ଅନ୍ୟୁନ ୨୦୦ ରନ୍‌ର ଅଗ୍ରଣୀ ଭାରତକୁ ବିଜୟ ସୁଯୋଗ ଦେଇପାରିବ। ତେବେ ବୁମ୍‌ରା‌ ବୋଲିଂ ପାଇଁ ଉପଲବ୍‌ଧ ହେବେ କି ନା ଏହା ନିର୍ଣ୍ଣାୟକ ଭୂମିକା ନେବ।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୧୮୫/୧୦ (ଋଷଭ ପନ୍ତ୍‌-୪୦, ରବୀନ୍ଦ୍ର ଜାଡ଼େଜା-୨୬, ଯଶପ୍ରୀତ୍ ବୁମ୍‌ରା-୨୨, ସ୍କଟ୍ ବୋଲାଣ୍ଡ-୪/୩୧, ମିଚେଲ୍ ଷ୍ଟାର୍କ-୩/୪୯, ପ୍ୟାଟ୍ କମିନ୍ସ-୨/୩୭, ନାଥନ୍ ଲାୟନ୍-୧/୧୯)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୫୧ ଓଭରରେ ୧୮୧/୧୦ (ବିଉ ୱେବଷ୍ଟର୍‌-୫୭, ‌ଷ୍ଟିଭେନ୍ ସ୍ମିଥ୍‌-୩୩, ସାମ୍ କନ୍‌ଷ୍ଟାସ୍‌-୨୩, ଆଲେକ୍ସ କ୍ୟାରି-୨୧, ପ୍ରସିଦ୍ଧ କୃଷ୍ଣ-୩/୪୨, ମହମ୍ମଦ ସିରାଜ-୩/୫୧, ନୀତୀଶ କୁମାର ରେଡ୍ଡୀ-୨/୩୨, ଯଶପ୍ରୀତ୍ ବୁମ୍‌ରା-୨/୩୩)। ଭାରତ ଦ୍ବିତୀୟ ପାଳି: ୩୨ ଓଭରରେ ୧୪୧/୬ (ଋଷଭ ପନ୍ତ୍‌-୬୧, ଯଶସ୍ବୀ ଜୟସ୍ବାଲ-୨୨, ରବୀନ୍ଦ୍ର ଜାଡ଼େଜା-୮*, ୱାସିଂଟନ୍ ସୁନ୍ଦର-୬*, ସ୍କଟ୍ ବୋଲାଣ୍ଡ୍‌-୪/୪୨, ବିଉ ୱେବଷ୍ଟର୍‌-୧/୨୪, ପ୍ୟାଟ୍ କମିନ୍ସ-୧/୩୧)।

ଚଳିତ ଶୃଙ୍ଖଳାରେ ସଂଘର୍ଷ କରି ଆସୁଥିବା ଭାରତୀୟ ୱିକେଟ୍‌ରକ୍ଷକ ଋଷଭ ପନ୍ତ ସିଡ୍‌ନିରେ ଦ୍ବିତୀୟ ପାଳିରେ କମାଲ କରିଛନ୍ତି। ୬୧ ରନ୍‌ର ଦ୍ରୁତ ଓ ଦୁର୍ଦ୍ଧର୍ଷ ପାଳି ଖେଳି ଭାରତକୁ କେବଳ ବିପର୍ଯ୍ୟୟରୁ ରକ୍ଷା କରିନାହାନ୍ତି, ନିଜ ନାଁକୁ ମଧ୍ୟ ରେକର୍ଡ ବୁକ୍‌ରେ ସ୍ଥାନିତ କରିଛନ୍ତି। ଅଷ୍ଟ୍ରେଲିଆରେ ପ୍ରଥମ ଆନୁଷ୍ଠାନିକ ଟେଷ୍ଟ୍ ମ୍ୟାଚ୍ ଖେଳାଯିବାର ୧୪୮ବର୍ଷ ମଧ୍ୟରେ ପ୍ରଥମ ବିଦେଶୀ ଖେଳାଳି ଭା‌ବେ ୩୦ରୁ କମ୍ ବଲ୍‌ରେ ଟେଷ୍ଟ୍ ଅର୍ଦ୍ଧଶତକ ହାସଲ କରିଛନ୍ତି ପନ୍ତ। ଶନିବାର ମିଚେଲ ଷ୍ଟାର୍କଙ୍କୁ ଛକା ମାରି ୨୯ବଲ୍‌ରୁ ୫୦ ରନ୍ ପୂରଣ କରିବା ଭିତରେ ଇଂଲଣ୍ଡର ଜନ୍ ବ୍ରାଉନ୍ (୩୩ ବଲ୍, ମେଲବର୍ଣ୍ଣ ୧୮୯୫), ୱେଷ୍ଟଇଣ୍ଡିଜ୍‌ର ରଏ ଫେଡରିକ୍ସ (୩୩ ବଲ୍, ପର୍ଥ ୧୯୭୫)ଙ୍କୁ ଟପିଥିଲେ ଏହି ୨୭ ବର୍ଷୀୟ ବାମହାତୀ ବ୍ୟାଟର୍। ଏହା ମଧ୍ୟ ଟେଷ୍ଟ୍ କ୍ରିକେଟ୍‌ରେ କୌଣସି ଭାରତୀୟ ବ୍ୟାଟର୍‌ଙ୍କ ଦ୍ବିତୀୟ ଦ୍ରୁତତମ ଅର୍ଦ୍ଧଶତକ ଥିଲା। ଟେଷ୍ଟ୍ କ୍ରିକେଟ୍‌ରେ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ ମଧ୍ୟ ସେହି ପନ୍ତଙ୍କ ନାଁରେ ରହିଛି। ଯାହାକୁ ୨୦୨୨ ମସିହାରେ ବେଙ୍ଗାଲୁରୁଠାରେ ଶ୍ରୀଲଙ୍କା ବିପକ୍ଷରେ ମାତ୍ର ୨୨ ବଲ୍‌ରୁ ହାସଲ କରିଥିଲେ ସେ। ‌ପନ୍ତ ମଧ୍ୟ ଏହିକ୍ରମରେ ଶନିବାର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୫,୦୦୦ ରନ୍ ପୂରଣ କରିଛନ୍ତି। ପନ୍ତଙ୍କ ପରାକ୍ରମୀ ପାଳି ପରେ ତାଙ୍କ ପ୍ରଶଂସକ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କୁ ଚିଡ଼ାଇଥିଲେ। ମେଲବର୍ଣ୍ଣରେ ଦାୟିତ୍ବହୀନ ସଟ୍ ଖେଳି ପନ୍ତ୍‌ ଆଉଟ୍ ହେବା ପରେ ଗାଭାସ୍କର ‘ଷ୍ଟୁପିଡ୍‌ ଷ୍ଟୁପିଡ୍‌ ଷ୍ଟୁପିଡ୍‌’ କହିଥିଲେ। ଶନିବାର ଅର୍ଦ୍ଧଶତକ ପରେ ପନ୍ତ୍‌ କେଉଁଠି ଏହାର ଜବାବରେ ‘ଜିନିୟସ୍ ଜିନିୟସ୍‌ ଜିନିୟସ୍‌’ କହୁଥିବା ଷ୍ଟମ୍ପ୍ ମାଇକ୍ରୋଫୋନ୍‌ରୁ ଜଣାପଡ଼ିଥିଲା।

ବୁମ୍‌ରାଙ୍କ ପିଠିରେ ଯନ୍ତ୍ରଣା

ଭାରତୀୟ ଦଳ ଅଧିନାୟକ ଯଶପ୍ରୀତ୍ ବୁମ୍‌ରାଙ୍କ ଅନୁପସ୍ଥିତି ସତ୍ତ୍ବେ ଭାରତ ସିଡ୍‌ନି‌ ଟେଷ୍ଟ୍‌ର ଦ୍ବିତୀୟ ଦିନ ଭଲ ଖେଳିଛି। ପିଠିରେ ମାଂଶପେଶୀ ଯନ୍ତ୍ରଣା କାରଣରୁ ମଧ୍ୟାହ୍ନ ଭୋଜନ ବିରତି ପରେ ବୁମ୍‌ରା ମାତ୍ର ଗୋଟିଏ ଓଭର ବୋଲିଂ କରି ପଡ଼ିଆ ଛାଡ଼ିଥିଲେ। ପ୍ରାୟ ୩ ଘଣ୍ଟା ଧରି ଅନୁପସ୍ଥିତ ରହିଥିଲେ। ତାଙ୍କୁ ସ୍କାନ୍ ପାଇଁ ନିଆଯାଇଥିଲା। ଦ୍ବିତୀୟ ଦିନ ଖେଳ ଶେଷ ହେବା ପୁର୍ବରୁ ସେ ଫୂର୍ତିରେ ଫେରିଆସିଥିଲେ।  ‘ବିସିସିଆଇ ଡାକ୍ତରୀ ଦଳ ଏହାକୁ ‌ପରଖୁଛନ୍ତି।’ ବୋଲି ପ୍ରସିଦ୍ଧ କୃଷ୍ଣ ପ୍ରକାଶ କରିଛନ୍ତି। ବୁମ୍‌ରାଙ୍କ ଉପସ୍ଥିତି ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି। ସେ ଦଳର ନେତୃତ୍ବ ନେଉଥିବାବେଳେ ବୋଲିଂର ମୁଖ୍ୟ ଅସ୍ତ୍ର। ଭାରତର ଅଗ୍ରଣୀ ଏବେ ବି ୧୫୦ ତଳେ ରହିଛି। ସେ ବ୍ୟାଟିଂ କରିପାରିବେ ବୋଲି ସ୍ପଷ୍ଟ କରାଯାଇଛି। କିନ୍ତୁ ବୋଲିଂ କରିପାରିବେ କି ନା ରବିବାର ସକାଳେ ସ୍ପଷ୍ଟ କରାଯିବ ବୋଲି କୁହାଯାଇଛି। ତାଙ୍କ ପିଠି ଆହତ ସମସ୍ୟା ନୂଆ ବି ନୁହେଁ। ୨୦୨୨ରେ ସେ ପିଠିର ନିମ୍ନଭାଗ ଆହତ କାରଣରୁ ପ୍ରାୟ ଗୋଟିଏ ବର୍ଷ ଖେଳିପାରିନଥିଲେ। ଚଳିତ ଶୃଙ୍ଖଳାରେ ବୁମ୍‌ରା ୩୨ ୱିକେଟ୍‌ ନେଇ ଅଗ୍ରଣୀ ବୋଲର ଅଛନ୍ତି। ସେ ଯଦି ବୋଲିଂ ପାଇଁ ଉପଲ୍‌ବଧ ନ ହେବେ ତେବେ ଭାରତକୁ ୨୫୦ ରନ୍ ଅଗ୍ରଣୀ ବି ଯଥେଷ୍ଟ ହେବ ନାହିଁ ବୋଲି କ୍ରିକେଟ୍ ବିଶାରଦ ମାନେ ମତ ବ୍ୟକ୍ତ କରିଛନ୍ତି।