ୱିଜ୍‌ଡେନ୍‌ ଇଣ୍ଡିଆ ମତଦାନ : ଦ୍ରାବିଡ଼ ଭାରତର ମହାନ୍‌ ଟେଷ୍ଟ୍‌ ବ୍ୟାଟ୍‌ସମ୍ୟାନ୍‌

ନୂଆଦିଲ୍ଲୀ : ଭାରତର ମହାନ୍‌ ଟେଷ୍ଟ୍‌ ବ୍ୟାଟ୍‌ସମ୍ୟାନ୍‌ କିଏ? ଏନେଇ ୱିଜ୍‌ଡେନ୍‌ ଇଣ୍ଡିଆ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏକ ମତଦାନ ପରିଚାଳନା କରାଯାଇଥିଲା। ଏହି ମତଦାନର ଫଳାଫଳ ଦୃଷ୍ଟିରୁ ରାହୁଲ୍‌ ଦ୍ରାବିଡ୍‌ ଯେ ଭାରତର ମହାନ୍‌ ଟେଷ୍ଟ୍‌ ବ୍ୟାଟ୍‌ସମ୍ୟାନ୍‌ ବୋଲି କୁହାଯାଇଛି। ଦ୍ରାବିଡ୍‌ ମଧ୍ୟ ଏକ୍ଷେତ୍ରରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କୁ ସ୍ବଳ୍ପ ବ୍ୟବଧାନ ଭୋଟରେ ପଛରେ ପକାଇ ଦେଇଛନ୍ତି। ଭୋଟ ଗ୍ରହଣର ଅନ୍ତିମ ପର୍ଯ୍ୟାୟରେ ପ୍ରାୟ ୧୧,୪୦୦ ପ୍ରଶଂସକ ଅଂଶଗ୍ରହଣ କରିଥିଲା ବେଳେ ଦ୍ରାବିଡ୍‌ ୫୨ ପ୍ରତିଶତ ଭୋଟ ପାଇଥିଲେ। କ୍ରିକେଟ୍‌ ଜୀବନ ମଧ୍ୟରେ ତାଙ୍କ ଚମତ୍କାର ବ୍ୟାଟିଂକୁ ପ୍ରଶଂସକମାନେ ପସନ୍ଦ କରିଥିଲେ। ଯାହାଫଳରେ ସେ ସୁନିଲ ଗାଭାସ୍କର, ସଚିନ୍‌ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କଠୁ ଭୋଟ ବ୍ୟବଧାନରେ ଆଗୁଆ ରହିଥିଲେ ବୋଲି ୱିଜ୍‌ଡେନ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏହି ମତଦାନ ପ୍ରକ୍ରିୟା ପ୍ରଥମେ ୧୬ ଭାରତୀୟ ମହାନ୍‌ ଟେଷ୍ଟ୍‌ ଖେଳାଳିଙ୍କୁ ନେଇ ହୋଇଥିଲା। ସେମାନଙ୍କ ମଧ୍ୟରୁ ଗାଭାସ୍କର, ସଚିନ୍‌ ଓ କୋହଲିଙ୍କ ସମେତ ଦ୍ରାବିଡ୍‌ ସେମିଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ। ଶେଷରେ ସଚିନ୍‌ ଓ ଦ୍ରାବିଡ୍‌ଙ୍କ ମଧ୍ୟରେ ନିର୍ଣ୍ଣାୟକ ଲଢ଼େଇ ହୋଇଥିଲା ଏବଂ ଦ୍ରାବିଡ୍‌ ହିଁ ମହାନ୍‌ ବିବେଚିତ ହୋଇଥିଲେ। ଅନ୍ୟପକ୍ଷରେ କୋହଲିଙ୍କୁ ମଧ୍ୟ ସ୍ବଳ୍ପ ଭୋଟ ବ୍ୟବଧାନରେ ପଛରେ ପକାଇ ଗାଭାସ୍କର ତୃତୀୟ ସ୍ଥାନ ଅଧିକାର କରିଥିଲେ। ଖେଳ ଜୀବନରେ ଦ୍ରାବିଡ୍‌ ନିଜର କଠିନ ପରିଶ୍ରମ ବଳରେ ସଚିନ୍‌ଙ୍କସ୍ତରର ନିକଟତର ହୋଇଥିଲେ ବୋଲି ଏହି ମତଦାନ ପ୍ରକ୍ରିୟାରେ ସାମିଲ ଥିବା ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଭିଭିଏସ୍‌ ଲକ୍ଷ୍ମଣ କହିଥିଲେ।

ସଚିନ ନୁହେଁ ଦ୍ରାବିଡ୍‌ ଥିଲେ ତ୍ରାଣକର୍ତା
ଦ୍ରାବିଡ୍‌ ୧୯୯୬ରୁ ୨୦୧୨ ମଧ୍ୟରେ ମୋଟ ଉପରେ ୧୬୪ ଟେଷ୍ଟ୍‌ ଖେଳି ୫୨.୩୧ ହାରରେ ୧୩୨୮୮ ରନ୍‌ ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ ୧୯୮୯ରୁ ୨୦୧୩ ମଧ୍ୟରେ ସଚିନ୍‌ ୨୦୦ ଟେ‌ଷ୍ଟ ଖେଳି ୫୩.୭୮ ହାରରେ ୧୫୯୨୧ ରନ୍‌ ସଂଗ୍ରହ କରିଥିଲେ। ଟେ‌ଷ୍ଟ୍‌ରେ ସଚିନ୍‌ ୫୧ ଶତକ ଜମାଇଥିଲା ବେଳେ ଦ୍ରାବିଡ୍‌ଙ୍କ ସଂଖ୍ୟା ୩୬ ଥିଲା। ପୁଣି ବିଦେଶ ମାଟିରେ ଦ୍ରାବିଡ୍‌ ୯୪ ଟେଷ୍ଟ୍‌ ଖେଳି ୫୩.୦୩ ହାରରେ ୭୬୯୦ ରନ୍‌ କରିଥିଲେ। ସେ ମଧ୍ୟରୁ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍‌ରେ ୬୪ ଟେଷ୍ଟ୍‌ରୁ ୫୨ ହାରରେ ୫୪୪୩ ରନ୍‌ ସାମିଲ ରହିଛି। ଅନ୍ୟପକ୍ଷରେ ସଚିନ୍‌ ବିଦେଶରେ ୧୦୬ ଟେଷ୍ଟ୍‌ରୁ ୫୪.୭୪ ହାରରେ ୮୭୦୫ ରନ୍‌ କରିଥିଲେ। ସେ ମଧ୍ୟରୁ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍‌ରେ ୫୬ ଟେଷ୍ଟ୍‌ରୁ ୪୯.୭୯ ହାରରେ ରନ୍‌ କରିଛନ୍ତି। ତୁଳନାକୁ ଦେଖିଲେ ସଂଖ୍ୟା ଦୃଷ୍ଟିରୁ ଦ୍ରାବିଡ୍‌ଙ୍କଠୁ ସଚିନ୍‌ ଶ୍ରେଷ୍ଠ। କିନ୍ତୁ ଦ୍ରାବିଡ୍‌ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ଏବଂ ବହୁ ସଂକଟଜନକ ସ୍ଥିତିରେ ଦଳର ତ୍ରାଣକର୍ତା ସାଜିଥିବାରୁ ପ୍ରଶଂସକଙ୍କ ହୃଦୟ ଜିତିନେଇଥିଲେ। ତିନି ନମ୍ବରରେ ବ୍ୟାଟିଂ କରି ଦ୍ରାବିଡ୍‌ ଭାରତୀୟ ଦଳକୁ ସଅଳ ୱିକେଟ୍‌ ପତନ ସମସ୍ୟାରୁ ରକ୍ଷା କରିଛନ୍ତି। ଏହି ଦୃଷ୍ଟିକୋଣରୁ ପ୍ରଶଂସକମାନେ ତାଙ୍କୁ ଭାରତର ମହାନ୍‌ ଟେଷ୍ଟ୍‌ ବ୍ୟାଟ୍‌ସମ୍ୟାନ୍‌ ଭାବେ ସଚିନ୍‌ଙ୍କ ଉପରକୁ ରଖିଥିଲେ।

ସମ୍ବନ୍ଧିତ ଖବର