ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଓ ପ୍ରଶିକ୍ଷକ ତଥା ଆଇପିଏଲ୍ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସର ଏବେକାର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ବେଙ୍ଗାଲୁରୁରେ କ୍ରିକେଟ୍ ଖେଳୁଥିଲା ବେଳେ ଆହତ ହୋଇଥିଲେ ସେ। ଏହି କାରଣରୁ ଦ୍ରାବିଡ଼ ରାଜସ୍ଥାନ ରୟାଲ୍ସ ପ୍ରସ୍ତୁତି ଶିବିରରେ ଯୋଗଦେଇ ପାରି ନଥିବା ଦଳ ପକ୍ଷରୁ କୁହାଯାଇଛି।
ରାଜସ୍ଥାନ ରୟାଲ୍ସ ମଧ୍ୟ ନିଜ ‘ଏକ୍ସ’ ପୃଷ୍ଠାରେ ଦ୍ରାବିଡ଼ଙ୍କ ଗୋଡ଼ରେ ପ୍ଲାଷ୍ଟର୍ ଲଗାଇଥିବା ଭିଡିଓ ପ୍ରକାଶ କରି ପ୍ରଶଂସକଙ୍କୁ ଏହି ବିଷୟରେ ସୂଚନା ଦେଇଛି। ଦ୍ରାବିଡ଼ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି। ଖୁବ୍ଶୀଘ୍ର ସେ ଜୟପୁରଠାରେ ଚାଲିଥିବା ପ୍ରସ୍ତୁତି ଶିବିରରେ ଯୋଗଦେବେ ବୋଲି ବି ଦଳ କହିଛି। ସୂଚନାଯୋଗ୍ୟ ଯେ ଭାରତକୁ ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜେତା କରାଇବା ପରେ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ପଦ ଗ୍ରହଣ କରିଥିଲେ ଦ୍ରାବିଡ଼। ସଞ୍ଜୁ ସାମସନ୍ ଏହି ଦଳର ଅଧିନାୟକ ଅଛନ୍ତି। ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ମେଗାନିଲାମରେ କିଣି ମଧ୍ୟ ରାଜସ୍ଥାନ ରୟାଲ୍ସ ବେଶ୍ ଚର୍ଚ୍ଚାରେ ରହିଛି।