ଦ୍ରାବିଡ କୋଭିଡ୍‌ ପଜିଟିଭ୍‌: ଏସିଆ କପ୍‌ ଦଳ ସହ ବିଳମ୍ବରେ ଯୋଗଦେବେ

ନୂଆଦିଲ୍ଲୀ: ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍‌ କୋଭିଡ୍‌ ସଂକ୍ରମିତ ହୋଇଛନ୍ତି। ତାଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ଫଳରେ ସେ ଏସିଆ କପ୍‌ ଦଳ ସହ ବିଳମ୍ବରେ ୟୁଏଇରେ ଯୋଗଦେବେ ବୋଲି ମଙ୍ଗଳବାର ସୂଚନା ଦେଇଛି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)। ଏସିଆ କପ୍‌ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ୟୁଏଇ (ୟୁନାଇଟେଡ୍‌ ଆରବ ଏମିରେଟ୍‌ସ)ରେ ଚଳିତ ମାସ ୨୭ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୧ ତାରିଖରେ ଶେଷ ହେବ। ଭାରତ ତା’ର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାକକୁ ୨୮ ତାରିଖରେ ଭେଟି ଏସିଆ କପ୍‌ ଅଭିଯାନ ଆରମ୍ଭ କରିବ। ଏଥିପାଇଁ ଦଳର ଅଧିକାଂଶ ସଦସ୍ୟ ମଙ୍ଗଳବାର ପୂର୍ବାହ୍ନରେ ମୁମ୍ବାଇରୁ ଦୁବାଇ ଅଭିମୁଖେ ବାହାରିଥିଲା ବେଳେ ଜିମ୍ବାୱେ ଶୃଙ୍ଖଳା ଖେଳିସାରିଥିବା ଉପଅଧିନାୟକ କେଏଲ୍‌ ରାହୁଲ, ଅଲ୍‌ରାଉଣ୍ଡର ଦୀପକ ହୁଡା ଏବଂ ସଂରକ୍ଷିତ ଖେଳାଳି ଅକ୍ଷର ପଟେଲ ହରାରେରୁ ଦୁବାଇ ଯାତ୍ରା କରିବେ ବୋଲି ଜଣାପଡ଼ିଛି।

ଏହି ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଦେଶ ଛାଡ଼ିବା ପୂର୍ବରୁ ନିୟମ ଅନୁଯାୟୀ କୋଭିଡ୍‌ ପରୀକ୍ଷାର ସମ୍ମୁଖୀନ ହୋଇଥିଲା। ଏଥିରେ ଦ୍ରାବିଡ୍‌ଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା ବୋଲି ବିସିସିଆଇ ସଂପାଦକ ଜୟ ଶାହା ଏକ ବିବୃତିରେ କହିଛନ୍ତି। ସେ ଏବେ ବିସିସିଆଇ ଡାକ୍ତରୀ ଦଳର ତତ୍ତ୍ବାବଧାନରେ ରହିଛନ୍ତି। ତାଙ୍କର ସାମାନ୍ୟ ଲକ୍ଷଣ ଦେଖାଯାଇଛି ବୋଲି ଶାହା କହିଛନ୍ତି। ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଦ୍ରାବିଡ୍‌ ଦଳ ସହ ୟୁଏଇରେ ଯୋଗଦେବେ ବୋଲି ସେ କହିଛନ୍ତି। ତଥାପି ଆମେ ଦୁଇ ତିନି ଦିନ ଅପେକ୍ଷା କରିବୁ। ଦ୍ରାବିଡ୍‌ କିପରି ଅନୁଭବ କରଛନ୍ତି ତାକୁ ‌ଦେଖିବା ପରେ ଶେଷ ନିଷ୍ପତ୍ତି ନେବୁ ବୋଲି ଶାହା କହିଛନ୍ତି। ଦ୍ରାବିଡ୍‌ଙ୍କ ଅନୁପସ୍ଥିତିରେ ସହକାରୀ ପ୍ରଶିକ୍ଷକ ପାରସ ମହାମ୍ବ୍ରେ ସମ୍ଭବତଃ ଦଳର ଦାୟିତ୍ବ ସମ୍ଭାଳିବେ। ଏପରିକି ଜାତୀୟ କ୍ରିକେଟ୍‌ ଏକାଡେମି ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣ ମଧ୍ୟ ଦୁବାଇରେ ଦଳ ସହ ଯୋଗଦେଇପାରନ୍ତି ବୋଲି ବିସିସିଆଇ ସୂତ୍ରରୁ କୁହାଯାଇଛି। ବିସିସିଆଇ ମଧ୍ୟ ଲକ୍ଷ୍ମଣଙ୍କ ଯାତାୟାତାର ସମସ୍ତ ବ୍ୟବସ୍ଥା କରିବାର ଆଶା ରହିଛି।

ସମ୍ବନ୍ଧିତ ଖବର