ଡବ୍ଲ୍ୟୁଟିସି ଫାଇନାଲ୍‌ରେ ୪,୦୦୦ ଦର୍ଶକଙ୍କୁ ଅନୁମତି, ଟିମ୍ ଇଣ୍ଡିଆକୁ ଉତ୍ସାହିତ କରିବ ‘ଭାରତ ଆର୍ମି’

ସାଉଥମ୍ପଟନ୍: ଜୁନ୍ ୧୮ ତାରିଖରୁ ସାଉଥମ୍ପଟନ୍‌ର ରୋଜବାୱେଲଠାରେ ଖେଳାଯିବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍‌‌କୁ ଦୈନିକ ୪,୦୦୦ ଭାଗ୍ୟଶାଳୀ ଦର୍ଶକ ଗ୍ୟାଲେରିରେ ବସି ଦେଖିପାରିବେ। ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍‌ର ଆ‌ୟୋଜକ ହାମ୍ପସାୟାର କାଉଣ୍ଟି କ୍ଲବ୍‌ର ମୁଖ୍ୟ ରଡ୍ ବ୍ରାନ୍ସଗ୍ରୋଭ୍ ଗୁରୁବାର ଏଭଳି ଘୋଷଣା କରିଛନ୍ତି। ଇଂଲଣ୍ଡରେ କୋଭିଡ୍ ସ୍ଥିତି ପୂର୍ବାପେକ୍ଷା ଢେର ସୁଧୁରି ଯାଇଥିବାରୁ ଏଜେସ୍ ବାୱେଲରେ ଖେଳା ଯାଇଥିବା ଲିସେଷ୍ଟରସାୟାର-ହାମ୍ପସାୟାର କାଉଣ୍ଟି ମ୍ୟାଚ୍ ଦେଖିବାକୁ ପରୀକ୍ଷାମୂଳକ ଭାବେ ୧୫୦୦ ଦର୍ଶକଙ୍କୁ ଅନୁମତି ଦିଆଯାଇଥିଲା। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଏକ ଅନ୍ତର୍ଜାତୀୟ ମୁକାବିଲା ହୋଇଥିବାରୁ ଏହି ସଂଖ୍ୟାକୁ ୪,୦୦୦କୁ ବଢ଼ାଇ ଦିଆଯାଇଥିବା ବ୍ରାନ୍ସଗ୍ରୋଭ୍ କହିଛନ୍ତି।

ଏଠାରେ କୌଣସି କାଉଣ୍ଟି ମ୍ୟାଚ୍ ୨୦୧୯ ସେପ୍ଟେମ୍ବର ମାସ ପରେ ପ୍ରଥମ ଥର ପାଇଁ ଖେଳା ଯାଉଥିବାରୁ ଦର୍ଶକମାନେ ମଧ୍ୟ ଶୃଙ୍ଖଳିତ ଭାବେ ସମସ୍ତ ‌କୋଭିଡ୍ ନିୟମ ମାନି ମ୍ୟାଚ୍‌ର ପୂରା ମଜା ନେଇଥିଲେ। ଶୁକ୍ରବାରଠାରୁ ଏଜେସ୍ ବାୱେଲରେ ଆଉ ଏକ କାଉଣ୍ଟି ମ୍ୟାଚ୍ ମଧ୍ୟ ଖେଳାଯିବାର ଅଛି। ଏକ ୱେବସାଇଟ୍‌କୁ ‌ଦେଇଥିବା ସାକ୍ଷାତକାରରେ ବ୍ରାନ୍ସଗ୍ରୋଭ୍ ଆହୁରି କହିଛନ୍ତି ଯେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଓ ଆଇସିସି ଦର୍ଶକଙ୍କ ଷ୍ଟାଡିୟମ୍‌ ପ୍ରବେଶକୁ ମଞ୍ଜୁରି ଦେଇ ସାରିଛନ୍ତି। ଅନୁମତିପ୍ରାପ୍ତ ୪,୦୦୦ ସିଟ୍ ମଧ୍ୟରୁ ଆଇସିସି, ଏହାର ପ୍ରାୟୋଜକମାନେ ଏବଂ ଅନ୍ୟ ସତ୍ତ୍ବାଧିକାରୀମାନେ ୫୦ ପ୍ରତିଶତ ନିଜ ପାଖରେ ରଖିବେ। ବଳକା ୫୦ ପ୍ରତିଶତ ଅର୍ଥାତ୍ ପାଖାପାଖି ୨,୦୦୦ ଟିକେଟ ଆମେ ସାଧାରଣ ଦର୍ଶକଙ୍କୁ ବିକ୍ରି କରିବୁ। ଏବେଠୁ ଆମକୁ ଏହାର ଦୁଇ ଗୁଣା ଆବେଦନ ପତ୍ର ମିଳି ସାରିଲାଣି। କ୍ରିକେଟ୍ ପ୍ରେମୀ ଡବ୍ଲୁଟିସି ଫାଇନାଲ୍‌କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।

ସୂଚନାଯୋଗ୍ୟ ଯେ ଭାରତରେ ଚଳିତ ମାସ ୨୫ ତାରିଖରୁ ୫ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହି ଭାରତୀୟ କ୍ରିକେଟ୍ ଦଳ ଜୁନ୍ ୨ ତାରିଖରେ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ। ଏହାପରେ ସାଉଥମ୍ପଟନ୍‌ରେ ପୁଣି ୧୦ ଦିନ ସଙ୍ଗରୋଧରେ ରହି ପଡ଼ିଆକୁ ଓହ୍ଲାଇବ। ସଙ୍ଗରୋଧରେ ରହିଲା ବେଳେ କିନ୍ତୁ ଭାରତୀୟ ଦଳକୁ ଅଭ୍ୟାସ କରିବାର ଅନୁମତି ମିଳିବ। ଭାରତୀୟ ଦଳ ପାଇଁ ତାଙ୍କ କ୍ଲବ୍ ସବୁପ୍ରକାର ବ୍ୟବସ୍ଥା କରି ସାରିଥିବା ବ୍ରାନ୍ସଗ୍ରୋଭ୍ ସୂଚନା ଦେଇଛନ୍ତି।

ଟିମ୍ ଇଣ୍ଡିଆକୁ ଉତ୍ସାହିତ କରିବ ‘ଭାରତ ଆର୍ମି’
ଲଣ୍ଡନ, ୨୦ା୫: ଭାରତ-ନ୍ୟୁଜିଲାଣ୍ଡ ଡବ୍ଲ୍ୟୁଟିସି ଫାଇନାଲ୍ ଦେଖିବାକୁ ୪,୦୦୦ ଦର୍ଶକଙ୍କୁ ଅନୁମତି ମିଳିବା ପରେ ଇଂଲଣ୍ଡରେ ଅବସ୍ଥାପିତ ଭାରତୀୟ କ୍ରିକେଟ୍ ଦଳର ପ୍ରଶଂସକ କ୍ଲବ୍ ‘ଭାରତ ଆର୍ମି’ ବେଶ୍ ଉତ୍ସାହିତ ଅଛି। ମ୍ୟାଚ୍ ଅବସରରେ କ୍ଲବ୍‌ର ସଦସ୍ୟମାନେ ଷ୍ଟାଡିୟମ୍ ଯାଇ ଭାରତୀୟ କ୍ରିକେଟ୍ ଦଳକୁ ସମର୍ଥନ କରିବାକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଆଇସିସି ମଧ୍ୟ ‘ଭାରତ ଆର୍ମି’କୁ ଏହି ମ୍ୟାଚ୍ ଲାଗି ନିଜର ଅଫିସିଆଲ୍ ପାର୍ଟନର ନିଯୁକ୍ତ କରିଛି। ବିକ୍ରି ପାଇଁ ଉଦ୍ଦିଷ୍ଟ ୨,୦୦୦ ଟିକେଟ ପାଇଁ ଆୟୋଜକ ହାମ୍ପସାୟାର କ୍ଲବ୍‌କୁ ଗୁରୁବାର ସୁଦ୍ଧା ୧୭,୦୦୦ ଆବେଦନ ମିଳି ସାରିଲାଣି।

ଏପରିକି ଭାରତ ଆର୍ମିକୁ ମଧ୍ୟ ମାତ୍ର ୪୮ ଘଣ୍ଟା ଭିତରେ କ୍ଲବ୍‌ର ୨,୦୦୦ ସଦସ୍ୟ ଟିକେଟ୍ ପାଇଁ ଅଲଗା ଆବେଦନ କରିଛନ୍ତି। ଭାରତ ଆର୍ମିର ସଂସ୍ଥାପକ ରାକେଶ ପଟେଲ କହିଛନ୍ତି ଯେ ଆମେ ଆଇସିସି ଯାତ୍ରା ସୂଚୀ ସହ ଜଡ଼ିତ ଅଛୁ। ସେଥିପାଇଁ ସମଗ୍ର ବିଶ୍ବରେ ରହୁଥିବା ଭାରତୀୟମାନେ ମ୍ୟାଚ୍ ଟିକେଟ ଲାଗି ଆମ ପାଖକୁ ଆବେଦନ କରୁଛନ୍ତି। ଟିକେଟ ଲାଗି ଚାହିଦା ଏବେ ଆକାଶଛୁଆଁ ରହିଛି। ବହୁ ସଂଖ୍ୟକ ଭାରତୀୟ ପ୍ରଶଂସକ ମ୍ୟାଚ୍ ଦେଖିବା ଲାଗି କଠୋର ସଙ୍ଗରୋଧ ନିୟମକୁ ପାଳନ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଆୟୋଜକମାନେ କିଛି ଟିକେଟ ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କ ପାଇଁ ମଧ୍ୟ ସଂରକ୍ଷିତ ରଖିଛନ୍ତି। ତେବେ ଏହି ସଂଖ୍ୟା ଭାରତୀୟ ପ୍ରଶଂସକଙ୍କଠାରୁ ଯଥେଷ୍ଟ କମ୍ ରହିବ।

ସମ୍ବନ୍ଧିତ ଖବର