ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ତଥା ଜାତୀୟ କ୍ରିକେଟ୍ ଏକାଡେମି ମୁଖ୍ୟ ରାହୁଲ ଦ୍ରାବିଡ଼ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବାର ସୁଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି କ୍ରିକେଟ୍ ପ୍ରଶାସନିକ ସମିତିର ଅଧ୍ୟକ୍ଷ ବିନୋଦ ରାୟ ସୋମବାର ସ୍ପୋର୍ଟସକ୍ରୀଡ଼ାକୁ କହିଛନ୍ତି। ୨୦୧୭ରେ ଅନିଲ କୁମ୍ବଲେ ପ୍ରଶିକ୍ଷକ ପଦ ଛାଡ଼ିବା ପରେ ରାହୁଲଙ୍କୁ ଏହି ପଦ ପାଇଁ ଅନୁରୋଧ କରାଯାଇଥିଲା। ହେଲେ ସେ ଏହାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ‘ଦେଖ ଭାରତୀୟ ଦଳ ସହ ମୁଁ ସାରା ବିଶ୍ବ ଭ୍ରମଣ କରିଛି।
ମୋର ଦୁଇ ପୁଅ ଅଛନ୍ତି ସେମାନଙ୍କୁ ସମୟ ଦେଇ ପାରିନି। ଏବେ ଘରେ ରହି ପରିବାରକୁ ସମୟ ଦେବାକୁ ଚାହୁଁଛି।’ ତାଙ୍କର ଏହି ଅନୁରୋଧକୁ ଶୁଣି ମୁଁ ଅନୁଭବ କରିଥିଲି ଏହା ଠିକ୍ ବିଚାରଧାରା ଓ ସେ ପଦ ପ୍ରତି ଲୋଭି ନୁହନ୍ତି ବୋଲି ରାୟ କହିଛନ୍ତି। ଭାରତ-ଏ ଏବଂ ୧୯ ବର୍ଷରୁ କମ୍ ଦଳ ସହ କାମ କରିବାକୁ ତାଙ୍କର ଆଗ୍ରହ ଥିବାରୁ ସେ ଏହି ଦଳକୁ ସଫଳତା ମଧ୍ୟ ଦେଇଛନ୍ତି। ବିବାଦ କାରଣରୁ କୁମ୍ବଲେଙ୍କ କାର୍ଯ୍ୟକାଳ ହଠାତ୍ ସମାପ୍ତ ହେବା ଏବଂ ଦ୍ରାବିଡ଼ଙ୍କ ପ୍ରତ୍ୟାଖ୍ୟାନ ଯୋଗୁଁ ମୁଖ୍ୟ ପ୍ରଶିକ୍ଷକଙ୍କ ପଦ ଶେଷରେ ରବି ଶାସ୍ତ୍ରୀଙ୍କ ନିକଟକୁ ଯାଇଥିଲା ବୋଲି ରାୟ ପ୍ରକାଶ କରିଛନ୍ତି।