ଆଜିଠୁ ଦ୍ରାବିଡ଼-ରୋହିତ ଯୁଗ ଆରମ୍ଭ

ବ୍ୟାଟର୍‌ ଭାବେ କୋହଲିଙ୍କ ଭୂମିକା ପୂର୍ବପରି ରହିବ: ରୋହିତ

ଜୟପୁର: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟରୁ ଭାରତୀୟ କ୍ରିକେଟ୍ ଦଳର ଅପ୍ରତ୍ୟାଶିତ ବିଦାୟ ସହ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ବିରାଟ କୋହଲିଙ୍କ ଅଧିନାୟକ ଯୁଗର ଅବସାନ ଘଟିଛି। ଅନ୍ୟପକ୍ଷରେ ରୋହିତ ଶର୍ମା ଆନୁଷ୍ଠାନିକ ଭାବେ ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ପଦ ଗ୍ରହଣ କରିଛନ୍ତି। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ଘଟଣା ବହୁଳ କାର୍ଯ୍ୟକାଳ ବି ସରିଯାଇଛି। ତାଙ୍କ ସ୍ଥାନରେ ଭାରତୀୟ କ୍ରିକେଟ୍‌ର ଆଉ ଜଣେ ମହାରଥୀ, ସୁଦୃଢ଼ ରକ୍ଷା ପ୍ରାଚୀର ଓ ଦି ୱାଲ୍ ରାହୁଲ ଦ୍ରାବିଡ଼ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବାର ଆହ୍ବାନକୁ ଗ୍ରହଣ କରିଛନ୍ତି। ଆଉ ରୋହିତ-ରାହୁଲ ଯୋଡ଼ିର ପ୍ରଥମ ପରୀକ୍ଷା ହେଉଛି ନ୍ୟୁଜିଲାଣ୍ଡ ବିପକ୍ଷ ତିନି ଟିକିଆ ଶୃଙ୍ଖଳା। ବୁଧବାର ଏହି ଶୃଙ୍ଖଳାର ପ୍ରଥମ ‌ମ୍ୟାଚ୍ ସହ ରୋହିତ-ରାହୁଲ ଯୁଗର ଶୁଭାରମ୍ଭ ହୋଇଯିବ। ଶାସ୍ତ୍ରୀ-କୋହଲି ଭାରତୀୟ ଦଳକୁ ଅନେକ ସ୍ମରଣୀୟ ସଫଳତା ଉପହାର ଦେଇଥିଲେ। ରୋହିତ-ରାହୁଲଙ୍କଠାରୁ ଦଳ ସେହି ସଫଳତା ଆଶାରେ ରହିବ। ବରଂ ଏହି ପ୍ରେରଣାଦାୟକ ଯୋଡ଼ି ଭାରତୀୟ କ୍ରିକେଟ୍‌କୁ ଆହୁରି ଆଗକୁ ନେବେ ବୋଲି ପ୍ରଶଂସକ ଦୃଢ଼ ଆଶା ପୋଷଣ କରିଛନ୍ତି। ବଡ଼ କଥା ହେଲା ନ୍ୟୁଜିଲାଣ୍ଡ ହିଁ ଭାରତକୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ବିଦାୟର ପଥ ଦେଖାଇଥିଲା। ସେହିଭଳି ୨୦୧୯ ଏକଦିବସୀୟ ବିଶ୍ବକପ୍‌ର ସେମିଫାଇନାଲ୍‌ରେ ମଧ୍ୟ କୋହଲି ବାହିନୀ ପାଇଁ କାଳ ପାଲଟିଥିଲା। ଏବେ ଏହି ପରାଜୟର ପ୍ରତିଶୋଧ ପାଇଁ କେବଳ ପ୍ରଶଂସକ ନୁହେଁ ଭାରତୀୟ ‌ଖେଳାଳି ମଧ୍ୟ ନିଶ୍ଚିତ ଭାବେ ବ୍ୟଗ୍ର ଥିବେ। ଆସନ୍ତାବର୍ଷ ଟ୍ବେଣ୍ଟି-୨୦ର ଆଉ ଏକ ବିଶ୍ବକପ୍ ଖେଳାଯିବାକୁ ଥିବାରୁ ଦଳର ଆଦର୍ଶ, ଦର୍ଶନ, ଲକ୍ଷ୍ୟ ଏବଂ ରଣନୀତି ପ୍ରସ୍ତୁତି ପାଇଁ ଅବଶ୍ୟ ରୋହିତ ଓ ରାହୁଲଙ୍କୁ ୧୧ ମାସର ସମୟ ମିଳିବ। ଶୃଙ୍ଖଳା ପୂର୍ବରୁ ନ୍ୟୁଜିଲାଣ୍ଡର କାମଚଳା ଅଧିନାୟକ ଟିମ୍ ସାଉଦି ଜୈବ ବଳୟ ଜୀବନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ୟପକ୍ଷରେ ବିରାଟ କୋହଲି ଅଧିନାୟକ ପଦରୁ ଅବ୍ୟାହତି ନେଇଥିଲେ ମଧ୍ୟ ଜଣେ ବ୍ୟାଟର୍‌ ଭାବେ ତାଙ୍କର ଗୁରୁତ୍ବ ଓ ମହତ୍ବ ସବୁବେଳେ ଦଳ ପାଇଁ ରହିବ ବୋଲି ରୋହିତ ମତ ରଖିଛନ୍ତି।

ଆୟର, ଋତୁରାଜ, ଅଭେଶଙ୍କ ପାଇଁ ବଡ଼ ସୁଯୋଗ
ୟୁଏଇରେ ପୂରା ନିରାଶ କରିବା ପରେ ଚର୍ଚ୍ଚିତ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ କୋଲକାତା ନାଇଟ୍ ରାଇଡର୍ସ ଦଳର ଯୁବ ତାରକା ଭେ‌ଙ୍କଟେଶ ଆୟରଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। ଆଇପିଏଲ୍‌ରେ ଭଲ କରି ଭାରତୀୟ ଦଳକୁ ଡାକରା ପାଇଥିବା ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଅଛନ୍ତି ଋତୁରାଜ ଗାଏକ୍ବାଡ୍, ହର୍ଷଲ ପଟେଲ, ଅଭେଶ ଖାନ୍। ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ଅଣଦେଖା ହୋଇଥିବା ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଭାରତୀୟ ଦଳକୁ ଫେରିଛନ୍ତି। ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ମିଳିଥିବାରୁ ଅଭେଶ ଏବଂ ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିପାରେ। ୟୁଏଇରେ ସେତେଟା ଭଲ କରିନଥିଲେ ମଧ୍ୟ ଭୁବନେଶ୍ବର କୁମାରଙ୍କୁ ଆଉ ଏକ ସୁଯୋଗ ମିଳିଛି। ଅଧିନାୟକ ରୋହିତଙ୍କ ସହ କେଏଲ୍ ରାହୁଲ ପାଳି ଆରମ୍ଭ କରିବା ଏକପ୍ରକାର ନିଶ୍ଚିତ। ଈଶାନ କିଶନ ଓ ଗାଏକ୍ବାଡ୍‌ଙ୍କ ରୂପରେ ଆଉ ଦୁଇଟି ବିକଳ୍ପ ମଧ୍ୟ ଭାରତ ପାଖରେ ରହିବ। କୋଲକାତା ନାଇଟ୍ ରାଇଡର୍ସ ପାଇଁ ଭେଙ୍କଟେଶ ପାଳି ଆରମ୍ଭ କରୁଥିଲେ ମଧ୍ୟ ଭାରତ ପାଇଁ ସେ ମଧ୍ୟକ୍ରମରେ ଖେଳିପାରନ୍ତି। ୟୁଏଇ ବିଶ୍ବକପ୍‌ରେ ସୂର୍ଯ୍ୟକୁମାର ଯାଦବ ଅତ୍ୟନ୍ତ ଫିକା ବ୍ୟାଟିଂ କରିଥିଲେ। ତଥାପି ଆଗାମୀ ବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଆଖି ଆଗରେ ରଖି ଭାରତ ତାଙ୍କ ଉପରେ ନିଶ୍ଚିତ ଆସ୍ଥା ପ୍ରକଟ କରିବ। ରବୀନ୍ଦ୍ର ଜାଦେଜାଙ୍କ ଅନୁପସ୍ଥିତିରେ ଅକ୍ଷର ପଟେଲ ଅଲରାଉଣ୍ଡରର ସ୍ଥାନ ନେଇପାରନ୍ତି। ଆର ଅଶ୍ବିନ ୟୁଏଇରେ ଚମତ୍କାର ପ୍ରଦର୍ଶନ କରିବା ପରେ ତାଙ୍କ ସ୍ଥାନ ବଜାୟ ରଖିବେ।

ୱିଲିୟମସନ୍ ଓହରି‌ଲେ, ସାଉଦି ନ୍ୟୁଜିଲାଣ୍ଡ ଅଧିନାୟକ
ଭାରତ ବିପକ୍ଷ ଦୁଇ ଟିକିଆ ଟେଷ୍ଟ୍ ଶୃଙ୍ଖଳା ଲାଗି ପ୍ରସ୍ତୁତି କରିବା ଉଦ୍ଦେଶ୍ୟରେ ନ୍ୟୁଜିଲାଣ୍ଡର ନିୟମିତ ଅଧିନାୟକ କେନ୍ ୱିଲିୟମସନ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ଅଭିଜ୍ଞ ଦ୍ରୁତ ବୋଲର ଟିମ୍ ସାଉଦି କିୱି ଦଳର ନେତୃତ୍ବ ନେବେ। ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ହେବାର କିଛି ଦିନ ପୂର୍ବରୁ ହିଁ ୱିଲିୟମସନ୍ ନ୍ୟୁଜିଲାଣ୍ଡ ଦଳ ସହ ଯୋଗଦେବେ। କାଇଲ ଜାମିସନ୍, ଡାରେଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ମିଚେଲ ସାଣ୍ଟନର ଓ ଲୋକି ଫର୍ଗୁସନ୍ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଉପଲବ୍ଧ ହେବେ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ ଭାରତ-ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପରବର୍ତ୍ତୀ ଦୁଇ ମ୍ୟାଚ୍ ରାଞ୍ଚି ଓ କୋଲକାତାରେ ଯଥାକ୍ରମେ ନଭେମ୍ବର ୧୯ ଓ ୨୧ ତାରିଖରେ ଖେଳାଯିବ। ଟ୍ବେଣ୍ଟି-୨୦ ପରିସଂଖ୍ୟାନ କଥା ବିଚାରକୁ ନେଲେ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ବିପକ୍ଷରେ ୧୮ ଟ୍ବେଣ୍ଟି-୨୦ ଖେଳିଛନ୍ତି। ସେଥିମଧ୍ୟରୁ ଭାରତ ୮ ମ୍ୟାଚ୍ ଜିତିଥିଲା ବେଳେ ନ୍ୟୁଜିଲାଣ୍ଡ ୧୦ ମ୍ୟାଚ୍‌ରେ ବିଜୟୀ ହୋଇଛି।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ଋତୁରାଜ ଗାଏକ୍ବାଡ୍, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ୟୁଜବେନ୍ଦ୍ର ଚହଲ, ଦୀପକ ଚହର, ହର୍ଷଲ ପଟେଲ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: ମାର୍ଟିନ ଗପ୍ଟିଲ, ଡାରେଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ଟିମ୍ ସେଫର୍ଟ, ଟଡ୍ ଆସ୍‌ଲେ, ମାର୍କ ଚାପମ୍ୟାନ୍, ‌ଲୋକି ଫର୍ଗୁସନ୍, ଆଦାମ ମିଲନେ, କାଇଲ ଜାମିସନ୍, ଜିମି ନୀସାମ, ମିଚେଲ ସାଣ୍ଟନର, ଟିମ୍ ସାଉଦି, ଈଶ୍ ସୋଢି।

ବ୍ୟାଟର୍‌ ଭାବେ କୋହଲିଙ୍କ ଭୂମିକା ପୂର୍ବପରି ରହିବ: ରୋହିତ

ଜୟପୁର: ନୂଆ ରୂପ ନେଇଥିବା ଭାରତୀୟ ଦଳରେ ବ୍ୟାଟର୍‌ ଭାବେ ବିରାଟ କୋହଲିଙ୍କ ଭୂମିକାରେ କୌଣସି ପରିବର୍ତନ କରାଯିବ ନାହିଁ। ତାଙ୍କ ଭୂକିକା ପୂର୍ବବତ୍‌ ରହିବ ଏବଂ ତାଙ୍କ ପୂର୍ବତନ ଅଧିନାୟକ ପ୍ରଭାବୀ ପ୍ରଦର୍ଶନ ଜାରି ରଖିବେ ବୋଲି ମଙ୍ଗଳବାର କହିଛନ୍ତି ନୂଆ ଟି-୨୦ ଅଧିନାୟକ ରୋହିତ ଶର୍ମା। କୋହଲି ଟି-୨୦ ଅଧିନାୟକ ପଦରୁ ଓହରିଯାଇଥିଲା ବେଳେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାର ପ୍ରଥମ ଟି-୨୦ରୁ ରୋହିତ ପୂର୍ଣ୍ଣକାଳୀନ ନେତୃତ୍ବ ‌ନେବେ। ରୋହିତଙ୍କ ଏହି କାର୍ଯ୍ୟକାଳ ଆସନ୍ତାବର୍ଷ ଟି-୨୦ ବିଶ୍ବକପ୍‌ ପର୍ଯ୍ୟନ୍ତ ରହିବ। ସେ ଦଳରେ କିପରି ପୂର୍ବତନ ଅଧିନାୟକଙ୍କ ଭୂମିକା ରଖିବେ ତା’ଉପରେ ରୋହିତ ନିଜ ଉତ୍ତରକୁ ସଂକ୍ଷିପ୍ତ କରିଥିଲେ। ରୋହିତଙ୍କ କହିବା କଥା ଥିଲା, ଏହା ଅତି ସରଳ।

ସେ ଏପର୍ଯ୍ୟନ୍ତ ଯେଭଳି କରିଆସିଛନ୍ତି, ତାଙ୍କ ଭୂମିକା ନୂଆ ରୂପର ଦଳରେ ମଧ୍ୟ ସମାନ ରହିବ। କୋହଲି ଦଳର ଜଣେ ଅତି ଗୁରୁତ୍ବପୂର୍ଣ୍ଣ ଖେଳାଳି। ସେ ଯେତେବେଳେ ବି ଖେଳନ୍ତି ସବୁବେଳେ ପ୍ରଭାବ ପକାଇଥାଆନ୍ତି। ଦଳର ସନ୍ତୁଳନ ଦୃଷ୍ଟିକୋଣରୁ ସେ ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି। ତୁମେ ‌ଯେବେ ପ୍ରତି ମ୍ୟାଚ୍‌ ଖେଳ ସେତେବେଳେ ଭୂମିକା ଭିନ୍ନ ଭିନ୍ନ ରହିଥାଏ ବୋଲି କହିଛନ୍ତି ରୋହିତ। ମ୍ୟାଚ୍‌ ଅବସ୍ଥାକୁ ଦେଖି ପ୍ରତ୍ୟେକ ଖେଳାଳିଙ୍କ ଭୂମିକା ବଦଳିଥାଏ। କୋହଲିଙ୍କ ସମେତ ସମସ୍ତ ଖେଳାଳିଙ୍କ ପାଇଁ ବ୍ୟାଟିଂକ୍ରମ ଖୋଲା ଥାଏ ବୋଲି ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ପୂର୍ବରୁ ମଙ୍ଗଳବାର ସୂଚନା ଦେଇଛନ୍ତି ନୂଆ ଅଧିନାୟକ ରୋହିତ ଶର୍ମା। ପ୍ରଥମେ ବ୍ୟାଟିଂ କଲାବେଳେ ଦ୍ବିତୀୟରେ ବ୍ୟାଟିଂ ତୁଳନାରେ ଭୂମିକା ଭିନ୍ନ ରହେ। ବିଶେଷକରି ମ୍ୟାଚ୍‌କୁ ଦେଖି ଆମେ ଖେଳୁଛୁ। ଭୂମିକାରେ ପରିବର୍ତନ ହୋଇପାରେ ଏବଂ ଏକ୍ଷେତ୍ରରେ ପ୍ରତ୍ୟେକଙ୍କ ପାଇଁ ଦ୍ବାର ଉନ୍ମୁକ୍ତ ରହିଛି ବୋଲି ରୋହିତ କହିଛନ୍ତି। ମୁଁ ମଧ୍ୟ ଦୃଢ଼ ନିଶ୍ଚିତ ଯେ ଯେତେବେଳେ କୋହଲି ଫେରିବେ ସେତେବେଳେ ଆମ ଦଳର ଶକ୍ତି ବୃଦ୍ଧି ପାଇବ। କାରଣ ତାଙ୍କ ଅଭିଜ୍ଞତା ଏବଂ ତାଙ୍କ ଭଳି ବ୍ୟାଟସମ୍ୟାନ୍‌ ଆମ ଦଳରେ ଶକ୍ତି ଭରିଦେବ ବୋଲି ରୋହିତ କହିଛନ୍ତି।

ସମ୍ବନ୍ଧିତ ଖବର