ଦ୍ରାବିଡ଼ଙ୍କ ସହ ଖୋଲା କଥା:ସଚିନ ମୋ ଜୀବନର ବ୍ୟାଟ୍ସମ୍ୟାନ୍‌

‘ଦି ଓ୍ଵାଲ’ ଭାବେ ପରିଚିତ ରାହୁଲ ଦ୍ରାବିଡ଼ କ୍ରିକେଟ୍‌ର ସବୁ ରୂପରେ ସଫଳ ହୋଇଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ସେଥିପାଇଁ ତାଙ୍କୁ ନିକଟରେ ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ମିଳିଛି। ଅବସର ପରେ ଉଦୀୟମାନ ଖେଳାଳିଙ୍କ ପ୍ରତିଭାକୁ ଆହୁରି ଶାଣିତ କରିବା କାର୍ଯ୍ୟରେ ଲାଗି ପଡ଼ିଥିବା ଦ୍ରାବିଡ଼ଙ୍କ ପ୍ରଶିକ୍ଷଣରେ ଭାରତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଜିତି ପାରିଛି। ସେହି ବିଶ୍ୱବିଜୟୀ ଦଳରେ ଥିବା ତାଙ୍କର କିଛି ଶିଷ୍ୟ ମଧ୍ୟ ଜାତୀୟ ଦଳରେ ସ୍ଥାନ ପାଇ ସାରିଛନ୍ତି। ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌, ଅଧିନାୟକ ଏବଂ ଏବେ ସଫଳ ପ୍ରଶିକ୍ଷକ, ଦ୍ରାବିଡ଼ ନିକଟରେ ଏକ େଓ୍ଵବ୍‌ସାଇଟ୍‌କୁ ସାକ୍ଷତକାର ଦେଇ ବିବିଧ ବିଷୟବସ୍ତୁ ଉପରେ ନିଜ ମନର କଥା ଖୋଲି କହିଥିଲେ। ୨୫ ତ୍ୱରିତ ପ୍ରଶ୍ନର ରୋକଠୋକ୍‌ ଉତ୍ତର ଦେଇଥିଲେ।
ପ୍ରଶ୍ନ: କ୍ରିକେଟ୍‌ ଖେଳାଳି ହୋଇ ନଥିଲେ କ’ଣ ହେବାକୁ ପସନ୍ଦ କରିଥାଆନ୍ତେ?
ରାହୁଲ: ବାଣିଜ୍ୟ କିମ୍ବା ଆକାଉଣ୍ଟ୍ସ କ୍ଷେତ୍ରକୁ ଯାଇଥାଆନ୍ତି।
ପ୍ରଶ୍ନ: ନିଜ ସମସାମୟିକ କେଉଁ ଖେଳାଳିଙ୍କ ଏକ ଗୁଣକୁ ଆପଣ ଉଧାର ନେବାକୁ ଚାହିଁଥାଆନ୍ତେ?
ରାହୁଲ: ବ୍ରାଏନ ଲାରା। ତାଙ୍କ ସୃଜନଶୀଳତା ଏବଂ ସ୍ୱଭାବ ମୋତେ ବହୁତ ଭଲ ଲାଗେ।
ପ୍ରଶ୍ନ: ବିଗତ ଦିନର କେଉଁ ବୋଲରଙ୍କୁ ସମ୍ମୁଖୀନ ହେବାକୁ ଆପଣ ପସନ୍ଦ କରିଥାଆନ୍ତେ?
ରାହୁଲ: ମାଇକେଲ୍‌ ହୋଲ୍ଡିଂ କିମ୍ବା ଜେଫ୍‌ ଥମ୍ପସନ୍‌। ଅବଶ୍ୟ ମାତ୍ର କିଛି ବଲ୍‌ ପାଇଁ! ବିନା ହେଲମେଟ୍‌ରେ ତ ଆଦୌ ନୁହେଁ।
ପ୍ରଶ୍ନ: କ୍ରିକେଟ୍‌ ଛଡ଼ା ଅନ୍ୟ ଖେଳର କେଉଁ ଟ୍ରଫିକୁ ଜିତିବାକୁ ଆପଣ ଚେଷ୍ଟା କରିବେ?
ରାହୁଲ: ଯେ କୌଣସି ଅଲିମ୍ପିକ୍ସ ସ୍ୱର୍ଣ୍ଣ। ଖେଳ ଦେଖିବାର ଅଲିମ୍ପିକ୍ସ ସ୍ୱର୍ଣ୍ଣ ମିଳିଲେ ବି ଚଳିବ। ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିବା ସତରେ ମୋ ପାଇଁ ଅତୁଲ୍ୟ ଅନୁଭବ ହେବ।
ପ୍ରଶ୍ନ: ଆଡିଲେଡ୍‌ରେ ୨୩୩, କୋଲ୍‌କାତାରେ ୧୮୦ ନା ଜାମାଇକାରେ ୮୧, କେଉଁଟି ଆପଣଙ୍କ ପସନ୍ଦର ପାଳି?
ରାହୁଲ: ଗୋଟିକୁ ବାଛିବା କଷ୍ଟକର। ପ୍ରତ୍ୟେକର ନିଆରା ମହତ୍ୱ ରହିଛି। ହେଲେ ମୁଁ ଏକଥା କହି ପାରିବି ଯେ ଜାମାଇକାର ‘୮୧’ ଯେତିକି ପରିଚିତ ହେବା କଥା ହୋଇ ପାରିନି।
ପ୍ରଶ୍ନ: ଆପଣ ନିଜେ ନିଜର ଡାକ ନାଁ ରଖିଲେ କ’ଣ ରଖିବେ?
ରାହୁଲ: ରାହୁଲ, ମୋତେ ରାହୁଲ ହିଁ ଡାକନ୍ତୁ।
ପ୍ରଶ୍ନ: ଅତୀତର କେଉଁ ବ୍ୟାଟ୍ସମ୍ୟାନ୍‌ଙ୍କ ସହ ଭାଗୀଦାରି କରିବାକୁ ଚାହିଁବେ?
ରାହୁଲ: ସୁନୀଲ ଗାଭାସ୍କର। ଆଶା କରେ ଗାଭାସ୍କର ଆଉଟ୍‌ ହୋଇଯିବା ପରେ ଗୁଣ୍ଡାପ୍ପା ବିଶ୍ୱନାଥ ପଡ଼ିଆକୁ ଆସିବେ। ଏହା ମୋ ପାଇଁ ଏକ ଆଶୀର୍ବାଦ ହେବ। କାରଣ ସେମାନେ ମୋ ପିଲାଦିନର ହିରୋ।
ପ୍ରଶ୍ନ: ଆପଣଙ୍କ ଆତ୍ମଜୀବନୀର ନାଁ କ’ଣ ରଖିବେ?
ରାହୁଲ: ସେମିତି ବହି ଏପର୍ଯ୍ୟନ୍ତ ଲେଖାହୋଇନି।
ପ୍ରଶ୍ନ: ଆପଣଙ୍କ ଜୀବନର ଆଦର୍ଶ?
ରାହୁଲ: ମୋର ଅନେକ ଭାବନା ଏବଂ ମୂଲ୍ୟବୋଧ ମୋ ମାତା-ପିତାଙ୍କ ଦ୍ୱାରା ପ୍ରଭାବିତ। ଅନେକ କଥା ଯାହା ମୁଁ କରେ ଏବଂ ଭାବେ ମୋ ମାତା-ପିତାଙ୍କଠାରୁ ଆସିଛି।
ପ୍ରଶ୍ନ: ଖେଳିଲା ବେଳେ ଆପଣଙ୍କର କିଛି ଅନ୍ଧବିଶ୍ୱାସ ଥିଲା କି?
ରାହୁଲ: ମୁଁ ସେମିତି ଲୋକ ନୁହେଁ। ହେଲେ ସବୁବେଳେ ଡାହାଣ ପ୍ୟାଡ୍‌ ପ୍ରଥମେ ପିନ୍ଧୁଥିଲି। ଏହା ଏକ ଅଭ୍ୟାସରେ ପରିଣତ ହୋଇଥିଲା। ଧାରାରେ ବଦଳି ଯାଇଥିଲା। ମୁଁ ବାମ ଆଣ୍ଠୁ ମାଡ଼ି ପ୍ରଥମେ ଡାହାଣ ପ୍ୟାଡ୍‌କୁ ପିନ୍ଧୁଥିଲି। ଏହାକୁ ଅନ୍ଧବିଶ୍ୱାସ ବୋଲି କୁହାଯାଇନପାରେ।
ପ୍ରଶ୍ନ: ଆପଣ ପଢ଼ିଥିବା ଶ୍ରେଷ୍ଠ ବହି?
ରାହୁଲ: ରିଚାର୍ଡ ବାକ୍‌ଙ୍କ ‘ଜୋନାଥନ ଲିଭିଙ୍ଗ୍‌ଷ୍ଟୋନ ସିଗଲ୍‌’ ମୋତେ ବେଶ୍‌ ପ୍ରଭାବିତ କରିଥିଲା। ୧୫-୧୬ ବର୍ଷର ହୋଇଥିଲା ବେଳେ ମୁଁ ଏହି ବହି ପଢ଼ିଥିଲି। ଏହାକୁ ଅନୁକରଣ କରିବାକୁ ଚେଷ୍ଟା କରୁଥିଲି। କ୍ରିକେଟ୍‌ ଜୀବନ ଆରମ୍ଭ କଲା ବେଳେ ଏହା ମୋତେ ବେଶ୍‌ ଅନୁପ୍ରେରିତ କରିଥିଲା।
ପ୍ରଶ୍ନ: ଶ୍ରେଷ୍ଠ ଛୁଟି କଟାଇବା ସ୍ଥାନ?
ରାହୁଲ: ଆମ ପରିବାର ବଣ ଜଙ୍ଗଲକୁ ବହୁତ ଭଲ ପାଉ। କର୍ଣ୍ଣାଟକର ସେମିତି ସ୍ଥାନକୁ ଆମେ ସବୁ ବର୍ଷ ଯିବାକୁ ଚେଷ୍ଟା କରୁ।
ପ୍ରଶ୍ନ: ଅବଶିଷ୍ଟ ଜୀବନରେ କେଉଁ ଗୋଟିଏ ଜିନିଷ ଖାଇବାକୁ ଚାହିଁବେ?
ରାହୁଲ: ଚକୋଲେଟ୍‌। ଶରୀରକୁ କ୍ଷତି ନ ପହଞ୍ଚାଇଲା ପର୍ଯ୍ୟନ୍ତ ମୁଁ ଏହାକୁ ଖାଇପାରିବି।
ପ୍ରଶ୍ନ: କେଉଁ ଖେଳାଳିଙ୍କ ସହ ଆପଣ ମଜା କରିବାକୁ ପସନ୍ଦ କରିବେ?
ରାହୁଲ: ଭେଙ୍କଟେଶ୍‌ ପ୍ରସାଦଙ୍କ ସହ ମୁଁ ଅନେକ ସମୟ ବିତାଇଛି। ସେ ଜଣେ ଚମତ୍କାର ମଣିଷ। ହୋଟେଲ ରୁମ୍‌ ଅବ୍ୟବସ୍ଥିତ ଭାବେ ଥିଲେ ତାଙ୍କ ମୁହଁ ଦେଖିଲା ଭଳି ହୋଇଥାଏ।
ପ୍ରଶ୍ନ: ଆପଣଙ୍କ ଖେଳ ଜୀବନର ସବୁଠୁ ସ୍ମରଣୀୟ ଶିରୋନାମା?
ରାହୁଲ: ‘ସେଣ୍ଟ୍‌ ଯୋସେଫକୁ ଟ୍ରଫି ଜିତାଇଲେ ଦ୍ରାବିଡ଼’। କ୍ରିକେଟ୍‌ ଜୀବନର ଆଦ୍ୟ ପର୍ବରେ ପ୍ରଥମେ ଯେତେବେଳେ ଆପଣଙ୍କ ନାଁ ଖବରକାଗଜରେ ପ୍ରକାଶ ପାଏ ବହୁତ ଖୁସି ଲାଗିଥାଏ। ମୁଁ ବି ଏଥିନେଇ ବହୁତ ଉଲ୍ଲସିତ ଥିଲି। ହେଲେ ସେତେବେଳେ ମୋ ନାଁକୁ ଅନେକ ସମୟରେ ଦ୍ରାବିଡ଼ ପରିବର୍ତେ ଡେଭିଡ୍‌ ବୋଲି ଲେଖି ଦେଉଥିଲେ।
ପ୍ରଶ୍ନ: ଏବେକାର ବୋଲରଙ୍କ ମଧ୍ୟରେ କିଏ ଆପଣଙ୍କୁ ସବୁଠୁ ବେଶୀ ଅସୁବିଧାରେ ପକାଇଥାଆନ୍ତେ?
ରାହୁଲ: ମୁଁ ସେତେ ବି ବୁଢ଼ା ହୋଇନି। ଏବେକାର ଅନେକ ବୋଲରଙ୍କ ବିରୋଧରେ ମୁଁ ଖେଳିଛି। ସମ୍ଭବତଃ ମିଚେଲ ଷ୍ଟାର୍କ କିମ୍ବା କାଗିସୋ ରବାଦା। ଭାରତୀୟ ବୋଲରଙ୍କ ମଧ୍ୟରେ ଭୁବନେଶ୍ୱର କୁମାରଙ୍କୁ ଖେଳିବା ଏକ ଆହ୍ଵାନ ହୋଇଥାଆନ୍ତା। ନୂଆ ବଲ୍‌ରେ ସେ ଜଣେ ଶ୍ରେଷ୍ଠ ବୋଲର।
ପ୍ରଶ୍ନ: ଅବସର ଜୀବନର କେଉଁ ଦିଗକୁ ଆପଣ ସବୁଠୁ ବେଶୀ ଉପଭୋଗ କରୁଛନ୍ତି?
ରାହୁଲ: ଦ୍ରୁତ ବୋଲର ଏବଂ ବାଉନ୍ସରକୁ ଆଉ ଖେଳିବାକୁ ପଡ଼ୁନି। ସକାଳୁ ଉଠି ୧୪୫ କିଲୋମିଟର ବେଗରେ ବୋଲିଂ କରୁଥିବା ବୋଲରଙ୍କୁ କେମିତି ଖେଳିବି? ସେ ଚିନ୍ତା ଆଉ ମୋର ନାହିଁ।
ପ୍ରଶ୍ନ: ଆପଣଙ୍କ ପାଖରେ କୌଣସି ଅଲୌକିକ ଶକ୍ତି ଥିଲେ ଏହା କ’ଣ ଏବଂ କିପରି ହୋଇଥାଆନ୍ତା?
ରାହୁଲ: ମୁଁ ଟିକିଏ ପୁରୁଣା କାଳିଆ ଲୋକ। ଏଣୁ କିଛି ବି ଯାହା ସୁପରମ୍ୟାନ୍‌ କରିପାରେ। ଯେ କୌଣସି ସ୍ଥାନରୁ ଯେ କୌଣସି ସମୟରେ ଉଡ଼ିକି ଚାଲିଯାଆନ୍ତି।
ପ୍ରଶ୍ନ: ଜଣେ ଅଣକ୍ରିକେଟର ଯାହାକୁ ଆପଣ ସମ୍ମାନ କରନ୍ତି ଏବଂ ଭେଟିବାକୁ ଚାହାଁନ୍ତି?
ରାହୁଲ: ରୋଜର ଫେଡେରରଙ୍କୁ ମୁଁ ବହୁତ ସମ୍ମାନ କରେ। ମୁଁ ତାଙ୍କୁ ଥରେ ଓ୍ଵିମ୍ବିଲଡନ୍‌ରେ ଖେଳୁଥିବାର ଦେଖିଥିଲି। ଜଣେ ପ୍ରଶଂସକଙ୍କ ଭଳି ତାଙ୍କ ସହ ଫଟୋ ଉଠାଇଥିଲି। ଓ୍ଵିମ୍ବିଲଡନ୍‌ ଯାଇ ତାଙ୍କୁ ଆଉ ଥରେ ଭେଟିବାର ପ୍ରବଳ ଇଚ୍ଛା ମୋର ଅଛି।
ପ୍ରଶ୍ନ: ଆପଣଙ୍କ ପସନ୍ଦର ଷ୍ଟାଡିୟମ୍‌?
ରାହୁଲ: ଲର୍ଡସ। ମୁଁ ସବୁବେଳେ ଲର୍ଡସକୁ ଭଲ ପାଇଛି। ସେଠାକାର ପରିବେଶ ଅନ୍ୟ ସବୁ ଷ୍ଟାଡିୟମଠାରୁ ଭିନ୍ନ। ଐତିହାସିକ ଲର୍ଡସରେ ଖେଳିଲା ବେଳେ ଏକପ୍ରକାର ସିହରଣ ସୃଷ୍ଟି ହୋଇଥାଏ।
ପ୍ରଶ୍ନ: ପସନ୍ଦର ସଂଗୀତ ବ୍ୟାଣ୍ଡ?
ରାହୁଲ: ବବ୍‌ ଡାଇଲନ୍‌ କିମ୍ବା ବ୍ରୁସ୍‌ ସ୍ପ୍ରିଙ୍ଗଷ୍ଟିନ୍‌। ଏମାନଙ୍କ ପରିବେଷଣ ଦେଖିବାକୁ ମୋତେ ବହୁତ ଭଲ ଲାଗିଥାଏ।
ପ୍ରଶ୍ନ: ବ୍ୟାଟ୍ସମ୍ୟାନ୍‌ ଯାହାଙ୍କୁ ଆପଣ ନିଜ ଜୀବନ ପାଇଁ ବ୍ୟାଟିଂ କରିବାକୁ ଚାହିଁବେ?
ରାହୁଲ: ମୁଁ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସର୍ବଶ୍ରେଷ୍ଠ। ମାନ ଏବଂ ସ୍ତରରେ ସେ ସମସ୍ତଙ୍କଠାରୁ ଆଗରେ। ତେଣୁ ମୁଁ ସଚିନଙ୍କୁ ହିଁ ବାଛିବି।
ପ୍ରଶ୍ନ: ନିଜକୁ ଯଦି ଏକ ହ୍ୟାସ୍‌ଟ୍ୟାଗ୍‌ରେ ବର୍ଣ୍ଣନା କରିବେ, ତାହା କଣ ହେବ?
ରାହୁଲ: #uncomplicated।
ପ୍ରଶ୍ନ: ବ୍ୟାଟ୍ସମ୍ୟାନ୍‌ ଭାବେ ସମ୍ମୁଖୀନ ହୋଇଥିବା ସବୁଠାରୁ ମଜାଦାର ସ୍ଲେଜିଂ?
ରାହୁଲ: କୋଲକାତା ଟେଷ୍ଟ୍‌ରେ ମୁଁ ତିନି ନମ୍ବର ସ୍ଥାନ ପାଇଁ ବ୍ୟାଟିଂ କରିବାକୁ ଓହ୍ଲାଇଥିଲି। ହେଲେ ଏହା ଶେଷ ହେଲା ବେଳକୁ ଷଷ୍ଠ ସ୍ଥାନରେ ପହଞ୍ଚି ଯାଇଥିଲି। ଏଣୁ ପ୍ରତିପକ୍ଷ ଖେଳାଳିମାନେ ମନେ ପକାଇ ଦେଇଥିଲେ ଯେ ମୁଁ ୧୨ ନମ୍ବର ସ୍ଥାନକୁ ବି ଯାଇପାରେ। ଏହାର ସମ୍ଭାବନା ମଧ୍ୟ ଥିଲା।
ପ୍ରଶ୍ନ: ଆପଣଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ ହେଲେ, କେଉଁ ଅଭିନେତାଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ଚାହିଁବେ?
ରାହୁଲ: ସମ୍ଭବତଃ ଅମିର ଖାନ୍‌।

ସମ୍ବନ୍ଧିତ ଖବର