ବୟସ ଜାଲିଆତି ଗମ୍ଭୀର ବିଷୟ, ଭାରତୀୟ କ୍ରିକେଟ୍ ପାଇଁ ଅତ୍ୟନ୍ତ ହାନିକାରକ: ଦ୍ରାବିଡ଼

ମୁମ୍ବାଇ,୨: ଭାରତୀୟ କ୍ରିକେଟ୍‌ରେ ଚାଲିଥିବା ବୟସ ଜାଲିଆତି ନେଇ ପୂର୍ବତନ ଅଧିନାୟକ ତଥା ଜାତୀୟ କ୍ରିକେଟ୍ ଏକାଡେମିର ନିର୍ଦେଶକ ରାହୁଲ ଦ୍ରାବିଡ଼ ଚିନ୍ତା ପ୍ରକଟ କରିଛନ୍ତି। ଏକ କ୍ରିକେଟ୍ ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୟସ ଜାଲିଆତିକୁ ରୋକିବା ଲାଗି ପଦକ୍ଷେପ ନେବାକୁ ବିଭିନ୍ନ କ୍ରୀଡ଼ା ସଂଘର ସଂପାଦକ, ଦଳ ମାଲିକ ଏବଂ ଅଧିକାରୀଙ୍କୁ ସେ ଆହ୍ବାନ କରିଛନ୍ତି। ଏଥିନେଇ ନିଜ ମତ ପ୍ରକାଶ କରିବାକୁ ଯାଇ ଦି ୱାଲ ଭାବେ ପରିଚିତ ଦ୍ରାବିଡ଼ କହିଛନ୍ତି ଯେ ବୟସ ଜାଲିଆତି ଭାରତୀୟ କ୍ରିକେଟ୍‌ର ସ୍ବାସ୍ଥ୍ୟ ପ୍ରତି ଅତ୍ୟନ୍ତ ହାନିକାରକ। ଏଥିପାଇଁ ବହୁ ପ୍ରତିଭାବାନ ଖେଳାଳି ଖେଳିବାର ସୁଯୋଗ ପାଉନାହାନ୍ତି। ଯେଉଁ ରାଜ୍ୟ ସଂଘ ଏହି କାର୍ଯ୍ୟରେ ଲିପ୍ତ ଅଛନ୍ତି, ସେମାନେ ପରବର୍ତୀ ସମୟରେ ଏବଂ ବରିଷ୍ଠ ସ୍ତରରେ ସଫଳତା ପାଉନାହାନ୍ତି। ୧୫ ମିନିଟ୍‌ର ଭାଷଣ ବେଳେ କ୍ରିକେଟ୍‌କୁ ମନଭରି ଉପଯୋଗ କରିବାକୁ ଉପସ୍ଥିତ ଯୁବ କ୍ରିକେଟରଙ୍କୁ ଦ୍ରାବିଡ଼ ପରାମର୍ଶ ଦେଇଥିଲେ। ଆପଣଙ୍କ ଭିତରୁ ସମସ୍ତେ ରଣଜୀ ଟ୍ରଫି କିମ୍ବା ଭାରତ ତରଫରୁ ଖେଳିବେ ନାହିଁ। ଆଇପିଏଲ୍ ଚୁକ୍ତି ବି ପାଇବେ ନାହିଁ। ହେଲେ କ୍ରିକେଟ୍ ମନୋରଞ୍ଜନ ଭିତରକୁ ଚୟନକୁ ଆସିବାକୁ ଦିଅନ୍ତୁ ନାହିଁ। ସବୁବେଳେ ପରବର୍ତୀ ଚୟନ ପ୍ରକ୍ରିୟା ବିଷୟରେ ଚିନ୍ତା କଲେ, ଆପଣ କ୍ରିକେଟ୍‌କୁ ଉପଯୋଗ କରି ପାରିବେ ନାହିଁ ବୋଲି ଦ୍ରାବିଡ଼ କହିଥିଲେ। ୧୯ ବର୍ଷରୁ କମ୍ ବିଶ୍ବକପ୍ ବିଜୟୀ ଦଳର ପ୍ରଶିକ୍ଷକ ଦ୍ରାବିଡ଼ ଲୋକଲୋଚନକୁ ଆସିବା ପୂର୍ବରୁ କ୍ରିକେଟ୍ ପଡ଼ିଆରେ କରିଥିବା ବନ୍ଧୁତ୍ବକୁ ସବୁବେଳେ ମନେ ରଖିବାକୁ ପରାମର୍ଶ ‌ଦେଇଥିଲେ।

ସମ୍ବନ୍ଧିତ ଖବର