ନୂଆଦିଲ୍ଲୀ: ଆସନ୍ତା ଶୁକ୍ରବାର ମୋହାଲିରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍ ଅବସରରେ ବିରାଟ କୋହଲି ଏକ ମାଇଲଖୁଣ୍ଟ୍ ଛୁଇଁବେ। ଏହା ତାଙ୍କର ୧୦୦ତମ ଟେଷ୍ଟ୍ ହୋଇଥିବାରୁ କୋହଲି ୧୧ ଜଣିଆ ଭାରତୀୟ କ୍ରିକେଟର୍ଙ୍କ ଗୋଷ୍ଠୀରେ ନିଜ ନାମକୁ ଯୋଡ଼ିବେ। ୧୦୦ ବା ତା’ଠୁ ଅଧିକ ଟେଷ୍ଟ୍ ଖେଳିଥିବା ସେହି ୧୧ ଜଣିଆ ଗୋଷ୍ଠୀର ଅନ୍ୟତମ ସଦସ୍ୟ ସୌରଭ ଗାଙ୍ଗୁଲି ଏବେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ)ର ସଭାପତି। ଅଧିନାୟକ ପଦ ଚାଲିଯିବାକୁ ନେଇ କିଛି ମାସ ହେଲା କୋହଲି ଚର୍ଚ୍ଚାରେ ରହିଛନ୍ତି। ଟ୍ବେଣ୍ଟି-୨୦ ନେତୃତ୍ବରୁ ଇସ୍ତଫା ଦେବା ପରେ କୋହଲି ମଧ୍ୟ ଗାଙ୍ଗୁଲିଙ୍କ ନାମ ନନେଇ ସାଧାରଣରେ ଖୁବ୍ ଅସନ୍ତୋଷ ଝାଡ଼ିଥିଲେ। ଏହାପରେ ସେ ଦିନିକିଆ ପଦ ହରାଇଥିଲା ବେଳେ ଟେଷ୍ଟ୍ ଅଧିନାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ଏହି ପ୍ରସଙ୍ଗ ଉପରେ କୌଣସି ପ୍ରତିକ୍ରିୟା ରଖିବାକୁ ସଂପ୍ରତି ପରିବାର ସହ ଲଣ୍ଡନରେ ଛୁଟି କଟାଉଥିବା ଗାଙ୍ଗୁଲି ମନା କରିଦେଇଛନ୍ତି। ବରଂ ସେ ୧୦୦ତମ ଟେଷ୍ଟ୍ କ୍ଲବ୍ରେ ସାମିଲ ହେବାକୁ ଯାଉଥିବା କୋହଲିଙ୍କୁ ସ୍ବାଗତ ଜଣାଇଛନ୍ତି।
ବୁଧବାର କୋହଲିଙ୍କ ୧୦୦ତମ ଟେଷ୍ଟ୍ ପୂର୍ବରୁ ଗାଙ୍ଗୁଲି ତାଙ୍କ ପ୍ରଶଂସା କରିଛନ୍ତି। ‘‘ଆରମ୍ଭରୁ ହିଁ କୋହଲି ଜଣେ ଖୁବ୍ ଭଲ ଖେଳାଳିର ପ୍ରମାଣ ଛାଡ଼ିଥିଲେ। ଭାରତୀୟ କ୍ରିକେଟ୍ରେ ଖୁବ୍ କମ୍ ଖେଳାଳି ୧୦୦ ଟେଷ୍ଟ୍ ଖେଳିଥିଲା ବେଳେ କୋହଲିଙ୍କ ପାଇଁ ଏହା ଚମତ୍କାର ମାଇଲଖୁଣ୍ଟ। ବିରାଟ ଜଣେ ମହାନ୍ ଖେଳାଳି ଏବଂ ସେ ପ୍ରତ୍ୟେକଟି ପାଇଁ ହକ୍ଦାର’’ ବୋଲି ଗାଙ୍ଗୁଲି କହିଛନ୍ତି। ଏହି ଅବସରରେ ସେ ୨୦୦୨ରୁ ୨୦୦୫ର ରାହୁଲ ଦ୍ରାବିଡ୍ଙ୍କ ସହ କୋହଲିଙ୍କୁ ତୁଳନା କରିଛନ୍ତି। ସେ କୋହଲିଙ୍କ ଭିତରେ ସେହି ସମୟର ଦ୍ରାବିଡ୍ଙ୍କ ଝଲକ ଦେଖିବାକୁ ପାଇଥିଲେ ବୋଲି କହିଛନ୍ତି। ରାହୁଲ ଦ୍ରାବିଡ୍ଙ୍କୁ ୨୦୦୨ରୁ ୨୦୦୫ ମଧ୍ୟରେ ଯେପରି ଭାବେ ଦେଖିଥିଲି କୋହଲିଙ୍କଠାରେ ସେହି ସମନ୍ବୟ ଦେଖିବାକୁ ପାଇଥିଲି। ଦ୍ରାବିଡ୍ଙ୍କ ଟେକ୍ନିକ୍, ସକାରାତ୍ମକ ଆଭିମୁଖ୍ୟ, ପଦଚାଳନା, ସନ୍ତୁଳନ ଯେପରି ରହିଥିଲା କୋହଲିଙ୍କଠାରେ ୨୦୧୪ରୁ ୨୦୧୯ ମଧ୍ୟରେ ଠିକ୍ ସେହି ଝଲକ ଅନୁଭବ କରିଥିଲି ବୋଲି ଗାଙ୍ଗୁଲି କହିଛନ୍ତି। ମୋଟାମୋଟି ଭାବେ ୨୦୧୪ରେ ସଂଘର୍ଷପୂର୍ଣ୍ଣ ଇଂଲଣ୍ଡ ଗସ୍ତ ପରେ କୋହଲି ତାଙ୍କ ଖେଳରେ ପରିବର୍ତନ ଆଣିଥିଲେ। ଇଂଲଣ୍ଡ ବିପକ୍ଷ ସେହି ଟେଷ୍ଟ୍ ଶୃଙ୍ଖଳାକୁ ମୁଁ ଜଣେ ଭାଷ୍ୟକାର ଭାବେ ଦେଖିଥିଲି। ହେଲେ ତା’ ପର ୫ ବର୍ଷ କୋହଲିଙ୍କ ପାଇଁ ସ୍ମରଣୀୟ ପାଲଟିଯାଇଥିଲା। ଦାବିଡ୍ ଯେପରି ୨୦୦୨ରୁ ୨୦୦୫ ମଧ୍ୟରେ ଶୀର୍ଷ ଫର୍ମରେ ପହଞ୍ଚିଥିଲେ ୨୦୧୪ରୁ ପର ୫ ବର୍ଷ ମଧ୍ୟରେ କୋହଲି ସେହି ସ୍ତରରେ ଖେଳାଳି ବନିଯାଇଥିଲେ ବୋଲି ଗାଙ୍ଗୁଲି କହିଛନ୍ତି।
କୋହଲି ୨୦୦୮ରେ ଭାରତ ପାଇଁ ସୀମିତ ଓଭର ପଦାର୍ପଣ କରିଥିଲା ବେଳେ ସେହି ବର୍ଷ ହିଁ ଗାଙ୍ଗୁଲି ଟେଷ୍ଟ୍ରୁ ଅବସର ନେଇଯାଇଥିଲେ। ଏହାପରେ ଗାଙ୍ଗୁଲି ଅବଶ୍ୟ ସୀମିତ ଓଭର କ୍ରିକେଟ୍ ଖେଳିଥିଲା ବେଳେ କୋହଲି ଏହାର ୩ ବର୍ଷ ପରେ ଟେଷ୍ଟ୍ ପଦାର୍ପଣ କରିଥିଲେ। ‘‘ମୁଁ କୋହଲିଙ୍କ ସହ ଖେଳିପାରିନଥିଲି। କିନ୍ତୁ ମୁଁ ତାଙ୍କ ଖେଳକୁ ସର୍ବଦା ଅନୁସରଣ କରୁଥିଲି।’’ ବୋଲି ଗାଙ୍ଗୁଲି କହିଛନ୍ତି। ବିଭିନ୍ନ ପଦପଦବିରେ ସଂପକ୍ତ ଯୋଗୁଁ ସବୁବେଳେ କୋହଲିଙ୍କ ଖେଳକୁ ଦେଖୁଥିଲି। ତାଙ୍କୁ କ୍ୟାରିୟର ଆରମ୍ଭରୁ ଦେଖିବା ସହିତ କିଛି ବର୍ଷ ପରେ ଭିନ୍ନ କୋହଲିଙ୍କୁ ବି ଦେଖିଥିଲି। ଏବେ କିନ୍ତୁ ତାଙ୍କ ମହାନତାକୁ ଉପଲବ୍ଧି କରୁଛି। କୋହଲି ସଚିନ୍ ତେନ୍ଦୁଲକରଙ୍କ ଉତ୍ତରାଧିକାରୀ ଭାବେ ପ୍ରତୀୟମାନ ହୋଇଥିଲେ ଏବଂ ମୁମ୍ବାଇରେ ବିଦାୟୀ ଟେଷ୍ଟ୍ରେ ସଚିନ୍ଙ୍କ ଆଉଟ୍ ପରେ ଆଗ ବ୍ୟାଟିଂ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ସେତେବେଳଠୁ ହିଁ କୋହଲି ମାନସିକ ଭାବେ ଭାରତର ୪ ନମ୍ବର ବ୍ୟାଟର୍ ପାଲଟିଯାଇଥିଲେ। ଆନ୍ତର୍ଜାତିକ ସ୍ତରରେ ସେଭଳି ସାହସ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳେନି ବୋଲି କହିଛନ୍ତି ଗାଙ୍ଗୁଲି। ତାଙ୍କୁ ମୁଁ କାହାସହିତ ତୁଳନା କରିବାକୁ ଚାହଁନି। କିନ୍ତୁ ତାଙ୍କ ବ୍ୟାଟିଂକ୍ରମ ଉପରେ ନଜର ପକାଇଲେ ଟେଷ୍ଟ୍ରେ ୪ ନମ୍ବର ହେଉ କିମ୍ବା ସୀମିତ ଓଭରରେ ୩ ନମ୍ବର ସବୁଥିରେ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି।