ଅଶ୍ବିନଙ୍କୁ ଦ୍ରାବିଡ଼ଙ୍କ ସର୍ତମୂଳକ ସମର୍ଥନ

ମଙ୍କଡିଂକୁ ନେଇ ମହାଭାରତ

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ୍‌ ଅଶ୍ବିନ ମଙ୍କଡିଂ କରିବା ପରେ ତାଙ୍କ ଖେଳୁଆଡ଼ ମନୋଭାବକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ଼ କିନ୍ତୁ ତାଙ୍କୁ ସର୍ତମୂଳକ ସମର୍ଥନ ନେଇଛନ୍ତି। ଅଶ୍ବିନ ତାଙ୍କ ଅଧିକାର ଭିତରେ ଥିଲେ ବୋଲି ଦ୍ରାବିଡ଼ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ମଙ୍କଡିଂ ଆଉଟ୍ କ୍ରିକେଟ୍ ନିୟମ ପରିସରଭୁକ୍ତ। ଅଶ୍ବିନ ଏଭଳି କରି କିଛି ଭୁଲ କରି ନାହାନ୍ତି। ମୋ ମତରେ କେତେକ ପ୍ରତିକ୍ରିୟା ମାତ୍ରାଧିକ ଥିଲା। ଅଶ୍ବିନଙ୍କ ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇବା‌ ଠିକ୍ ନୁହେଁ। ଏଭଳି କରିବାର ଅଧିକାର ତାଙ୍କର ଅଛି। ସେ କାହାକୁ ଠକି ନାହାନ୍ତି। ଏଥିଲାଗି ତାଙ୍କୁ ଖରାପ ‌ଲୋକ ବୋଲି କହିହେବ ନାହିଁ। ବ୍ୟକ୍ତିଗତ ଭାବେ ମୁଁ ଏହାକୁ ଉପଯୋଗ କରିବା ପୂର୍ବରୁ ବ୍ୟାଟ୍ସମ୍ୟାନଙ୍କୁ ଚେତାବନୀ ଦେବାକୁ ପସନ୍ଦ କରିବି। ଏହା ଅବଶ୍ୟ ନିଜ ନିଜର ପସନ୍ଦ ଉପରେ ନିର୍ଭର କରେ। ଭିନ୍ନ ମତକୁ ମଧ୍ୟ ମୁଁ ସମ୍ମାନ କରେ। ମୁଁ ହୁଏତ ସେମାନଙ୍କ ସହ ଏକମତ ହୋଇ ନପା‌ରେ।

ପିତାଙ୍କ ନାଁ ଯୋଡ଼ି ହୋଇଥିବାରୁ ରାହୁଲ ଦୁଃଖିତ

‘ମଙ୍କଡିଂ’ ଆଉଟ୍ ସହ ଭାରତୀୟ କିମ୍ବଦନ୍ତୀ କ୍ରି‌କେଟର ବିନୁ ମଙ୍କଡଙ୍କ ନାଁ ଯୋଡ଼ି ହୋଇଛି। ତାଙ୍କ ନାଁ ଅନୁସାରେ ହିଁ ନନ୍‌ଷ୍ଟ୍ରାଇକର ପଟେ ବୋଲର କରୁଥିବା ଏଭଳି ରନ୍ଆଉଟକୁ ମଙ୍କଡେଡ୍‌ ବା ମଙ୍କଡିଂ କୁହାଯାଉଛି। ହେଲେ ପିତାଙ୍କ ନାଁ ଏଭଳି ଏକ ନକାରାତ୍ମକ ନିୟମ ସହ ଯୋଡ଼ି ହୋଇଥିବାରୁ ବିନୁ ମଙ୍କଡ଼ଙ୍କ ପୁଅ ରାହୁଲ ମଙ୍କଡ଼ ଦୁଃଖ ପ୍ରକାଶ କରିଛନ୍ତି। ସେ ମଧ୍ୟ ଏଭଳି ଆଉଟ୍‌କୁ ମଙ୍କଡେଡ୍ ବୋଲି ବାରମ୍ବାର କୁହାଯିବାକୁ ବିରୋଧ କରିଛନ୍ତି। ଅଶ୍ବିନଙ୍କୁ ନେଇ ସୃଷ୍ଟି ‌ହୋଇଥିବା ବିବାଦ ଉପରେ ନିଜ ପ୍ରତିକ୍ରିୟା‌ ପ୍ରକାଶ କରି ରାହୁଲ କହିଛନ୍ତି ଯେ ଏଭଳି ଆଉଟ୍‌କୁ କ୍ରିକେଟ୍ ନିୟମ ଅନୁମତି ଦେଉଛି। ମୋ ବାପା ମଧ୍ୟ ଏହାକୁ ପ୍ରଥମ କିମ୍ବା ଶେଷ ଥର ପାଇଁ କରି ନଥିଲେ। ମୁଁ ଭାବୁଛି ଅଷ୍ଟ୍ରେଲୀୟ ଗଣମାଧ୍ୟମ ପ୍ରତିନିଧିମାନେ ହିଁ ଏଭଳି ଶବ୍ଦର ସୃଷ୍ଟି କରିଥଲେ। ଏଭଳି ଆଉଟ୍‌କୁ ଆଇସିସି ‘ରନ୍ଆଉଟ୍’ ପରିସରରେ ରଖିଛି। ଏଣୁ ମଙ୍କଡିଂ ଶବ୍ଦର ଉପଯୋଗ ଆଦୌ ଠିକ୍ ନୁହେଁ। ମୁଁ ସୁନୀଲ ଗାଭାସ୍କର, ମାଇକେଲ୍ ହୋଲ୍ଡିଂ ଭଳି ମହାନ ଖେଳାଳିଙ୍କ ସହ ଏହି ବିଷୟରେ କଥା ହୋଇଛି। ସେମାନେ ଏଭଳି ଆଉଟ୍‌କୁ ବିରୋଧ କରି ନାହାନ୍ତି।

ଅଶ୍ବିନଙ୍କୁ ଏକଦା ସଚିନ-ସେହବାଗ ଅଟକାଇ ଥି‌ଲେ

ଅଶ୍ବିନ ମଙ୍ଗଳବାର ନିଜ କ୍ରିକେଟ୍ ଜୀବନରେ ଦ୍ବିତୀୟ ଥର ପାଇଁ ମଙ୍କଡିଂ କରିଥିଲେ। ଏହା ପୂର୍ବରୁ ୨୦୧୨ ମସିହାରେ ସେ ଏହିଭଳି ଭାବେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଲାହିରୁ ଥିରିମାନେଙ୍କୁ ଆଉଟ୍ କରି ଦେଇଥିଲେ। ତେବେ ସେ‌ତେବେଳର କାମଚଳା ଅଧିନାୟକ ବୀରେନ୍ଦ୍ର ସେହବାଗ ଏବଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ହସ୍ତକ୍ଷେପ ପରେ ନିଜ ଆବେଦନକୁ ପ୍ରତ୍ୟାହାର କରି ନେଇଥିଲେ। ଫଳରେ ଥିରିମାନେଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ି ନଥିଲା। ଅଷ୍ଟ୍ରେଲିଆର ବ୍ରିସବନସ୍ଥିତ ଗାବା ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଥିରିମାନେଙ୍କୁ ମଙ୍କଡିଂ କରି ଅଶ୍ବିନ ଆଉଟ୍ ଅପିଲ କରିବା ସହ ସିଧା ସେହବାଗଙ୍କ ପାଖକୁ ଚାଲି ଯାଇଥିଲେ। ସେହବାଗ ପ୍ରଥମେ ପ୍ରଥମେ କିଛି ବୁଝି ପାରି ନଥିଲେ। ଏପରିକି ଦୁଇ ପଡ଼ିଆ ଅମ୍ପାୟାର ମାମଲାକୁ କିଭଳି ଭାବେ ସମାଧାନ କରିବେ ସେଥିନେଇ ଢେର ସମୟ ପରସ୍ପର ମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ। ଏହା ପରେ ସେହବାଗଙ୍କୁ ଡାକି ଆବେଦନ ନେଇ ତାଙ୍କ ଅଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଥିଲେ। ସେହବାଗ ଅମ୍ପାୟାରଙ୍କ ସହ ଆଲୋଚନା କରୁଥିଲା ବେଳେ ସଚିନ ସେଠାକୁ ଯାଇ ସେହବାଗଙ୍କୁ କିଛି କହିଥିଲେ। ଏହା ପରେ ସେହବାଗ ଆବେଦନ ପ୍ରତ୍ୟାହାର କରିନେବା ସହ ଥିରିମାନେଙ୍କୁ ବ୍ୟାଟିଂ ଜାରି ରଖିବାକୁ କହିଥିଲେ।

ସମ୍ବନ୍ଧିତ ଖବର