ପେସାଦାର ଓ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ କଳା ଦ୍ରାବିଡ଼ ଶିଖାଇଛନ୍ତି: ପୂଜାରା

ମୁମ୍ବାଇ: ‘‘ରାହୁଲ ଭାଇ ମୋ ପାଇଁ କ’ଣ, ତାକୁ ମୁଁ ଶବ୍ଦରେ ବର୍ଣ୍ଣନା କରି ପାରିବିନାହିଁ। ମୋ ପାଇଁ ସେ ସବୁବେଳେ ପ୍ରେରଣାର ଉତ୍ସ ‌ହୋଇ ରହିଆସିଛନ୍ତି, ଆଗକୁ ରହିବେ ମଧ୍ୟ। ପେସାଦାର ଓ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ରଖିବାର କଳା ସେ ହିଁ ମୋତେ ଶିଖାଇଛନ୍ତି। ତାଙ୍କ ସହ କଥା ହେଲା ବେଳେ ମୋ ମନରେ ଏଥିନେଇ ଥିବା ସବୁ ସଂଶୟ ଓ ସନ୍ଦେହ ଦୂର ହୋଇଯାଏ। ମୁଁ କ’ଣ କରିବାକୁ ଚାହେଁ, କେଉଁଠି ପହଞ୍ଚିବା ମୋର ଲକ୍ଷ୍ୟ, ତାହା ସ୍ପଷ୍ଟ ହୋଇଯାଏ। ‌ପେସାଦାର ଜୀବନକୁ ବ୍ୟକ୍ତିଗତ ଜୀବନଠାରୁ ଅଲଗା ରଖିବାରେ ସହଯୋଗ କରିଥିବାରୁ ମୁଁ ତାଙ୍କ ନିକଟରେ ଚିର ଋଣୀ।’’ ‘ଦି ୱାଲ’ ରାହୁଲ ଦ୍ରାବିଡ଼ଙ୍କୁ ପ୍ରଶଂସା କରିବାକୁ ଯାଇ ଭାରତୀୟ କ୍ରିକେଟ୍ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରା ଶନିବାର ଏହା‌ କହିଛନ୍ତି। ସଂପ୍ରତି ଭାରତୀୟ ଟେଷ୍ଟ୍ ଦଳର ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିବା ପୂଜାରାଙ୍କୁ ଅନେକ ସମୟରେ ଦ୍ରାବିଡ଼ଙ୍କ ସହ ତୁଳନା କରାଯାଏ। ଦ୍ରାବିଡ଼ଙ୍କ ଭଳି ଜଣେ ମହାନ ଖେଳାଳିଙ୍କ ସହ ତୁଳନା କରାଯିବା ସମ୍ମାନ ଓ ଗର୍ବର ବିଷୟ ବୋଲି ସେ ମତ ରଖିଛନ୍ତି। ବ୍ୟକ୍ତିଗତ ଓ ପେସାଦାର ଜୀବନରେ ଭାରସାମ୍ୟ ରକ୍ଷା କରିବାର ଶ୍ରେୟ ସେ ଦ୍ରାବିଡ଼ଙ୍କ ପରାମର୍ଶ ସହ ନିଜ କାଉଣ୍ଟି ଖେଳିବା ଅଭିଜ୍ଞତାକୁ ଦେଇଛନ୍ତି।

‘‘ ପେସାଦାର ଓ ବ୍ୟକ୍ତିଗତ ଜୀବନକୁ ଇଂଲିସ୍ ଖେଳାଳିମାନେ କିଭଳି ଭାବେ ଅଲଗା ରଖନ୍ତି, ମୁଁ ତାହା କାଉଣ୍ଟି କ୍ରିକେଟ୍‌ରେ ଦେଖିଛି। ଅନେକ ଲୋକ ଭାବନ୍ତି ମୁଁ ସବୁବେଳେ କ୍ରିକେଟ୍ ଉପରେ ଧ୍ୟାନ ଦିଏ। ତେବେ କେତେବେଳେ ସୁଇଚ୍ ବନ୍ଦ କରିବା ଦରକାର ସେକଥା ମୁଁ ଭଲ ଭାବରେ ଜାଣିଛି। କାରଣ କ୍ରିକେଟ୍ ବାହାରେ ବି ଗୋଟେ ଜୀବନ ଅଛି’’ ବୋଲି ପୂଜାରା ନିଜ ପ୍ରତିକ୍ରିୟାରେ କହିଛନ୍ତି। ଦ୍ରାବିଡ଼ଙ୍କ ବ୍ୟାଟିଂ ଶୈଳୀ ସହ ତାଙ୍କ ବ୍ୟାଟିଂର ଅନେକ ସାମଞ୍ଜସ୍ୟ ରହିବାର କାରଣ ଦର୍ଶାଇବାକୁ ଯାଇ ସେ କହିଛନ୍ତି ଯେ ମୁଁ ଢେର କିଛି ବର୍ଷ ଘରୋଇ କ୍ରିକେଟ୍ ଖେଳି ଭାରତୀୟ ଦଳକୁ ଯାଇଛି। ହେଲେ ତା’ ମାନେ ନୁହେଁ ଯେ ମୁଁ ଜାଣିଶୁଣି ଦ୍ରାବିଡ଼ଙ୍କ ଭଳି ବ୍ୟାଟିଂ କରେ, ଆମ ଦୁଇ ଜଣଙ୍କ ଖେଳରେ ଅନେକ ସମାନତା ଅଛି। ଏହା କେବଳ ସୌରାଷ୍ଟ୍ର ପକ୍ଷରୁ ଖେଳିବାର ଅଭିଜ୍ଞତା ପାଇଁ ହୋଇଛି। ଯେଉଁଠାରେ ମୁଁ ଶିଖିଥିଲି ଯେ କେବଳ ଶତକ ଅର୍ଜନ କରିବା ଯଥେଷ୍ଟ ନୁହେଁ। ଆପଣଙ୍କୁ ଆପଣଙ୍କ ସହ ନିଜ ଦଳକୁ ବି ନେବାକୁ ହେବ। ଏମିତି ହିଁ ମୁଁ ଦାୟିତ୍ବବାନ ହେବା ଶିଖିଛି। ଏକ ବଡ଼ ସ୍କୋର କରିବାରେ ମୋ ଦଳକୁ ସାହାଯ୍ୟ କରିବା ହିଁ ଏହାର ଏକମାତ୍ର ଲକ୍ଷ୍ୟ। ଏଥିଲାଗି ମୋତେ ମୋ ୱିକେଟକୁ ଅଧିକ ମୂଲ୍ୟବାନ କରିବାକୁ ହେବ। ଏକଦା ଘରୋଇ କ୍ରିକେଟ୍‌ର ଅନ୍ୟତମ ଦୁର୍ବଳ ଦଳ ଥିବା ସୌରାଷ୍ଟ୍ର ପକ୍ଷରୁ କନିଷ୍ଠ କ୍ରିକେଟ୍ ଖେଳିଳା ବେଳେ ମୁଁ ଏକଥା ହୃଦୟଙ୍ଗମ କରିଥିଲି ବୋଲି ପୂଜାରା କହିଛନ୍ତି।

ସମ୍ବନ୍ଧିତ ଖବର