ନୂଆଦିଲ୍ଲୀ: ମହାନ ଭାରତୀୟ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଆଜକୁ ଠିକ୍ ୧୩ ବର୍ଷ ତଳେ (୨୯ ଜୁନ୍ ୨୦୦୭) ବିଶ୍ବ କ୍ରିକେଟ୍ର ପ୍ରଥମ ଖେଳାଳି ଭାବେ ୧୫,୦୦୦ ଦିନିକିଆ ରନ୍ ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ଆୟର୍ଲାଣ୍ଡର ବେଲଫାଷ୍ଟଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଦିନିକିଆରେ ସଚିନ ଲଗାତାର ଦ୍ବିତୀୟ ପାଳିରେ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଏହି ମାଇଲଖୁଣ୍ଟ ଛୁଇଁବାରେ ପ୍ରଥମ ହୋଇଥିଲେ। ପୂର୍ବରୁ ସଚିନ ମଧ୍ୟ ବିଶ୍ବର ପ୍ରଥମ ଖେଳାଳି ଭାବେ ଦିନିକିଆରେ ୧୦,୦୦୦ ରନ୍ ଅତିକ୍ରମ କରିଥିଲେ। ଏବେ ସେହି କ୍ଲବ୍ରେ ୧୪ ଜଣ ରହିଛନ୍ତି। କିନ୍ତୁ ସକ୍ରିୟ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନି ସାମିଲ ଅଛନ୍ତି। ସଚିନ (୧୮,୪୨୬ ରନ୍)ଙ୍କ ପରେ ମଧ୍ୟ କେହି ଅଦ୍ୟାବଧି ୧୫,୦୦୦ ରନ୍ ଅତିକ୍ରମ କରିନାହାନ୍ତି। ଦୀର୍ଘ ୧୩ ବର୍ଷ ଧରି ଏହା ଅତୁଟ ରହିଥିବା ବେଳେ ଲମ୍ବା ସମୟ ପର୍ଯ୍ୟନ୍ତ ଅତୁଟ ରହିବାର ସମ୍ଭାବନା ଉଜ୍ବଳ ରହିଛି।
୨୦୦୭ ମସିହାର ପ୍ରଥମାର୍ଧ କେବଳ ସଚିନ ନୁହେଁ ଭାରତୀୟ କ୍ରିକେଟ୍ ପାଇଁ ନିରାଶାର ବର୍ଷ ଥିଲା। ମାର୍ଚ-ଏପ୍ରିଲ୍ରେ ୱେଷ୍ଟଇଣ୍ଡିଜ୍ରେ ଅନୁଷ୍ଠିତ ଦିନିକିଆ ବିଶ୍ବକପ୍ରେ ବାଂଲାଦେଶ ନିକଟରୁ ଲଜ୍ଜାଜନକ ପରାଜୟ ସହିତ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା ଭାରତ। ସଚିନ ତେନ୍ଦୁଲକର କିନ୍ତୁ ନିଜ ଖେଳ ଜୀବନର ଶେଷ ଭାଗକୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ନବୀକରଣ କରିଥିଲେ। ୩ ମ୍ୟାଚ୍ ବିଶିଷ୍ଟ ଫ୍ୟୁଚର୍ କପ୍ରେ ଭାରତ ଖେଳିଥିଲା ଦକ୍ଷିଣ ଆଫ୍ରିକା ସହିତ। ପ୍ରଥମ ଦିନିକିଆରେ ୯୯ ରନ୍ କରିଥିଲେ ମଧ୍ୟ ଭାରତ ହାରିଯାଇଥିଲା। ନିଶ୍ଚିତ ବିଜୟ ଆବଶ୍ୟକ କରୁଥିବା ସଚିନ ନଛୋଡ଼ବନ୍ଧାର ପରିଚୟ ଦେଇଥିଲେ। ୯୩ ରନ୍ର ବିସ୍ଫୋରକ ତଥା ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ। ୨୨୮ ରନ୍ ବିଜୟ ଲକ୍ଷ୍ୟରେ ଗାଙ୍ଗୁଲିଙ୍କ ସହ ପ୍ରଥମ ୱିକେଟ୍ ପାଇଁ ୧୩୪ ରନ୍ ଯୋଡ଼ିବା ପରେ ବିଜୟ ସହଜ ହୋଇଥିଲା। ଏହି ପାଳି ଅବସରରେ ସଚିନ ଦ୍ରୁତ ବୋଲର ମାଖୟା ଏନ୍ଟିନିଙ୍କୁ ଖୁବ୍ ଧୂଲେଇ କରିଥିଲେ। କେବଳ ସ୍କୋୟାର୍ ଲେଗ୍ ଓ ମିଡ୍ ୱିକେଟ୍ ଅଞ୍ଚଳରୁ ତାଙ୍କଠାରୁ ସର୍ବାଧିକ ୨୩ ରନ୍ ଆଦାୟ କରିଥିଲେ। ଦକ୍ଷିଣ ଆଫ୍ରିକାର ଶ୍ରେଷ୍ଠ ବୋଲର ଆନ୍ଦ୍ରେ ନେଲ୍ ପାଳି ଆରମ୍ଭରୁ କିଛି ଭୟ ଦେଖାଇଥିଲେ। ସଚିନଙ୍କୁ ସର୍ଟ ବଲ୍ ପକାଇବାରୁ ଭୁଲ୍ କରି ଏହାର ପରିଣତି ଭୋଗିଥିଲେ। ସଚିନ ସ୍କୋୟାର୍ ଲେଗ୍ ଉପରେ ଛକା ମାରିଦେଇଥିଲେ। ଦ୍ବିତୀୟ ଦିନିକିଆ ତଥା ଏହି ୯୩ ରନ୍ ପାଳି ଅବସରରେ ସଚିନ ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୧୫,୦୦୦ ରନ୍ ପୂର୍ଣ୍ଣ କରିଥିଲେ। ସଚିନଙ୍କ ଏହି ପାଳି ମଧ୍ୟ ତାଙ୍କ ୧୯୯୮ ମସିହା ଚମତ୍କାର ଫର୍ମ ବର୍ଷକୁ ମନେ ପକାଇ ଦେଇଥିଲା। ଥଣ୍ଡି ସାବାଲାଲାଙ୍କ ଶିକାର ହୋଇ ଶତକରୁ ବଞ୍ଚିତ ରହିଥିଲେ ମଧ୍ୟ ଏହି ବର୍ଷଟି ଭାରତୀୟ କ୍ରିକେଟ୍ ପାଇଁ ଓ ସଚିନ ତେନ୍ଦୁଲକରଙ୍କ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଏହା ପରେ ସେ ଇଂଲଣ୍ଡ ଗସ୍ତର ନ୍ୟାଟ୍ୱେଷ୍ଟ୍ ଶୃଙ୍ଖଳାରେ ସଚିନ ୭ ପାଳିରୁ ୫୩.୫୨ ହାରରେ ୩୭୪ ରନ୍ କରିଥିଲେ। ଏହା ମଧ୍ୟରେ ୯୯, ୯୪, ୭୧ ରନ୍ର ୩ଟି ଚମତ୍କାର ପାଳି ରହିଥିଲା।
ଏହା ପରେ ପାକିସ୍ତାନ ବିପକ୍ଷ ଘରୋଇ ଶୃଙ୍ଖଳାରେ ୫ ପାଳିରୁ ୨୫୯ ରନ୍ କରିଥିଲେ ମଧ୍ୟ ଅନ୍ୟୁନ ଗୋଟିଏ ଶତକରୁ ବଞ୍ଚିତ ରହିଥିଲେ। ୯୭ ଓ ୯୯ ରନ୍ର ଅନ୍ୟ ଦୁଇଟି ନର୍ଭସ ନାଇଣ୍ଟିର ଶିକାର ପାଳି ରହିଥିଲା। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ୧୧୭* ରନ୍ର ମ୍ୟାଚ୍ ବିଜୟୀ ପାଳି ସହିତ ଶତକ ମରୁଡ଼ିର ଅନ୍ତ ଘଟାଇଥିଲେ। ପରିଂସଂଖ୍ୟାନରୁ ଏ କଥା ମଧ୍ୟ ଜଣାପଡ଼ିଛି ସଚିନ ୨୦୦୭ ମସିହାରେ ଦିନିକିଆରେ ୯୩ରୁ ୯୯ ରନ୍ ମଧ୍ୟରେ ୬ ଥର ଆଉଟ୍ ହୋଇଥିଲେ। ସେହିବର୍ଷ ଟେଷ୍ଟ୍ କ୍ରିକେଟ୍ରେ ଥରେ ମାତ୍ର ନର୍ଭସ ନାଇଣ୍ଟିର ଶିକାର ହୋଇଥିଲେ। ନିଜ ଖେଳ ଜୀବନ ମଧ୍ୟରେ ସଚିନ ଟେଷ୍ଟ୍ କ୍ରିକେଟ୍ରେ ମୋଟ ୧୦ ଥର ଏବଂ ଦିନିକିଆରେ ୧୮ ଥର ନର୍ଭସ ହୋଇ ଶତକ ସୁଯୋଗ ହାତଛଡ଼ା କରିଥିଲେ।
ନୂଆଦିଲ୍ଲୀ: ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ଭାରତୀୟ କ୍ରିକେଟ୍ ପାଇଁ ନିର୍ଣ୍ଣାୟକ ମୁହୂର୍ତ ଆଣିଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିବା ଭାରତୀୟ ଯୁବ ଦଳ ବିଶ୍ବ ବିଜେତା ହୋଇଥିଲା। ପ୍ରଥମ ଥର ଅଧିନାୟକ ହୋଇ ବିଶ୍ବ ମୁକୁଟ ଧରି ଫେରିଥିଲେ ଧୋନି। ଫାଇନାଲରେ ଭାରତ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇଥିଲା। ଦଳରେ ବିଗ୍ ଥ୍ରି-ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼ ନଥିଲେ। ଏକ ଯୁବ ଦଳକୁ ଏକାଠି କରିବାର ଆଭିମୁଖ୍ୟ ରଖି ଖେଳାଳି ଚୟନ କରାଯାଇଥିଲା। ରୋହିତ ଶର୍ମା, ରବିନ୍ ଉଥପ୍ପା, ୟୁସୁଫ୍ ପଠାନ୍ ଏବଂ ଯୋଗୀନ୍ଦର ଶର୍ମାଙ୍କୁ ସୁଯୋଗ ମିଳିଥିଲା। ଏହି ଦଳ ସହ ପ୍ରବଂଧକ/ପ୍ରଶିକ୍ଷକ ଭାବେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ ଲାଲଚାନ୍ଦ ରାଜପୁତ। ସୋମବାର ଏକ ଆଲୋଚନାବେଳେ ରାଜପୂତ କହିଛନ୍ତି ଯେ ‘ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡ଼ଙ୍କୁ ୨୦୦୭ ବିଶ୍ବକପ୍ରେ ନ ଖେଳିବା ଲାଗି ରାହୁଲ ଦ୍ରାବିଡ଼ ପ୍ରବର୍ତ୍ତାଇଥିଲେ’। ସ୍ପୋର୍ଟସକ୍ରୀଡ଼ାର ଫେସବୁକ୍ କ୍ରିକେଟ୍ ପୃଷ୍ଠାରେ ଆଲୋଚନାବେଳେ ରାଜପୂତ କହିଥିଲେ ‘ହଁ ଏହା ସତ କଥା, ଦ୍ରାବିଡ଼ ହିଁ ସଚିନ ଓ ଗାଙ୍ଗୁଲିଙ୍କୁ ପ୍ରବର୍ତ୍ତାଇଥିଲେ, ଇଂଲଣ୍ଡ ଗସ୍ତରେ ଦ୍ରାବିଡ଼ ଅଧିନାୟକ ଥିଲେ, ସେଠାରୁ ମଧ୍ୟ କିଛି ଖେଳାଳି ସିଧାସଳଖ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ। ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେବାକୁ ସେମାନେ ଏହି ନିଷ୍ପତ୍ତିରେ ଉପନୀତ ହୋଇଥିଲେ। କିନ୍ତୁ ଆମେ ବିଶ୍ବକପ୍ ଜିତିଯିବା ପରେ ସେମାନେ ନିଶ୍ଚିତ ଅନୁତାପ କରିଥିବେ। କାରଣ ସଚିନ ଅନେକ ଥର କହିଥାନ୍ତି ‘ମୁଁ ଏତେ ବର୍ଷ ଖେଳିଲି, କିନ୍ତୁ ଏ ପର୍ଯ୍ୟନ୍ତ ବିଶ୍ବକପ୍ ଜିତିପାରିଲିନାହିଁ। ଶେଷରେ ସେ ୨୦୧୧ରେ ଧୋନିଙ୍କ ଦଳରେ ଥାଇ ଦିନିକିଆ ବିଶ୍ବକପ୍ ଜିତିଥିଲେ। ଟି-୨୦ ବିଶ୍ବକପ୍ ବିଜୟର ଐତିହାସିକ ମୁହୂର୍ତକୁ ମନେ ପକାଇ ରାଜପୁତ କହିଥିଲେ ସେତେବେଳେ ଦଳକୁ ଚାପମୁକ୍ତ ରହିବାକୁ କୁହାଯାଇଥିଲା। ଯଦ୍ବାରା ଡ୍ରେସିଂ ରୁମ୍ ସକରାତ୍ମକ ରହିଥିଲା। ମୁଁ ଦଳର ପ୍ରବଂଧକ ଥିଲି, ଯୁବ ଦଳ ଥିବାରୁ ଏହା ବଡ଼ ଆହ୍ବାନ ଥିଲା, ମାତ୍ର କିଛି ବରିଷ୍ଠ ଖେଳାଳି ଥିଲେ। ପ୍ରଥମ ଥର ପାଇଁ ପ୍ରଶିକ୍ଷକ ରହିବା ମଧ୍ୟ ମୋ ପାଇଁ ସୁଯୋଗ ଥିଲା। ଧୋନି ପ୍ରଥମ ଥର ଅଧିନାୟକ ବି ଥିଲେ। ତେଣୁ କରି ଆମେ ମିଶିଯାଇଥିଲୁ। ବିଶ୍ବକପ୍ ପୂର୍ବରୁ ମଧ୍ୟ ଆମେ ଏତେ ଅଭ୍ୟାସ ପାଇନଥିଲୁ। ମାତ୍ର ଗୋଟିଏ ଟି-୨୦ ଖେଳିଥିଲୁ, ଅନ୍ୟ ଦଳଗୁଡ଼ିକ ଅନେକ ମ୍ୟାଚ୍ ଖେଳିଥିଲେ। ପ୍ରଥମ ଥର ବିଶ୍ବକପ୍ ହେଉଥିବାରୁ ଆମେ ବି ଭୋକିଲା ଥିଲୁ ଏବଂ ଯୁବ ଖେଳାଳିମାନେ ସେମାନଙ୍କ ନାମ କମାଇବାର ସୁଯୋଗ ପାଇଥିଲେ। ଯୁବ ଓ ଅଭିଜ୍ଞଙ୍କ ମିଶ୍ରଣ କାରଣରୁ ଫଳାଫଳରେ ଫରକ ପଡ଼ିଥିଲା ବୋଲି ରାଜପୁତ ପ୍ରକାଶ କରିଥିଲେ।