ଦ୍ରାବିଡ ସଚିନଙ୍କ ଭଳି ପ୍ରତିଭାଶାଳୀ ନଥିଲେ, ବେଳେବେଳେ ତାଙ୍କୁ ପଛରେ ପକାଇ ଦେଉଥିଲେ: ରମିଜ

ନୂଆଦିଲ୍ଲୀ: ରାହୁଲ ଦ୍ରାବିଡ୍‌ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ଭଳି ଭଗବାନ ପ୍ରଦତ୍ତ ଉପହାର ନଥିଲେ; କିନ୍ତୁ ବେଳେବେଳେ ତାଙ୍କୁ ଟପି ଯାଇଥିଲେ। ଏକଥା କହିଛନ୍ତି ପୂର୍ବତନ ପାକିସ୍ତାନ ବ୍ୟାଟ୍‌ସମ୍ୟାନ୍‌ ରମିଜ ରାଜା। ଦ୍ରାବିଡ୍‌ଙ୍କ ସଂଖ୍ୟାର ଖେଳ ଉପରେ ନଜର ପକାଇଲେ ତାହା ତାଙ୍କୁ ଜଣେ କିଂବଦନ୍ତି ମାନ୍ୟତା ଦେବାପାଇଁ ଯଥେଷ୍ଟ ହୋଇଥାଏ। ସେ ଭାରତୀୟ କ୍ରିକେଟ୍‌ର ‘ପ୍ରାଚୀର’ ଭାବେ ପରିଗଣିତ। ‌ପ୍ରତ୍ୟେକ ସମୟରେ ସେ ମଧ୍ୟକ୍ରମରେ ବ୍ୟାଟିଂ ପାଇଁ ଆସିଲା ବେଳେ ବୋଲରମାନେ ସେମାନଙ୍କ ପାଇଁ କଠିନ ସମୟ ଆସିଗଲା ବୋଲି ଜାଣିଥା’ନ୍ତି। କୋଲ୍‌କାତାର ଐକିହାସିକ ଇଡେନ୍‌ ଗାର୍ଡେନ୍‌ରେ ୨୦୧୧ ମସିହା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ରେ ତାଙ୍କ ପ୍ରଦର୍ଶନ ଦ୍ରାବିଡ୍‌ଙ୍କ କ୍ୟାରିୟରର ଅନ୍ୟତମ ବୃହତ୍‌ ପାଳି ଥିଲା। ପୁଣି ୧୯୯୯ ଦିନିକିଆ ବିଶ୍ବକପ୍‌ରେ ଶ୍ରୀଲଙ୍କା ବିପକ୍ଷରେ ସେ କରିଥିବା ୧୫୩ ରନ୍‌ ତାଙ୍କର ଅନ୍ୟତମ ସ୍ମରଣୀୟ ପାଳି ରହିଆସିଛି। ସଚିନ୍‌ଙ୍କ ଭଳି ତାଙ୍କୁ ପ୍ରତିଭାଶାଳୀ ଭାବେ ଗଣାଯାଉନଥିଲେ ମଧ୍ୟ ଏଭଳି କେତେକ ସମୟରେ ଦ୍ରାବିଡ୍‌ ଯେ ସଚିନ୍‌ଙ୍କୁ ପଛ‌ରେ ପକାଇ ଦେଇଛନ୍ପିତି ତାହା ସ୍ବୀକାରଯୋଗ୍ୟ ବୋଲି କହିଛନ୍ତି ରମିଜ ରାଜା।

ସେ ଦ୍ରାବିଡ୍‌ଙ୍କ କ୍ୟାରିୟକୁ ମନେପକାଇଥିଲା ବେଳେ ସଚିନ୍‌ଙ୍କ ଭଳି ଭଗବାନ ପ୍ରଦତ୍ତ ଖେଳାଳିଙ୍କ ଗହଣରେ ଖେଳି ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି। ମୋ ମତରେ ସଚିନ୍‌ଙ୍କ ତୁଳନାରେ ଦ୍ରାବିଡ୍‌ ହେଉଛନ୍ତି ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌। ଯିଏ ସଂଖ୍ୟାଧିକ ସମୟ ଦଳର ତ୍ରାଣକର୍ତା ସାଜିଥା’ନ୍ତି ତାଙ୍କୁ ହିଁ ଶ୍ରେଷ୍ଠ କୁହାଯିବା ଉଚିତ। ଏକ୍ଷେତ୍ରରେ ଦ୍ରାବିଡ୍‌ଙ୍କୁ ଶ୍ରେୟ ମିଳିବା ଉଚିତ ବୋଲି ଉଦାହରଣ ସହ ସ୍ପୋର୍ଟସକୀଡ଼ାକୁ କହିଛନ୍ତ ରମିଜ ରାଜା। କଷ୍ଟକର ପିଚ୍‌ରେ ଦ୍ରାବିଡ୍‌ ଜଣେ ଅତ୍ୟନ୍ତ ଚମତ୍କାର ବ୍ୟାଟ୍‌ସମ୍ୟାନ। ତାଙ୍କର ମଜବୁତ ରକ୍ଷଣାତ୍ମକ ଶୈଳୀ ତାଙ୍କୁ ‘ପ୍ରାଚୀର’ ଆଖ୍ୟା ଦେଇଛି। ବିଶେଷକରି ୩ ନମ୍ବର ସ୍ଥାନରେ ତାଙ୍କ ଆଭିମୁଖ୍ୟ ଦୃଢ଼ ରହିଥାଏ ଏବଂ ସେ ଖୁବ୍‌ ଦମ୍ଭର ସହ ସେହି ସ୍ଥାନର ଉପଯୋଗ କରିଥା’ନ୍ତି ବୋଲି କହିଛନ୍ତି ରମିଜ୍। ତୁମେ ସର୍ବଦା ଦ୍ରାବିଡ୍‌ଙ୍କୁ ସମ୍ମାନ କର। ଡ୍ରେସିଂ ରୁମ୍‌ରେ ତାଙ୍କର ମହାନତାର ପରିଚୟ ମିଳିଥାଏ। ଦଳ କଷ୍ଟକର ସ୍ଥିତିରେ ତାଙ୍କଠାରୁ ଯେତିକି ଆଶା ରଖିଥାଏ ଦ୍ରାବିଡ୍‌ ପ୍ରାୟତଃ ଦଳକୁ ନିରାଶ କରିନଥା’ନ୍ତି ବୋଲି କହିଛନ୍ତି ରମିଜ। ଏଠାରେ ସୂଚନାଯୋଗ୍ୟ, ଏହି ମହାନ୍‌ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ୧୬୪ ଟେଷ୍ଟ ଖେଳି ୫୨.୩୧ ହାରରେ ୧୩,୨୮୮ ରନ୍‌ ନିଜ ନାମରେ ରଖିଛନ୍ତି। ସେ ମଧ୍ୟ ୩୪୪ ଦିନିକିଆ ଆନ୍ତର୍ଜାତିକ ଖେଳି ୩୯.୧୬ ହାରରେ ୧୦,୮୮୯ ରନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର