ଦ୍ରାବିଡ୍‌ ହେବେ ମୁଖ୍ୟ ପ୍ରଶିକ୍ଷକ!

ନୂଆଦିଲ୍ଲୀ: ଆଗାମୀ ଟି-୨୦ ବିଶ୍ବକପ୍‌ ପରେ ଭାରତୀୟ ଦଳ ସହ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସଂପର୍କ ଛିନ୍ନ ହେବ। ବିଶ୍ବକପ୍‌ ପରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା‌କୁ ଯାଉଥିଲା ବେଳେ ବିସିସିଆଇ ନୂଆ ମୁଖ୍ୟ ପ୍ରଶିକ୍ଷକ ସନ୍ଧାନରେ ରହିଛି। ଶାସ୍ତ୍ରୀଙ୍କ ସ୍ଥାନରେ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ଅର୍ପଣ କରିବାକୁ ବିସିସିଆଇ ଯୋଜନା କରିଥିଲା ବେଳେ ଏହି ଦୌଡ଼ରେ ଏନ୍‌ସିଏ ମୁଖ୍ୟ ରାହୁଲ ଦ୍ରାବିଡ୍‌ଙ୍କ ନାମ ଆଲୋଚନାକୁ ଆସିଛି। ଦ୍ରାବିଡ୍‌ ସମ୍ଭବତଃ ମୁଖ୍ୟ ପ୍ରଶିକ୍ଷକ ଭାବେ ଶାସ୍ତ୍ରୀଙ୍କ ସ୍ଥାନ ନେଇପାରନ୍ତି ବୋଲି ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ସାକ୍ଷାତକାର ଅବସରରେ ପ୍ରଶ୍ନଉତ୍ତର ସେସନ୍‌ରେ ଗାଙ୍ଗୁଲି କହିଥିଲେ, ଏହା ପୂର୍ବରୁ ଦ୍ରାବିଡ୍‌ଙ୍କୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ସମ୍ଭାଳିବାକୁ କୁହାଯାଇଥିଲା। ହେଲେ ସେ ସ୍ଥାୟୀ ପଦରେ ରହିବାକୁ ଆଗ୍ରହ ପ୍ରକାଶ କରିନଥିଲେ।

ତଥାପି ମୁଁ ତାଙ୍କ ଉପରୁ ବିଶ୍ବାସ ହରାଇନି। ସେ ସ୍ଥାୟୀ ଭାବେ ରହିବାକୁ ଆଗ୍ରହୀ ନଥିଲେ ମଧ୍ୟ ଆମେ ତାଙ୍କ ସହ ସବୁକିଛି ଆଲୋଚନା ପରେ ରାଜି ହୋଇଯିବେ ବୋଲି ବିଶ୍ବାସ ରଖିଥିବା କହିଛନ୍ତି ଗାଙ୍ଗୁଲି। ସେ ଥରେ ହଁ କରିଥିବାରୁ ତାଙ୍କୁ ଗତ ଜୁଲାଇ ମାସରେ ଶ୍ରୀଲଙ୍କା‌ ଗସ୍ତରେ ଦ୍ବିତୀୟସ୍ତରୀୟ ଦଳ ଭାବେ ଗଣାଯାଉଥିବା ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ଦିଆଯାଇଥିଲା। ସେତେବେଳେ ସାରା ବିଶ୍ବ ଏବଂ ଅଧିକାଂଶ ଭାରତୀୟ ପ୍ରଶଂସକ ମଧ୍ୟ ତାଙ୍କ ସଂପୃକ୍ତିର ସ୍ବାଦ ଅନୁଭବ କରିଥିଲେ। ଦ୍ରାବିଡ୍‌ ମଧ୍ୟ ବେଙ୍ଗାଲୁରୁସ୍ଥିତ ନ୍ୟାସ୍‌ନାଲ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ର ମୁଖ୍ୟ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ୧୯ ବର୍ଷରୁ କମ୍‌ ଏବଂ ଇଣ୍ଡିଆ-ଏ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇ ସାରିଛନ୍ତି। ସେ ଯୁବ ଖେଳାଳିଙ୍କୁ ସଠିକ୍‌ ମାର୍ଗଦର୍ଶନ କରିବାର ଶ୍ରେୟ ପାଉଛନ୍ତି।

ସମ୍ବନ୍ଧିତ ଖବର