ମୋହାଲି: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ, କିଂବଦନ୍ତି ବ୍ୟାଟର୍ ତଥା ବର୍ତ୍ତମାନ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଥିବା ରାହୁଲ ଦ୍ରାବିଡ଼ ଗୁରୁବାର ୫୧ତମ ଜନ୍ମଦିନ ପାଳନ କରିବା ସହ ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଦିନ ତମାମ ସାମାଜିକ ଗଣମାଧ୍ୟମରେ ଦ୍ରାବିଡ଼ଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ଓ ଅଭିନନ୍ଦନ ଅର୍ପଣର ସୁଅ ଛୁଟିଥିଲା। ୧୫ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନରେ ଦ୍ରାବିଡ଼ ୧୬୪ ଟେଷ୍ଟ୍ ଓ ୩୪୪ ଦିନିକିଆ ଅନ୍ତର୍ଜାତୀୟ ଖେଳି ଯଥାକ୍ରମେ ୧୩,୨୮୮ ଓ ୧୦,୮୮୯ ରନ୍ ସଂଗ୍ରହ କରିଥିଲେ। ଟେଷ୍ଟ୍ରେ ୩୬ ଓ ଦିନିକିଆରେ ୧୨ ଶତକ ଅର୍ଜନ କରିଥିଲେ। ସଚିନ ତେନ୍ଦୁଲକରଙ୍କ ଭଳି ସେ ଗୋଟିଏ ମାତ୍ର ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳିଥିଲେ। ୨୦୦୭ ଦିନିକିଆ ବିଶ୍ବକପ୍ରେ ସେ ମଧ୍ୟ ଭାରତୀୟ ଦଳର ନେତୃତ୍ବ ନେଇଥିଲେ।
ଦ ୱାଲ୍ ଭାବେ ପରିଚିତ ରାହୁଲ ଦ୍ରାବିଡ଼ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ ସୁସ୍ଥ ଓ ନିରୋଗ ଜୀବନ କାମନା କରିଛନ୍ତି। ବିସିସିଆଇ ନିଜ ସାମାଜିକ ଆକାଉଣ୍ଟ୍ରେ ଅଭିନନ୍ଦନ ଜଣାଇ ‘‘୫୦୯ ଅନ୍ତର୍ଜାତୀୟ ମ୍ୟାଚ୍, ୨୪୨୦୮ ଅନ୍ତର୍ଜାତୀୟ ରନ୍, ୪୮ ଅନ୍ତର୍ଜାତୀୟ ଶତକ’’ ଉଲ୍ଲେଖ କରିଛି। ଦିନେଶ କାର୍ତ୍ତିକ, ହରଭଜନ ସିଂହଙ୍କ ସହ ବହୁ ପୂର୍ବତନ ଖେଳାଳି ଏବଂ ଏକାଧିକ ଆଇପିଏଲ୍ ଫ୍ରାଞ୍ଚାଇଜ୍ ମଧ୍ୟ ଦ୍ରାବିଡ଼ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଗୁରୁବାର ମୋହାଲିରେ ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତୀୟ ଦଳର ପ୍ରଶିକ୍ଷକ ଭୂମିକାରେ ଥାଇ ଦ୍ରାବିଡ଼ ତାଙ୍କ ୫୧ତମ ଜନ୍ମଦିନ ପାଳନ କରିଛନ୍ତି।