୩୨୦୩୯: ଟେଷ୍ଟ୍ କ୍ରିକେଟ୍ରେ ସର୍ବାଧିକ ଭାଗୀଦାରି ରନ୍ କରିବାର କୀର୍ତ୍ତିମାନ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କ ନାଁ’ରେ ରହିଛି। ୨୮୬ ପାଳିରୁ ସେ ଭିନ୍ନ ଭିନ୍ନ ଯୋଡ଼ିଦାରଙ୍କୁ ନେଇ ୩୨୦୩୯ ରନ୍ କରିଛନ୍ତି। ଏହି କ୍ଷେତ୍ରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୩୨୯ ପାଳିରୁ ୩୧୨୪୫ ରନ୍ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଗୋଟିଏ ପାଳିରେ ସର୍ବାଧିକ ହାରାହାରି ଭାଗୀଦାରି ରନ୍ କରିବାର କୀର୍ତ୍ତିମାନ କିନ୍ତୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ ସ୍ମିଥ୍ଙ୍କ ନାଁ’ରେ ରହିଛି। ୧୩୧ ପାଳିରୁ ସେ ୧୧୫.୯୦ ହାରରେ ୧୫୧୮୫ ରନ୍ କରିଛନ୍ତି। ଅନ୍ୟପକ୍ଷରେ ରିକି ପଣ୍ଟିଂଙ୍କୁ ନେଇ ହୋଇଥିବା ଭାଗୀଦାରିରେ ହାରାହାରି ରନ୍ (୫୨.୩୩) ସର୍ବାଧିକ। ପଣ୍ଟିଂଙ୍କ ସହ ବିଭିନ୍ନ ସମୟରେ ଅନ୍ୟ ଖେଳାଳିମାନେ କରିଥିବା ୫୧୩ ଭାଗୀଦାରିରୁ ୨୭୧୦୫ ରନ୍ ସଂଗ୍ରହ କରିଛନ୍ତି।
୭୭୧: ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଅଧିନାୟକ ଶିବ ନାରାୟଣ ଚନ୍ଦରପଲ ନିଜ ଖେଳ ଜୀବନରେ ସର୍ବାଧିକ ସଂଖ୍ୟକ (୭୭୧) ଭାଗୀଦାରିରେ ସଂପୃକ୍ତ ରହିଛନ୍ତି। ସେ ନିଜ ଟେଷ୍ଟ୍ ଜୀବନରେ ସର୍ବାଧିକ ୮୩ ଜଣ ଖେଳାଳିଙ୍କ ସହ ଭାଗୀଦାରି କରିଛନ୍ତି। ନନଷ୍ଟ୍ରାଇକର ପଟେ ରହି ସେ ୫୦୭ ୱିକେଟ୍ ପତନ ଦେଖିଛନ୍ତି।
୮୮: ରାହୁଲ ଦ୍ରାବିଡ଼ ୮୮ ଶତକୀୟ ଭାଗୀଦାରିରେ ସଂପୃକ୍ତ ରହିଛନ୍ତି। ଯାହା ଟେଷ୍ଟ୍ କ୍ରିକେଟ୍ରେ ସର୍ବାଧିକ। ସଚିନ ତେନ୍ଦୁଲକର ୮୬ ଶତକୀୟ ଭାଗୀଦାରି ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି। ୮୫ ଶତକୀୟ ଭାଗୀଦାରି ସହ ରିକି ପଣ୍ଟିଂ ତୃତୀୟ ସ୍ଥାନରେ ରହିଛନ୍ତି। ସଚିନଙ୍କ ସହ ଦ୍ରାବିଡ଼ ୨୦ ଶତକୀୟ ଭାଗୀଦାରି କରିଛନ୍ତି। ସେହିଭଳି ଭିଭିଏସ୍ ଲକ୍ଷ୍ମଣଙ୍କ ସହ ୧୨ ଏବଂ ସୌରଭ ଗାଙ୍ଗୁଲି ଓ ବୀରେନ୍ଦ୍ର ସେହବାଗଙ୍କ ସହ ୧୦ଟି ଲେଖାଏଁ ଶତକୀୟ ଭାଗୀଦାରି କରିଛନ୍ତି। ସେ ମଧ୍ୟ ଏକମାତ୍ର ଖେଳାଳି ଭାବେ ୪ ଜଣ ବ୍ୟାଟ୍ସମ୍ୟାନଙ୍କ ସହ ୧୦ କିମ୍ବା ତା’ଠାରୁ ଅଧିକ ସଂଖ୍ୟକ ଶତକୀୟ ଭାଗୀଦାରି କରିଛନ୍ତି। ସକ୍ରିୟ କ୍ରିକେଟରଙ୍କ ମଧ୍ୟରୁ ଜୋ ରୁଟ୍ ୪୬ ଶତକୀୟ ଭାଗୀଦାରି କରିଛନ୍ତି। ଷ୍ଟିଭେନ ସ୍ମିଥ୍ ଓ ଡେଭିଡ୍ ୱାର୍ନର ୪୧ ଲେଖାଏଁ ଶତକୀୟ ଭାଗୀଦାରି କରିଛନ୍ତି।
୨୦: ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କାଲିସ୍ ସର୍ବାଧିକ ୨୦ ଦ୍ବିଶତକୀୟ ଭାଗୀଦାରି କରିଛନ୍ତି। ସଚିନ ତେନ୍ଦୁଲକର (୧୮) ଓ ରିକି ପଣ୍ଟିଂ (୧୭) ଏହି କ୍ଷେତ୍ରରେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। କେବଳ ହାସିମ ଆମଲାଙ୍କ ସହ କାଲିସ୍ ୬ ଦ୍ବିଶତକୀୟ ଭାଗୀଦାରି କରିଛନ୍ତି। ମାଥ୍ୟୁ ହେଡେନ୍ ଓ ଜଷ୍ଟିନ ଲାଙ୍ଗର ମଧ୍ୟ ୬ ଥର ଦ୍ବିଶତକୀୟ ଭାଗୀଦାରିରେ ସଂପୃକ୍ତ ରହିଛନ୍ତି। ସାଂପ୍ରତିକ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ସର୍ବାଧିକ ୯ ଦ୍ବିଶତକୀୟ ଭାଗୀଦାରି କରିଛନ୍ତି।
୫: ସର୍ବାଧିକ ତ୍ରି-ଶତକୀୟ ଭାଗୀଦାରି କୀର୍ତ୍ତିମାନ ମହାନ ଅଷ୍ଟ୍ରେଲୀୟ ଖେଳାଳି ଡନ୍ ବ୍ରାଡମ୍ୟାନ୍ ଓ ଗ୍ରେମ୍ ସ୍ମିଥ୍ଙ୍କ ନାଁରେ ଲିପିବଦ୍ଧ। ଏକ ଯୋଡ଼ି ଭାବେ ହରଶ୍ଚେଲ ଗିବ୍ସ ଓ ଗ୍ରେମ୍ ସ୍ମିଥ୍ ଏବଂ କାଲିସ୍ ଓ ହାସିମ ଆମଲା ସର୍ବାଧିକ ତିନିଟି ଲେଖାଏଁ ତ୍ରି-ଶତକ ଭାଗୀଦାରି କରିଛନ୍ତି। କେବଳ ଡନ୍ ବ୍ରାଡମ୍ୟାନ୍, ମାହେଲା ଜୟବର୍ଦ୍ଧନେ ଓ କୁମାର ସାଙ୍ଗାକାରା ୪୦୦ ରନ୍ର ଭାଗୀଦାରିରେ ସଂପୃକ୍ତ ରହିଛନ୍ତି।
୯୦: ସର୍ବାଧିକ ୯୦ ଟେଷ୍ଟ୍ ଏକାଠି ଖେଳି କେବେ ବି ଭାଗୀଦାରି କରି ନଥିବା ଖେଳାଳି ହେଲେ ଶ୍ରୀଲଙ୍କାର ସନଥ ଜୟସୂରିୟା ଓ ମୁଥୟା ମୁରଲୀଧରନ। ଏହି ତାଲିକାର ଦ୍ବିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ହରଶ୍ଚେଲ ଗିବ୍ସ ଓ ମଖୟା ଏନଟିନି ରହିଛନ୍ତି। ଉଭୟ ଏକାଠି ୬୪ ଟେଷ୍ଟ୍ ଖେଳିଥିଲେ ମଧ୍ୟ କେବେ ବି ସାଙ୍ଗହୋଇ ବ୍ୟାଟିଂ କରିନାହାନ୍ତି।
୬୭.୫୭: ରାହୁଲ ଦ୍ରାବିଡ଼ଙ୍କ ସହ କରିଥିବା ଭାଗୀଦାରିରେ ବୀରେନ୍ଦ୍ର ସେହବାଗ ୬୬.୫୭ ପ୍ରତିଶତ ରନ୍ କରିଛନ୍ତି। ୨୦୦୧ ମସିହା ପରଠାରୁ ୨୦୦୦ରୁ ଅଧିକ ରନ୍ର ଭାଗୀଦାରି କରିଥିବା ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ ଏହା ସର୍ବାଧିକ। ଗୌତମ ଗମ୍ଭୀରଙ୍କ ସହ କରିଥିବା ଭାଗୀଦାରିରେ ମଧ୍ୟ ସେହବାଗ ୫୯.୬୧ ପ୍ରତିଶତ ରନ୍ କରିଛନ୍ତି।
୪୬.୨୧: ଜଷ୍ଟିନ ଲାଙ୍ଗର ତାଙ୍କ ମୋଟ ଟେଷ୍ଟ୍ ରନ୍ର ୪୬.୨୧ ପ୍ରତିଶତ ମାଥ୍ୟୁ ହେଡେନଙ୍କ ସହ ହାସଲ କରିଛନ୍ତି। ୨୦୦୧ ମସିହା ପରଠାରୁ ୫,୦୦୦ରୁ ଅଧିକ ଟେଷ୍ଟ୍ ରନ୍ କରିଥିବା ଖେଳାଳିଙ୍କ ମଧ୍ୟରେ ଏହା ସର୍ବାଧିକ। ଲାଙ୍ଗର କରିଥିବା ୫୧୧୯ ରନ୍ରୁ ୨୩୬୬ ରନ୍ ହେଡେନଙ୍କ ସହ କରିଥିବା ଭାଗୀଦାରିରୁ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ହେଡେନ୍ ତାଙ୍କର ୩୦.୭୫ ପ୍ରତିଶତ ରନ୍ ଲାଙ୍ଗରଙ୍କ ସହ ଭାଗୀଦାରିରେ କରିଛନ୍ତି। ଆଣ୍ଡ୍ର୍ୟି ଷ୍ଟ୍ରସ୍ ଏହି କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛନ୍ତି। ଆଲେଷ୍ଟର କୁକଙ୍କ ସହ ଭାଗୀଦାରିରୁ ସେ ନିଜ ୩୫.୫୪ ପ୍ରତିଶତ ରନ୍ କରିଛନ୍ତି।
୭୭.୭୮: କୌଣସି ଦଳ ଗୋଟିଏ ପାଳିରେ କରିଥିବା ରନ୍ର ସର୍ବାଧିକ ପ୍ରତିଶତ ଗୋଟିଏ ଭାଗୀଦାରିରୁ ଆସିବା କୀର୍ତ୍ତିମାନ ଶ୍ରୀଲଙ୍କା ନାଁ’ରେ ରହିଛି। ୨୦୦୦ ମସିହାରେ ଡର୍ବାନଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶ୍ରୀଲଙ୍କା ୨୧୬ ରନ୍ କରିଥିଲା। ସେଥିମଧ୍ୟରୁ ୧୬୮ ରନ୍ କୁମାର ସାଙ୍ଗାକାରା ଓ ମାହେଲା ଜୟବର୍ଦ୍ଧନେ ତୃତୀୟ ୱିକେଟ୍ରେ କରିଥିଲେ। ଏହା ଦଳୀୟ ସ୍କୋରର ୭୭.୭୮ ପ୍ରତିଶତ ଥିଲା।
୯୮.୪୧: ୨୦୧୫ରେ ପାକିସ୍ତାନ ବିପକ୍ଷରେ ବାଂଲାଦେଶର ସକିବ ଉଲ୍ ହାସନ ଓ ମହମ୍ମଦ ସାହିଦ ନବମ ୱିକେଟ୍ରେ ୬୩ ରନ୍ ସଂଗ୍ରହ କରିଥିଲେ। ସେଥିମଧ୍ୟରୁ ସକିବ ଏକୁଟିଆ ୬୨ ରନ୍ କରିଥିଲେ। ଯାହା ଥିଲା ୯୮.୪୧ ପ୍ରତିଶତ। ଗତବର୍ଷର ପ୍ରସିଦ୍ଧ ହେଡିଂଲେ ଟେଷ୍ଟ୍ରେ ଜ୍ୟାକ୍ ଲିଚଙ୍କ ସହ କରିଥିବା ୭୬ ରନ୍ର ଭାଗୀଦାରିରୁ ଷ୍ଟୋକ୍ସ ୭୪ ରନ୍ କରିଥିଲେ।
୨୪୯: ଦୁଇ ପଦାର୍ପଣକାରୀ ସର୍ବାଧିକ ରନ୍ର ଭାଗୀଦାରି କରିବାର କୀର୍ତ୍ତିମାନ ଖଲିଦ ଇବାଦୁଲ୍ଲା ଓ ଅବଦୁଲ କାଦିରଙ୍କ ନାଁରେ ରହିଛି। କରାଚିଠାରେ ୧୯୬୪ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ସେମାନେ ଏହି କୀର୍ତ୍ତିମାନ କରିଥିଲେ। ଜଣେ ପଦାର୍ପଣକାରୀ ସର୍ବାଧିକ ୪୨୯ ରନ୍ର ଭାଗୀଦାରି କରିବାର କୀର୍ତ୍ତିମାନ ଦକ୍ଷିଣ ଆଫ୍ରିକାର ଜ୍ୟାକ୍ ରୁଡୋଲ୍ଫ ଓ ବୋଏଟା ଦିପେନାରଙ୍କ ନାଁ’ରେ ରହିଛି। ଉଭୟ ୨୦୦୩ ମସିହାରେ ବାଂଲାଦେଶ ବିପକ୍ଷରେ ଏହି ଭାଗୀଦାରି କରିଥିଲେ। ଦୁଇ ଭାଇଙ୍କ ମଧ୍ୟରେ ସର୍ବାଧିକ ଭାଗୀଦାରିର କୀର୍ତ୍ତିମାନ ଆଣ୍ଡି ଓ ଗ୍ରାଣ୍ଟ ଫ୍ଲାୱାରଙ୍କ ନାଁ’ରେ ରହିଛି। ୧୯୯୫ରେ ହରାରେଠାରେ ପାକିସ୍ତାନ ବିପକ୍ଷରେ ସେମାନେ ୨୬୯ ରନ୍ର ଭାଗୀଦାରି କରିଥିଲେ।