ଇଂଲଣ୍ଡ ଗସ୍ତ ନେଇ ଦ୍ରାବିଡ଼ଙ୍କ ଭବିଷ୍ୟବାଣୀ ‘ଭାରତ ୩-୨ରେ ଶୃଙ୍ଖଳା ଜିତିବ’

ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ୍‌ ଦଳର ପ୍ରସ୍ତାବିତ ଇଂଲଣ୍ଡ ଗସ୍ତ ନେଇ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ଼ ଭବିଷ୍ୟବାଣୀ କରିଛନ୍ତି। ଭାରତ ଏଥରର ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଗସ୍ତରେ ୩-୨ରେ ବିଜୟୀ ହେବ ବୋଲି ‘ଦି ୱାଲ’ ଭାବେ ପରିଚିତ ଦ୍ରାବିଡ଼ ଦୃଢ଼ତାର ସହ କହିଛନ୍ତି। ଇଂଲଣ୍ଡରେ ଶୃଙ୍ଖଳା ଜିତିବାରେ ଦ୍ରାବିଡ଼ ହିଁ ଶେଷ ଭାରତୀୟ ଅଧିନାୟକ। ତାଙ୍କ ନେତୃତ୍ବରେ ଦୀର୍ଘ ୧୪ ବର୍ଷ ତଳେ ଅର୍ଥାତ୍ ୨୦୦୭ ମସିହାରେ ଇଂଲଣ୍ଡକୁ ତା ମାଟିରେ ଧୂଳି ଚଟାଇଥିଲା ଭାରତ। ସେବେଠାରୁ ଆଉ କୌଣସି ଭାରତୀୟ ଅଧିନାୟକ ଇଂଲଣ୍ଡରେ ଶୃଙ୍ଖଳା ଜିତିବାର ସୌଭାଗ୍ୟ ଲାଭ କରିନାହାନ୍ତି। ସୋମବାର ଏକ କ୍ରିକେଟ୍ ୱେବସାଇଟ୍ ପକ୍ଷରୁ ଆୟୋଜିତ ୱେବିନାରରେ ଦ୍ରାବିଡ଼ କହିଛନ୍ତି ଯେ ମୁଁ ଭାବୁଛି ଇଂଲଣ୍ଡରେ ଏଥର ଭାରତ ଶୃଙ୍ଖଳା ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। ଦୁଇ ଦଳ ମଧ୍ୟରେ ଅନେକ ପ୍ରତିଭାବାନ ଖେଳାଳି ଅଛନ୍ତି। ତେବେ ବେନ୍ ଷ୍ଟୋକ୍ସ ଓ ଆର୍‌ ଅଶ୍ବିନଙ୍କ ମଧ୍ୟରେ ରୋଚକ ମୁକାବିଲା ହେବ ବୋଲି ଆଶା କରୁଛି। ଇଂଲଣ୍ଡ ବୋଲିଂ ବାହିନୀ ବେଶ୍ ଶକ୍ତିଶାଳୀ।

ସେମାନଙ୍କ ପାଖରେ ବହୁ ବିକଳ୍ପ ଅଛି। ହେଲେ ବ୍ୟାଟିଂ ବାହିନୀକୁ ଦେଖିଲେ ଆପଣମାନେ ସ୍ପଷ୍ଟ ଭାବେ ଜାଣି ପାରିବେ ଯେ ଇଂଲଣ୍ଡର ଶୀର୍ଷ ୬-୭ ଖେଳାଳିଙ୍କ ମଧ୍ୟରେ କେବଳ ଜୋ ରୁଟ୍‌ଙ୍କ ରୂପରେ ଜଣେ ବିଶ୍ବସ୍ତରୀୟ ଖେଳାଳି ଅଛନ୍ତି। ଷ୍ଟୋକ୍ସ ମଧ୍ୟ ଜଣେ ବହୁତ ଭଲ ବ୍ୟାଟ୍ସମ୍ୟାନ୍। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆରେ ଐତିହାସିକ ଶୃଙ୍ଖଳା ଜିତି ଇଂଲଣ୍ଡ ଯିବ। ଏହି ଶୃଙ୍ଖଳା ବିଜୟ ପରେ ଆମ ଖେଳାଳିଙ୍କ ମନୋବଳ ନିଶ୍ଚିତ ଭାବେ ଉଚ୍ଚରେ ଥିବ। ଭାରତ ପାଖରେ ବହୁ ଅଭିଜ୍ଞ ଖେଳାଳି ଅଛନ୍ତି। ଏଣୁ ଏଥରର ଶୃଙ୍ଖଳା ୩-୨ରେ ଭାରତ ସପକ୍ଷରେ ଯିବ ବୋଲି ମୁଁ ଭାବୁଛି। ସୂଚନାଯୋଗ୍ୟ ଯେ ଇଂଲଣ୍ଡରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବା ଲାଗି ଜୁନ୍ ୨ ତାରିଖରେ ଭାରତ ସେଠାକୁ ଯିବ। ସେଠାରେ ୧୦ ଦିନକାଳ ସଙ୍ଗରୋଧରେ ରହିବା ପରେ ୧୮ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ପ୍ରତୀକ୍ଷିତ ମ୍ୟାଚ୍ ଖେଳିବ। ଏହା ପରେ ଅଗଷ୍ଟ ପ୍ରଥମ ସପ୍ତାହରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିବା ଲାଗି ପଡ଼ିଆକୁ ଓହ୍ଲାଇବ।

ସମ୍ବନ୍ଧିତ ଖବର