ଡ୍ରିମ-୧୧ ହେବ ଆଇପିଏଲ ୨୦୨୦ର ମୁଖ୍ୟ ପ୍ରାୟୋଜକ, ୨୨୨ କୋଟି ପାଇବ ବିସିସିଆଇ

ମୁମ୍ବାଇ : ଡିଜିଟାଲ ସ୍ପୋର୍ଟସ ପ୍ଲାଟଫର୍ମ ଡ୍ରିମ-୧୧ ଆଇପିଏଲର ଟାଇଟଲ ସ୍ପନସର ବା ମୁଖ୍ୟ ପ୍ରାୟୋଜକ ହେବ । ଏ ସଂପର୍କରେ ବିସିସିଆଇ ପକ୍ଷରୁ ମଙ୍ଗଳବାରଦିନ ଘୋଷଣା କରାଯାଇଛି । ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି ଯେ ପ୍ରାୟୋଜକ ଭାବେ ଡ୍ରିମ-୧୧ ବିସିସିଆଇକୁ ୨୨୨ କୋଟି ଟଙ୍କା ପ୍ରଦାନ କରିବ । ଆଇପିଏଲ ପ୍ରାୟୋଜକ ଦୌଡ଼ରେ ଥିବା ଅନ୍ୟ କମ୍ପାନି ବାଇଜୁସ, ୟୁନିଏକାଡେମୀ ଓ ଟାଟାକୁ ପଛରେ ପକାଇ ଡ୍ରିମ-୧୧ ସର୍ବୋଚ୍ଚ ବିଡ ସହ ନିଲାମରେ ବିଜୟୀ ହୋଇଛି । ୟୁନିଏକାଡେମୀ ୨୧୦ କୋଟି ଓ ଟାଟା ୧୮୦ କୋଟିର ବିଡ ଦାଖଲ କରିଥିଲେ ।

କିଛିଦିନ ପୂର୍ବେ ବିସିସିଆଇ ଚୀନ ମୋବାଇଲ କମ୍ପାନି ଭିଭୋକୁ ପ୍ରାୟୋଜକ ପଦରୁ ହଟାଇଦେଇଥିଲା । ଗତ ୨୦୧୮ରୁ ଭିଭୋ ପ୍ରଥମଥର ପାଇଁ ଆଇପିଏଲର ପ୍ରାୟୋଜକ ହୋଇଥିଲା । ଏଥିପାଇଁ ଭିଭୋ ବିସିସିଆଇ ସହ ୫ ବର୍ଷ ପାଇଁ ୨୧୯୯ କୋଟି ଟଙ୍କାର ଚୁକ୍ତି କରିଥିଲା । ଅର୍ଥାତ ଭିଭୋ ବିସିସିଆଇକୁ ବର୍ଷକୁ ୪୪୦ କୋଟି ଟଙ୍କା ପ୍ରଦାନ କରୁଥିଲା ।

ସୂଚନାଯୋଗ୍ୟ ଯେ ଆଇପିଏଲ ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଖେଳାଯିବ । ଫାଇନାଲ ନଭେମ୍ବର ୧୦ରେ ଖେଳାଯିବ । ମ୍ୟାଚଗୁଡ଼ିକ ଭାରତୀୟ ସମୟ ସଂଧ୍ୟା ସାଢେ ୭ଟା ବେଳେ ଅନୁଷ୍ଠିତ ହେବ । ଏବର୍ଷ କରୋନା ଭାଇରସ ଯୋଗୁଁ ମାର୍ଚ୍ଚ ଏପ୍ରିଲରେ ଆଇପିଏଲ ଖେଳାଯାଇନଥିଲା ।

ସମ୍ବନ୍ଧିତ ଖବର