ଶାନ୍ତନୁଙ୍କ ଅପରାଜିତ ଦ୍ବିଶତକ; ପ୍ରୟାସଙ୍କ ପ୍ରଥମ ଶତକ

ଡ୍ରିମ୍ସ ରଣଜୀ ଅମୀମାଂସିତ: ଓଡ଼ିଶାକୁ ୩ ପଏଣ୍ଟ୍‌

କଟକ : ଟାଙ୍ଗୀ ସ୍ଥିତ ଡ୍ରିମ୍‌ସ ଷ୍ଟାଡିୟମରେ ଓଡ଼ିଶା ଓ ନାଗାଲାଣ୍ଡ ରଣଜୀ ମୁକାବିଲା ଅମୀମାଂସିତ ଭାବେ ଶେଷ ହୋଇଛି। ଶାନ୍ତନୁ ମିଶ୍ରଙ୍କ ଚିତାକର୍ଷକ ଅପରାଜିତ ଦ୍ବିଶତକ ସାଙ୍ଗକୁ ପ୍ରୟାସ ସିଂହଙ୍କ ପ୍ରଥମ ଶତକ ବଳରେ ଓଡ଼ିଶା ୫୩୫/୮ରେ ପ୍ରଥମ ପାଳିକୁ ଘୋଷଣା କରିବା ସହିତ ୧୦୨ ରନ୍‌ର ଅଗ୍ରଣୀ ହାସଲ କରିଥିଲା। ଏହାପରେ ନାଗାଲାଣ୍ଡ୍‌ ଦ୍ବିତୀୟ ପାଳିରେ ଜୋସୁଆଙ୍କ ୱିକେଟ୍‌ ହରାଇ ୧୨୦ ରନ୍‌ କରିଥିଲା ବେଳେ ଅନ୍ତିମ ଦିବସର ଷ୍ଟମ୍ପ୍‌ସ ପ୍ରତ୍ୟାହାର କରାଯାଇଥିଲା। ପାଳି ଅଗ୍ରଣୀ ଭିତ୍ତିରେ ଓଡ଼ିଶା ୩ ପଏଣ୍ଟ ଅକ୍ତିଆର କରିନେଇଥିଲା ବେଳେ ଚଳିତ ଋତୁରେ ନାଗାଲାଣ୍ଡ (୧ ପଏଣ୍ଟ୍‌) ପଏଣ୍ଟ୍‌ ଖାତା ଖୋଲିବାକୁ ସମର୍ଥ ହୋଇଛି। ଫଳରେ ପୂର୍ବରୁ ୪ ପଏଣ୍ଟ ପାଇଥିବା ଓଡ଼ିଶାର ମୋଟ ପଏଣ୍ଟ୍‌ ସଂଖ୍ୟା ୭ରେ ପହଞ୍ଚିଛି। ଦ୍ବିଶତକୀୟ ପାଳି ପାଇଁ ଶାନ୍ତନୁ ମ୍ୟାଚ୍‌ର ‌ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହା ଶାନ୍ତନୁଙ୍କ ବ୍ୟକ୍ତିଗତ ପ୍ରଥମ ଦ୍ବିଶତକ ଏବଂ ତୃତୀୟ ଶତକ ଥିଲା।

ଓପ୍‌ନର ଶାନ୍ତନୁ ପ୍ରାୟ ୨୦ ଘଣ୍ଟା କ୍ରିଜ୍‌ରେ ରହି ଅପରାଜିତ ଦ୍ବିଶତକ (୨୦୦*, ୪୦୫ ବଲ୍‌, ୨୧ ଚୌକା) ହାସଲ କରିବା ସାଙ୍ଗକୁ ପ୍ରୟାସ (୧୦୪ ରନ୍‌, ୧୪୧ ବଲ୍‌, ୧୫ ଚୌକା‌, ୧ ଛକା)ଙ୍କ ସହ ସପ୍ତମ ୱିକେଟ୍‌ରେ ୧୫୮ ରନ୍ ଯୋଡ଼ିଥିଲେ। ଓଡ଼ିଶା ମଧ୍ୟ ଆଜି ୨୯ ଓଭର ଖେଳି ୨ ୱିକେଟ୍‌ ହରାଇବା ପୂର୍ବରୁ ଦଳୀୟ ସ୍କୋର୍‌ରେ ୧୪୩ ରନ୍ ଯୋଡ଼ିଥିଲା।

ଦଳକୁ ଫେରିଲେ ବସନ୍ତ

ଉତ୍ତରପ୍ରଦେଶର ଲ‌କ୍ଷ୍ନୌସ୍ଥିତ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାକୁ ଥିବା ହିମାଚଳ ପ୍ରଦେଶ ବିପକ୍ଷ ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳ ଘୋଷଣ‌ା କରାଯାଇଛି। ଏଥିରେ ବିଶ୍ରାମରେ ଥିବା ବସନ୍ତ ମହାନ୍ତିଙ୍କୁ ସାମିଲ କରାଯାଇଥିଲା ବେଳେ ହରିୟାଣା ଓ ନାଗାଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ବିଫଳ ହୋଇଥିବା ସ୍ବସ୍ତିକ ସାମଲଙ୍କୁ ବାଦ୍‌ ଦିଆଯାଇଛି।

ସମ୍ବନ୍ଧିତ ଖବର