କଳିଯୁଗର ଦ୍ରୋଣାଚାର୍ଯ୍ୟ ମିତ୍ରଭାନୁ, ନିଜ ଖର୍ଚ୍ଚରେ ଶିଖାଉଛନ୍ତି ତୀରନ୍ଦାଜି

ଅର୍ଚ୍ଚନାଙ୍କ ଉପରେ ଅଲିମ୍ପିକ ଆଶା

ସମ୍ବଲପୁର(ମଳୟ କୁମାର ପରିଡ଼ା): ଅଲିମ୍ପିକ୍ସ ପଦକ ଜିତିବା ପାଇଁ କେହି ନିଜର ସବୁକିଛି ବାଜିରେ ଲଗେଇ ଦେଇଥିବା ଆପଣ ଶୁଣିଥିବେ। ହେଲେ କଳିଯୁଗରେ ଏମିତି ବି ଗୁରୁ ଅଛନ୍ତି ଯିଏ ଅନ୍ୟକୁ ଅଲିମ୍ପିକ୍ସ ପଦକ ଜିତାଇବା ଲକ୍ଷ୍ୟ ନେଇ ନିଜର ସମ୍ପୂର୍ଣ୍ଣ ଜୀବନ ଉତ୍ସର୍ଗ କରିଦେଇଛି। ସେଭଳି ଜଣେ ଗୁରୁ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ର ମିତ୍ରଭାନୁ ମହାପାତ୍ର। ବୟସ ୫୨ ପାର ହେଲାଣି। ୧୯୯୩ରୁ ଯୁଯୁମୁରା ଉଚ୍ଚ ବିଦ୍ୟାଳୟରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟରତ। ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ହୋଇଥିଲେ ବି ନିଜ ଗୁରୁଙ୍କୁ ଦେଇଥିବା କଥା ପାଇଁ ଆଜୀବନ ଅବିବାହିତ ରହି ତୀରନ୍ଦାଜିକୁ ବଞ୍ଚାଇ ରଖିବା ସହ ଭାରତ ପାଇଁ ଅଲିମ୍ପିକ୍ସ ପଦକ ହାସଲ କରିବାକୁ ୨୦୦୨ରୁ ଇଚ୍ଛୁକ ପିଲାମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇଆସୁଛନ୍ତି। କେବଳ ସେତିକି ନୁହେଁ ଏହି ତୀରନ୍ଦାଜି ପାଇଁ ବ୍ୟବହାର ହେଉଥିବା ସମାଗ୍ରୀ କିଣା ଓ ପିଲାମାନଙ୍କ ପାଇଁ ନିଜ ରୋଜଗାରକୁ ଖର୍ଚ୍ଚ କରିଆସିଛନ୍ତି ମିତ୍ରଭାନୁ।

ପ୍ରଥମେ ପ୍ରଥମେ ଶିକାରୀ ଧନୁକୁ ବ୍ୟବହାର କରୁଥିଲେ, ମାତ୍ର ପରେ ଏହାକୁ ପ୍ରତିଯୋଗିତାଗୁଡିକରେ ବାରଣ କରାଯିବାରୁ ସେ ବାଧ୍ୟ ହୋଇ ପ୍ରତିଯୋଗିତା ପାଇଁ ଉଦ୍ଦିଷ୍ଟ ଧନୁ କିଣିବା ଆରମ୍ଭ କରିଥିଲେ। ପିଲାମାନଙ୍କ ଅଭ୍ୟାସ ପାଇଁ ନିକଟରେ ୨ ଲକ୍ଷ ୫୦ ହଜାର ଟଙ୍କା ଦେଇ ସେ ଏକ ନୂଆ ଧନୁ କିଣିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ଶତାଧିକ ପିଲାଙ୍କୁ ତୀରନ୍ଦାଜି ଶିଖାଇ ସାରିଲେଣି। ତାଙ୍କ ପ୍ରଶିକ୍ଷଣରେ ଅନେକ ପିଲା ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତା ମଧ୍ୟ ହାସଲ କରି ପଦକ ହାତେଇଛନ୍ତି।

ଗୁରୁଙ୍କ କଥା ରଖିଲେ ପ୍ରଶିକ୍ଷକ
ତେବେ ମିତ୍ରଭାନୁ ଷଷ୍ଠ ଶ୍ରେଣୀରେ ପଢୁଥିବା ସମୟରେ ତାଙ୍କ ଗୁରୁ ନିମାଇଁ ଚରଣ ବୁଢେକଙ୍କୁ ଦେଖି ତୀରନ୍ଦାଜି ଶିଖିବା ଆରମ୍ଭ କରିଥିଲେ। ମିତ୍ରଭାନୁଙ୍କ କହିବା ଅନୁଯାୟୀ, ମହାଭାରତରେ ଅର୍ଜୁନଙ୍କ ଧନୁ ଚାଳନା ତାଙ୍କୁ ପ୍ରେରଣା ଦେଇଥିଲା। ତାଙ୍କ ଗୁରୁ ନିମାଇଁ ଚରଣଙ୍କ ଦେହ ଅସୁସ୍ଥ ହେବା ସମୟରେ ତାଙ୍କୁ କହିଥିଲେ, ଏ ତୀରନ୍ଦାଜିକୁ ବଞ୍ଚେଇ ରଖିବା ଦାୟିତ୍ବ ତୋର। ତା ପରଠୁ ସେ ଏ ଦିଗରେ ପ୍ରୟାସ ଆରମ୍ଭ କରିଥିଲେ। ଆର୍ମିରେ ଯବାନ ହେବାକୁ ଲକ୍ଷ୍ୟ ରଖିଥିବା ମିତ୍ରଭାନୁ ଅଳ୍ପ ଶିକ୍ଷା ପାଇଁ ଏଥିରୁ ବଞ୍ଚିତ ହେଲେ। ଯେଉଁଦିନ ମୋ ପିଲାଙ୍କ ମଧ୍ୟରୁ କେହି ଅଲିମ୍ପିକ୍ସ ପଦକ ଜିତିବ, ସେଦିନ ମୋ ଜୀବନ ସଫଳ ହେବ ବୋଲି ସେ କହିଛନ୍ତି। ବର୍ତ୍ତମାନ ତାଙ୍କ ପାଖରେ ୨୩ ଜଣ ପିଲା ପ୍ରଶିକ୍ଷଣ ନେଉଛନ୍ତି। ଗୁରୁଙ୍କୁ ଏହି କ୍ରୀଡ଼ା ବଞ୍ଚାଇ ରଖିବା ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ମିତ୍ରଭାନୁ ପାଳନ କରୁଛନ୍ତି। ମାତ୍ର ଅଲମ୍ପିକ୍ସ ପଦକ ବିଜେତା ତିଆରି କରିପାରିଲେ ମୋ ଜୀବନ ସାର୍ଥକ ହେବ ବୋଲି ମିତ୍ରଭାନୁ କହିଛନ୍ତି। ଏହା ସହିତ ସରକାରଙ୍କ ପକ୍ଷରୁ ପିଲାମାନଙ୍କୁ ଅତ୍ୟାଧୁନିକ କ୍ରୀଡ଼ା ସାମଗ୍ରୀ ଯୋଗାଇ ଦେବା ପାଇଁ ସେ ନିବେଦନ କରିଛନ୍ତି।

ଅର୍ଚ୍ଚନାଙ୍କ ଉପରେ ଅଲିମ୍ପିକ ଆଶା
ଢେଙ୍କାନାଳ ଶୁରୁମାପଦା ଗାଁର ଝିଅ ଅର୍ଚ୍ଚନା ଗୁଇଆ। ବୟସ ୧୭। ବର୍ତ୍ତମାନ ବୀର ସୁରେନ୍ଦ୍ର ସାଏ ମହାବିଦ୍ୟାଳୟ ଯୁଯୁମୁରାର +୨ ପ୍ରଥମ ବର୍ଷ କଳାର ଛାତ୍ରୀ। ଦୀପିକା କୁମାରୀଙ୍କୁ ନିଜର ଆଦର୍ଶ ମାନୁଥିବା ଅର୍ଚ୍ଚନା ଅଲିମ୍ପିକ୍ସ ତୀରନ୍ଦାଜିରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। କେବଳ ଲକ୍ଷ୍ୟ ରଖିନାହାନ୍ତି, ସେଥିପାଇଁ ତାଲାବନ୍ଦ ସମୟରେ ବି ଘରକୁ ନ ଯାଇ ଯୁଯୁମୁରାରେ ରହି ମିତ୍ରଭାନୁଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି। ବୟସ କମ୍ ହୋଇଥିଲେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନେ ବୋଲି ଯେଉଁ ଉକ୍ତିଟି ଅଛି ତାକୁ ସତ ବୋଲି ପ୍ରମାଣ କରିଛନ୍ତି ସେ। ବିଦ୍ୟାଳୟ ସ୍ତରର ଏକ ପ୍ରତିଯୋଗିତା ଚାଲିଥିବା ବେଳେ ଅର୍ଚ୍ଚନାଙ୍କ ସହ ମିତ୍ରଭାନୁଙ୍କ ସାକ୍ଷାତ ହୋଇଥିଲା। ଅର୍ଚ୍ଚନାଙ୍କ ଆଗ୍ରହ ଓ ଇଚ୍ଛାଶକ୍ତି ଆଗରେ ଅର୍ଥ ସବୁଠାରୁ ବଡ଼ ବାଧକ ସାଜିଥିଲା। ଅର୍ଚ୍ଚନାଙ୍କ ଇଚ୍ଛାଶକ୍ତି ଦେଖିବା ପରେ ମିତ୍ରଭାନୁ ତାଙ୍କର ସବୁ ଖର୍ଚ୍ଚ ବହନ କରିବା ସହ ଏବେ ପ୍ରଶିକ୍ଷଣ ଦେଉଛନ୍ତି। ଇତି ମଧ୍ୟରେ ଅର୍ଚ୍ଚନା ଜାତୀୟ ସ୍ତରରେ ସ୍ବର୍ଣ୍ଣ ପଦକ ମଧ୍ୟ ହାସଲ କରିସାରିଛନ୍ତି। ୨୦୧୭ ମସିହା ଡିସେମ୍ବର ୨୮ରୁ ୩୦ ତା‌ରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଭୋପାଳଠାରେ ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମ ଆନୁକୂଲ୍ୟରେ ଅୟୋଜିତ ହୋଇଥିବା ୨୦ତମ ଜାତୀୟ ବନବାସୀ କ୍ରୀଡ଼ା ପ୍ରତିଯୋଗିତାର କନିଷ୍ଠ ବିଭାଗ ତୀରନ୍ଦାଜିରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ବ୍ୟତୀତ ରାଜ୍ୟସ୍ତରୀୟ କନିଷ୍ଠ ପ୍ରତିଯୋଗିତାରେ ୪ ପଦକ ହାସଲ କରିଛନ୍ତି। ଶେଷଥର ସେ ଭାରତୀୟ ବିଦ୍ୟାଳୟ କ୍ରୀଡ଼ା ମହାସଂଘ ଦ୍ବାରା ଝାଡ଼ଖଣ୍ଡର ରାଞ୍ଚିଠାରେ ଆୟୋଜିତ ୬୫ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ା, ୨୦୧୯-୨୦ରେ ଭାଗ ନେଇଥିଲେ। କରୋନା ସଂକ୍ରମଣ କାରଣରୁ ସବୁଠି ଭୟର ବାତାବରଣ ଖେଳିଯାଇଛି, ମାତ୍ର ଅର୍ଚ୍ଚନାଙ୍କ ଦୃଢ଼ ଇଚ୍ଛାଶକ୍ତି କରୋନା ଭୟାବହତାକୁ ନିଶ୍ଚିହ୍ନ କରିଦେଇଛି।

ସମ୍ବନ୍ଧିତ ଖବର