ଉତ୍କଳର ଦ୍ରୋଣାଚାର୍ଯ୍ୟ: ହରି ପ୍ରସାଦ

ସୁଜାତାଙ୍କଠାରୁ ଅନୁପମାଙ୍କ ଯାଏଁ

ଭୁବନେଶ୍ବର: ଓଡ଼ିଶାରେ ଖେଳକୁଦ ପ୍ରତି ଜଣେ ମାତ୍ର ସମ୍ପୂର୍ଣ୍ଣ ସମର୍ପିତ ବ୍ୟକ୍ତିତ୍ବ ଅଛନ୍ତି ଯାହା ଦୃଢ଼ ଭାବେ କହି ହେବ। ଉଚ୍ଚଶିକ୍ଷିତ, ବିଭିନ୍ନ ଖେଳ ସମ୍ପର୍କରେ ଅଗାଧ ଜ୍ଞାନ ଓ ବୈଷୟିକ ଧାରଣା ରଖିଥିବା ଏହି ବିରଳ ବ୍ୟକ୍ତିଙ୍କ କଠିନ ପରିଶ୍ରମ, ନିଷ୍ଠା, ତ୍ୟାଗ, ସମର୍ପଣ, ଶୃଙ୍ଖଳିତ ଜୀବନ ତାଙ୍କୁ କେବଳ ରାଜ୍ୟ ଖେଳ ଦୁନିଆରେ ସ୍ବତନ୍ତ୍ର ସ୍ଥାନରେ ରଖେ ନାହିଁ, ବରଂ ଉଚ୍ଚ ସୋପାନରେ ବସାଇଛି। ଈଚ୍ଛାଶକ୍ତି ଥିଲେ ଜଣେ ବ୍ୟକ୍ତି ଯେ ସରକାର ଓ ଅନୁଷ୍ଠାନଠାରୁ ଢେର ଆଗକୁ ଯାଇପାରେ ଏହ‌ାକୁ ମଧ୍ୟ ନିଛକ ଅର୍ଥରେ ପ୍ରମାଣିତ କରିଛନ୍ତି ସେ। ଖେଳାଳି ଜୀବନରୁ ଖେଳ ପ୍ରଶିକ୍ଷକ, ପ୍ରଶାସକ, ପୃଷ୍ଠପୋଷକ ସାଜି ପ୍ରତିଷ୍ଠା ଆଣିଥିବା ଏହି ବ୍ୟକ୍ତି ଜଣଙ୍କ ହେଲେ ଡକ୍ଟର ହରି ପ୍ରସାଦ ପଟ୍ଟନାୟକ।

ଅବିବାହିତ ଜୀବନ ବିତାଉଥିଲେ ବି ରାଜ୍ୟ ଖେଳ ଦୁନିଆକୁ ନିଜ ପରିବାର ଭଳି ଦେଖନ୍ତି ଡକ୍ଟର ହରି ପ୍ରସାଦ। ଏକାଧିକ ଜାତୀୟ କରାଟେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଖେଳ ଦୁନିଆକୁ ଯୁବ ବୟସରେ ଆସିଥିବା ଏହି ୫୫ ବର୍ଷୀୟ ବ୍ୟକ୍ତିଙ୍କ ସଫଳତା ଓ କୃତିତ୍ବର ଇତିହାସ ଲେଖିଲେ ଢେର ଲମ୍ବା ହେବ। ଦୀର୍ଘ ୪ ଦଶନ୍ଧି ଧରି ଯୋଡ଼ି ହୋଇ ରହିଛନ୍ତି ଓ ଖେଳ ଓ ‌ଖେଳାଳିଙ୍କ ସହ। ଓଡ଼ିଶା ଖେଳ ଦୁନିଆର ପ୍ରାଣକେନ୍ଦ୍ର ତଥା ଖେଳାଳିଙ୍କ ଉତ୍କର୍ଷ କାରଖାନା ‘ଉତ୍କଳ କରାଟେ ସ୍କୁଲ’ର ପ୍ରତିଷ୍ଠାତା ଓ ସମ୍ପାଦକ ହରି ପ୍ରସାଦଙ୍କ ସଂକ୍ଷିପ୍ତ ପରିଚୟ ହେଲା-ସେ ଅଷ୍ଟମ ଡାନ୍ ବ୍ଲକବେଲ୍ଟଧାରୀ, ବିଶ୍ବ କରାଟେ ମହାସଂଘର ସ୍ବୀକୃତିପ୍ରାପ୍ତ ପ୍ରଶିକ୍ଷକ। ଉତ୍କଳ କରାଟେ ସ୍କୁଲ୍ ଏବେ ଖେଲୋ ଇଣ୍ଡିଆର ଏକ ସ୍ବୀକୃତିପ୍ରାପ୍ତ ଏକାଡେମି ପାଲଟିଛି। ରାଜ୍ୟରେ କରାଟେ ସହିତ ସୁଟିଂ, ଜୁ ଜିତସୁ, ଗ୍ରାପଲିଂ, ସ୍ପୋର୍ଟ କ୍ଲାଇମ୍ବିଂ, ମିକ୍ସଡ ମାର୍ଶାଲ୍ ଆର୍ଟ ଆଦି ନିଆରା ତଥା ଅଣପାରମ୍ପାରିକ ଖେଳ ଗୁଡ଼ିକର ପ୍ରବର୍ତ୍ତକ। ରାଜ୍ୟ ସରକାରଙ୍କ ସହ ମିଶି ପ୍ରାୟ ୨୦ ଲକ୍ଷ ଯୁବତୀଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ପ୍ରଦାନ କରିଛନ୍ତି, ଯେଉଁଥିରେ ସାମିଲ ଅଛନ୍ତି ପ୍ରାୟ ୧୦୦ ଜଣ ଦୃଷ୍ଟିହୀନ ବାଳିକା। ଶକ୍ତିଉତ୍ତୋଳନ ଓ ଭାରୋତ୍ତୋଳନର ଅନ୍ୟତମ ଉତ୍ତମ ପ୍ରଶିକ୍ଷଣ କେନ୍ଦ୍ର ଭାବେ ମଧ୍ୟ ଉତ୍କଳ କରାଟେ ସ୍କୁଲ୍‌ ପ୍ରତିଷ୍ଠା ରହିଛି। ଡଜନେରୁ ଊର୍ଧ୍ବ ପ୍ରାୟ ଖେଳର ମୂଳଦୁଆ ପକାଉଥିବା ଏହି କ୍ରୀଡ଼ା କେନ୍ଦ୍ର ହରି ପ୍ରସାଦଙ୍କ ମାର୍ଗଦଶନରେ ଏବେ ବିଶାଳ ପ୍ରସାଦରେ ପରିଣତ। ବିବିଧ ଖେଳର ଭିତ୍ତିଭୂମି ଗୋଟିଏ ସ୍ଥାନରେ ଉପଲବଧ୍ କରାଇବାରେ ଉତ୍କଳ କରାଟେ ସ୍କୁଲ୍‌ ବି ଘରୋଇ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଶୀର୍ଷରେ।

ସୁଜାତାଙ୍କଠାରୁ ଅନୁପମାଙ୍କ ଯାଏଁ
ଓଡ଼ିଶା ଖେଳାଳିମାନଙ୍କ ଜାତୀୟ ଓ ଅନ୍ତର୍ଜାତୀୟ ସଫଳତା ପଛରେ ହରି ପ୍ରସାଦଙ୍କ ପ୍ରଛନ୍ନ ହାତ ରହୁଥିବାରୁ ତାଙ୍କୁ ‘ମୁକୁଟ ବିହୀନ ରାଜା’ ତଥା ‘ଉତ୍କଳର ଦ୍ରୋଣାଚାର୍ଯ୍ୟ’ ଭାବେ ମଧ୍ୟ ବିବେଚନା କରାଯାଏ। ଖେଳାଳିଙ୍କ ସଫଳତାକୁ ନ ଦେଖିଲେ ଉପରୋକ୍ତ ପରିଚିତି ଦେବା ମଧ୍ୟ ଅର୍ଥହୀନ ହେବ। ହରିବାବୁଙ୍କ ପ୍ରଶିକ୍ଷଣରେ ଏକାଧିକ ଥର ଜାତୀୟ ବିଜୟିନୀ ହୋଇଥିବା କରାଟେକା ଏସ୍ ସୁଜାତା ୧୯୯୭ ମସିହାରେ ଫିଲିପାଇନ୍ସର ମାନିଲାରେ ଅନୁଷ୍ଠିତ ଷଷ୍ଠ ବିଶ୍ବକପ୍‌ କରାଟେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହା ପରଠାରୁ ସେ ଏକାଧିକ କରାଟେକାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇଛନ୍ତି। ୨୦୦୪ରେ ଜାପାନର ଓସାକାରେ ଅନୁଷ୍ଠିତ ବିଶ୍ବ ସୁକୋକାଇ ପ୍ରତିଯୋଗିତାରେ ଭାଲିନା ଭାଲେଣ୍ଟିନା, ଏସ୍‌ ଏସ୍‌ ପଟ୍ଟନାୟକ, ବିଜୟ ସାମଲ, ଅଶୋକ ପଟ୍ଟନାୟକ, ସାକ୍ଷ ମହାନ୍ତି, ରାଜୀବ ସିଂହ, ଇସ୍ପିତା ପାଣ୍ଡେ ଅଂଶଗ୍ରହଣ କରିଥିଲେ। ପରବର୍ତୀ ସମୟରେ ଭାଲିନା ଭାଲେଣ୍ଟିନା ଏସୀୟ କରାଟେ (୨୦୧୭)ରେ ଅଂଶଗ୍ରହଣ ଏବଂ ଦକ୍ଷିଣ ଏସୀୟ କରାଟେ ପ୍ରତିଯୋଗିତାରୁ ସ୍ବର୍ଣ୍ଣ ପଦକ ଜିତିବା ଦେଖିବାକୁ ମିଳିଥିଲା। ଏସୀୟ କ୍ରୀଡ଼ାରେ ମଧ୍ୟ ସେ ଅଂଶଗ୍ରହଣ କରି ଆଗକୁ ବଢ଼ିଥିଲେ। ଏକାଧିକ ଧର ଜାତୀୟ ବିଜେତା ହୋଇ ତାରକା ଖେଳାଳି ଭାବେ ପରିଚିତ ଓ ପ୍ରତିଷ୍ଠା ଅର୍ଜନ କରିଛନ୍ତି।

୨୦୦୩ରେ କୀର୍ତନ ବେହେରା କାଜାକସ୍ତାନରେ ଏସୀୟ ଶକ୍ତିଉତ୍ତୋଳନରେ ଦ୍ବିତୀୟ ସ୍ଥାନ ଦଖଲ କରିବା ପ୍ରଥମ ବଡ଼ ସଫଳତା ଥିଲା। ଭାରୋତ୍ତୋଳିକା ରାନୁ ମହାନ୍ତିଙ୍କ ଉତ୍‌ଥାନ ପଥରେ ମଧ୍ୟ ଥିଲେ ହରି ପ୍ରସାଦ। ରାନୁ ୨୦୦୫ ଏସୀୟ ଶକ୍ତିଉତ୍ତୋଳନରେ ଦ୍ବିତୀୟ ହେବା ସହ ସେହି ବର୍ଷ ଫିନଲାଣ୍ଡ୍‌ ବିଶ୍ବ ଶକ୍ତିଉତ୍ତୋଳନରେ ଅଂଶଗ୍ରହଣ କରିଥିଲେ। ୨୦୦୬ରେ ଏସୀୟ ସ୍ବର୍ଣ୍ଣ ଏବଂ ବିଶ୍ବ କାଂସ୍ୟ ପଦକ ଜିତିଥିଲେ ଏହି ବ୍ରହ୍ମପୁର ଝିଅ। ୨୦୦୭ରେ ମଧ୍ୟ ରାନୁ ଏସୀୟରୁ ଆଉ ଦୁଇଟି ପଦକ ଜିତିଥିଲେ। ପୂର୍ଣ୍ଣଚନ୍ଦ୍ର ବିଡ଼ିକା ବିଶ୍ବ ମାଷ୍ଟର୍ସ ବର୍ଗରେ ଦ୍ବିତୀୟ ସ୍ଥାନ ଦଖଲ କରିବା ମଧ୍ୟ ଅନ୍ୟତମ ସଫଳ ଅଧ୍ୟାୟ ଥିଲା। ଷ୍ଟ୍ରଙ୍ଗମ୍ୟାନ୍‌ ପ୍ରଦୀପ ପାତ୍ର ରାଜ୍ୟଗୋଷ୍ଠୀ ଶକ୍ତିଉତ୍ତୋଳନରେ ସ୍ବର୍ଣ୍ଣ (୨୦୦୯), ଏସୀୟ ରୌପ୍ୟ (୨୦୦୮) ଜିତିଥିଲେ। ଗୌରୀ ମହାନ୍ତି, ସନ୍ଦୀପ ମହାନ୍ତି, କାର୍ତ୍ତିକେଶ୍ବର ଜେନାଙ୍କ ଖେଳ ଜୀବନରେ ମଧ୍ୟ ପ୍ରଛନ୍ନ ହାତ ରହିଥିଲା ହରି ପ୍ରସାଦଙ୍କର। ବିଜୟ ସାମଲ, ସୁରଜ ହନ୍ତାଳ, ବାସୁଦେବ ପ୍ରଧାନ, ଦିଲୀପ କୁମାର ଜେନା, ପାୟଲ ବରାଳ, ଅଭିଷେକ ପଟ୍ଟନାୟକ, ଅଗ୍ନିବେଶ ମହାରଣା, ଉଦିତ୍ ଉଦ୍ଦାମ, ସ୍ବାଗତିକା ସାହୁ, ନିହାର ରଂଜନ ସ୍ବାଇଁ, ସରଣ୍ୟା ରାୟ, ଲୋମା ସ୍ବାଇଁ, ପ୍ରିୟଦର୍ଶିନୀ ଘଟୁଆରି, ଅନୁପମା ସ୍ବାଇଁ ପ୍ରମୁଖ ସଫଳତାର ସିଡ଼ି ଚଢ଼ିଛନ୍ତି ଉତ୍କଳ କରାଟେ ସ୍କୁଲ୍ ଓ ହରି ପ୍ରସାଦଙ୍କ ଜରିଆରେ। ସୁଜାତାଙ୍କଠାରୁ ଆରମ୍ଭ ହୋଇଥିବା ସଫଳତାର ଫର୍ଦ ଅନୁପମାଙ୍କ ଯାଏଁ ଲମ୍ବିଛି। ଶ୍ରେଷ୍ଠ ଶିଶ୍ୟାଭାବେ ଅନୁପମା ସ୍ବାଇଁ ତିନୋଟି ଭିନ୍ନ ଖେଳରୁ ୬ଟି ଅନ୍ତର୍ଜାତୀୟ ପଦକ ଜିତିଛନ୍ତି। ପୁଲିସରେ ନିଯୁକ୍ତି ପାଇବା ସତ୍ତ୍ବେ ଏହି ଦୃଢ଼ମନା ଝିଅ ଶକ୍ତିଉତ୍ତୋଳନରେ ଏସୀୟ ସ୍ବର୍ଣ୍ଣ, ଥାଇ ବିଶ୍ବ ମାନ୍ୟତା ଜୁ ଜିତସୁରେ ସ୍ବର୍ଣ୍ଣ ଏବଂ ଦକ୍ଷିଣ ଏସୀୟ ଜୁ ଜିତସୁରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି। ଉତ୍କଳ ଦ୍ରୋଣଙ୍କ ପ୍ରଶିକ୍ଷଣରୁ ସୀମାହୀନ ପଦକ ମିଳିଛି। କେବଳ ଅନ୍ତର୍ଜାତୀୟ ପଦକ ଓ ପୋଡିୟମ୍‌ ଫିନିସ୍ ଦେଖିଲେ ଏହା ଦୁଇ ଡଜନ ପ୍ରାୟ (୨୨) ପାଖାପାଖି‌ ରହିଛି। ଯାହାକି ଜଣେ ବ୍ୟକ୍ତିକୈନ୍ଦ୍ରିକ ଘରୋଇ ଅନୁଷ୍ଠାନ ପାଇଁ ଉଲ୍ଲେଖନୀୟ ଉପଲ୍‌‌ବଧି।

ସମ୍ବନ୍ଧିତ ଖବର