ଦ୍ବୈତ ନେତୃତ୍ବ: ରୋହିତ ଦୃଢ଼ ଦାବିଦାର

ଆଇପିଏଲ୍‌ ନେତୃତ୍ବ କୋହଲି ବନାମ ରୋହିତ

ନୂଆଦିଲ୍ଲୀ: ଆଇପିଏଲ୍‌ ଶେଷ ହେବା ପରେ ଗୋଟିଏ କଥା ପୁଣି କ୍ରିକେଟ୍ ଦୁନିଆରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଲାଣି। ରୋହିତ ଶର୍ମାଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ପଞ୍ଚମ ଥର ପାଇଁ ମୁକୁଟ ବିଜେତା ହୋଇଛି। ଅନ୍ୟପକ୍ଷରେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍‌ସିବି) ପୁଣି ଥରେ ଟ୍ରଫି ସ୍ପର୍ଶର ଦୁଃସ୍ବପ୍ନ ଭିତରେ ରହିବାକୁ ବାଧ୍ୟ ହୋଇଛି। ପ୍ଲେ ଅଫ୍‌ ଯାଇଥିଲେ ମଧ୍ୟ କୋହଲିଙ୍କ ଦଳ ଏଲିମିନେଟର୍‌ରୁ ବିଦାୟ ନେଇଥିଲା।

ଏହା ପରେ ପୂର୍ବତନ ଖେଳାଳି ଓ କ୍ରିକେଟ୍ ପଣ୍ଡିତମା‌ନେ ଭାରତୀୟ କ୍ରିକେଟରେ ବି ଦ୍ବୈତ ‌ନେତୃତ୍ବ (ଅଧିନାୟକତ୍ବ) ସପକ୍ଷରେ ଯୁକ୍ତି ବାଢ଼ିବା ଆରମ୍ଭ କରିଛନ୍ତି। ଏଭଳି ସ୍ବର ପ୍ରଥମେ ଉଠାଇଛନ୍ତି ରୋକଠୋକ୍‌ କୁହାଳିଆ କ୍ରିକେଟର୍‌ ତଥା ରାଜନେତା ଗୌତମ ଗମ୍ଭୀର। ଏଭଳି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତିରେ ଉପନୀତ ହେବା ପୂର୍ବରୁ କିନ୍ତୁ ଅନେକ କଥା ଦେଖିବାକୁ ପଡ଼ିବ। ପ୍ରଥମେ ଅଧିନାୟକ ଭାବେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟକ୍ତିଗତ ରେକର୍ଡ ଦେଖିବା। ପରିସଂଖ୍ୟାନକୁ ପଛରେ ରଖିଲେ ଦ୍ବିତୀୟ ପ୍ରସଙ୍ଗଟି ହେଉଛି ବ୍ୟକ୍ତିତ୍ବ, ଭାରତୀୟ ସଂସ୍କୃତି ଏବଂ ଦ୍ବୈତ ନେତୃତ୍ବ ବ୍ୟବସ୍ଥାକୁ ଆମ ସ୍ବଭାବ ଖାପ୍‌ ଖାଉଛି କି ନା।

ଆଇପିଏଲ୍‌ ଇତିହାସରେ ରୋହିତ ଶର୍ମା ସବୁଠାରୁ ସଫଳ ଅଧିନାୟକ। ବିଶ୍ବର ସମସ୍ତ ଟି-୨୦ ଲିଗ୍‌ ମଧ୍ୟରେ ଏହା ଅଧିକ ବିଶ୍ବଶ୍ରେଣୀୟ ଖେଳାଳିଙ୍କୁ ନେଇ ସର୍ବାଗ୍ରେ ରହିଛି। ୨୦୧୩ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ନେବାଠାରୁ ଆରମ୍ଭ କରି ରୋହିତ ଶର୍ମା ୫ ଥର ବିଜେତା ହୋଇଛନ୍ତି। ୨୦୧୩ରେ ହରଭଜନ ସିଂହଙ୍କଠାରୁ ନେତୃତ୍ବ ନେଇଥିବା ରୋହିତ ଇଡେନ୍ ଗାର୍ଡେନ୍ସରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ୨୩ ରନ୍ରେ ହରାଇ ପ୍ରଥମ ଥର ବିଜେତା ହେବା ପରେ ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ମଧ୍ୟ ଟ୍ରଫି ହାତେଇଛନ୍ତି। ୮ଟି ସଂସ୍କରଣରେ ନେତୃତ୍ବ ନେଇ ୬ ଥର ଦଳକୁ ପ୍ଲେ ଅଫ୍‌ ପହଞ୍ଚାଇଛନ୍ତି। ମ୍ୟାଚ୍‌ ବିଜୟ ପ୍ରତିଶତରେ ମଧ୍ୟ ରୋହିତ ଆଇପିଏଲ୍‌ ଇତିହାସରେ ସଫଳତମ ଅଧିନାୟକ। ଅନ୍ୟୁନ ୧୦ ମ୍ୟାଚ୍‌ରେ ନେତୃତ୍ବ ନେଇଥିବା ଅଧିନାୟକଙ୍କ ମଧ୍ୟରେ ରୋହିତ ୬୦.୩୪ ପ୍ରତିଶତ ବିଜୟ (୧୧୬ ମ୍ୟାଚ୍‌ରୁ ୬୮ ବିଜୟ) ପାଇଛନ୍ତି।

ଅନ୍ୟପକ୍ଷରେ ଆଇପିଏଲ୍‌ରେ ରୋହିତଙ୍କ ତୁଳନାରେ କୋହଲିଙ୍କ ରେକର୍ଡ ଖରାପ ରହିଛି। ୨୦୧୨ ମସିହା ମଧ୍ୟଭାଗରେ ଡାନିଏଲ୍ ଭିଟୋରିଙ୍କଠାରୁ ଆର୍‌ସିବିର ନେତୃତ୍ବ ସମ୍ଭାଳିଥିଲେ କୋହଲି। ପ୍ରଥମ ୩ ବର୍ଷ ଦୟନୀୟ ପ୍ରଦର୍ଶନ କରିଥିଲା ଆର୍‌ସିବି। ୨୦୧୨ ଓ ୨୦୧୩ରେ ୯ ଦଳ ମଧ୍ୟରେ ପଞ୍ଚମ ଏବଂ ୨୦୧୪ରେ ୮ ଦଳ ମଧ୍ୟରେ ସପ୍ତମ ସ୍ଥାନରେ ରହିଥିଲା। ୨୦୧୫ରେ ପ୍ଲେ ଅଫ୍‌ ଉନ୍ନୀତ ହୋଇଥିଲେ ମଧ୍ୟ ତୃତୀୟ ସ୍ଥାନରେ ରହିଥିଲା। ୨୦୧୬ରେ ଫାଇନାଲ୍ ଖେଳିଥିଲେ ମଧ୍ୟ ସନ୍‌ରାଇଜର୍ସ ହାଇଦ୍ରାବାଦ ହାତରୁ ପରାଜୟ ବରଣ କରି ଉପବିଜେତା ରହିଥିଲା। ୨୦୧୭ରୁ ୨୦୧୯ ମଧ୍ୟରେ ଦଳ ଯଥାକ୍ରମେ ଅଷ୍ଟମ, ଷଷ୍ଠ ଓ ଅଷ୍ଟମରେ ଅଭିଯାନ ଶେଷ କରିଥିଲା। ୨୦୨୦ରେ ପ୍ଲେ ଅଫ୍‌ ‌ଆସିଥିଲେ ମଧ୍ୟ ପୁଣି ଥରେ ହାଇଦ୍ରାବାଦ ହାତରୁ ପରାଜୟ ବରଣ କରି ଏଲିମିନେଟ୍‌ ହୋଇଛି।‌‌ ତେଣୁ ସଂକ୍ଷେପରେ କହିଲେ କୋହଲି ୯ଟି ସଂସ୍କରଣରେ ଆର୍‌ସିବିର ନେତୃତ୍ବ ନେଇ ମାତ୍ର ୩ ଥର ପ୍ଲେ ଅଫ୍‌ ଖେଳିଛନ୍ତି। ଥରେ ଫାଇନାଲ୍ ଖେଳିଥିଲେ ବି ବିଜେତା ହେବାର ସୌଭାଗ୍ୟ ପାଇପାରିନାହିଁ। ୩/୪ ଥର କୋହଲିଙ୍କ ଦଳ ଶେଷ ସ୍ଥାନରେ ରହିଛି। କୋହଲିଙ୍କ ଅଧିନାୟକତ୍ବ ସମୟରେ ଆର୍‌ସିବି ୧୨୫ ମ୍ୟାଚ୍‌ରୁ ୫୫ ଜିତି ୬୩ ହାରିଛି। ବିଜୟ ପ୍ରତିଶତ (୪୬.୬୯) ରୋହିତ (୬୦.୩୪)ଙ୍କଠାରୁ ଢେର ପଛରେ ରହିଛି।

ସୀମିତ ଓଭର ନେତୃତ୍ବ ତୁଳନା
ଅନ୍ତର୍ଜାତୀୟ ସୀମିତ ଓଭର ଉପରେ ନଜର ପକାଇଲେ ଦିନିକିଆରେ ବିରାଟ କୋହଲି ସବୁଠୁ ସଫଳତମ ଭାରତୀୟ ଅଧିନାୟକ। ଭାରତ ମଧ୍ୟ ଏହି ଫର୍ମାଟରେ ଅନ୍ୟତମ ସଫଳ ଦଳ। କୋହଲିଙ୍କ ନେତୃତ୍ବରେ ଭାରତ ୬୨ ଜିତିଥିବା ବେଳେ ମାତ୍ର ୨୪ଟି ହାରିଛି। ଅନ୍ୟୁନ ୪୦ ମ୍ୟାଚ୍‌ ନେତୃତ୍ବକୁ ହିସାବକୁ ନେଲେ କୋହଲିଙ୍କଠାରୁ କେବଳ କ୍ଲାଇଭ୍ ଲୟଡ, ରିକି ପଣ୍ଟିଂ ଏବଂ ହାନସୀ କ୍ରୋନିଏ ଆଗରେ ରହିଛନ୍ତି। ଏପରିକି କୋହଲିଙ୍କ ଅଧିନରେ ଟି-୨୦ରେ ଭାରତ ପରାଜୟ ତୁଳନାରେ ଦୁଇଗୁଣା ବିଜୟ ପାଇଛି। ୩୭ ମ୍ୟାଚ୍‌ ଅଧିନାୟକତ୍ବରୁ ୨୨ ଜିତି ୧୧ ହାରିଛି। କୋହଲିଙ୍କ ଏହି ଉଲ୍ଲେଖନୀୟ ସଫଳତା ସତ୍ତ୍ବେ କୌଣସି ବିଶ୍ବସ୍ତରୀୟ ପ୍ରମୁଖ ପ୍ରତିଯୋଗିତା ନ ଜିତିବାର ଅଭିଶାପ ରହିଛି। ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ପାକିସ୍ତାନ ନିକଟରୁ ହାରିଥିଲା କୋହଲିଙ୍କ ଦଳ। ଧୋନିଙ୍କ ଅଧିନରେ ଭାରତ ଦୁଇ ଥର ବିଶ୍ବକପ୍‌ (୨୦୦୭ ଟି-୨୦ ଏବଂ ୨୦୧୧ ଦିନିକିଆ) ଏବଂ ଥରେ ଚାମ୍ପିଅନ୍ସ ଟ୍ରଫି (୨୦୧୩) ଜିତିଛି। କୋହଲିଙ୍କ ଅଧିନରେ କିନ୍ତୁ ସେଭଳି ସଫଳତା ମିଳିପାରିନି, ଯାହାକି ଚିନ୍ତାର କାରଣ ହୋଇରହିଛି।

ଅନ୍ୟପକ୍ଷରେ ଭାରତୀୟ ଦଳର ନେତୃତ୍ବ ନେବା ଲାଗି ରୋହିତ ଶର୍ମାଙ୍କୁ ସେତେଟା ସୁଯୋଗ ମିଳିନାହିଁ। ତଥାପି ଦାୟିତ୍ବ ମିଳିଥିବା ବେଳେ ସେ ଚମତ୍କାର କରିଛନ୍ତି। ୧୦ ଦିନିକିଆ ନେତୃତ୍ବରୁ ୮ ମ୍ୟାଚ୍‌ ଜିତିବା ସହ ୨୦୧୮ରେ ଦୁବାଇରେ ଏସିଆ କପ୍ ବିଜେତା ହୋଇପାରିଛନ୍ତି। ଟି-୨୦ରେ ଏହି ସଫଳତା ଅଧିକ ଭଲ ରହିଛି। ତାଙ୍କ ୧୯ ମ୍ୟାଚ୍‌ ନେତୃତ୍ବରୁ ୧୫ଟି ଜିତିଛି ଭାରତ। ୨୦୧୮ରେ ଶ୍ରୀଲଙ୍କାରେ ନିଦହାସ ଟ୍ରଫି ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩-୦ ଶୃଙ୍ଖଳା ମୂଳପୋଛ ଏହା ମଧ୍ୟରେ ପ୍ରମୁଖ ହୋଇ ରହିଛି।

ଦ୍ବୈତ ନେତୃତ୍ବ ବନାମ ଭାରତୀୟ ଚରିତ୍ର                                                            
ରୋହିତ ଶର୍ମାଙ୍କୁ ସୀମିତ ଓଭର ଦଳ ବିଶେଷ କରି ଟି-୨୦ ନେତୃତ୍ବ‌ ଦେବା ଯୁକ୍ତିକୁ ଗ୍ରହଣ କରାଗଲେ ସବୁଠୁ ବଡ଼ ପ୍ରସଙ୍ଗ ହେବ ଦ୍ବୈତ ନେତୃତ୍ବ ଭାରତର ବୃହତର ସସ୍କୃତି ଓ କ୍ରିକେଟିଂ ସ୍ବଭାବ ବା ଚରିତ୍ରକୁ ସୁହାଇବ କି ନା। ଅନେକ କ୍ରିକେଟ୍ ବିଶାରଦମାନେ କିନ୍ତୁ ଏହା ସପକ୍ଷରେ ନଥିବାରୁ ‘ନା’ କହୁଛନ୍ତି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସହିତ ଅନ୍ୟ କିଛି ପାଶ୍ଚାତ୍ୟ ରାଷ୍ଟ୍ରରେ ଦ୍ବୈତ ନେତୃତ୍ବ ବ୍ୟବସ୍ଥା ସୁନ୍ଦର ଭାବେ ଚାଲିଥିଲେ ମଧ୍ୟ ଭାରତ ପାଇଁ ଏହା ଅନୁକୂଳ ହେବ ନାହିଁ ବୋଲି ମତ ଆସୁଛି। ଭାରତୀୟ କ୍ରିକେଟ୍‌ରେ ଏହା ଦୁଇଟି ଭିନ୍ନ କ୍ଷମତା କେନ୍ଦ୍ରର ସୂତ୍ରପାତ କରିପାରେ ବୋଲି ଆଶଙ୍କା ରହିବ। ଡ୍ରେସିଂ ରୁମ୍‌କୁ ଅସ୍ଥିର ଓ ଅଶାନ୍ତ କରିଦେବାର ବିପଦ ବି ଆଣିପାରେ ବୋଲି ସେମାନେ ମତ ରଖୁଛନ୍ତି। ଏହା ମଧ୍ୟ ଦଳ ଭିତରେ ଅସୁସ୍ଥ ପ୍ରତିଦ୍ବନ୍ଦ୍ବିତା ଓ ବିଦ୍ରୋହ‌ୀଙ୍କ ପାଇଁ ସୁଯୋଗ ଆଣିବ। ଦୁଇ ଅଲଗା ଫର୍ମାଟ ସ୍ପେସାଲିଷ୍ଟଙ୍କୁ ନେତୃତ୍ବ ପ୍ରଦାନ କରିବା ସହଜ କିନ୍ତୁ ଉଭୟ ଦଳର ସମାନ ଖେଳାଳିଙ୍କୁ‌ ‌ନେଇ ନୁହେଁ। ଉଦାହରଣ ଭାବେ ଇଅନ ମୋର୍ଗାନ୍‌ ସୀମିତ ଓଭର ନେତୃତ୍ବ ନେଉଥିଲେ ମଧ୍ୟ ଇଂଲଣ୍ଡର ଟେଷ୍ଟ୍ ବ୍ୟବସ୍ଥାରେ ନାହାନ୍ତି।

ଦ୍ବୈତ ନେତୃତ୍ବ କିମ୍ବା ବିଭାଜିତ ନେତୃତ୍ବର ଅନ୍ୟ ଏକ ଭାରତ କୈନ୍ଦ୍ରିକ ସମସ୍ୟା ହେଉଛି ବ୍ୟକ୍ତିତ୍ବ। ସୀମିତ ଓଭର ନେତୃତ୍ବ ଭାରତ ହାତରୁ ଖସିଗଲେ କୋହଲି ଖୁସି ରହିପାରିବେ କି? ଏହା ତାଙ୍କ ବ୍ୟାଟିଂକୁ ପ୍ରଭାବିତ କରିବ ନାହିଁ କି? ଏବେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ସୁସ୍ଥ ଶତ୍ରୁତା ରହିଛି। ଏହା ନିଶ୍ଚିତ ଯେ ଖେଳଠାରୁ କେହି ଊର୍ଧ୍ବରେ ନୁହେଁ, ଦଳଠାରୁ ଅଧିକ ସ୍ବାର୍ଥ କିଛି ନାହିଁ। କିନ୍ତୁ ଭାରତୀୟ ଦଳର ନେତୃତ୍ବ କ୍ରିକେଟ୍ ପାଗଳ ଦେଶରେ ନିଶ୍ଚିତ ଏକ ବୃହତ ଦାୟିତ୍ବ। ହାତରୁ ଦୁଇ ତୃତୀୟାଂଶ ଦାୟିତ୍ବ ଖସିଗଲେ ଏହା ଅସ୍ଥିରତା ଆଣିପାରେ।

ସମ୍ବନ୍ଧିତ ଖବର

Comments are closed.